ଗୁଜରାଟର ସୁରେନ୍ଦ୍ର ନଗର ଜିଲ୍ଲାରେ ବାଲାଭାଇ ଚାୱଦା (୫୭)ଙ୍କର ପାଞ୍ଚ ଏକର ଚାଷ ଜମି ରହିଛି। ଏହା ଉର୍ବର। ଜଳସେଚିତ। ୨୫ ବର୍ଷ ଧରି ତାଙ୍କ ପାଖରେ ଏହାର ମାଲିକାନା ରହିଛି। ତେବେ ଏଠାରେ କେବଳ ଗୋଟିଏ ସମସ୍ୟା ରହିଛି। ତାଙ୍କୁ ନିଜ ଚାଷ ଜମି ପାଖକୁ ଯିବା ପାଇଁ ଅନୁମତି ମିଳୁନାହିଁ।
‘‘ମୋ ପାଖରେ ମୋ ମାଲିକାନାର ପ୍ରମାଣ ରହିଛି,’’ ସେ କୁହନ୍ତି। ମୋଡ଼ି ହୋଇ ହଳଦିଆ ପଡ଼ିଯାଇଥିବା ଜମି କାଗଜପତ୍ର ଖୋଲି ସେ ଦେଖାଇଥିଲେ। ‘‘କିନ୍ତୁ ବଡ଼ ଜାତିର ଲୋକମାନେ ଏହାକୁ (ଜମିକୁ) ଅକ୍ତିଆର କରି ରଖିଛନ୍ତି।’’
ବାଲାଭାଇ ଜଣେ ଶ୍ରମିକ ଏବଂ ସେ ଗୁଜରାଟରେ ଅନୁସୂଚିତ ଜାତି ସମୁଦାୟ ଭାବେ ତାଲିକାଭୁକ୍ତ ଚମାର ସମୁଦାୟର ପ୍ରତିନିଧିତ୍ୱ କରିଥାନ୍ତି। ସାହାଯ୍ୟ ପାଇଁ ସେ କେତେ ଲୋକଙ୍କ ପାଖକୁ ଯାଇଛନ୍ତି, କିନ୍ତୁ ଏବେ ତାଙ୍କ ପାଇଁ ସବୁ ଦ୍ୱାର ବନ୍ଦ ହୋଇଯାଇଛି। ସେ ଆହୁରି କୁହନ୍ତି, ‘‘ସବୁ ଦିନ ମୁଁ ବିନା ବ୍ୟତିକ୍ରମରେ ମୋ ଜମି ପାଖକୁ ଯାଇଥାଏ। ଦୂରରୁ ଥାଇ ଜମିକୁ ଦେଖେ ଏବଂ ମୋ ଜୀବନ କେମିତି ହୋଇଥାଆନ୍ତା ତାହା ଭାବିଥାଏ…।’’
ଗୁଜରାଟର ଜମି ବିତରଣ ନୀତି ଅଧୀନରେ ୧୯୯୭ ମସିହାରେ ବାଲାଭାଇଙ୍କୁ ଆବଣ୍ଟିତ ହୋଇଥିବା ଏହି ଚାଷ ଜମି ଧ୍ରଙ୍ଗାଧ୍ରା ତାଲୁକାର ଭରାଡ଼ ଗ୍ରାମରେ ରହିଛି। ଗୁଜରାଟ ଚାଷ ଜମି ସର୍ବାଧିକ ସୀମା ନିର୍ଦ୍ଧାରଣ ଆଇନ ୧୯୬୦, ‘‘ସାଧାରଣ ଲୋକଙ୍କ ମଙ୍ଗଳ ପାଇଁ’’ ଚାଷ ଜମି ମାଲିକାନା ଉପରେ ସୀମା ନିର୍ଦ୍ଧାରଣ କରିଥିଲା।
ସରକାରୀ ମାଲିକାନାରେ ଥିବା ପତିତ ଜମି ସହିତ ଏସବୁ ଅଧିଗୃହିତ ଭୂମି କ୍ଷେତ୍ର ସାନ୍ଥାନି ଜମିନ୍ ନାମରେ ପରିଚିତ। କୃଷି ସମବାୟ ସମିତି, ଭୂମିହୀନ ବ୍ୟକ୍ତି, କୃଷି ଶ୍ରମିକଙ୍କ ସମେତ ‘‘କୃଷି ପାଇଁ ଜମି ଆବଶ୍ୟକ କରୁଥିବା ଲୋକମାନଙ୍କୁ’’ ଏହି ଜମି ଦିଆଯିବା ଲାଗି ବ୍ୟବସ୍ଥା କରାଯାଇଥିଲା। ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ସମୁଦାୟକୁ ଅଗ୍ରାଧିକାର ଦେବାକୁ ନିଷ୍ପତ୍ତି ହୋଇଥିଲା।
କିନ୍ତୁ ଏ ଯୋଜନା ଏବେ କେବଳ କାଗଜପତ୍ରରେ ଚାଲିଛି। ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ ହୋଇପାରି ନାହିଁ।
ଜମି ପଟ୍ଟା ପାଇବା ପରେ, ବାଲାଭାଇ ତାଙ୍କ ଜମିରେ କପା, ଯଅ ଓ ବାଜରା ଚାଷ କରିବା ପାଇଁ ଯୋଜନା କରିଥିଲେ। ଏପରିକି ସେ ନିଜ ଚାଷ ଜମିରେ ଛୋଟିଆ ଘରଟିଏ ତିଆରି କରିବା ଲାଗି ଚିନ୍ତା କରୁଥିଲେ ଯାହାଫଳରେ ସେ କାମ କରୁଥିବା ସ୍ଥାନରେ ରହିପାରିବେ। ସେତେବେଳେ ତାଙ୍କୁ ମାତ୍ର ୩୨ ବର୍ଷ ହୋଇଥିଲା, ଯୁବାବସ୍ଥାରେ ଛୋଟିଆ ପରିବାର ଏବଂ ଆଗକୁ ଭବିଷ୍ୟତର ଜୀବନ ବାକି ରହିଥିଲା। ‘‘ମୋର ତିନି ପିଲା ଛୋଟ ଥିଲେ,’’ ସେ କୁହନ୍ତି। ‘‘ମୁଁ ଜଣେ ଶ୍ରମିକ ଭାବେ କାମ କରୁଥିଲି। ମୁଁ ଭାବିଥିଲି ଅନ୍ୟ କାହା ପାଇଁ ପରିଶ୍ରମ କରିବାର ଦିନ ମୋର ସରିଗଲା। ମୋ ନିଜର ଚାଷ ଜମିରେ, ମୁଁ ମୋ ପରିବାରକୁ ଏକ ସମ୍ମାନଜନକ ଜୀବନ ଦେଇପାରିବି।’’








