ମହମ୍ମଦ ଶମୀମଙ୍କ ପରିବାରରେ ଏମିତିରେ ତିନି ଜଣ ସଦସ୍ୟ ଅଛନ୍ତି, କିନ୍ତୁ ସେମାନେ ରେଳ ଟିକେଟ୍ କରିଥିବା ଏଜେଣ୍ଟଙ୍କୁ ଅନୁରୋଧ କରୁଛନ୍ତି ଯେ ସେ ୱେଟିଂଲିଷ୍ଟରେ ଥିବା ଅତିକମରେ ଗୋଟିଏ ଟିକେଟ କନଫର୍ମ କରି ଦିଅନ୍ତୁ। “ବସ୍ ମେରୀ ବିବି କୋ ସିଟ୍ ମିଲ ଜାୟେ” (କେବଳ ମୋ ପତ୍ନୀଙ୍କୁ ସିଟ୍ ମିଳିଯାଉ)’, ଶମୀମ କହିଥିଲେ, ଯିଏକି ଉତ୍ତର ପ୍ରଦେଶରେ ଥିବା ନିଜ ଗ୍ରାମକୁ ଫେରିବା ଲାଗି ଚାହୁଁଛନ୍ତି। “ମୁଁ ଯେମିତି ହେଉ ଟ୍ରେନରେ ଚଢ଼ିଯିବି। ମୁଁ ଯେକୌଣସି ପରିସ୍ଥିତିରେ ଯାତ୍ରା କରିପାରିବେ। ପୂର୍ବଥର ଭଳି ପରିସ୍ଥିତି ବିଗିଡ଼ିଯିବା ପୂର୍ବରୁ ଆମକୁ କେବଳ ଘରେ ପହଞ୍ଚିବାର ଅଛି”, ଶମିମ କହିଥିଲେ, ଯିଏକି ନିଜ ଗ୍ରାମ ଉତ୍ତର ପ୍ରଦେଶରେ ପହଞ୍ଚିବାକୁ ଚାହୁଁଛନ୍ତି।
“ଏଜେଣ୍ଟ ଜଣଙ୍କ ଗୋଟିଏ ଟିକେଟ୍ ପିଛା ୧୬୦୦ ଟଙ୍କା ଦାବି କରୁଥିଲା। ମୁଁ ତାହା ସହ କଥା ହୋଇ ୧୪୦୦ ଟଙ୍କାରେ ଠିକ୍ କରିଛି”, ସେ କହିଥିଲେ। “ଯଦି ମୁଁ ଗୋଟିଏ ସିଟ୍ ପାଏ, ତା’ହେଲେ ମୁଁ ଟ୍ରେନରେ ଚଢ଼ିଯିବି ଏବଂ ତା’ପରେ ଯେତିକି ଜୋରିମାନା ଲାଗୁ ପଛେ ଦେବି”। ସାଧାରଣତଃ ମୁମ୍ବାଇରୁ ଉତ୍ତର ପ୍ରଦେଶ ଯିବାକୁ ହେଲେ ସବୁଠୁ ଶସ୍ତା ରେଳ ଟିକେଟ ମୂଲ୍ୟ ୩୮୦ରୁ ୫୦୦ ଟଙ୍କା ମଧ୍ୟରେ ହୋଇଥାଏ। ଉତ୍ତର ପ୍ରଦେଶରେ, ଫୈଜାବାଦ ଜିଲ୍ଲାର ମସୋଦା ବ୍ଲକ୍ ଅନ୍ତର୍ଗତ ଅବ୍ବୋ ସରାଇ ଗ୍ରାମରେ ଶମିମଙ୍କ ଦୁଇ ବଡ଼ ଭାଇ କୃଷି ଶ୍ରମିକ ଭାବେ ଅନ୍ୟ ଜମିଦାର ପରିବାର ପାଇଁ କାମ କରିଥାନ୍ତି, ଏହା ସେମାନଙ୍କ ଋତୁକାଳୀନ ବେଉସା।
୨୨ ବର୍ଷ ବୟସ୍କ ଶମିମ ଏବଂ ମୁମ୍ବାଇର ଅନ୍ୟ ଲକ୍ଷାଧିକ ଶ୍ରମିକଙ୍କ ପାଇଁ ଏହା ହେଉଛି ଦଶ ମାସ ମଧ୍ୟରେ ଦ୍ୱିତୀୟ ଯାତ୍ରା। କାରଣ କୋଭିଡ-୧୯ ସଂକ୍ରମଣ ବୃଦ୍ଧି ପାଇବା କାରଣରୁ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କଟକଣା ଫଳରେ କାରଖାନାଗୁଡ଼ିକ ବନ୍ଦ ହୋଇଯିବା ସହିତ ନିର୍ମାଣସ୍ଥଳୀରେ କାମ ବନ୍ଦ ହୋଇଯାଇଛି।
ମୁମ୍ବାଇର ବଡ଼ ରେଳ ଷ୍ଟେସନଗୁଡ଼ିକ, ବିଶେଷ କରି ବାନ୍ଦ୍ରା ଟର୍ମିନସ ଓ ଲୋକମାନ୍ୟ ତିଲକ ଟର୍ମିନସରେ ଏପ୍ରିଲ ୧୧-୧୨ ତାରିଖଠାରୁ ପ୍ରବାସୀ ଶ୍ରମିକମାନଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି, କାରଣ ଏହି ସ୍ଥାନରୁ ଉତ୍ତର ଭାରତୀୟ ରାଜ୍ୟ ଉତ୍ତର ପ୍ରଦେଶ ଓ ବିହାରକୁ ଅଧିକ ସଂଖ୍ୟାରେ ଟ୍ରେନ ଚଳାଚଳ କରିଥାଏ। ଏପ୍ରିଲ ୧୪ ତାରିଖରେ ନୂଆ କଟକଣା ଲାଗୁ ହେବା ପୂର୍ବରୁ ପ୍ରବାସୀମାନେ ମୁମ୍ବାଇ ଛାଡ଼ିବା ଲାଗି ଚାହୁଁଛନ୍ତି। ଅଧିକ କଟକଣାକୁ ଭୟ କରି ଅନେକ, ଏବେ ବି ମୁମ୍ବାଇ ଛାଡ଼ି ଯିବା ଲାଗି ଚେଷ୍ଟା କରୁଛନ୍ତି।
ଯଦିଓ କର୍ଫ୍ୟୁ ଓ କଟକଣାକୁ ଆଉ ଏକ ‘ଲକଡାଉନ’ ବୋଲି ଶିବସେନା ନେତୃତ୍ୱାଧୀନ ରାଜ୍ୟ ସରକାର କହିନାହାନ୍ତି, କିନ୍ତୁ ଶମୀମ ସଙ୍କୋଚର ସହିତ କହିଥାନ୍ତି : “ଆମ ପାଇଁ ଏହା ଜୀବିକା ହରାଇବାର ଦ୍ୱିତୀୟ ପର୍ଯ୍ୟାୟ। ଏବଂ ଏହା ଆମକୁ ବାଧି ସାରିଲାଣି”






