୯ ବର୍ଷ ବୟସ୍କା ଚନ୍ଦ୍ରିକା ବେହେରା ପ୍ରାୟ ଦୁଇ ବର୍ଷ ହେଲା ସ୍କୁଲ ଯାଉନାହିଁ। କେବଳ ସେ ନୁହେଁ, ବାରବାଙ୍କୀ ଗାଁରେ ତା’ ଭଳି ୧୯ ଜଣ ଯିଏକି ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲା ୨୦୨୦ ପରଠାରୁ ନିୟମିତ ସ୍କୁଲ ଯାଉନାହାନ୍ତି। ମା’ ତା’କୁ ସ୍କୁଲ ଛାଡ଼ିବ ନାହିଁ, ସେ କହିଥାଏ।
୨୦୦୭ରେ ବାରବାଙ୍କୀରେ ଏକ ସ୍କୁଲ ପ୍ରତିଷ୍ଠା କରାଯାଇଥିଲା, କିନ୍ତୁ ଓଡ଼ିଶା ସରକାର ଏହାକୁ ୨୦୨୦ରେ ବନ୍ଦ କରିଦେଲେ। ଚନ୍ଦ୍ରିକା ଭଳି ଗାଁର ଅଧିକାଂଶ ସାନ୍ତାଳ ଓ ମୁଣ୍ଡା ଆଦିବାସୀ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଏଠାରୁ ୩.୫ କିଲୋମିଟର ଦୂରରେ ଥିବା ଜାମୁପଶି ଗାଁ ସ୍କୁଲରେ ନାମ ଲେଖାଇବାକୁ କୁହାଯାଇଥିଲା।
ଚନ୍ଦ୍ରିକାଙ୍କ ମା’ ମାମୀ ବେହେରା କୁହନ୍ତି, ‘‘ପିଲାମାନେ ସବୁଦିନ ଏତେ ଦୂର ଚାଲି ଚାଲି ଯାଇପାରିବେ ନାହିଁ। ଏତେ ବାଟ ଚାଲି ଚାଲି ଯିବାବେଳେ ସେମାନେ ପରସ୍ପର ସହ ମାଡ଼ଗୋଳ କରୁଛନ୍ତି।’’ ସେ ଆହୁରି କୁହନ୍ତି, ‘‘ଆମେମାନେ ଗରିବ ଶ୍ରମିକ। ଆମେ କାମକୁ ଯିବୁ ନା ପିଲାମାନଙ୍କୁ ସବୁଦିନ ସ୍କୁଲ ଛାଡ଼ିବାକୁ ଯିବୁ? ସରକାର ଆମ ଗାଁ ସ୍କୁଲ ପୁଣିଥରେ ଖୋଲିବା ଉଚିତ୍।’’
ଏହି ସମୟରେ ସେ ଅସହାୟ ଭାବେ କହିଥିଲେ, ତାଙ୍କର ସାନ ଝିଅ ଭଳି ୬ରୁ ୧୦ ବର୍ଷ ବୟସର ପିଲାମାନେ ଅଶିକ୍ଷିତ ହୋଇ ରହିବେ । ୩୦ ବର୍ଷରୁ ଅଧିକ ବୟସ୍କ ଏହି ମା’ଙ୍କର ଆଉ ଗୋଟିଏ ଡର ହେଉଛି, ସେମାନଙ୍କ ଅଞ୍ଚଳ ଯାଜପୁର ଜିଲ୍ଲା ଦାନଗଦି ବ୍ଲକର ଜଙ୍ଗଲରେ ଶିଶୁ ଅପହରଣକାରୀମାନେ ଥାଇପାରନ୍ତି।
ମାମୀତାଙ୍କ ବଡ଼ ପୁଅ ଯୋଗୀ ପାଇଁ ଏକ ସାଇକେଲ ବ୍ୟବସ୍ଥା କରିଦେଇଛନ୍ତି। ଯୋଗୀ ଏବେ ନିଜ ଘରଠାରୁ ୬ କିଲୋମିଟର ଦୂରରେ ଥିବା ଏକ ସ୍କୁଲରେ ନବମ ଶ୍ରେଣୀରେ ପଢ଼ୁଛି। ତାଙ୍କର ବଡ଼ଝିଅ ମୋନି ଜାମୁପଶି ସ୍କୁଲରେ ସପ୍ତମ ଶ୍ରେଣୀରେ ପଢ଼ୁଛି ଏବଂ ସବୁଦିନ ପାଠ ପଢ଼ିବାକୁ ଚାଲି ଚାଲି ଯାଉଛି। ସବୁଠୁ ସାନ ଝିଅ ଚନ୍ଦ୍ରିକା ବାଧ୍ୟହୋଇ ଘରେ ରହୁଛି।
‘‘ଆମ ପିଢ଼ିର ଲୋକମାନେ ଚାଲି ଚାଲି ସବୁଆଡ଼କୁ ଯାଉଥିଲେ, ପାହାଡ଼ ଚଢ଼ୁଥିଲେ ଏବଂ ଥକିନଯିବା ପର୍ଯ୍ୟନ୍ତ କଠିନ ଶ୍ରମ କରୁଥିଲେ। ଆମ ପିଲାମାନେ ମଧ୍ୟ ସେମିତି କରିବେ ବୋଲି ଆମେ ଆଶା କରିବୁ କି?’’ ମାମୀ ପ୍ରଶ୍ନ କରିଥାନ୍ତି।





















