ବହୁ କିଲୋମିଟର ଯାଏ ଲମ୍ବି ଯାଇଛି ମାଟିକାଦୁଅ ଭରି ରହିଥିବା ଅସଂପୂର୍ଣ୍ଣ ଗଳିକନ୍ଦି। ଏହି ଗଳିବାଟ ଦେଇ ସୌରାରେ ଥିବା ଡାକ୍ତରଖାନା ଯାଏ ଯାତ୍ରା ଏକ ଅସରନ୍ତି ସଂଗ୍ରାମ ସଦୃଶ। ପୁଅ ମୋହସିନ ପାଇଁ ଡାକ୍ତରୀ ପରାମର୍ଶ ଲୋଡ଼ିବା ସକାଶେ ମୁବିନା ଓ ଅର୍ଶିଦ ଅଖୁନଙ୍କୁ ଏହି ଡାକ୍ତରଖାନାକୁ ମାସକୁ ଅନ୍ତତଃ ଥରଟିଏ ଯିବାକୁ ପଡ଼ିଥାଏ। ପ୍ରାୟ ନଅ ବର୍ଷର ପିଲାଟିକୁ ଅର୍ଶିଦ କୋଳରେ ଧରନ୍ତି ଏବଂ ଅନେକ ସମୟରେ ରାଖ-ଏ-ଅର୍ଥ ପୁନର୍ବାସ କଲୋନିର ନର୍ଦ୍ଦମା ପାଣି ଏବଂ ତରଳୁଥିବା ବରଫ ପାଣିରେ ଉଛୁଳି ପଡୁଥିବା ଏହି ଗଳିକନ୍ଦି ବାଟ ଦେଇ ଯାଆନ୍ତି ।

ସାଧାରଣତଃ ୨-୩ କିଲୋମିଟର ଚାଲି ଚାଲି ଯିବା ପରେ ସେମାନେ ଅଟୋ ରିକ୍‌ସାଟିଏ ଖୋଜି ପାଇବାରେ ସକ୍ଷମ ହୁଅନ୍ତି । ସେଠାରୁ ପ୍ରାୟ ୧୦ କିଲୋମିଟର ଦୂର ଉତ୍ତର ଶ୍ରୀନଗରର ସୌରା ଅଞ୍ଚଳରେ ଥିବା ଶେର-ଇ-କଶ୍ମୀର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍‌ସେସ୍‌କୁ ଯିବା ପାଇଁ ୫୦୦ ଟଙ୍କା ଭଡ଼ା ଦେବାକୁ ହୁଏ। ବେଳେବେଳେ, ଡାକ୍ତରଖାନାରେ ପହଞ୍ଚିବା ଲାଗି ଏହି ପରିବାରକୁ ପୂରା ରାସ୍ତା ଚାଲି ଚାଲି ଯିବାକୁ ପଡ଼ିଥାଏ- ବିଶେଷତଃ ଗତ ବର୍ଷର ଲକ୍‌ଡାଉନ୍‌ ସମୟରେ ସେମାନେ ଏହା କରିଥିଲେ। ମୁବିନା କହନ୍ତି, “ଏଥିରେ ପୂରା ଦିନଟିଏ ଲାଗିଯାଏ।”

ପ୍ରାୟ ନଅ ବର୍ଷ ହେଲା ମୁବିନା ଓ ଅର୍ଶିଦଙ୍କ ସଂସାର ବଦଳିଯାଇଛି । ୨୦୧୨ରେ, ମୋହସିନ ମାତ୍ର କେଇ ମାସର ହୋଇଥିବା ବେଳେ ତାକୁ ଜ୍ଵର ଓ ଜଣ୍ଡିସ୍‌ ହେଲା ଏବଂ ତା ଶରୀରରେ ବିଲିରୁବିନ୍‌ ବା ରକ୍ତରେ ଥିବା ଏକ ମୃତ କୋଷର ସ୍ତର ଖୁବ ଅଧିକ ରହିଥିଲା । ଏହା ପରେ ସେମାନେ ଅନେକ ଥର ଡାକ୍ତରଙ୍କ ପାଖକୁ ଗଲେ । ଶ୍ରୀନଗରରେ ଥିବା ସରକାରୀ ଜି.ବି. ପନ୍ତ ଶିଶୁ ଡାକ୍ତରଖାନାରେ ସେ ଦୁଇ ମାସ ରହି ଚିକିତ୍ସିତ ହେଲା । ଏବଂ ଶେଷରେ ସେମାନଙ୍କୁ କହି ଦିଆଗଲା ଯେ ସେମାନଙ୍କ ଶିଶୁର ସ୍ଥିତି ‘ଅସ୍ଵାଭାବିକ’।

