ମୁଁ ପୁରୁଲିୟାରେ ଭବାନୀ ମାହାତୋଙ୍କୁ ପଚାରିଲି, ‘‘ଯେତେବେଳେ ଭାରତ ଛାଡ଼ ଆନ୍ଦୋଳନରେ ତୁମ ସ୍ୱାମୀ ବୈଦ୍ୟନାଥ ୧୩ ମାସ ପାଇଁ ଜେଲ୍ ଯାଇଥିଲେ ସେ ସମୟ ତୁମ ପାଇଁ ନିଶ୍ଚୟ ଖୁବ୍ କଷ୍ଟକର ହୋଇଥିବ? ଏତେ ବଡ଼ ଯୁଗ୍ମ ପରିବାରକୁ ଚଳାଇବା ଏବଂ...’’
ସେ ଶାନ୍ତ କିନ୍ତୁ ଦୃଢ଼ ଭାବରେ କହିଲେ, ‘‘ସେ ଘରକୁ ଫେରିଆସିବା ପରେ ଅଧିକ କଷ୍ଟ ହୋଇଥିଲା। ଏହାର ଅର୍ଥ ହେଉଛି ସେ ତାଙ୍କ ସାଙ୍ଗସାଥୀଙ୍କୁ ନେଇ ଆସୁଥିଲେ କିମ୍ବା ମୋତେ ସେମାନଙ୍କ ପାଇଁ ରାନ୍ଧିବାକୁ ପଡ଼ୁଥିଲା ଓ ସେମାନେ ଖାଇବା ନେଇ ଚାଲିଯାଉଥିଲେ। ବେଳେ ବେଳେ ୫, ୧୦, ୨୦ କିମ୍ବା ତା’ଠାରୁ ଅଧିକ ଲୋକ। ମୋ ପାଖରେ ବିଶ୍ରାମ ପାଇଁ ଗୋଟିଏ ମୁହୂର୍ତ୍ତ ବି ରହୁନଥିଲା।’’
‘‘କିନ୍ତୁ ନିଶ୍ଚିତ ଭାବରେ, ଭାରତ ଛାଡ଼ ଆନ୍ଦୋଳନ ସହିତ ଆପଣଙ୍କର ସଂପୃକ୍ତି...’’
ସେ ପଚାରନ୍ତି, ‘‘ମୋର ତା’ ସହିତ କିମ୍ବା ସେମିତି ଅନ୍ୟ କିଛି ସହିତ କ’ଣ କରିବାର ଥିଲା?’’ ଭବାନୀ କୁହନ୍ତି, ‘‘ମୋର ସଂଗ୍ରାମରେ କିଛି କରିବାର ନଥିଲା, ମୋ ସ୍ୱାମୀ ବୈଦ୍ୟନାଥ ମାହାତୋ ସେଥିରେ ସଂପୃକ୍ତ ଥିଲେ। ମୁଁ କେବଳ ଗୋଟିଏ ବଡ଼ ପରିବାର, ଏତେସବୁ ଲୋକଙ୍କ ଭଲମନ୍ଦ ବୁଝିବାରେ ଖୁବ୍ ବ୍ୟସ୍ତ ଥିଲି, ମୋତେ କେତେ ରାନ୍ଧିବାକୁ ପଡୁଥିଲା – ପ୍ରତିଦିନ ରୋଷେଇ ବଢ଼ୁଥିଲା!’’ ‘‘ମନେରଖନ୍ତୁ, ମୁଁ ମଧ୍ୟ ଚାଷ କାମ ବୁଝୁଥିଲି।’’
