ପାଞ୍ଚ ମାସର ଗର୍ଭବତୀ ପଲ୍ଲଭି ଗାଭିଟ୍ ତିନି ଘଣ୍ଟାରୁ ଅଧିକ ସମୟ ଧରି ଖାଟ୍ (ଦଉଡି ଖଟ)ରେ ପଡ଼ି ଯନ୍ତ୍ରଣା ପାଉଥିଲେ । । ଯେତେବେଳେ ପଲ୍ଲଭିଙ୍କ ଜରାୟୁ ତାଙ୍କ ଯୋନି ଦେଇ ବାହାରକୁ ଖସି ପଡ଼ିଲା ସେତେବେଳେ ତାଙ୍କ ଭାଉଜ ସପ୍ନା ଗାରେଲ, ୪୫, ତାଙ୍କ ସହିତ ଥିଲେ । ପାଞ୍ଚ ମାସର ପୁତ୍ର ସନ୍ତାନର ଭ୍ରୁଣ ଏହା ଭିତରେ ନିର୍ଜିବ ଭାବରେ ଥିଲା । ଅସହ୍ୟ ଯନ୍ତ୍ରଣା, ରକ୍ତ ଏବଂ ସ୍ରାବ ଚଟାଣକୁ ବୋହି ଯାଇଥିଲା, ପଲ୍ଲଭି ଚେତାଶୂନ୍ୟ ହୋଇ ପଡ଼ିଥିଲେ ।
ଏହା ଜୁଲାଇ ୨୫,୨୦୧୯ର ପ୍ରାତଃ ୩ ଟା ସମୟ ଥିଲା । ସାତପୁଡ଼ା ପାହାଡ଼ରେ ୫୫ ଟି ଭିଲ୍ ପରିବାରର ଘର ଥିବା ହେଙ୍ଗଲାପାନି ପଡ଼ାରେ ଥିବା ପଲ୍ଲଭିଙ୍କ ଚାଳ ଘର ଉପରେ ବର୍ଷା ଯେମିତି ଅଜାଡ଼ି ହୋଇ ପଡ଼ୁଥିଲା । ଉତ୍ତର-ପଶ୍ଚିମ ମହାରାଷ୍ଟ୍ରର ନନ୍ଦୁରବର ଜିଲ୍ଲାର ଏହି ଅପହଞ୍ଚ ଅଂଶରେ କୌଣସି ପକ୍କା ରାସ୍ତା ନାହିଁ, ମୋବାଇଲ୍ ନେଟୱାର୍କ ନାହିଁ । ପଲ୍ଲଭିଙ୍କ ସ୍ୱାମୀ ଗିରୀଶ କୁହନ୍ତି, ‘‘ଜରୁରୀ ପରିସ୍ଥିତିରେ ନିମନ୍ତ୍ରଣ କଲେ ଏହା ଆସେନି, ସେଗୁଡ଼ିକ ଯେକୌଣସି ସମୟରେ ଘଟିପାରେ । ନେଟୱାର୍କ କଭରେଜ ବିନା ଆମେ କିପରି ଗୋଟେ ଆମ୍ବୁଲାନ୍ସ କିମ୍ବା ଡାକ୍ତରଙ୍କୁ କିପରି ଡାକିବୁ ।’’ (ଏହି କାହାଣୀରେ ସମସ୍ତ ନାମ ପରିବର୍ତ୍ତନ କରାଯାଇଛି ।)
୩୦ ବର୍ଷ ବୟସ୍କ ଗିରିଶ କହିବା ଜାରୀ ରଖିଥିଲେ, ‘‘ମୁଁ ଭୟଭୀତ ହୋଇଯାଇଥିଲି । ମୁଁ ତାଙ୍କୁ ମୃତ୍ୟୁବରଣ କରିବାକୁ ଦେବାକୁ ଚାହୁଁନଥିଲି।’’ ଭୋର ୪ଟା ବେଳକୁ ଗିରୀଶ ଏବଂ ତାଙ୍କ ପଡ଼ୋଶୀ ପଲ୍ଲଭିଙ୍କୁ ଏକ କାମଚଳା ବାଉଁଶ ଏବଂ ବେଡ୍ସିଟ୍ ଷ୍ଟ୍ରେଚର୍ରେ କାଦୁଅ ହୋଇଥିବା ସାତପୁଡ଼ା ପାହାଡ଼ରୁ ୧୦୫ କିଲୋମିଟର ଦୂରରେ ଥିବା ଧଡ୍ଗାଓଁକୁ ନେଇଥିଲେ ।
