ପ୍ରତିଥର ଅନାରୁଲ ଇସଲାମଙ୍କୁ ନିଜ ଚାଷ ଜମିକୁ କାମ କରିବାକୁ ଯିବା ସମୟରେ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରିବାକୁ ହୋଇଥାଏ। ଏହା କରିବା ପୂର୍ବରୁ ତାଙ୍କୁ ବିସ୍ତୃତ ନିୟମ ଏବଂ ସୁରକ୍ଷା ଯାଞ୍ଚର ପାଳନ କରିବାକୁ ପଡ଼ିଥାଏ। ତାଙ୍କୁ ନିଜ ପରିଚୟପତ୍ର (ସେ ସାଙ୍ଗରେ ଭୋଟ୍ ପରିଚୟପତ୍ର ଆଣିଥାନ୍ତି) ଜମା କରିବାକୁ ହୋଇଥାଏ, ରେଜିଷ୍ଟରରେ ଦସ୍ତଖତ କରିବାକୁ ପଡ଼ିଥାଏ ଏବଂ ସାରା ଶରୀରର ଯାଞ୍ଚ କରାଇବାକୁ ହୋଇଥାଏ। ସେ ନିଜ ସହିତ ଚାଷ ପାଇଁ ଯେଉଁସବୁ ଉପକରଣ ଆଣିଥାନ୍ତି, ସେଗୁଡ଼ିକର ଯାଞ୍ଚ କରାଯାଇଥାଏ। ଆହୁରି ଯେଉଁଦିନ ସେ ସାଥୀରେ କୌଣସି ଗାଈ ନେଇଯାଇଥାନ୍ତି, ତାହାର ଏକ ଫଟୋର ହାର୍ଡ କପି ମଧ୍ୟ ଜମା କରିବାକୁ ହୋଇଥାଏ।
“ଦୁଇରୁ ଅଧିକ ଗାଈ (ଏକ ସମୟରେ) ନେଇ ଯିବା ଲାଗି ଅନୁମତି ମିଳେ ନାହିଁ”, ଅନରୁଲ କହିଥାନ୍ତି। “ଫେରିବା ସମୟରେ, ମୋତେ ପୁଣିଥରେ ଦସ୍ତଖତ କରିବାକୁ ହୋଇଥାଏ ଏବଂ ମୋର କାଗଜପତ୍ର ମୋତେ ଫେରାଇ ଦିଆଯାଇଥାଏ। ଯଦି କାହା ପାଖରେ ପରିଚୟପତ୍ର ନାହିଁ, ତା’ହେଲେ ତାଙ୍କୁ ସେହି ସ୍ଥାନ ଦେଇ ଅତିକ୍ରମ କରିବା ଲାଗି ଅନୁମତି ଦିଆଯାଏନାହିଁ।”
ଅନାରୁଲ ଇସଲାମ-ଏଠାରେ ସମସ୍ତେ ତାଙ୍କୁ ବାବୁଲ ନାମରେ ଜାଣନ୍ତି-ମେଘାଳୟର ଦକ୍ଷିଣ ପଶ୍ଚିମ ଗାରୋ ହିଲ୍ସ ଜିଲ୍ଲାର ବଗିଚା ଗ୍ରାମରେ ନିଜ ପରିବାର ସହିତ ରହିଥାନ୍ତି। ରାଜ୍ୟ ସୀମାର ପାଖାପାଖି ୪୪୩ କିଲୋମିଟର ଭାଗ, ଭାରତ ଓ ବାଂଲାଦେଶ ମଧ୍ୟରେ ପାଖାପାଖି ୪୧୪୦ କିଲୋମିଟର ଲମ୍ବ ଅନ୍ତର୍ଜାତୀୟ ସୀମା- ବିଶ୍ୱର ପଞ୍ଚମ ସର୍ବବୃହତ ଭୂସୀମା-ସହ ଯୋଡ଼ି ହୋଇରହିଛି। ମେଘାଳୟକୁ ଲାଗିଥିବା ସୀମାରେ କଣ୍ଟା ତାର ଓ କଂକ୍ରିଟର ବାଡ଼ ତିଆରି ହୋଇଛି।
୧୯୮୦ ଦଶକ ପାଖାପାଖି ତାରବାଡ଼ ଲଗାଇବା କାମ ଆରମ୍ଭ ହୋଇଥିଲା-ତେବେ ଶହ ଶହ ବର୍ଷ ଧରି ପ୍ରବାସ ଏହି କ୍ଷେତ୍ରର ଅର୍ଥବ୍ୟବସ୍ଥା ଓ ଗ୍ରାମୀଣ ଜୀବିକାର ଏକ ଅଂଶବିଶେଷ ହୋଇ ରହିଆସିଛି। ଉପମହାଦେଶ ବିଭାଜନ ଓ ପରେ ବାଂଲାଦେଶ ଗଠନ ହେବା ଫଳରେ ଏହି ଯାତାୟାତ ବନ୍ଦ ହୋଇଯାଇଥିଲା। ଦୁଇ ଦେଶ ମଧ୍ୟରେ ବିଭାଜନ ଅନ୍ତର୍ଗତ ତାରବାଡ଼କୁ ଲାଗି ରହିଥିବା ୧୫୦ ଗଜ ଦୂରତାକୁ ଏକ ପ୍ରକାର ‘ବଫର ଜୋନ’ ଭାବେ ରଖାଯାଇଛି।
୪୭ ବର୍ଷୀୟ ଅନାରୁଲ ଇସଲାମଙ୍କୁ ଏହା ପୈତୃକ ସମ୍ପତ୍ତି ଭାବେ ମିଳିଛି। ତାଙ୍କୁ ମାତ୍ର ୭ ବର୍ଷ ହୋଇଥିବା ସମୟରେ, ନିଜ ପିତାଙ୍କୁ ସହାୟତା ନିମନ୍ତେ ତାଙ୍କୁ ସ୍କୁଲ ଛାଡ଼ିବାକୁ ପଡ଼ିଥିଲା। ତାଙ୍କର ତିନି ଭାଇଙ୍କୁ ମଧ୍ୟ ପୈତୃକ ସନ୍ତକ ଭାବେ ଜମି ମିଳିଥିଲା, ଯେଉଁଥିରେ ସେମାନେ ନିଜେ ଚାଷ କରୁଛନ୍ତି କିମ୍ବା ଅନ୍ୟ କାହାକୁ ଭାଗ ଚାଷ କରିବାକୁ ଦେଇଛନ୍ତି (ତାଙ୍କର ଚାରି ଭଉଣୀ ଗୃହିଣୀ ଅଟନ୍ତି)









