କିଛି ଦୂରରୁ କେହି ଜଣେ ପାଟି କରି କହେ- ବିଶ୍ରାମ ସମୟ ସରିଗଲା । ଅୱଧି ଭାଷା କହୁଥିବା ଜଣେ ସୁପରଭାଇଜର ଯାହାକୁ ଯାହାର କାମ ବିତାଇବା ଆରମ୍ଭ କରନ୍ତି-ଏବଂ ପୁଣି କାମ ଆରମ୍ଭ ହୁଏ । ମଇଦାନର ଏକ ଅପେକ୍ଷାକୃତ ଶାନ୍ତ କୋଣରେ ଗୋଟିଏ ଛୋଟ ତମ୍ବୁଟିଏ ଲଗାଇବା ପାଇଁ ଭିତ୍ତି ପ୍ରସ୍ତୁତି କରିବାକୁ ରାମ ମୋହନଙ୍କୁ ପଠାଇ ଦିଆଯାଏ ।
ଆଜି ଶନିବାର, ଜାନୁଆରୀ ୨୩ ତାରିଖ, ଏବଂ ସେଠାରେ ପେଣ୍ଡାଲ (ତମ୍ବୁ) ଲଗାଇବା କାର୍ଯ୍ୟରେ ଦିନକୁ ୧୦ ଘଣ୍ଟାର ସିଫ୍ଟରେ ଦୁଇ ଦିନ ପାଇଁ ନିୟୋଜିତ ୫୦ ଜଣ ଲୋକଙ୍କ ଭିତରେ ଅଛନ୍ତି ରାମ ମୋହନ । ତିନିଟି କୃଷି ଆଇନ ବିରୋଧରେ ପ୍ରତିବାଦ କରିବା ଏବଂ ସେଗୁଡ଼ିକର ପ୍ରତ୍ୟାହାର ଦାବି କରିବା ଲାଗି ଜାନୁଆରୀ ୨୪ ତାରିଖ ସକାଳୁ ସେଠାକୁ ହଜାର ହଜାର କୃଷକଙ୍କ ଆଗମନ ଆରମ୍ଭ ହୋଇଯିବ । ଜାନୁଆରୀ ୨୬ ତାରିଖ, ଗଣତନ୍ତ୍ର ଦିବସରେ ଏହି ସମାବେଶ ଉଦ୍ଯାପିତ ହେବ ।
ଆନ୍ଦୋଳନକାରୀ କୃଷକଙ୍କ ସହ ସାମିଲ ହେବା ଲାଗି ଦକ୍ଷିଣ ମୁମ୍ବାଇର ଆଜାଦ ମଇଦାନରେ ହିଁ ରହିଯିବାକୁ ରାମ ମୋହନ ସ୍ଥିର କରନ୍ତି । ସେ କହନ୍ତି, “ଯାହା ସବୁ ଘଟୁଛି, ତାହା ବୁଝିବା ଲାଗି ମୁଁ ଚେଷ୍ଟା କରିଆସୁଛି ଏବଂ ଅନ୍ୟ କୃଷକମାନେ କ’ଣ କହୁଛନ୍ତି- ଏବଂ କେମିତି ଆମକୁ ମଧ୍ୟ ସେଥିରୁ (ସେମାନଙ୍କ ଦାବିରୁ) ଫାଇଦା ମିଳିବ, ସେ କଥା ଶୁଣିବା ଲାଗି ମୁଁ ଆସିବାକୁ ଚାହୁଁଛି ।”
ଉତ୍ତର ପ୍ରଦେଶ ଗୋଣ୍ଡା ଜିଲ୍ଲାର ଉମରି ବେଗମଗଞ୍ଜ ଗାଁରେ ରହୁଥିବା ତାଙ୍କ ପରିବାର ଗହମ ଓ ଧାନ ଚାଷ କରନ୍ତି । ସେ କହନ୍ତି, “ଏହି ୬-୭ ବିଘା (ଗୋଟିଏ ଏକରରୁ ସାମାନ୍ୟ ଅଧିକ) ଜମିରେ ଆମେ ଆଉ କ’ଣ କରିପାରିବୁ ? କେବଳ ବଞ୍ଚି ରହିବା ପାଇଁ ଯଥେଷ୍ଟ, କିନ୍ତୁ ତା’ଠୁ ଆଉ ବେଶୀ ନୁହେଁ ।” ସେ ଆଶା କରନ୍ତି ଯେ ଯେଉଁ ସମାବେଶ ପାଇଁ ସେ ତମ୍ବୁ ଲଗାଉଛନ୍ତି, ତାହା ତାଙ୍କର ଏବଂ ଅନ୍ୟ କୃଷକମାନଙ୍କ ପରିବାର ଦ୍ୱାରା ଉତ୍ପାଦିତ ଫସଲ ବାବଦରେ ଅଧିକ ମୂଲ୍ୟ ଦେଇପାରିବ।
ମୁମ୍ବାଇରେ ୨୩ ବର୍ଷ ହେଲା ଦିନ ମଜୁରିଆ ଶ୍ରମିକ ଭାବରେ କାମ କରିଆସୁଛନ୍ତି ରାମ ମୋହନ-ଏବେ ତାଙ୍କ ବୟସ ପ୍ରାୟ ୪୩ ବର୍ଷ । ଉତ୍ତର ମୁମ୍ବାଇର ମଲାଡ଼ ରେଳ ଷ୍ଟେସନ ନିକଟ ଶ୍ରମିକ ନାକାରେ ଅପେକ୍ଷା କରି ସେ କାମ ପାଆନ୍ତି- ଏବଂ ତାଙ୍କୁ କାମ ମିଳୁଥିବା ଦିନଗୁଡ଼ିକରେ ସେ ଦିନକର ମଜୁରି ବାବଦରେ ୭୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରନ୍ତି ।


















