ଅସ୍ତବ୍ୟସ୍ତ, ଅପରିଷ୍କାର ଏବଂ ଛିନଛତ୍ର - ସବୁ ପ୍ରକାର ଜିନିଷ କୁପ୍ପାପୁରମ୍ ହ୍ରଦ କୂଳରେ ପଡ଼ିରହିଛି । ଏପରିକି ବ୍ୟାଙ୍କ୍‌ର ଜିନିଷପତ୍ର  ମଧ୍ୟ ।

ହ୍ରଦଠାରୁ ମାତ୍ର ୮-୧୦ଫୁଟ୍ ଦୂରତାରେ ଥିବା କୁଟ୍ଟମଙ୍ଗଳମ୍ ସେବା କୋଅପରେଟିଭ୍ ବ୍ୟାଙ୍କ୍ କେରଳର ଅଗଷ୍ଟ ବନ୍ୟା ପରେ ହୋଇଥିବା ପ୍ରଳୟରୁ ନିଜକୁ ଉଦ୍ଧାର କରୁଛି । ଯେଉଁ ଜଳସ୍ରୋତ ତାଙ୍କ ଏହି ବ୍ରାଞ୍ଚରେ ପାଣି ଭର୍ତ୍ତି କରିଦେଇଥିଲା, ତାହାରି କୂଳରେ ଏହାର ଜିନିଷପତ୍ର ଗଦା ହୋଇ ରହିଛି । କୈନାକରି ପଞ୍ଚାୟତର ସମସ୍ତେ ଏହା କରୁଛନ୍ତି । କାରଣ ନିଜ ଜିନିଷ ଶୁଖାଇବା ପାଇଁ ଅନ୍ୟ କୌଣସି ସ୍ଥାନ ନାହିଁ । ତେବେ ବ୍ୟାଙ୍କ୍‌ର ଜିନିଷପତ୍ର ମଧ୍ୟରେ ରହିଛି ଲେଜର, ଫାଇଲ୍, ବିଭିନ୍ନ ଡିଡ୍ ଏବଂ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ।

ଯେତେବେଳେ ଆମେ ଚାରିଆଡ଼କୁ ଦେଖୁ, ଆମେ ଆଶା କରୁଯେ ସବୁ ବ୍ୟାଙ୍କ୍‌ର ରେକର୍ଡ କମ୍ପ୍ୟୁଟରୀକୃତ ହୋଇଥିବ । କମ୍ପ୍ୟୁଟର୍ ଶୁଖା ଯାଉଥିବା ଏବଂ ସଫା କରାଯାଉଥିବାର ଦୃଶ୍ୟ କେବେ ବି ଆଶ୍ୱସ୍ତିକାରକ ନୁହେଁ । ଆଲପୂଜା ଜିଲ୍ଲାର ଏହି ତଳୁଆ କୁଟ୍ଟନାଦ ଅଞ୍ଚଳ ସମୁଦ୍ର ପତନରୁ ପ୍ରାୟ ତଳେ ରହିଛି । ଗତ ଅଗଷ୍ଟ ମାସରେ ବର୍ଷା ଏବଂ କୂଳ ଲଙ୍ଘିଥିବା ନଦୀଗୁଡ଼ିକ ଯୋଗୁ ହୋଇଥିବା ବନ୍ୟା କାରଣରୁ ୧୦ ହଜାର ଲୋକଙ୍କୁ ଅନ୍ୟ ସ୍ଥାନରେ ଥିବା ରିଲିଫ୍ କ୍ୟାମ୍ପକୁ ନିଆଯାଇଥିଲା । ପ୍ରାୟ ଦୁଇ ସପ୍ତାହ କିମ୍ବା ଏହାଠାରୁ ଅଧିକ ଦିନପରେ ଅଧିକାଂଶ ଲୋକେ ନଷ୍ଟ ହୋଇଯାଇଥିବା ଘରକୁ ଫେରିଗଲେ  । କେତେକଙ୍କ ଘରେ ସେତେବେଳେ ବି ପାଣି ଥିଲା ।