ପଛକଥା ମନେ ପକାଇ ୩୦ବର୍ଷରୁ ଅଧିକ ବୟସର ମୁବିନା କହନ୍ତି, “ଯେତେବେଳେ ତା’ର ଅବସ୍ଥା ସୁଧୁରିଲା ନାହିଁ ଆମେ ତାକୁ ଜଣେ ଘରୋଇ ଡାକ୍ତରଙ୍କ ପାଖକୁ ନେଇଗଲୁ ଏବଂ ସେ ଆମକୁ କହିଲେ ଯେ ତା’ର ମସ୍ତିଷ୍କ ପୂରା ନଷ୍ଟ ହୋଇଯାଇଛି ଏବଂ ସେ କେବେହେଲେ ବସିପାରିବନି କି ଚାଲି ପାରିବନି ।”

ପରିଶେଷରେ, ମୋହସିନ ସେରିବ୍ରାଲ ପାଲ୍‌ସିରେ ପୀଡ଼ିତ ବୋଲି ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିଲା । ଏହି ରୋଗ ଚିହ୍ନଟ ହେବା ପରଠାରୁ ମୁବିନାଙ୍କର ଅଧିକାଂଶ ସମୟ ପୁଅର ଲାଳନପାଳନ ଏବଂ ତା’ର ସ୍ଵାସ୍ଥ୍ୟ ପ୍ରତି ଯତ୍ନବାନ ହେବାରେ ହିଁ ବିତିଛି । ସେ କହନ୍ତି, “ମୋତେ ତା’ର ପରିସ୍ରା ସଫା କରିବା ପଡ଼େ, ବିଛଣା ଧୋଇବାକୁ ଓ ଲୁଗାପଟା ସଫା କରିବାକୁ ପଡ଼େ ଏବଂ ତାକୁ ବସାଇବାକୁ ପଡ଼େ । ଦିନ ସାରା ସେ ମୋ କୋଳରେ ଥାଏ ।”

'When his condition didn’t improve, we took him to a private doctor who told us that his brain is completely damaged and he will never be able to sit or walk'
PHOTO • Kanika Gupta
'When his condition didn’t improve, we took him to a private doctor who told us that his brain is completely damaged and he will never be able to sit or walk'
PHOTO • Kanika Gupta

ଯେତେବେଳେ ତା ର ଅବସ୍ଥା ସୁଧୁରିଲା ନାହିଁ, ଆମେ ତାକୁ ଜଣେ ଘରୋଇ ଡାକ୍ତରଙ୍କ ପାଖକୁ ନେଇଗଲୁ ଏବଂ ସେ ଆମକୁ କହିଲେ ଯେ ତା ର ମସ୍ତିଷ୍କ ପୂରା ନଷ୍ଟ ହୋଇଯାଇଛି ଏବଂ ସେ କେବେହେଲେ ବସିପାରିବନି କି ଚାଲି ପାରିବନି

ତଥାପି, ୨୦୧୯ ଯାଏ, ଘର ନାଁରେ ଫାଟିଯାଇଥିବା କାନ୍ଥ ଓ ଅସଂପୂର୍ଣ୍ଣ ଛାତ ସହିତ କେବଳ କଂକ୍ରିଟ୍‌ ଢାଞ୍ଚା ଥିବା ରାଖ-ଏ-ଅର୍ଥ ପୁନର୍ବାସ କଲୋନିକୁ ଏହି ପରିବାର ନଯିବା ପର୍ଯ୍ୟନ୍ତ, ସେମାନଙ୍କ ସଂଘର୍ଷର ଜ୍ଵାଳା କିଛିଟା କମ୍‌ ଥିଲା ।

ସେତେବେଳେ ସେମାନେ ଡାଲ ହ୍ରଦର ମୀର ବେହରି ଅଞ୍ଚଳରେ ରହୁଥିଲେ । ମୁବିନାଙ୍କ ପାଖରେ କାମ ଥିଲା ଏବଂ ରୋଜଗାର ବି ଥିଲା । ସେ କହନ୍ତି, “ମାସକୁ ୧୦ରୁ ୧୫ ଦିନ ମୁଁ ଡାଲ ହ୍ରଦରୁ ଘାସ କାଟୁଥିଲି । ଏଥିରୁ ସେ ଚଟାଇ ତିଆରି କରି ଗୋଟିକୁ ୫୦ ଟଙ୍କା ହିସାବରେ ସ୍ଥାନୀୟ ବଜାରରେ ବିକୁଥିଲେ । ସେ ମଧ୍ୟ ହ୍ରଦରୁ କଇଁଫୁଲ ବାହାର କରୁଥିଲେ ଏବଂ ମାସକରେ ପ୍ରାୟ ୧୫ରୁ ୨୦ ଦିନ ପାଇଁ ଦିନକୁ ଚାରି ଘଣ୍ଟା କାମ କରି ୩୦୦ ଟଙ୍କା ହିସାବରେ ରୋଜଗାର କରୁଥିଲେ । ଅର୍ଶିଦ ଜଣେ କୃଷି ଶ୍ରମିକ ଭାବେ ମାସକରେ ପ୍ରାୟ ୨୦ରୁ ୨୫ ଦିନ (ଫସଲ ଋତୁରେ) କାମ କରି ଦିନକୁ ୧,୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିଲେ ଏବଂ ସେ ମଧ୍ୟ ଗୋଟିଏ ମଣ୍ଡି ରେ ପରିବାପତ୍ର ବିକ୍ରି କରି ଦିନକୁ ଅତି କମ୍‌ରେ ୫୦୦ ଟଙ୍କା ଲାଭ କରୁଥିଲେ ।

