ଛୋଟ ବାଉଁଶ ଚାଳିରେ ଗୋଟିଏ ଅଣଓସାରିଆ ଖଟ ଉପରେ କପଡ଼ା ଗଦା ହୋଇ ରହିଛି ଯାହା ମୋହିନୀ କୌର ମରାମତି କରିବେ କିମ୍ବା ସିଲେଇ କରିବେ । ନୂଆଦିଲ୍ଲୀର ସ୍ୱରୂପ ନଗରରୁ ଆସିଥିବା ୬୧ ବର୍ଷ ବୟସ୍କା କୌର୍ କୁହନ୍ତି, ‘‘ମୁଁ ଅତି ଭଲ ସିଲେଇ କରେନି, କିନ୍ତୁ ଯେତିକି କରିପାରେ କରେ । ମୁଁ ଏଠାକୁ ପ୍ରତିବାଦକାରୀ କୃଷକମାନଙ୍କୁ ସେବା ଦେବାକୁ ଆସିଥିଲି । ସେମାନେ ଆମ ପାଇଁ ଖାଦ୍ୟ ଅମଳ କରନ୍ତି, ମୁଁ ତାଙ୍କ ପାଇଁ ଏତିକି ହିଁ କରିପାରିଲି ।’’ ୨୦୨୦ ନଭେମ୍ବରରେ ସିଙ୍ଘୁର ପ୍ରତିବାଦସ୍ଥଳକୁ ଆସିଥିବା ମୋହିନୀ ଘରକୁ ଫେରିନଥିଲେ, ଥରେ ବି ନୁହେଁ – ଯେ ପର୍ଯ୍ୟନ୍ତ ଡିସେମ୍ବର ୯, ୨୦୨୧ରେ କୃଷକ ସଂଘଗୁଡ଼ିକ ସେମାନଙ୍କର ପ୍ରତିବାଦ ପ୍ରତ୍ୟାହାର କରିନଥିଲେ ।
ଯେତେବେଳେ ଦିଲ୍ଲୀ- ହରିୟାଣା ସୀମାରେ ସିଙ୍ଘୁଠାରେ ସେ ଜଣେ ସ୍ୱେଚ୍ଛାସେବୀ ଭାବରେ କାମ କରିବା ପଞ୍ଜାବୀ ଖବର କାଗଜ ଅଜିତ୍ର ପୃଷ୍ଠା ମଣ୍ଡନ କରିଥିଲା ସେତେବେଳେ ଏହା ପଞ୍ଜାବର ଜଣେ ପାଠକଙ୍କୁ ମୋହିନୀଙ୍କୁ ସାହାଯ୍ୟ କରିବା ପାଇଁ ପ୍ରେରଣା ଦେଇଥିଲା। ଚଳିତ ମାସ ଜୁଲାଇ ମାସରେ ସେହି ଯୁବକ, ୨୨ ବର୍ଷ ବୟସ୍କ ହର୍ଜିତ୍ ସିଂହ ସେହି ଚାଳିରେ ମୋହିନୀଙ୍କ ସହିତ ତାଙ୍କ କାମ କରିବା ଟେବୁଲ୍ରେ ଯୋଗ ଦେଇଥିଲେ ।
ହର୍ଜିତ୍ଙ୍କର ପଞ୍ଜାବର ଲୁଧିଆନା ଜିଲ୍ଲାର ଏକ ସହର ଖାନ୍ନାଠାରେ ଏକ ଟେଲରିଂ ଦୋକାନ ଅଛି । ତାଙ୍କ ବାପା ହେଉଛନ୍ତି ଜଣେ କୃଷକ ଯେ କି ସେମାନଙ୍କର ଚାରି ଏକର ଚାଷ ଜମିରେ ଧାନ, ଗହମ ଏବଂ ମକା ଚାଷ କରନ୍ତି । ହର୍ଜିତ୍ କୁହନ୍ତି, ‘‘ମୁଁ ମୋ ଦୋକାନକୁ ମୋର ଦୁଇ କାରିଗରଙ୍କ ଦାୟିତ୍ୱରେ ଦେଇ ଚଳିତବର୍ଷ ଜୁଲାଇରେ ମୋହିନୀଜୀଙ୍କୁ ସାହାଯ୍ୟ କରିବା ପାଇଁ ସିଙ୍ଘୁକୁ ଆସିଥିଲି । ଏଠାରେ ଏତେ କାମ ଅଛି; ସେ ଏକୁଟିଆ ଏ ସବୁ କରିପାରିବେ ନାହିଁ ।’’
ଖଟ ଏବଂ କାମ କରିବା ଟେବୁଲ୍ ବ୍ୟତୀତ ଦୁଇଟି ସିଲେଇ ମେସିନ୍ ଓ ଗୋଟିଏ ପେଡେଷ୍ଟାଲ୍ ଫ୍ୟାନ୍ ସେହି ଚାଳିର ଅଧିକାଂଶ ସ୍ଥାନ ପୂରଣ କରିଛି, ଯିବା ଆସିବା ପାଇଁ ଅଳ୍ପ ସ୍ଥାନ ରହିଛି । ଚଟାଣରେ ଗୋଟିଏ ଉଠା ଗ୍ୟାସ୍ ଷ୍ଟୋଭ୍ ଦୁଗ୍ଧ ସିଝାଇବା ପାଇଁ ବ୍ୟବହୃତ ହେଉଥିଲା । ଗୋଟିଏ ସମୟରେ ମାତ୍ର ଜଣେ ବ୍ୟକ୍ତି ମୋହିନୀ କିମ୍ବା ହର୍ଜିତ୍ଙ୍କ ସହ କଥା ହେବ ପାଇଁ ଭିତରକୁ ଆସିପାରିବେ । ‘ଗ୍ରାହକମାନେ’ – କୃଷକ ଏବଂ ପ୍ରତିବାସ ସ୍ଥଳରେ ଅନ୍ୟମାନେ – କବାଟ ପାଖରେ ଛିଡ଼ା ହୁଅନ୍ତି ।







