ବଂଶୀର ତାନ ଶୁଣି ରାସ୍ତାକଡ଼ ଢାବାରେ ବସିଥିବା ଚାଷୀମାନଙ୍କର ଏକ ଦଳର ଧ୍ୟାନ ଭଗ୍ନ ହେଲା। ଚନ୍ଦୱାଡ ସହର-ନାସିକ ଠାରୁ ପାଖାପାଖି ୬୫ କିଲୋମିଟର ଦୂର-ରେ ଡିସେମ୍ବର ୨୨ ତାରିଖରେ ଶୀତୁଆ ସକାଳ ଥିଲା ଏବଂ ସେମାନେ ଚା’ ପିଇବା ପାଇଁ ଅପେକ୍ଷା କରିଥିଲେ। ସେମାନଙ୍କ ମଧ୍ୟରୁ କିଛି ଲୋକ ଅର୍ଦ୍ଧନିଦ୍ରାରେ ଥିଲେ ଏବଂ ଆଉ କିଛି ଜଳଖିଆ ଖାଇବା ପାଇଁ ମିସଲ ପାଓ ପ୍ରସ୍ତୁତ କରୁଥିଲେ। କିନ୍ତୁ କୋହ୍ଲାପୁର ଜିଲ୍ଲା ଜମ୍ଭାଲି ଗ୍ରାମର ୭୩ ବର୍ଷ ବୟସ୍କ ଚାଷୀ ନାରାୟଣ ଗାଇକୱାଡ ବଂଶୀ ବଜାଉଥିଲେ। ଘରଠାରୁ ୫୦୦ କିଲୋମିଟର ଦୂରରେ ଥିଲେ ମଧ୍ୟ ସେ ପ୍ରତିଦିନ ସକାଳେ କରୁଥିବା କାମ ଜାରି ରଖିଥିଲେ। “ଲୋକମାନେ କହୁଛନ୍ତି ଦିଲ୍ଲୀରେ ଚାଲିଥିବା ଆନ୍ଦୋଳନ କେବଳ ପଞ୍ଜାବ ଓ ହରିୟାଣା ମଧ୍ୟରେ ସୀମିତ”, ସେ କହିଥିଲେ। “କିନ୍ତୁ ଆମେ ଦର୍ଶାଇବାକୁ ଚାହୁଁଛୁ ଯେ ଏହା ଏକ ଜାତୀୟ ପ୍ରସଙ୍ଗ”।
ଡିସେମ୍ବର ୨୧ ତାରିଖରେ ନାସିକରୁ ପାଖାପାଖି ୨୦୦୦ ଚାଷୀ, କୃଷି ଶ୍ରମିକ ଓ କର୍ମୀମାନଙ୍କ ଏକ ଦଳକୁ ନେଇ କେତେଗୁଡ଼ିଏ ଗାଡ଼ି ବାହାରିଥିଲା। ଏମାନଙ୍କ ସହିତ ଗାଇକୱାଡ ସାମିଲ ହୋଇଥିଲେ। କିନ୍ତୁ ଗାଇକୱାଡଙ୍କ ଯାତ୍ରା ଏହାର ଗୋଟିଏ ଦିନ ପୂର୍ବରୁ ଆରମ୍ଭ ହୋଇଥିଲା। “ଆମ ଭିତରୁ ୭ ଜଣ ଏକ ଟେମ୍ପୋରେ ବସି ୨୦ ତାରିଖ ରାତିରେ ଆସି ନାସିକରେ ପହଞ୍ଚିଲୁ। ସେଠାରେ ପହଞ୍ଚିବା ପାଇଁ ଆମକୁ ପାଖାପାଖି ୧୩ ଘଣ୍ଟା ଲାଗିଥିଲା”, ସେ କହିଥିଲେ। “ବୟସ ବଢ଼ିବା ସହିତ ଗାଡ଼ିରେ ଯାତ୍ରା କରିବା ଅଧିକ କଷ୍ଟକର ହୋଇପଡ଼ୁଛି। କିନ୍ତୁ ଭଗତ ସିଂଙ୍କ ଭାରତୀୟ ବିଚାରରେ ମୁଁ ବିଶ୍ୱାସ କରୁଥିବାରୁ ଆସିବାକୁ ନିଷ୍ପତ୍ତି ନେଲି। ଆନ୍ଦୋଳନ ନହେବା ପର୍ଯ୍ୟନ୍ତ ଚାଷୀମାନଙ୍କର ସମସ୍ୟାର ଅନ୍ତ ଘଟିବ ନାହିଁ।”
ମୁଖ୍ୟତଃ ପଞ୍ଜାବ ଓ ହରିୟାଣାରୁ ଆସିଥିବା ଲକ୍ଷାଧିକ ଚାଷୀ ପୋଲିସର ଲୁହବୁହା ଗ୍ୟାସ, ଲାଠିମାଡ଼, ଶୀତ ଓ ବର୍ଷାକୁ ଖାତିର୍ ନକରି ଦିଲ୍ଲୀ ସୀମାରେ କେନ୍ଦ୍ର ସରକାରଙ୍କର ତିନୋଟି କୃଷି ଆଇନକୁ ବିରୋଧ କରିଆସୁଛନ୍ତି। ଏହିସବୁ ଆଇନ ଜୁନ ୫, ୨୦୨୦ରେ ପ୍ରଥମେ ଅଧ୍ୟାଦେଶ ରୂପରେ ଆସିଥିଲା। ଏହାପରେ ଏଗୁଡ଼ିକୁ ସେପ୍ଟେମ୍ବର ୧୪ ତାରିଖରେ ସଂସଦରେ ଆଗତ କରାଯାଇଥିଲା ଏବଂ ସେହି ମାସ ୨୦ ତାରିଖରେ ଅତ୍ୟନ୍ତ ତରବରିଆ ଭାବେ ଆଇନରେ ପରିଣତ କରି ଦିଆଯାଇଥିଲା।
ଏହି ଆଇନଗୁଡ଼ିକ ହେଉଛି : କୃଷକମାନଙ୍କ ଉତ୍ପାଦ ବାଣିଜ୍ୟ ଓ ବ୍ୟବସାୟ (ପ୍ରୋତ୍ସାହନ ଏବଂ ସୁବିଧା) ଆଇନ, ୨୦୨୦; ମୂଲ୍ୟ ସୁନିଶ୍ଚିତତା ଏବଂ କୃଷି ସେବା ଉପରେ କୃଷକମାନଙ୍କ (ସଶକ୍ତିକରଣ ଏବଂ ସୁରକ୍ଷା) ଚୁକ୍ତି ଆଇନ, ୨୦୨୦ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନ, ୨୦୨୦ । ଭାରତୀୟ ସମ୍ବିଧାନର ଧାରା ୩୨କୁ ଅଣଦେଖା କରି ପ୍ରତ୍ୟେକ ନାଗରିକମାନଙ୍କ ଆଇନଗତ ପନ୍ଥା ଆପଣାଇବା ଲାଗି ରହିଥିବା ଅଧିକାର ଉଲ୍ଲଙ୍ଘନ କରୁଥିବା କାରଣରୁ ଏହି ଆଇନଗୁଡ଼ିକୁ ସମାଲୋଚନା କରାଯାଉଛି।