ପରିବାରର ମାସିକ ଆୟ ବେଶ୍‌ ଭଲ ଥିଲା ଏବଂ ସେମାନେ ଖୁବ୍‌ ଭଲରେ ଚଳୁଥିଲେ । ମୀର ବେହରିରୁ ମୋହସିନର ଚିକିତ୍ସା ପାଇଁ ସେମାନେ ଯାଉଥିବା ଡାକ୍ତରଖାନା ଓ ଡାକ୍ତରଙ୍କ ପାଖରେ ପହଞ୍ଚିବା ସହଜ ଥିଲା ।

ମୁବିନା କହନ୍ତି, “କିନ୍ତୁ ମୋହସିନ ଜନ୍ମ ନେବା ପରେ ମୁଁ କାମ କରିବା ବନ୍ଦ କରିଦେଲି । ସେତେବେଳେ ମୋ ଶାଶୁ କହିଲେ ଯେ ମୁଁ କୁଆଡ଼େ ସବୁବେଳେ ମୋ ପୁଅ କାମରେ ବ୍ୟସ୍ତ ରହୁଥିଲି ଏବଂ ଘରକାମରେ ତାଙ୍କୁ ସାହାଯ୍ୟ କରିବାକୁ ମୋ ପାଖରେ ସମୟ ନଥିଲା । ତେଣୁ ଆମକୁ ସେଠାରେ (ମୀର ବେହରିରେ) ରଖିବା କ’ଣ ଦରକାର ଥିଲା ?”

ତେଣୁ, ମୁବିନା ଓ ଅର୍ଶିଦଙ୍କୁ ସେଠାରୁ ଚାଲିଯିବା ପାଇଁ କୁହାଗଲା । ସେହି ଘର ପାଖରେ ସେମାନେ ଟିଣଛାତ ଥିବା ଚାଳିଆଟିଏ ତିଆରି କଲେ । ୨୦୧୪ ସେପ୍‌ଟେମ୍ବର ମାସର ବନ୍ୟାରେ ସେହି ଦୁର୍ବଳ ବାସଗୃହଟି ନଷ୍ଟ ହୋଇଗଲା । ସେମାନେ ସଂପର୍କୀୟମାନଙ୍କ ସହ ଏଠାରୁ ସେଠାକୁ ଘୂରି ବୁଲିଲେ ଏବଂ ପ୍ରତି ଥର ଅସ୍ଥାୟୀ ଚାଳିଆରେ ରହୁଥିଲେ ।

ହେଲେ, ସବୁ ସମୟରେ ମୋହସିନର ନିୟମିତ ଡାକ୍ତରୀ ପରୀକ୍ଷା ଓ ଔଷଧପତ୍ର ପାଇଁ ଘର ପାଖରେ ଡାକ୍ତରଖାନା ଥିଲା ।

The family sitting in the sun outside Arshid’s parents’ home in Rakh-e-Arth, Srinagar
PHOTO • Kanika Gupta
The family sitting in the sun outside Arshid’s parents’ home in Rakh-e-Arth, Srinagar
PHOTO • Kanika Gupta

ଶ୍ରୀନଗରର ରାଖ-ଏ-ଅର୍ଥରେ ଥିବା ଅର୍ଶିଦଙ୍କ ବାପାମାଆଙ୍କ ଘର ବାହାରେ ଖରାରେ ବସିଛନ୍ତି ତାଙ୍କ ପରିବାର