ଆମେ ହତାଶ ହୋଇଗଲୁ। ଆମର ନିରାଶା ଆମ ଚେହେରାରେ ସ୍ପଷ୍ଟ ଦେଖାଯାଉଥିଲା। ଆମେ ଜୀବିତ ଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କ ସନ୍ଧାନରେ ଅନେକ ଦୂରକୁ, ପଶ୍ଚିମବଙ୍ଗର ଏହି ଦୂରନ୍ତ ସ୍ଥାନକୁ ଆସିଥିଲୁ ଏବଂ ଏଠାରେ, ମାନବଜାର ଆଇ ବ୍ଲକ୍ର ଚେପୁୟା ଗ୍ରାମରେ, ଏଥିରେ ଭୂମିକା ନିର୍ବାହ କରିଥିବା ଏହି ମହାନ୍ ମହିଳା ଜଣକ ଭାରତକୁ ସ୍ୱାଧୀନତା ଆଣିଦେଇଥିବା ଐତିହାସିକ ସଂଗ୍ରାମ ସହିତ କୌଣସି ସଂଯୋଗକୁ ଅସ୍ୱୀକାର କରୁଥିଲେ।
ଭବାନୀ ମାହାତୋ ଖୁବ୍ ସ୍ପଷ୍ଟ ଭାବରେ ଏବଂ ଭାବିଚିନ୍ତି କୁହନ୍ତି। ତାଙ୍କ ବୟସ ୧୦୧ରୁ ୧୦୪ ବର୍ଷ ମଧ୍ୟରେ ଥିଲା। ଦୂରନ୍ତ ଗ୍ରାମୀଣ ଅଞ୍ଚଳରେ ଗରିବ ଲୋକଙ୍କ ବୟସର ଦଲିଲ୍କରଣ କରିବା ସବୁ ସମୟରେ କଷ୍ଟକର। ଏକ ଶତାବ୍ଦୀ ପୂର୍ବେ, ଯେତେବେଳେ ସେ ଜନ୍ମ ହୋଇଥିଲେ, ଏହା ପ୍ରାୟ ନଥିଲା। କିନ୍ତୁ ତାଙ୍କ ସ୍ୱର୍ଗତଃ ସ୍ୱାମୀଙ୍କ ରେକର୍ଡ, ଏବଂ ବୟସର ୭୦ ଦଶକରେ ପହଞ୍ଚିଥିବା ତାଙ୍କର ଜଣେ ପୁଅ ସମେତ ତାଙ୍କ ବଡ଼ ପରିବାରର ସଦସ୍ୟମାନଙ୍କ ଜରିଆରେ ଆମେ ଭବାନୀଙ୍କ ବୟସ ଅଟକଳ କରିପାରିଥିଲୁ। ଏଥିସହିତ ଆମେ ପୁରୁଲିୟା (ପୁରୁଲିଆ ଭାବରେ ମଧ୍ୟ ଉଚ୍ଚାରିତ)ରେ କେତେକ ଗ୍ରାମରେ ଭେଟିଥିବା ତାଙ୍କଠାରୁ ସାମାନ୍ୟ କମ୍ ବୟସର ସମସାମୟିକମାନଙ୍କଠାରୁ ତାହା ଜାଣିପାରିଥିଲୁ।
ଏହା ଯେ କୌଣସି ପ୍ରକାରେ, ଏଠାରେ ଅଚଳ ଆଧାର କାର୍ଡ ବ୍ୟବସ୍ଥାଠାରୁ ଅଧିକ ଭରସାଯୋଗ୍ୟ ଯେଉଁଥିରେ ତାଙ୍କ ପିଢ଼ିର ଲୋକମାନଙ୍କ ପାଇଁ ମନଇଛା ବୟସ ଦିଆଯାଇଥିଲା। ସେଥିରେ ଭବାନୀଙ୍କୁ ୧୯୨୫ ମସିହା ଜନ୍ମ ବର୍ଷ ଭାବରେ ଦିଆଯାଇଛି। ଯାହା ଅନୁଯାୟୀ ତାଙ୍କର ବୟସ ୯୭।
ତାଙ୍କ ପରିବାର କୁହନ୍ତି ତାଙ୍କର ବୟସ ୧୦୪ ବର୍ଷ।









