ଗଙ୍ଗେ କହନ୍ତି, ‘‘ଯେତେବେଳେ କାମ ନଥାଏ [ବିଲରେ], କର୍ମଟା ଫଳ ଏବଂ ଅନ୍ୟାନ୍ୟ ଜିନିଷ ସଂଗ୍ରହ କରିବାକୁ ମୁଁ ଜଙ୍ଗଲକୁ ଯାଏ।’’ ଧାର୍ମିକ ବୃକ୍ଷ ଲାଉଡ ଏବଂ ବାଲେଙ୍ଗା ପଡ଼ା ଗାଁ ଚାରିପଟେ ଥିବା ବୁଦାଳିଆ ଜଙ୍ଗଲକୁ ଦେଖାଇଲେ। ସମତଳ ଭୂମିରେ ସ୍ଥାନେ ସ୍ଥାନେ ଘର ଆକାରର କଳା ଧୂସର ରଂଗର ବଡ଼ବଡ଼ ପଥର ଏବଂ ଆଉ କେତେକ କାର୍ ଆକୃତିର ପଥର ପଡ଼ିଛି। ପ୍ରକୃତିର ସୌନ୍ଦର୍ଯ୍ୟ ଭିତରେ ଉଚ୍ଚା ଗଛ ଏବଂ ମୋଟା ଡାଳକୁ ଲଟା ଗୁଡ଼େଇ ରଖିଛି।
ବସ୍ତର ଅଞ୍ଚଳର ଅମରାବତୀ ଜଙ୍ଗଲର ଗୋଟିଏ ପାର୍ଶ୍ୱରେ ବାଲେଙ୍ଗାପଡ଼ା ଗାଁ। ଏଠି ପହଞ୍ଚିବାକୁ ହେଲେ ଦକ୍ଷିଣ ଛତିଶଗଡ଼ର ରାଜନନ୍ଦଗାଓଁ ସହରରୁ ୮ ଘଣ୍ଟାର ଦୁସ୍ଥ ବସ୍ ଯାତ୍ରା ପରେ ଦୁଇ କିଲୋମିଟର ପାଦରେ ଚାଲିଚାଲି ଯିବାକୁ ହୁଏ। ମୁଖ୍ୟ ରାସ୍ତା ପିଚୁ ଏବଂ ବାକି ସବୁ ରାସ୍ତା ଧୂଳି ଆଉ ଗୋବରରେ ଭର୍ତ୍ତି। ୩୩୬ ଲୋକ ସଂଖ୍ୟା (୨୦୧୧ ଜନଗଣନା) ବିଶିଷ୍ଟ ବାଲେଙ୍ଗା ପଡ଼ାର ଘର ସଂଖ୍ୟା ୬୦। ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ୱରେ ଥିବା ସବୁ ଘରଗୁଡ଼ିକ ଏକ ମହଲା। କିଛି ଘର ପୁରୁଣା ଧୂସରିଆ, ମାଟି ଓ ଇଟାରେ ତିଆରି। ଅଳ୍ପ କେତୋଟି ଘର ନୂଆ। କଂକ୍ରିଟ ଘର ଉପରେ ଟିଣ ବା ଆଜବେଷ୍ଟସ୍ ଛପର। କେତୋଟି ଘରେ ଉଜ୍ୱଳ ସବୁଜ ଓ ପିଙ୍କ ରଙ୍ଗର ଚୂନ ଢଉଳା ହୋଇଛି।
୩୩ ବର୍ଷୀୟା ଗଙ୍ଗେ ସୋଢୀ ଗଣ୍ଡ ଆଦିବାସୀ ସଂପ୍ରଦାୟର। ସେ ହଲ୍ବି, ଗଣ୍ଡି ଓ ଅଳ୍ପ ଅଳ୍ପ ହିନ୍ଦୀ କୁହନ୍ତି। ପ୍ରଥମେ ପ୍ରଥମେ ସେ ଲାଜ କରୁଥିଲେ। ପରେ ତାଙ୍କ କାହାଣୀ ଲେଖିବାକୁ ଅନୁମତି ଦେଲେ।