୨୦୧୭ରେ ଜାମ୍ମୁ ଓ କାଶ୍ମୀର ହ୍ରଦ ଓ ଜଳପଥ ଉନ୍ନୟନ ସଂସ୍ଥା (LAWDA) ପକ୍ଷରୁ ଡାଲ ହ୍ରଦ ଅଞ୍ଚଳରେ ଏକ ‘ଥଇଥାନ’ ଅଭିଯାନ ଆରମ୍ଭ ହେଲା । ହ୍ରଦର ବିଭିନ୍ନ ଦ୍ଵୀପରେ ଚାଷବାସ କରୁଥିବା ୭୦ରୁ ଅଧିକ ବର୍ଷ ବୟସର ଅର୍ଶିଦଙ୍କ ବାପା ଗୁଲାମ ରସୁଲ ଅଖୁନଙ୍କୁ ଅଧିକାରୀମାନେ ସାକ୍ଷାତ କଲେ । ଡାଲ ହ୍ରଦଠାରୁ ପ୍ରାୟ ୧୨ କିଲୋମିଟର ଦୂର ବେମିନା ଅଞ୍ଚଳରେ ସ୍ଥାପିତ ନୂତନ ପୁନର୍ବାସ କଲୋନି, ରାଖ-ଏ-ଅର୍ଥରେ ମୋଟାମୋଟି ୨,୦୦୦ ବର୍ଗଫୁଟ ଜମିରେ ଘର ତିଆରି କରିବା ଲାଗି ୧ ଲକ୍ଷ ଟଙ୍କା ଦିଆଯିବ ବୋଲି ଅଧିକାରୀମାନଙ୍କ ପ୍ରସ୍ତାବକୁ ସେ ଗ୍ରହଣ କରିନେଲେ ।

ଅର୍ଶିଦ କହନ୍ତି, “ମୋ ବାପା କହିଲେ ଯେ ସେ ସେହି ସ୍ଥାନ ଛାଡ଼ି ଯାଉଛନ୍ତି ଏବଂ ମୁଁ ଚାହିଁଲେ ତାଙ୍କ ସହ ଯାଇପାରିବି କିମ୍ବା ଯେଉଁଠି ଅଛି ସେଠି ରହିପାରିବି । ସେତେବେଳକୁ ଆମର ଆଉ ଗୋଟିଏ ପୁଅ ଥାଏ- ୨୦୧୪ରେ ଅଲି ଜନ୍ମ ନେଇଥିଲା । ମୁଁ ତାଙ୍କ ସହିତ ଯିବାକୁ ରାଜି ହେଲି । ସେ ତାଙ୍କ ଘର (ରାଖ-ଏ-ଅର୍ଥରେ) ପଛ ପାଖରେ ଆମକୁ ଛୋଟ ଜାଗାଟିଏ ଦେଲେ ଏବଂ ସେଥିରେ ଆମେ ଆମ ଚାରି ଜଣଙ୍କ ପାଇଁ ଛୋଟ କୁଡ଼ିଆଟିଏ ଗଢ଼ିଲୁ ।”

ତାହା ଥିଲା ୨୦୧୯ ମସିହାର କଥା ଏବଂ ବହୁ ଦୂରରେ ଥିବା ଏହି କଲୋନିକୁ ଆସିଥିବା ପ୍ରାୟ ୧,୦୦୦ ପରିବାର ମଧ୍ୟରେ ସାମିଲ ହୋଇଥିଲା ଅଖୁନ ପରିବାର । କଲୋନିରେ ରାସ୍ତା ନଥିଲା କି ଉପଯୁକ୍ତ ପରିବହନ ବ୍ୟବସ୍ଥା ନଥିଲା, ସ୍କୁଲ କି ଡାକ୍ତରଖାନା ବି ନଥିଲା, ଏବଂ କାମ କରିବା ଲାଗି କୌଣସି ବିକଳ୍ପ ଉପାୟ ନଥିଲା - କେବଳ ପାଣି ଓ ବିଦ୍ୟୁତ୍‌ ଯାହା ମିଳୁଥିଲା । LAWDAର ଉପାଧ୍ୟକ୍ଷ ତୁଫୈଲ ମାଟ୍ଟୁ କହନ୍ତି, “ଆମେ ପ୍ରଥମ କ୍ଲଷ୍ଟରକୁ (ପ୍ରସ୍ତାବିତ ତିନିଟିରୁ) ବାସୋପଯୋଗୀ କରିଛୁ ଏବଂ ଏଥିରେ ୪,୬୦୦ ପ୍ଲଟ୍‌ ରହିଛି । ଏ ପର୍ଯ୍ୟନ୍ତ ୨,୨୮୦ ପରିବାରକୁ ଜମି ପ୍ଲଟ୍‌ ପ୍ରଦାନ କରାଯାଇଛି ।”

