“ମୋର ଦୁଇ ବଡ଼ ପୁଅ ପାଟିଲ (ଚାଷ ଜମି ମାଲିକ)ଙ୍କ ପାଖରେ ଦୁଇ ଦିନ ପର୍ଯ୍ୟନ୍ତ କାମ କଲେ ଏବଂ ୧୫୦ ଟଙ୍କା ଲେଖାଏଁ ଆୟ କରିଥିଲେ। ସେମାନେ ସେହି ଟଙ୍କାରେ ତାଙ୍କ ଠାରୁ କାନ୍ୟା କିଣିଥିଲେ”, ବନୀତା ଭୋଏର ମୋତେ କହିଥିଲେ। ସେ ଏକ ହଳଦିଆ ପ୍ଲାଷ୍ଟିକ ଡବା ଖୋଲି ସେଥିରୁ କିଛି ଚାଉଳ ଖୁଦ ବାହାର କରି ହାତରେ ମୋତେ ଦେଖାଇଥିଲେ। ଚାଷ ହୋଇଥିବା ଧାନ କୁଟା ହୋଇ ଚାଉଳ ଅଲଗା କରାଯିବା ପରେ ଏଗୁଡ଼ିକ ସେଥିରୁ ବାହାରିଥାଏ, ଏବଂ ଏହା ଚାଉଳ ଠାରୁ ଶସ୍ତା ହୋଇଥାଏ। ଏହି କାନ୍ୟା ସହିତ ୫୨ ବର୍ଷୀୟା ବନୀତାଙ୍କ ଚାଳ ଛପର ଓ ମାଟି ଘରେ ଗୋଟିଏ ସପ୍ତାହ ପାଇଁ ଲୁଣ, ଲଙ୍କାଗୁଣ୍ଡ, ହଳଦୀ, ଖାଇବା ତେଲ ଏବଂ କିଛି ଆଳୁ ରହିଥିଲା। ତେବେ ଏସବୁ ସ୍ଥାନୀୟ ସମାଜସେବୀମାନେ ତାଙ୍କ ପରିବାରକୁ ଦେଇଥିଲେ।
“ଯେଉଁମାନଙ୍କର ରାସନ କାର୍ଡ ଅଛି ସେମାନେ ସରକାରଙ୍କଠାରୁ ଖାଦ୍ୟସାମଗ୍ରୀ ପାଇଛନ୍ତି। ସେମାନେ ମଧ୍ୟ ଚାଉଳ ପାଇଛନ୍ତି (ମାର୍ଚ୍ଚରେ ଲକଡାଉନ ଆରମ୍ଭ ହେବା ପରଠାରୁ ପ୍ରତି ମାସ)। କିନ୍ତୁ ମୋର ରାସନ କାର୍ଡ ନାହିଁ। ମୋ ପରିବାର କ’ଣ କରିବ?”, ବନୀତାଙ୍କ ପତି ୫୫ ବର୍ଷୀୟ ନବସୁ ଭୋଏର ପ୍ରଶ୍ନ କରିଥାନ୍ତି। “ସରକାର ଆମକୁ ସାହାଯ୍ୟ କରିନାହାନ୍ତି। ଆମର କାମ ମଧ୍ୟ ବନ୍ଦ ହୋଇଯାଇଛି। ଆମେ କ’ଣ ଖାଇବୁ?”
ନବସୁ କେବେ ରାସନ କାର୍ଡ ପାଇଁ ଆବେଦନ କରିନାହାନ୍ତି। ସେ କୁହନ୍ତି, “ଆମେ ସବୁବର୍ଷ କାମ ପାଇଁ ଘର ଛାଡ଼ିଥାଉ। କିପରି ଆବେଦନ କରାଯିବ ମୁଁ ଜାଣେ ନାହିଁ।” ସେ ଅଶିକ୍ଷିତ; ତାଙ୍କର ଓ ବନୀତାଙ୍କ ତିନି ପିଲାଙ୍କ ମଧ୍ୟରୁ ଆନନ୍ଦ (୧୮) ଓ ଶିବା (୧୨) ତୃତୀୟ ଶ୍ରେଣୀରୁ ପାଠ ଛାଡ଼ିଥିବା ବେଳେ ରାମଦାସ (୧୬) ଚତୁର୍ଥ ଶ୍ରେଣୀ ପରେ ସ୍କୁଲ ଛାଡ଼ିଛନ୍ତି। ସେମାନଙ୍କର ଦୁଇ ଛୋଟ ପିଲା- କ୍ରିଷ୍ଣା (୮) ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ବେଳେ ସବୁଠୁ ସାନ ସଙ୍ଗୀତା (୪) ସ୍ଥାନୀୟ ଅଙ୍ଗନବାଡ଼ିକୁ ଯାଉଛନ୍ତି।
ପାଲଘର ଜିଲ୍ଲାର ୱାଡା ସହରଠାରୁ ପାଖାପାଖି ୨୦ କିମି ଦୂର ବୋରନ୍ଦା ଗ୍ରାମରେ ଭୋଏର ପରିବାର ରହିଥାନ୍ତି। ସେମାନେ ରହୁଥିବା ପଡ଼ାରେ ଅତି ବେଶୀରେ ଆଠଟି କାତକରୀ ଆଦିବାସୀ ସମୁଦାୟର କୁଡ଼ିଆ ରହିଛି।
ଗତ ବର୍ଷ ନଭେମ୍ବର ମାସରେ, ଏହି ଶ୍ରମିକ ପରିବାର ଭିୱାଣ୍ଡି ତାଲୁକାରେ ଥିବା ଇଟାଭାଟିରେ କାମ କରିବାକୁ ଯାଇଥିଲେ। ଇଟାଭାଟିରେ କାମ କରିବାମାନେ ଦିନ ରାତି ଅକ୍ଳାନ୍ତ ପରିଶ୍ରମ କରିବା। ସପ୍ତାହକୁ ଥରେ ଇଟାଭାଟି ମାଲିକ ୪୦୦-୫୦୦ ଟଙ୍କା ଖର୍ଚ୍ଚି (ଖର୍ଚ୍ଚ) ଦେଇଥାନ୍ତି, ସେଥିରେ ସେମାନେ ରାସନ ଓ ଅନ୍ୟାନ୍ୟ ଜରୁରି ସାମଗ୍ରୀ କିଣିଥାନ୍ତି। ମାସ ଶେଷରେ ଯେତେବେଳେ ସେମାନଙ୍କ ପାରିଶ୍ରମିକ ହିସାବ କରାଯାଇଥାଏ, ଏସବୁ ଖର୍ଚ୍ଚ ସେମାନଙ୍କର ମୋଟ ଆୟରୁ କାଟି ଦିଆଯାଇଥାଏ। ଯଦି ପରିବାର ଉପରେ କୌଣସି ଋଣ ନଥାଏ ତା’ହେଲେ ନଭେମ୍ବରରୁ ମେ ମାସ ପର୍ଯ୍ୟନ୍ତ ୭ ମାସ ଧରି କାମ କରିବା ପରେ ସେମାନେ ୧୦,୦୦୦-୧୨୦୦୦ ଟଙ୍କା ପାଇଥାନ୍ତି।