ପରିବାର ପାଇଁ ତାଙ୍କର ଦିନ କାଟନ୍ତି ଗଙ୍ଗେ। ତାଙ୍କ ବାପାଙ୍କ ଜମିରେ କାମ କରନ୍ତି ଆଉ ସାପ୍ତାହିକ ହାଟରେ ବିକ୍ରି କରିବାକୁ ମହୁଲ ଫୁଲରୁ ମଦ ରାନ୍ଧନ୍ତି।
ପ୍ରାୟ ଭୋର ୫ଟାରୁ ତାଙ୍କ ଦିନ ଆରମ୍ଭ ହୁଏ। ସେ କହନ୍ତି, ‘‘ଦିନର ଭାତ ପାଇଁ ମୁଁ ଧାନ କୁଟେ। ବାସନକୁସନ ସଫା କରେ, ପାଖରେ ଥିବା ପମ୍ପରୁ ପାଣି ଆଣେ, ଜାଳେଣି କାଠ ସଂଗ୍ରହ କରେ। ଜଳଖିଆ ତିଆରି କରିବା ପରେ ସକାଳ ୧୦ଟାରେ ବିଲକୁ ଯାଏ।’’ ସେ ଖାଇବା ପାଇଁ ଖରାବେଳେ ଘରକୁ ଫେରନ୍ତି, ଆଉ ତା’ ପରେ ପୁଣି କ୍ଷେତକୁ ଯାଆନ୍ତି। ଚାରିଟା ବେଳେ କାମ ସାରନ୍ତି। ‘‘ମୁଁ ଗାଧୋଇ ସାରି ପୁଣି କିଛି ପାଣି ଆଉ ଜାଳେଣି କାଠ ଆଣେ। ବେଳେବେଳେ ଘସି ନିଆଁରେ ବି ଭାତ ତର୍କାରି [ଉଭୟ ଆମିଷ ଓ ନିରାମିଷ] କରେ। ବିଶେଷ ଦିନଗୁଡ଼ିକରେ ଆମେ ପୁରି ଓ ଖୀରି ଖାଉ [ସୁଜିରେ ତିଆରି]।’’
ରାସ୍ତା ଆରପଟେ ଥିବା ଘରେ, ମାଆ କୁମେନ୍ତି ଓ ବାପା ମଙ୍ଗଳରାମଙ୍କ ସହ ରହନ୍ତି ଗଙ୍ଗେ। ତାଙ୍କ ସହ ରହନ୍ତି ତାଙ୍କ ଭାଇ ଶିବରାଜ, ଉମେଶ, ସାହାନ୍ଦାଇ ଏବଂ ରତ୍ନି, ଓ ତାଙ୍କ ତିନି ଝିଅ - ୧୫ ବର୍ଷର ଜିତେଶ୍ୱରୀ, ୧୩ ବର୍ଷର ଜ୍ୟୋତି ଓ ୧୧ ବର୍ଷର ପ୍ରତିମା। ପାଣି ପମ୍ପ ପାଖକୁ ଲାଗି ତାଙ୍କ ଘର - ଏହି ଗୋଟିଏ ପମ୍ପ ଉପରେ ପୂରା ଗାଁ ପାଣି ପାଇଁ ନିର୍ଭର କରେ। ଟେରାକୋଟା ଟାଇଲ ଛପର ତାଙ୍କ ଇଟା ଘରେ ଗାଢ଼ ସବୁଜ ରଂଗ ଦିଆଯାଇଛି। କବାଟ ତଳ ଚଟାଣରେ ରଂଗୀନ କାଚ ଚୁଡ଼ି ପୋତାଯାଇ ବୃତ୍ତାକାର ଭଳି ହୋଇଛି।