ଦିନ ମଜୁରି ଭିତ୍ତିରେ କିଛି କାମ ପାଇବା ଏବଂ ସେଥିପାଇଁ ଚେଷ୍ଟା କରିବା ଲାଗି ଅର୍ଶିଦ ରାଖ-ଏ-ଅର୍ଥଠାରୁ ପ୍ରାୟ ତିନି କିଲୋମିଟର ଦୂରରେ ଥିବା ଏକଶ୍ରମିକ ନାକା ପର୍ଯ୍ୟନ୍ତ ଯାଆନ୍ତି । ସେ କହନ୍ତି, “ସକାଳ ୭ଟାରେ ସେଠାକୁ ବହୁ ଲୋକ ଆସନ୍ତି ଏବଂ କାମ ପାଇବା ପାଇଁ ମଧ୍ୟାହ୍ନ ଯାଏ ଅପେକ୍ଷା କରନ୍ତି ।ସାଧାରଣତଃ ମୋତେ ନିର୍ମାଣ ସ୍ଥଳୀରେ ପଥର ଉଠାଇବା କାମ ମିଳିଯାଏ ।” କିନ୍ତୁ ଏହି କାମ ଅତି ବେଶୀରେ ମାସକୁ ୧୨-୧୫ ଦିନ ପାଇଁ ମିଳିଥାଏ ଏବଂ ଏଥିରେ ଦିନକୁ ୫୦୦ ଟଙ୍କା ମଜୁରି ମିଳେ, ଯାହାକି ତାଙ୍କ ପରିବାର ଡାଲ ହ୍ରଦ ଉପରେ ନିର୍ଭର କରି ଚଳୁଥିବା ସମୟର ରୋଜଗାର ତୁଳନାରେ ଢେର କମ୍।

ଯେତେବେଳେ କାମ ମିଳେ ନାହିଁ, ସେତେବେଳେ ସେମାନେ ସଞ୍ଚିତ ଅର୍ଥ ଖର୍ଚ୍ଚ କରି ଚଳିବାକୁ ଚେଷ୍ଟା କରନ୍ତି ବୋଲି ଅର୍ଶିଦ କହନ୍ତି। “କିନ୍ତୁ ଯେତେବେଳେ ଆମ ପାଖରେ ଟଙ୍କା ନଥାଏ ଆମେ ମୋହସିନକୁ ଚିକିତ୍ସା ପାଇଁ ନେଇପାରୁନାହିଁ ।”

Rakh-e-Arth has just one sub-health centre that can only handle basic healthcare functions; for emergencies people have to travel to the urban primary health centre at Pantha Chowk, 15 kilometres away. Or, like the Akhoon family, they have to go to the hospital in Soura
PHOTO • Kanika Gupta
Rakh-e-Arth has just one sub-health centre that can only handle basic healthcare functions; for emergencies people have to travel to the urban primary health centre at Pantha Chowk, 15 kilometres away. Or, like the Akhoon family, they have to go to the hospital in Soura
PHOTO • Kanika Gupta

ରାଖ-ଏ-ଅର୍ଥରେ ମାତ୍ର ଗୋଟିଏ ଉପ-ସ୍ଵାସ୍ଥ୍ୟ କେନ୍ଦ୍ର ଅଛି ଯେଉଁଠି କି କେବଳ ପ୍ରାଥମିକ ସ୍ଵାସ୍ଥ୍ୟ ସେବା ମିଳିପାରିବ, ଜରୁରୀକାଳୀନ ଚିକିତ୍ସା ପାଇବା ପାଇଁ ଲୋକମାନଙ୍କୁ ସେଠାରୁ ୧୫ କିଲୋମିଟର ଦୂର ପାନ୍ଥ ଚୌକରେ ଥିବା ସହରାଞ୍ଚଳ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଯାଏ ଯିବାକୁ ପଡ଼ିବ । କିମ୍ବା, ଅଖୁନ ପରିବାର ଭଳି, ସେମାନଙ୍କୁ ସୌରାରେ ଥିବା ଡାକ୍ତରଖାନା କୁ ଯିବାକୁ ପଡ଼ିବ ।

ରାଖ-ଏ-ଅର୍ଥରେ କେବଳ ଗୋଟିଏ ଉପ-ସ୍ଵାସ୍ଥ୍ୟ କେନ୍ଦ୍ର ରହିଛି ଯେଉଁଠି କି କେବଳ ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଭଳି ଅଣ-ସଂକ୍ରାମକ ରୋଗୀଙ୍କ ପରୀକ୍ଷଣ ଏବଂ ଶିଶୁମାନଙ୍କୁ ରୋଗ ପ୍ରତିରୋଧକ ପ୍ରଦାନ ଏବଂ ଗର୍ଭବତୀ ମହିଳାଙ୍କ ଗର୍ଭଧାରଣ ସଂପର୍କିତ ପରୀକ୍ଷଣର ବ୍ୟବସ୍ଥା ରହିଛି ବୋଲି କହନ୍ତି ଶ୍ରୀନଗରର ବାଟାମାଲୁକ୍ଷେତ୍ରର ଜୋନାଲ ମେଡିକାଲ ଅଫିସର ଡକ୍‌ଟର ସମୀନା ଜୈନ। ଏହି ପୁନର୍ବାସ କଲୋନି ବାଟାମାଲୁ ଅଞ୍ଚଳରେ ଅବସ୍ଥିତ ।