ବ୍ୟାଙ୍କର କ୍ୟାସିୟର ଗିରିଶ କୁମାର ଏଚ୍ କୁହନ୍ତି, “ପାଣି ଆମ ଅଟ୍ଟାଳିକାର ସାମ୍ନା କବାଟ ସ୍ତର ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା ଏବଂ ସବୁକିଛି ଏହା ଭିତରେ ଭାସିଗଲା ଏବଂ ବୁଡ଼ିଗଲା । ବ୍ୟାଙ୍କର ଭଲ୍ଟ ଅଧିକ ତଳସ୍ତରରେ ଥିଲା, ଅଧା ବେସ୍‌ମେଣ୍ଟ ପରି ସ୍ଥାନରେ, ଏହା ପରିସ୍ଥିତିକୁ ଆହୁରି ଖରାପ କରିଦେଲା । ଭଲ୍ଟର କବାଟ ଜାମ୍ ହୋଇ ଆଗକୁ ଯାଉନଥିଲା, ଅଧା ଖୋଲା ଅବସ୍ଥାରେ ଥିଲା । ଏହା ଭିତରେ ଦୁଇଟି ପୁରୁଣାକାଳିଆ କାଷ୍ଟ୍ ଆଇରନ୍ ସେଫ୍ ପାଣିରେ ରହିବା ଯୋଗୁ କଳଙ୍କି ଏବଂ ଅନ୍ୟାନ୍ୟ ଦାଗ ହୋଇଥିଲା ।

କୈନାକାରୀ ଗାଁର କେନାଲ କୂଳରେ ଲୋକମାନେ କ’ଣ ସଫା କରିବା ଏବଂ ଶୁଖାଇବା ପାଇଁ ରଖିଛନ୍ତି ତାହା ଦେଖିବାକୁ ଆମେ ଧୀରେ ଧୀରେ ଚାଲୁଥିଲୁ । ଆସବାବପତ୍ର, ଗଦି, ରେଫ୍ରିଜେରେଟର, ସ୍କୁଲ ବହି, ପିଲାଙ୍କ ହୋମ୍ ୱାର୍କ, କମ୍ବଳ । ଏଠି ଗୋଟେ ବାଇବେଲ୍, ସେଠି ଗୋଟେ ଭଗବତ ଗୀତା- ଏପରିକି ଗୋଟେ କିଷାନ କ୍ରେଡିଟ୍ କାର୍ଡ ।

କିନ୍ତୁ ଏସବୁ ଅସ୍ତବ୍ୟସ୍ତତା ପ୍ରତି ଏକ ଶାନ୍ତ ନମନୀୟ ମନୋଭାବ ଥିଲା । ସମସ୍ତେ ଏ ସବୁ ଅସ୍ତବ୍ୟସ୍ତତାକୁ ସଜାଡ଼ି ଜୀବନକୁ ଆଗେଇ ନେବାକୁ ଲାଗିଥିଲେ । ବ୍ୟାଙ୍କ୍ ଭିତରେ ଏହାର କର୍ମଚାରୀମାନେ ମଧ୍ୟ ସବୁକିଛିକୁ ସଜାଡ଼ିବା ପାଇଁ ଏବଂ ବ୍ୟବସ୍ଥିତ କରିବା ପାଇଁ ଘଣ୍ଟା ଘଣ୍ଟା ପରିଶ୍ରମ କରିଥିବେ । ସେମାନେ ପାଣିକୁ ଭଲ୍ଟସ୍ତରରୁ ସଫା କରିଦେଇଥିଲେ । ଅନେକ ଲେଜର୍‌ ଏବଂ ରେକର୍ଡ ଶୁଖାଇ ଦେଇଥିଲେ । ଅଫିସ୍ ଦେଖାଯିବା ଭଳି ଅବସ୍ଥାକୁ ଆସିଯାଇଥିଲା । ଏହି ପରିସ୍ଥିତିରେ ସେମାନେ ସବୁଠାରୁ ଭଲ ଯାହା କରିପାରିଥାନ୍ତେ କରିଥିଲେ । ଅନେକ ଫାଇଲ୍ ଏବଂ ଲେଜର୍‌ରୁ ଦୁର୍ଗନ୍ଧ ବାହାରୁଥିଲା । ଏଗୁଡ଼ିକ ଉପରେ ଫିମ୍ପି ଏବଂ କାଦୁଅ ଲାଗିଥିବା ଦେଖାଯାଉଥିଲା ।

