‘‘ଏହା ରୋଷେଇ ଘରୁ ଆରମ୍ଭ ହୋଇଥିଲା,’’ ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲା ଯୋଶୀମଠ ସହରର ଜଣେ ବାସିନ୍ଦା ଅଜିତ ରାଘବ ୩ ଜାନୁଆରୀ, ୨୦୨୩ର ସକାଳେ ଘଟିଥିବା ଆକସ୍ମିକ ଘଟଣା ସମ୍ପର୍କରେ ମନେ ପକାଇ କୁହନ୍ତି।
୩୭ ବର୍ଷ ବୟସ୍କ ଏହି ଜିପ ଟାକ୍ସି ଡ୍ରାଇଭର କୁହନ୍ତି ପ୍ରଥମେ ରୋଷେଇ ଘରେ ଫାଟ ଦେଖିବାକୁ ମିଳିଥିଲା ଏବଂ ଧୀରେ ଧୀରେ ଏହା ତାଙ୍କ ଘରର ଅନ୍ୟ ସ୍ଥାନକୁ ବ୍ୟାପି ଯାଇଥିଲା। ତାଙ୍କର ସାଧାରଣ ଦୁଇ ମହଲା ବିଶିଷ୍ଟ ଘରେ ଅଳ୍ପ ଫାଟ ଥିବା ଏକମାତ୍ର କୋଠରୀକୁ ତୁରନ୍ତ ସେମାନେ ରୋଷେଇ ଘର ଭାବେ ପରିଣତ କରି ଦେଇଥିଲେ। ତାଙ୍କର ଆଠ ଜଣିଆ ପରିବାର ପାଇଁ ହଠାତ୍ ସ୍ଥାନାଭାବ ଦେଖା ଦେଇଥିଲା।
‘‘ଆମର ଦୁଇ ବଡ଼ ଝିଅ ଐଶ୍ୱର୍ଯ୍ୟା (୧୨) ଏବଂ ସୃଷ୍ଟି (୯) ଙ୍କୁ ମୁଁ ମୋର ବଡ଼ ଭଉଣୀ ଘରକୁ ପଠାଇ ଦେଇଥିଲି,’’ ରାଘବ କୁହନ୍ତି। ପରିବାରର ଅବଶିଷ୍ଟ ସଦସ୍ୟ - ରାଘବ, ତାଙ୍କର ପତ୍ନୀ ଗୌରୀ ଦେବୀ, ଛଅ ବର୍ଷର ଝିଅ ଆୟେଶା ଏବଂ ଦୁଇ ବୟସ୍କ ଖୁଡ଼ି - ଏଠାରେ ଭୋଜନ କଲେ। କିନ୍ତୁ ସନ୍ଧ୍ୟା ସୁଦ୍ଧା ସେମାନଙ୍କୁ ନିକଟରେ ଥିବା ସଂସ୍କୃତ ମହାବିଦ୍ୟାଳୟ ସ୍କୁଲରେ ଆଶ୍ରୟ ନେବାକୁ ପଡ଼ିଥିଲା। ଏହି ସ୍ଥାନକୁ ଯୋଶୀମଠର ଏକ ଅସ୍ଥାୟୀ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯାଉଥିଲା। ପ୍ରାୟ ୨୫-୩୦ ବିସ୍ଥାପିତ ପରିବାର ସେଠାରେ ରହିବାକୁ ଆସିଥିଲେ।
ଜାନୁଆରୀ ୨୧, ୨୦୨୩ରେ ଚାମୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ବୁଲେଟିନରେ ଯୋଶୀମଠର ନଅଟି ୱାର୍ଡରେ ଥିବା ୧୮୧ଟି ଘରକୁ ଅସୁରକ୍ଷିତ ଭାବେ ଘୋଷଣା କରାଯାଇଛି ଏବଂ ୮୬୩ଟି କୋଠାରେ ଫାଟ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି । ରାଘବ ନିଜ ପଡ଼ୋଶୀଙ୍କ ଘରେ ସୃଷ୍ଟି ହୋଇଥିବା ଫାଟ ପରୀକୁ ଦେଖାଇ ଦେଇଥିଲେ। ଅବିଚାରିତ ବିକାଶ ଯୋଗୁଁ ଏଭଳି ପରିସ୍ଥିତି ଉତ୍ପନ୍ନ ହୋଇଥିବା ବିଷୟରେ ମତବ୍ୟକ୍ତ କରି ସେ କହିଥିଲେ, ‘‘ଏଠାକାର ପ୍ରତ୍ୟେକ ଘରେ ଯୋଶୀମଠର ଏକ କାହାଣୀ ରହିଛି।’’
ରାଘବ କୁହନ୍ତି, ୩ ଜାନୁଆରୀ ୨୦୨୩ରେ ଯୋଶୀମଠରେ ଥିବା କୋଠାଗୁଡ଼ିକର କାନ୍ଥ, ଛାତ, ଚଟାଣ ଫାଟିବା ଆରମ୍ଭ ହୋଇଥିଲା। ମାତ୍ର କିଛି ଦିନ ମଧ୍ୟରେ ଏହା ଏକ ଗମ୍ଭୀର ସଙ୍କଟରେ ପରିଣତ ହୋଇଥିଲା। ସେହି ସମୟରେ, ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଅଧୀନ ରାଷ୍ଟ୍ରୀୟ ଦୂର ସମ୍ବେଦନ କେନ୍ଦ୍ର (ଏନଆରଏସସି) ଜାରି ହୋଇଥିବା କେତେକ ଚିତ୍ରରେ ଯୋଶୀମଠର ଭୂମି ତଳକୁ ଦବିଥିବା ଦେଖାଯାଇଥିଲା। ଡିସେମ୍ବର ୨୦୨୨ ଶେଷଠାରୁ ଜାନୁଆରୀ ୨୦୨୩ ମଧ୍ୟରେ ୫.୪ ସେଣ୍ଟିମିଟର ଧସିଥିଲା। ଏବେ କିନ୍ତୁ ଏନଆରଏସସି ୱେବସାଇଟ୍ରେ ଫଟୋ ଦେଖିବାକୁ ମିଳୁନାହିଁ।
ରାଘବ ରହୁଥିବା ସିଂହଦାର ୱାର୍ଡରେ, ୧୫୧ଟି କୋଠାରେ ଫାଟ ଥିବା ସ୍ପଷ୍ଟ ଭାବେ ଦେଖାଯାଉଛି; ୯୮ଟି କୋଠା ଅସୁରକ୍ଷିତ ଜୋନ୍ରେ ରହିଛି। ଏସବୁ ବସବାସ ଅନୁପଯୋଗୀ ଏବଂ ଅସୁରକ୍ଷିତ ବୋଲି ଦର୍ଶାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ କୋଠାରେ ଲାଲ ରଙ୍ଗର ଛକି ମାରି ଚିହ୍ନିତ କରାଯାଇଛି।
