ରାଖ-ଏ-ଅର୍ଥରେ ଗୋଟିଏ ସ୍ଵାସ୍ଥ୍ୟ କେନ୍ଦ୍ର ଓ ଡାକ୍ତରଖାନା ନିର୍ମାଣ କରାଯାଉଛି, ଏବଂ “ସେଥିପାଇଁ କୋଠା ନିର୍ମାଣ ଶେଷ ହୋଇଛି ଏବଂ ଖୁବ୍‌ ଶୀଘ୍ର ଏହା କାମ କରିବ” ବୋଲି କହନ୍ତି LAWDAର ତୁଫୈଲ ମାଟ୍ଟୁ । “ବର୍ତ୍ତମାନ ପାଇଁ ଉପ ସ୍ଵାସ୍ଥ୍ୟ କେନ୍ଦ୍ରରେ ଏକ ଛୋଟ ଡାକ୍ତରଖାନା କାର୍ଯ୍ୟ କରୁଛି । ଦିନରେ କେଇ ଘଣ୍ଟା ପାଇଁ ଜଣେ ଡାକ୍ତର ଏଠାକୁ ଆସୁଛନ୍ତି ।” ହେଲେ ଜରୁରୀକାଳୀନ ସ୍ଥିତିରେ ଲୋକମାନଙ୍କୁ ସେଠାରୁ ୧୫ କିଲୋମିଟର ଦୂର ପାନ୍ଥ ଚୌକରେ ଥିବା ସହରାଞ୍ଚଳ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଯାଏ ଯିବାକୁ ପଡ଼ିବ। କିମ୍ବା, ଅଖୁନ ପରିବାର ଭଳି, ସେମାନଙ୍କୁ ସୌରାରେ ଥିବା ହାସପାତାଳକୁ ଯିବାକୁ ପଡ଼ିବ ।

ଏହି କଲୋନିକୁ ଆସିବା ଦିନରୁ ମୁବିନାଙ୍କ ନିଜର ସ୍ଵାସ୍ଥ୍ୟ ଅବସ୍ଥା ବି ବିଗିଡ଼ିବାରେ ଲାଗିଛି ଏବଂ ସେ ହୃତ୍‌ସ୍ପନ୍ଦନ ବୃଦ୍ଧି ରୋଗରେ ପୀଡ଼ିତା । ସେ କହନ୍ତି, “ମୋ ପୁଅ ରୋଗଗ୍ରସ୍ତ ଏବଂ ସେହି କାରଣରୁ ମୁଁ ବହୁ ସମସ୍ୟାର ସମ୍ମୁଖୀନ ହୋଇଥାଏ । ତା’ର ହାତ କାମ କରେନି, ତା’ର ପାଦ କାମ କରେନି, ତା’ର ମସ୍ତିଷ୍କ କାମ କରେନି । ସକାଳୁ ସଞ୍ଜ ଯାଏଁ ମୁଁ ତାକୁ କୋଳରେ ଧରିଥାଏ । ଦିନଯାକର କାମ ଶେଷରେ ମୋ ଦେହରେ ପ୍ରବଳ ଯନ୍ତ୍ରଣା ହୁଏ । ତା ପାଇଁ ଚିନ୍ତାରେ ଏବଂ ତା’ର ସେବାଯତ୍ନ କରି କରି ମୁଁ ରୋଗରେ ପଡ଼ିଗଲିଣି । ମୁଁ ଯଦି ଡାକ୍ତରଙ୍କ ପାଖକୁ ଯାଏ, ସେମାନେ ମୋର ଚିକିତ୍ସା କରିବାକୁ ଏବଂ ଅଧିକ ଡାକ୍ତରୀ ପରୀକ୍ଷା କରାଇ ନେବାକୁ କହନ୍ତି । ମୋ ନିଜର ଚିକିତ୍ସା ବାବଦ ଖର୍ଚ୍ଚ ପାଇଁ ମୋ ପାଖରେ ୧୦ ଟଙ୍କାର ରୋଜଗାର ବି ନାହିଁ ।