ହେଙ୍ଗଲାପାନି ପଡ଼ା ଅକ୍ରାନି ତାଲୁକାର ତୋରନମଲ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ରହିଛି । ତୋରନମଲ ଗ୍ରାମୀଣ ଡାକ୍ତରଖାନା ନିକଟତର ହୋଇଥାନ୍ତା, କିନ୍ତୁ ସେହି ରାତିରେ ସେ ରାସ୍ତା ସୁରକ୍ଷିତ ନଥିଲା । ଖାଲି ପାଦରେ (କାଦୁଅ ଚପଲ ପିନ୍ଧିବା କଷ୍ଟକର କରିଦିଏ), ଗିରୀଶ ଏବଂ ତାଙ୍କ ପଡ଼ୋଶୀ କାଦୁଅ ରାସ୍ତାରେ ଚାଲିବା ପାଇଁ ସଂଘର୍ଷ କରୁଥିଲେ । ପ୍ଲାଷ୍ଟିକ୍ ଚାଦର ଘୋଡ଼େଇ ହୋଇଥିବା ପଲ୍ଲଭି ଯନ୍ତ୍ରଣାରେ କାନ୍ଦୁଥିଲେ ।
ସେମାନେ ତୋରନମଲ ଘାଟି ରାସ୍ତାରେ ପହଞ୍ଚିବା ପର୍ଯ୍ୟନ୍ତ ତିନି ଘଣ୍ଟା ପାହାଡ଼ ଚଢ଼ିଥିଲେ। ଗିରୀଶ କୁହନ୍ତି, “ଏହା ପ୍ରାୟ ୩୦ କିଲୋମିଟର ଉପରକୁ ଅଛି। ସେଠାରୁ ସେମାନେ ଧଡ୍ଗାଓଁ ଗ୍ରାମକୁ ଯିବା ପାଇଁ ଟ. ୧,୦୦୦ ରେ ଗୋଟିଏ ଜିପ୍ ଭଡ଼ା କରିଥିଲେ। ରାସ୍ତାରେ ପାଞ୍ଚ ଘଣ୍ଟା କଟାଇବା ପରେ ପଲ୍ଲଭିଙ୍କୁ ଧଡ୍ଗାଓଁର ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା - ସେଠାରେ ଥିବା ଗ୍ରାମୀଣ ଡାକ୍ତରଖାନା ଆହୁରି ୧୦ କିଲୋମିଟର ଦୂର ଥିଲା। ଗିରୀଶ କହିଲେ, ମୁଁ ପ୍ରଥମେ ଯେଉଁ ଦବାଖାନା (ସ୍ୱାସ୍ଥ୍ୟ ସେବା ସୁବିଧା) ଦେଖିଲି ସେଠାକୁ ତାଙ୍କୁ ନେଇଗଲି । ଏହା ଖର୍ଚ୍ଚବହୁଳ ଥିଲା, କିନ୍ତୁ ସେମାନେ ଅତିକମ୍ରେ ମୋ ପଲ୍ଲଭିକୁ ବଞ୍ଚାଇ ଦେଲେ। ଡାକ୍ତର ତାଙ୍କଠାରୁ ଟ. ୩୦୦୦ ନେଲେ ଏବଂ ଦିନେ ପରେ ତାଙ୍କୁ ଡିସ୍ଚାର୍ଜ କରିଦେଲେ ଏବଂ କହିଲେ ଅତ୍ୟଧିକ ରକ୍ତସ୍ରାବରେ ସେ ହୁଏତ ପ୍ରାଣ ହରାଇଥା’ନ୍ତା।’’













