ମୁକେଶ ରାମ ଦୀପାବଳିର ୧୦ ଦିନ ପୂର୍ବରୁ ନିଜ ଗ୍ରାମ ମହମ୍ମଦପୁରକୁ ଫେରି ଆସିଥିଲେ। ସେ ହିମାଚଳ ପ୍ରଦେଶର ଶିମଳା ଜିଲ୍ଲାରେ ନିର୍ମାଣ-ଶ୍ରମିକ ଭାବେ କାମ କରୁଥିଲେ।
ଚାଳିଶ ବର୍ଷ ବୟସ୍କ ମୁକେଶ ପ୍ରତିବର୍ଷ ଛଠ୍ ପୂଜା ପାଳନ କରିବା ଲାଗି ବିହାରର ଗୋପାଳଗଞ୍ଜ ଜିଲ୍ଲାରେ ଥିବା ନିଜ ଘରକୁ ଫେରି ଆସୁଥିଲେ। ସୂଚନାଯୋଗ୍ୟ ଯେ ଦୀପାବଳିର ଛଅ ଦିନ ପରେ ପଡ଼ୁଥିବା ଛଠ୍ ପର୍ବରେ ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରାଯାଇଥାଏ। ତାଙ୍କ ପତ୍ନୀ ପ୍ରଭାବତୀ ଦେବୀ ଏବଂ ସେମାନଙ୍କର ଚାରି ପିଲା ତାଙ୍କୁ ଘରେ ପାଇ ଖୁସି ହେଉଥିଲେ।
ଗାଁକୁ ଫେରିବା ପରେ, ସେ ନିଜ ଘରଠାରୁ ପ୍ରାୟ ଛଅ କିଲୋମିଟର ଦୂରରେ ଥିବା ମଙ୍ଗଳପୁର ପୁରୁଣା ବଜାରରେ ଏକ ନିର୍ମାଣସ୍ଥଳୀରେ ମଜୁରିଆ ଭାବେ କାମ କରୁଥିଲେ। ସେ ସକାଳ ୮ଟାରେ ଘରୁ ବାହାରୁଥିଲେ ଏବଂ ସନ୍ଧ୍ୟା ୬ଟା ସୁଦ୍ଧା ଫେରି ଆସୁଥିଲେ।
କିନ୍ତୁ ୨ ନଭେମ୍ବର, ୨୦୨୧ ତାରିଖରେ ସେ ବିଳମ୍ବରେ ଘରକୁ ଫେରିଥିଲେ ଏବଂ କିଛି ସମୟ ପରେ ତାଙ୍କ ଅସହ୍ୟ ମୁଣ୍ଡବ୍ୟଥା ହେଉଥିବା କହିବାକୁ ଲାଗିଲେ।
ପରଦିନ ସକାଳ ପର୍ଯ୍ୟନ୍ତ ତାଙ୍କର ମୁଣ୍ଡବ୍ୟଥା ଲାଗି ରହିଥିଲା ଏବଂ ତାଙ୍କ ଆଖି ମଧ୍ୟ ଖୋଲୁନଥିଲା। ତେବେ, ସକାଳୁ ମୁକେଶ ପୁଣିଥରେ କାମକୁ ଯିବା ପାଇଁ ପ୍ରସ୍ତୁତ ମଧ୍ୟ ହେଲେ, କିନ୍ତୁ ଯନ୍ତ୍ରଣା ପାଇଁ ଯାଇପାରିଲେ ନାହିଁ।
ତାଙ୍କର ଏପରି ଅବସ୍ଥା ଦେଖି, ପ୍ରଭାବତୀ ଏକ ଭଡ଼ା ଗାଡ଼ି ଠିକ କଲେ ଏବଂ ତାଙ୍କୁ ୩୫ କିଲୋମିଟର ଦୂର ଗୋପାଳଗଞ୍ଜ ସହରସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ନେଇଗଲେ। ‘‘ସୁବେରେ ଲେ ଜାତ, ଲେ ଜାତ, ୧୧ ବଜେ ମୌଗତ ହେ ଗଇଲ (ସକାଳୁ ଡାକ୍ତରଖାନା ନେଉ ନେଉ ୧୧ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା)।’’
ସ୍ୱାମୀ ଚାଲିଯିବାର ଦୁଃଖରେ ବୁଡ଼ି ରହିଥିବା ବିଧବା ପ୍ରଭାବତୀ (୩୫) ସନ୍ଧ୍ୟାରେ ଯେତେବେଳେ ଶବକୁ ନେଇ ଘରକୁ ଫେରିଲେ, ସେତେବେଳକୁ ତାଙ୍କ ଘର ସିଲ୍ ହୋଇସାରିଥିଲା। ଏହା ଦେଖି ସେ ଅବାକ୍ ହୋଇଯାଇଥିଲେ। ମହମ୍ମଦପୁର ଥାନାର ପୋଲିସ୍ ଅଧିକାରୀମାନେ ତାଙ୍କ ଘରେ ଖାନତଲାସୀ କରିଥିଲେ।