ତାଙ୍କ ପୁଅର ନିୟମିତ ଔଷଧ ବାବଦରେ ଥରକରେ ୭୦୦ ଟଙ୍କା ଖର୍ଚ୍ଚ ହୁଏ ଏବଂ ଏହି ଔଷଧ ୧୦ ଦିନ ଯାଏ । ତାକୁ ବାରମ୍ବାର ଜ୍ଵର ହେବା ଏବଂ ତା ଦେହରେ ଘା’ ହେବା ସହିତ ଦେହହାତ ନାଲି ପଡ଼ିଯାଉଥିବାରୁ ପ୍ରାୟ ପ୍ରତି ମାସରେ ଥରଟିଏ ତାକୁ ଡାକ୍ତରଖାନା ନେବାକୁ ପଡ଼େ । ଜାମ୍ମୁ ଓ କାଶ୍ମୀର କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ଦିଆଯାଇଥିବା ଶ୍ରମିକ କାର୍ଡ ଅନୁସାରେ ନୀତିଗତ ଭାବେ ମାଗଣାରେ ଚିକିତ୍ସା ହେବା କଥା ।କାରଣ ଏହି କାର୍ଡ ଯୋଗୁଁ ଅର୍ଶିଦ ଓ ତାଙ୍କ ଉପରେ ନିର୍ଭର କରୁଥିବା ପରିବାର ଲୋକେ ବର୍ଷକୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡାକ୍ତରୀ ସୁବିଧା ପାଇବାକୁ ହକ୍‌ଦାର । କିନ୍ତୁ ଏହି କାର୍ଡକୁ ବୈଧ ରଖିବାକୁ ହେଲେ ସ୍ଵଳ୍ପ ଅର୍ଥର ବାର୍ଷିକ ଫି’ ଦେବାକୁ ହୁଏ ଏବଂ ସେଥିପାଇଁ କାର୍ଡର ନବୀକରଣ ସମୟରେ ୯୦ଦିନ ଧରି ନିଯୁକ୍ତି ପାଇଥିବା ସଂପର୍କିତ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼େ । ନିୟମିତ ଭାବେ ଏହା କରିବାରେ ଅର୍ଶିଦ ସକ୍ଷମ ହୋଇପାରିନାହାନ୍ତି ।

Left: Younger son Ali says, 'My father doesn’t have money, how can I go to school?' Right: The family's tin home behind Arshid's father’s house
PHOTO • Kanika Gupta
Left: Younger son Ali says, 'My father doesn’t have money, how can I go to school?' Right: The family's tin home behind Arshid's father’s house
PHOTO • Kanika Gupta

ବାମ : ସାନପୁଅ ଅଲି କହେ, ମୋ ବାପାଙ୍କ ପାଖରେ ପଇସା ନାହିଁ, ମୁଁ କେମିତି ସ୍କୁଲକୁ ଯାଇପାରିବି ? ଡାହାଣ : ଅର୍ଶିଦଙ୍କ ବାପାଙ୍କ ଘର ପଛପଟେ ତାଙ୍କ ପରିବାରର ଟିଣଛପର ଚାଳିଆ

ଜି.ବି.ପନ୍ତ ହସପିଟାଲର ଡାକ୍ତର ମୁଦାସିଲ ରାଠେର କହନ୍ତି, “ମୋହସିନ ଆଉ ଚାଲିପାରିବନି, ସ୍କୁଲ ଯାଇପାରିବନି, ଖେଳି ପାରିବନି କି ସାଧାରଣ ପିଲାଙ୍କ ଭଳି ଅନ୍ୟାନ୍ୟ କାମ କରିପାରିବନି।” ଡାକ୍ତରମାନେ ଯାହା କେବଳ ରୋଗ ସଂକ୍ରମଣ, ବାତ ମାରିବା କିମ୍ବା ଅନ୍ୟାନ୍ୟ ସ୍ଵାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ଏବଂ ଶାରୀରିକ ଜଡ଼ତାରୁ ମୁକ୍ତି ପାଇଁ ଫିଜିଓଥେରାପି ଭଳି ଆନୁସଙ୍ଗିକ ଚିକିତ୍ସା ପ୍ରଦାନ କରିପାରିବେ। ଶ୍ରୀନଗରର ସରକାରୀ ମେଡିକାଲ କଲେଜର ଶିଶୁରୋଗ ଚିକିତ୍ସକ ଡାକ୍ତର ଆସିୟା ଅନ୍‌ଜୁମ ବୁଝାଇ ଦିଅନ୍ତି, “ସେରିବ୍ରାଲ ପାଲ୍‌ସି ହେଉଛି ଏକ ଦୁରାରୋଗ୍ୟ ସ୍ନାୟୁଗତ ବ୍ୟାଧି। ଯଦି ପ୍ରସବ ପରେ ପରେ ନବଜାତ ଶିଶୁଟି ଜଣ୍ଡିସ୍‌ ବା କାମଳ ରୋଗରେ ପୀଡ଼ିତ ହୋଇଥାଏ ଏବଂ ଏହାର ଉପଯୁକ୍ତ ଚିକିତ୍ସା କରାଯାଇ ନଥାଏ, ତେବେ ପରିଣାମରେ ଏଭଳି ଅବସ୍ଥା ହୋଇପାରେ। ଏହି କାରଣରୁ ମସ୍ତିଷ୍କ ନଷ୍ଟ ହୋଇପାରେ, ଚଳପ୍ରଚଳ ହେବାରେ ଅସୁବିଧା, ଶାରୀରିକ ଜଡ଼ତା ଏବଂ ମାନସିକ ଅକ୍ଷମତା ସୃଷ୍ଟି ହୋଇପାରେ।”