ଏହି ବନ୍ୟା ସମୟରେ ବ୍ୟାଙ୍କର କର୍ମଚାରୀମାନେ ଯାହା କରିପାରିବା କଥା, ତାହା କରିଥିଲେ । ସେମାନେ ୫.୫ କେଜି ସୁନା, ଅନେକ ନଗଦ ଟଙ୍କା ଏବଂ ବିଭିନ୍ନ ସମ୍ପତ୍ତିର  ମାଲିକାନା ନଥିପତ୍ର ଆଦି ଆଲାପୁଝା ସହର ସ୍ଥିତ ସେମାନଙ୍କ ମୁଖ୍ୟ କାର୍ଯ୍ୟାଳୟକୁ ପଠାଇ ଦେଇଥିଲେ । ବ୍ୟାଙ୍କର ଅଧ୍ୟକ୍ଷ ପି.ଜି. ସନଲ୍ କୁମାର ମୋର ସହକର୍ମୀ (ଏବଂ ପରି ସହଯୋଗୀ ) ଶଶି କୁମାର ଭି. ଙ୍କୁ ଫୋନ୍‌ରେ କହିଥିଲେ ଯେ, ସେମାନଙ୍କର ସମସ୍ତ ଆକାଉଣ୍ଟ ଏବଂ ଅନ୍ୟ ମୂଲ୍ୟବାନ ଦସ୍ତାବିଜ୍‌ର ବ୍ୟାକ୍ ଅପ୍ ଅଛି ଏବଂ ସେଗୁଡ଼ିକ ବେଙ୍ଗାଲୁରୁରେ ଏକ ସର୍ଭର୍‌ରେ ସୁରକ୍ଷିତ ଭାବରେ ରହିଛି ।

ଏହା ଜାଣି ଭଲ ଲାଗିଲା । ବିଶେଷକରି ଯେତେବେଳେ ଆଉ ଏକ ପର୍ଯ୍ୟାୟର ଭୀଷଣ ବର୍ଷାର ଆଶଙ୍କା କେରଳ ପ୍ରତି ରହିଛି ।

Girish Kumar H, the cashier, standing next to records full of fungus and mould
PHOTO • P. Sainath

ବନ୍ୟା ପରେ ଯେଉଁମାନେ କଷ୍ଟକର ସଫେଇ କାମ କରିଛନ୍ତି ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି କୁଟ୍ଟମଙ୍ଗଳମ୍ ସର୍ଭିସ୍ କୋ-ଅପରେଟିଭ୍ ବ୍ୟାଙ୍କର କ୍ୟାସିୟର୍ ଗିରୀଶ କୁମାର।

Documents and books stacked up on shelves
PHOTO • P. Sainath

ଖୋଲା ଷ୍ଟିଲ୍ ଥାକଗୁଡ଼ିକର ଉପର ସ୍ତରରେ ରଖାଯାଇଥିବା ଅସଂଖ୍ୟ ଲେଜର୍ ଏବଂ ଫାଇଲ୍ ଏବେ ବି ଶୁଖାଯାଉଛି ।

Two cast-iron safes bear the rust, corrosion and marks wrought by the waters that engulfed them.
PHOTO • P. Sainath

ବ୍ୟାଙ୍କ୍‌ର ଭଲ୍ଟରେ ଥିବା ଏହି ଦୁଇ ଆଇରନ୍ ସେଫ୍ ପାଣି ତଳେ ସେମାନଙ୍କର ଦିନଗୁଡ଼ିକର ପ୍ରଭାବ ସମ୍ପର୍କରେ ଦୃଶ୍ୟମାନ ସୂଚନା ପ୍ରଦାନ କରୁଛନ୍ତି ।

Fungus and mould on records
PHOTO • P. Sainath

ଏହି ପୁରୁଣା ଲେଜର୍ ଗୁଡ଼ିକ ଉପରେ ଫିମ୍ପି ଓ ଶିଉଳି ନିଜର ଛାପ ଛାଡ଼ିଛନ୍ତି ।

Documents and books stacked in a cupboard
PHOTO • P. Sainath
Documents and books stacked on a shelf
PHOTO • P. Sainath
Documents and books drying on the banks of the river outside the bank
PHOTO • P. Sainath

ହ୍ରଦ ଠାରୁ ମାତ୍ର କେଇ ଫୁଟ୍ ଦୂରତାରେ ଷ୍ଟିଲ୍ ଡ୍ରୟାର୍‌ରେ ଭର୍ତ୍ତି ହୋଇ , ରାକ୍ ଉପରେ ଥାକରେ ରଖାଯାଇ ଦସ୍ତାବିଜ୍ , ଫାଇଲ୍ , ବହି ଏବଂ ରେକର୍ଡ଼ ଆଦି ଶୁଖାଯାଉଛି ।

People's belongings lining the banks
PHOTO • P. Sainath

କୈନାକାରୀର ଜଣେ ବାସିନ୍ଦା ବ୍ୟାଙ୍କ ଠାରୁ ଅନତି ଦୂରରେ କେନାଲ କୂଳରେ ଜମା ହୋଇଥିବା ଘରୋଇ ଜିନିଷର ଗଦା ପାର୍ଶ୍ଵ ଦେଇ ସ୍ୱାଭାବିକ ଭାବରେ ନୌକାରେ ପେଡ଼ାଲ୍ ମାରି ଅତିକ୍ରମ କରୁଛନ୍ତି ।

Books, including a Kisan Credit Card
PHOTO • P. Sainath

ସୂର୍ଯ୍ୟଙ୍କ ସହ ଦିନ କଟାଉଛି ଗୋଟିଏ କିସାନ୍ କ୍ରେଡ଼ିଟ୍ କାର୍ଡ଼। ପାଖରେ ଗୋଟିଏ ବାଇବେଲ୍ ଏବଂ  ଗୋଟିଏ ଭଗବତ୍ ଗୀତା ମଧ୍ୟ ତାହା ହିଁ କରୁଛନ୍ତି ।

People's belongings lining the banks
PHOTO • P. Sainath

ସମୁଦ୍ର ପତ୍ତନରୁ ତଳେ ଥିବା ଏହି ଅଞ୍ଚଳରରେ ଅନ୍ୟ ଜଣେ ବାସିନ୍ଦା କେନାଲରୁ ହ୍ରଦ ଆଡ଼କୁ ଡଙ୍ଗା ବାହି ନେଉଥିବା ବେଳେ ଘରୋଇ ଆସବାବ ପତ୍ରର ଏହି ବିଶାଳ ଗଦାକୁ ଦେଖୁଛନ୍ତି ।

ଅନୁବାଦ: ଓଡ଼ିଶାଲାଇଭ୍‍

ਪੀ ਸਾਈਨਾਥ People’s Archive of Rural India ਦੇ ਮੋਢੀ-ਸੰਪਾਦਕ ਹਨ। ਉਹ ਕਈ ਦਹਾਕਿਆਂ ਤੋਂ ਦਿਹਾਤੀ ਭਾਰਤ ਨੂੰ ਪਾਠਕਾਂ ਦੇ ਰੂ-ਬ-ਰੂ ਕਰਵਾ ਰਹੇ ਹਨ। Everybody Loves a Good Drought ਉਨ੍ਹਾਂ ਦੀ ਪ੍ਰਸਿੱਧ ਕਿਤਾਬ ਹੈ। ਅਮਰਤਿਆ ਸੇਨ ਨੇ ਉਨ੍ਹਾਂ ਨੂੰ ਕਾਲ (famine) ਅਤੇ ਭੁੱਖਮਰੀ (hunger) ਬਾਰੇ ਸੰਸਾਰ ਦੇ ਮਹਾਂ ਮਾਹਿਰਾਂ ਵਿਚ ਸ਼ੁਮਾਰ ਕੀਤਾ ਹੈ।

Other stories by P. Sainath
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE