ମୋର ଏସ୍ଏସ୍ସି (ସେକେଣ୍ଡାରି ସ୍କୁଲ ସାର୍ଟିଫିକେଟ୍) ଫଳାଫଳ ବାହାରିବାକୁ ଥିବା ଦିନ ମୋ ଅବସ୍ଥା ମାଡ଼ ଖାଇବା ପରେ ଗୋଟିଏ କ୍ରିକେଟ୍ ବଲ୍ର ଅବସ୍ଥା ପରି ଥିଲା । ଏହା ଚାରି (ରନ୍) କିମ୍ବା ଛଅ ? ସମସ୍ତେ ସେହି ବଲ୍ଟିକୁ ହିଁ ଦେଖନ୍ତି । ଯଦି ଫେଲ୍ ହୋଇଯାଏ ? ମୋ ବାପା ତୁରନ୍ତ ମୋର ବିବାହ କରାଇଦେବେ ।
ପରୀକ୍ଷାଫଳ ୨୦୨୦ ଜୁଲାଇ ୨୯ରେ ଘୋଷଣା ହେଲା । ମୁଁ ୭୯.୦୬ ପ୍ରତିଶତ ହାସଲ କରିଥିଲି; ମୁଁ କେବଳ ଗୋଟିଏ ପଏଣ୍ଟରେ ମୋ ସ୍କୁଲର ତୃତୀୟ ସର୍ବୋଚ୍ଚ ସ୍ଥାନ ହରାଇଲି । ଆମ ଯାଯାବର ନାଥଯୋଗୀ ସମୂହରେ କୌଣସି ଝିଅ କେବେ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇନଥିଲେ ! ଏହି ବର୍ଷ ଆମ ସମୂହର ଅନ୍ୟ ତିନିଜଣ ଝିଅ ମଧ୍ୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ।
ମୁଁ ନାଭ ଖ [ଜଲଗାଓଁ ଜାମଦ ତହସିଲ, ବୁଲଦାନା ଜିଲ୍ଲା], ରେ ରୁହେ । ଏହା କେବଳ ମୋ ସମୂହର ଲୋକମାନେ ବାସ କରୁଥିବା ଏକ ଛୋଟ ଗାଁ । ଏହାର ଅଧିକାଂଶ ଲୋକ ଭିକ୍ଷା କରିବା ପାଇଁ ପୁନେ, ମୁମ୍ବାଇ ଏବଂ ନାଗପୁରକୁ ଚାଲିଯାଇଛନ୍ତି । ମୋ ବାପାଙ୍କ ପରି ବଳକାମାନେ ଆମ ଗାଁ ଆଖପାଖରେ ଦିନ ମଜୁରିଆ ଭାବରେ କାମ କରନ୍ତି ।
ମୋ ପିତାମାତା- ଭାଉଲାଲ ସାହେବରାଓ ସୋଲାଙ୍କେ, ୪୫ ଏବଂ ଦ୍ରୌପଦ ସୋଲାଙ୍କେ ୩୬ – ମଧ୍ୟ ଗହମ, ଯଅ, ମକ୍କା, ସୋୟାବିନ ଏବଂ କପା କ୍ଷେତରେ ମଜୁରୀରେ କାମ କରନ୍ତି । ଦିନରେ ପ୍ରାୟ ୮ଘଣ୍ଟା କାମ କରିବା ପାଇଁ ସେମାନେ ଉଭୟେ ୨୦୦ ଟଙ୍କା ଲେଖାଏଁ ପାଆନ୍ତି । ସେମାନେ ମାସରେ କଦବା କ୍ୱଚିତ୍ ୧୦-୧୨ ଦିନରୁ ଅଧିକ କାମ ପାଆନ୍ତି, କାରଣ ଅନେକ ଲୋକ କାମ ଚାହୁଁଥିବା ବେଳେ କାମ ଯଥେଷ୍ଟ ନଥାଏ ।