ନିଜ କାମ ଓ ଡାକ୍ତରଙ୍କ ପାଖକୁ ଦୌଡ଼ିବା ମଝିରେ ସଂଘର୍ଷ କରୁଥିବା ମୁବିନା ଓ ଅର୍ଶିଦଙ୍କ ଅଧିକାଂଶ ସମୟ ଓ ଅର୍ଥ ମୋହସିନର ସେବାରେ ଏବଂ ସେମାନଙ୍କ ସାନପୁଅର ଯତ୍ନ ନେବାରେ ଖର୍ଚ୍ଚ ହୋଇଯାଏ । ପ୍ରାୟ ସାତ ବର୍ଷର ଅଲି ଅଭିଯୋଗ କରେ, “ମାଆ ସବୁବେଳେ ବାୟା (ଭାଇ)କୁ ତା କୋଳରେ ରଖିଥାଏ । ସେ ମୋତେ କେବେହେଲେ ଏମିତି କୋଳରେ ଧରେନାହିଁ ।” ବଡ଼ଭାଇ ସହ ସଂପର୍କ ସ୍ଥାପନ କରିବା ତା ପାଇଁ କଷ୍ଟକର କାମ, କାରଣ, “ସେ ମୋତେ କିଛି କହେ ନାହିଁ କି ମୋ ସହିତ ଖେଳେ ନାହିଁ ଏବଂ ମୁଁ ଖୁବ୍‌ ସାନ ହୋଇଥିବାରୁ ତାକୁ ସାହାଯ୍ୟ କରିପାରେ ନାହିଁ ।”

ଅଲି ସ୍କୁଲ ଯାଏ ନାହିଁ । “ମୋ ବାପାଙ୍କ ପାଖରେ ଟଙ୍କା ନାହିଁ, ମୁଁ କେମିତି ଯିବି ?” ସେ ପଚାରେ। ଏହା ବ୍ୟତୀତ ରାଖ-ଏ-ଅର୍ଥରେ ସ୍କୁଲ ହିଁ ନାହିଁ । ଗୋଟିଏ ସ୍କୁଲ କରିବାକୁ LAWDA ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇନାହିଁ । ସବୁଠାରୁ ପାଖ ସରକାରୀ ସ୍କୁଲଟି ଦୁଇ କିଲୋମିଟର ଦୂର ବେମିନାରେ ରହିଛି ଏବଂ ଏହା ବି ବଡ଼ପିଲାମାନଙ୍କ ପାଇଁ ।

ମୁବିନା କହନ୍ତି, “ରାଖ-ଏ-ଅର୍ଥକୁ ଆସିବାର ଛଅ ମାସ ଭିତରେ ଆମେ ଜାଣିଗଲୁ ଯେ ଏଠାରେ ଆମେ ବେଶୀ ଦିନ ପାଇଁ ରହିପାରିବୁ ନାହିଁ । ପ୍ରକୃତରେ ଏଠାକାର ଅବସ୍ଥା ଅତି ଖରାପ। ମୋହସିନକୁ ଡାକ୍ତରଖାନା ନେବା ପାଇଁ ଆମ ପାଖରେ ପରିବହନର କୌଣସି ବିକଳ୍ପ ସୁବିଧା ବି ନାହିଁ । ଏବଂ (ସେଥିପାଇଁ) ଆମ ପାଖରେ ଟଙ୍କା ନଥିଲେ, ଆମେ ଏକ ବିରାଟ ବଡ଼ ସମସ୍ୟାର ସମ୍ମୁଖୀନ ହେଉ ।

“ଏଠାରେ କାମ ବି ନାହିଁ,” କଥାଯୋଡ଼ି କହନ୍ତି ଅର୍ଶିଦ। “ଆମେ କ’ଣ ବା କରିବୁ? ମୁଁ କାମଧନ୍ଦା ଖୋଜିବି, ନହେଲେ କରଜ କରିବି। ଆମ ପାଖରେ କୌଣସି ବିକଳ୍ପ ଉପାୟ ନାହିଁ ।”

ଅନୁବାଦ: ଓଡ଼ିଶାଲାଇଭ୍‍

Kanika Gupta

ਕਨਿਕਾ ਗੁਪਤਾ ਦਿੱਲੀ ਤੋਂ ਹਨ ਅਤੇ ਸੁਤੰਤਰ ਪੱਤਰਕਾਰ ਅਤੇ ਫੋਟੋਗਰਾਫ਼ਰ ਹਨ।

Other stories by Kanika Gupta
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE