ଗଙ୍ଗେ କହନ୍ତି, ‘‘ଯେତେବେଳେ କାମ ନଥାଏ [ବିଲରେ], କର୍ମଟା ଫଳ ଏବଂ ଅନ୍ୟାନ୍ୟ ଜିନିଷ ସଂଗ୍ରହ କରିବାକୁ ମୁଁ ଜଙ୍ଗଲକୁ ଯାଏ।’’ ଧାର୍ମିକ ବୃକ୍ଷ ଲାଉଡ ଏବଂ ବାଲେଙ୍ଗା ପଡ଼ା ଗାଁ ଚାରିପଟେ ଥିବା ବୁଦାଳିଆ ଜଙ୍ଗଲକୁ ଦେଖାଇଲେ। ସମତଳ ଭୂମିରେ ସ୍ଥାନେ ସ୍ଥାନେ ଘର ଆକାରର କଳା ଧୂସର ରଂଗର ବଡ଼ବଡ଼ ପଥର ଏବଂ ଆଉ କେତେକ କାର୍ ଆକୃତିର ପଥର ପଡ଼ିଛି। ପ୍ରକୃତିର  ସୌନ୍ଦର୍ଯ୍ୟ ଭିତରେ ଉଚ୍ଚା ଗଛ ଏବଂ ମୋଟା ଡାଳକୁ ଲଟା ଗୁଡ଼େଇ ରଖିଛି।

ବସ୍ତର ଅଞ୍ଚଳର ଅମରାବତୀ ଜଙ୍ଗଲର ଗୋଟିଏ ପାର୍ଶ୍ୱରେ ବାଲେଙ୍ଗାପଡ଼ା ଗାଁ। ଏଠି ପହଞ୍ଚିବାକୁ ହେଲେ ଦକ୍ଷିଣ ଛତିଶଗଡ଼ର ରାଜନନ୍ଦଗାଓଁ ସହରରୁ ୮ ଘଣ୍ଟାର ଦୁସ୍ଥ ବସ୍ ଯାତ୍ରା ପରେ ଦୁଇ କିଲୋମିଟର ପାଦରେ ଚାଲିଚାଲି ଯିବାକୁ ହୁଏ। ମୁଖ୍ୟ ରାସ୍ତା ପିଚୁ ଏବଂ ବାକି ସବୁ ରାସ୍ତା ଧୂଳି ଆଉ ଗୋବରରେ ଭର୍ତ୍ତି। ୩୩୬ ଲୋକ ସଂଖ୍ୟା (୨୦୧୧ ଜନଗଣନା) ବିଶିଷ୍ଟ ବାଲେଙ୍ଗା ପଡ଼ାର ଘର ସଂଖ୍ୟା ୬୦। ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ୱରେ ଥିବା ସବୁ ଘରଗୁଡ଼ିକ ଏକ ମହଲା। କିଛି ଘର ପୁରୁଣା ଧୂସରିଆ, ମାଟି ଓ ଇଟାରେ ତିଆରି। ଅଳ୍ପ କେତୋଟି ଘର ନୂଆ। କଂକ୍ରିଟ ଘର ଉପରେ ଟିଣ ବା ଆଜବେଷ୍ଟସ୍ ଛପର। କେତୋଟି ଘରେ ଉଜ୍ୱଳ ସବୁଜ ଓ ପିଙ୍କ ରଙ୍ଗର ଚୂନ ଢଉଳା ହୋଇଛି।

୩୩ ବର୍ଷୀୟା ଗଙ୍ଗେ ସୋଢୀ ଗଣ୍ଡ ଆଦିବାସୀ ସଂପ୍ରଦାୟର। ସେ ହଲ୍‌ବି, ଗଣ୍ଡି ଓ ଅଳ୍ପ ଅଳ୍ପ ହିନ୍ଦୀ କୁହନ୍ତି। ପ୍ରଥମେ ପ୍ରଥମେ ସେ ଲାଜ କରୁଥିଲେ। ପରେ ତାଙ୍କ କାହାଣୀ ଲେଖିବାକୁ ଅନୁମତି ଦେଲେ।

ପରିବାର ପାଇଁ ତାଙ୍କର ଦିନ କାଟନ୍ତି ଗଙ୍ଗେ। ତାଙ୍କ ବାପାଙ୍କ ଜମିରେ କାମ କରନ୍ତି ଆଉ ସାପ୍ତାହିକ ହାଟରେ ବିକ୍ରି କରିବାକୁ ମହୁଲ ଫୁଲରୁ ମଦ ରାନ୍ଧନ୍ତି।

ପ୍ରାୟ ଭୋର ୫ଟାରୁ ତାଙ୍କ ଦିନ ଆରମ୍ଭ ହୁଏ। ସେ କହନ୍ତି, ‘‘ଦିନର ଭାତ ପାଇଁ ମୁଁ ଧାନ କୁଟେ। ବାସନକୁସନ ସଫା କରେ, ପାଖରେ ଥିବା ପମ୍ପରୁ ପାଣି ଆଣେ, ଜାଳେଣି କାଠ ସଂଗ୍ରହ କରେ। ଜଳଖିଆ ତିଆରି କରିବା ପରେ ସକାଳ ୧୦ଟାରେ ବିଲକୁ ଯାଏ।’’ ସେ ଖାଇବା ପାଇଁ ଖରାବେଳେ ଘରକୁ ଫେରନ୍ତି, ଆଉ ତା’ ପରେ ପୁଣି କ୍ଷେତକୁ ଯାଆନ୍ତି। ଚାରିଟା ବେଳେ କାମ ସାରନ୍ତି। ‘‘ମୁଁ ଗାଧୋଇ ସାରି ପୁଣି କିଛି ପାଣି ଆଉ ଜାଳେଣି କାଠ ଆଣେ। ବେଳେବେଳେ ଘସି ନିଆଁରେ ବି ଭାତ ତର୍କାରି [ଉଭୟ ଆମିଷ ଓ ନିରାମିଷ] କରେ। ବିଶେଷ ଦିନଗୁଡ଼ିକରେ ଆମେ ପୁରି ଓ ଖୀରି ଖାଉ [ସୁଜିରେ ତିଆରି]।’’

ରାସ୍ତା ଆରପଟେ ଥିବା ଘରେ, ମାଆ କୁମେନ୍ତି ଓ ବାପା ମଙ୍ଗଳରାମଙ୍କ ସହ ରହନ୍ତି ଗଙ୍ଗେ। ତାଙ୍କ ସହ ରହନ୍ତି ତାଙ୍କ ଭାଇ ଶିବରାଜ, ଉମେଶ, ସାହାନ୍ଦାଇ ଏବଂ ରତ୍ନି, ଓ ତାଙ୍କ ତିନି ଝିଅ - ୧୫ ବର୍ଷର ଜିତେଶ୍ୱରୀ, ୧୩ ବର୍ଷର ଜ୍ୟୋତି ଓ ୧୧ ବର୍ଷର ପ୍ରତିମା। ପାଣି ପମ୍ପ ପାଖକୁ ଲାଗି ତାଙ୍କ ଘର - ଏହି ଗୋଟିଏ ପମ୍ପ ଉପରେ ପୂରା ଗାଁ ପାଣି ପାଇଁ ନିର୍ଭର କରେ। ଟେରାକୋଟା ଟାଇଲ ଛପର ତାଙ୍କ ଇଟା ଘରେ ଗାଢ଼ ସବୁଜ ରଂଗ ଦିଆଯାଇଛି। କବାଟ ତଳ ଚଟାଣରେ ରଂଗୀନ କାଚ ଚୁଡ଼ି ପୋତାଯାଇ ବୃତ୍ତାକାର ଭଳି ହୋଇଛି।

PHOTO • Manasa Kashi and Namitha Muktineni
Gangay Sodhi (left) and her 13-year-old daughter Jyoti (right) at the entrance to their house
PHOTO • Manasa Kashi and Namitha Muktineni

ଘରର ପ୍ରବେଶ ପଥରେ ଗଙ୍ଗେ ସୋଢୀ (ବାମ) ଓ ତାଙ୍କ ୧୩ ବର୍ଷର ଝିଅ ଜ୍ୟୋତି (ଡାହାଣ)

ସେ କହନ୍ତି, ‘‘ଜମିରେ [ତାଙ୍କ ବାପାଙ୍କ ଚାରି ଏକର] ମୁଁ ହଳକରେ ଆଉ ଫସଲ କାଟେ।’’ ପାଞ୍ଚ ବର୍ଷର ହେବା ଦିନରୁ ଗଙ୍ଗେ ଜମିରେ କାମ କରୁଛନ୍ତି। ଜମିରେ ସେମାନେ ଧାନ, ମସୁର ଡାଲି, ଚଣା, ଓ ତୈଳବୀଜ ଚାଷ କରନ୍ତି। ଆଉ ବାଡ଼ି ପଛରେ ବଡ଼ ଜାଗାରେ ରାଗି (ବାଜରା) ଓ ହରଡ଼ ସହ ପନିପରିବା ଚାଷ କରନ୍ତି। ଜୁନ୍‌ରୁ ନଭେମ୍ବର ମଧ୍ୟରେ ବର୍ଷା ପାଣିରେ ଚାଷ ହୁଏ।

‘‘ଖରା ମାସରେ ମୁଁ ମହୁଲ ଫୁଲ ସଂଗ୍ରହ କରେ ଆଉ ବଡ଼ ବଡ଼ ପଥର ଚଟାଣ ଉପରେ ତା’କୁ ଶୁଖାଏ। ପାଣିରେ ଭିଜାଇ ମନ୍ଦ [ମଦ] ପ୍ରସ୍ତୁତ କରିବା ପୂର୍ବରୁ ତା’କୁ କିଛି ଦିନ ପାଇଁ ସାଇତି ରଖେ।’’ ଅଧିକାଂଶ ଗଣ୍ଡ ଆଦିବାସୀ ମହୁଲି ମଦ ତିଆରି କରି ବିକ୍ରି କରନ୍ତି। ଗଙ୍ଗେ କହନ୍ତି, ‘‘ଗୋଟିଏ ବୋତଲକୁ ୫୦ ଟଙ୍କାରେ ବିକ୍ରି ହୁଏ। ୬୫୦ ମିଲିଲିଟର ବିଅର ବୋତଲକୁ ସେମାନେ ପୁନଃ ବ୍ୟବହାର କରନ୍ତି। ଗୋଟିଏ ପିଣ୍ଟ ବୋତଲ (୪୫୦-୫୦୦ ମିଲି)କୁ ଅଡି କହନ୍ତି। ଏହା ୨୫ ଟଙ୍କାରେ ବିକ୍ରି ହୁଏ।

ସାପ୍ତାହିକ ଶୁକ୍ରବାର ହାଟରେ ପ୍ରାୟ ୧୦୦ଟି ଦୋକାନ ଖୋଲେ। ଜିନିଷ ବିକ୍ରି କରିବାକୁ ଲୋକେ ୨୦ କିଲୋମିଟର ଦୂରରୁ ଚାଲିଚାଲି କିମ୍ବା ମୋଟରସାଇକେଲରେ ବା ସାଇକେଲରେ ଆସନ୍ତି। ସେମାନେ ଜଂଗଲଜାତ ଦ୍ରବ୍ୟ, ପରିବା, ମିଠା, ଭଜା ଖାଦ୍ୟ, ଲୁଗାପଟା, ପ୍ରସାଧନ ସାମଗ୍ରୀ ଏବଂ ପ୍ଲାଷ୍ଟିକ୍ ଜିନିଷ ବିକାକିଣା କରନ୍ତି।

ଅନ୍ୟ ସମୟରେ ଶାନ୍ତି ରହୁଥିବା ଏହି ଅଞ୍ଚଳ ହାଟ ଦିନ ରଙ୍ଗୀନ ହୋଇଉଠେ। ପ୍ରଦର୍ଶନ ଏବଂ ବିକ୍ରି ପାଇଁ ଏଠାରେ ଅଛି - ତେନ୍ତୁଳି, ଆମ୍ବ, ଆମଚୁର (ଆମ୍ବୁଲ), କୋଲିୟାରି ଭଜି (ପରିବା ଭାବେ ଖିଆଯାଉଥିବା ଏକ ଗଛର ପତ୍ର), ବୋହଡ ପତ୍ର ଓ ଫଳ, କର୍ମଟା ଫଳ (ସବୁ ନିରାମିଷ ରୋଷେଇରେ ବ୍ୟବହାର ହୁଏ), ବାହାଡା, ହରିଡା (ଔଷଧୀୟ ଫଳ), ମହୁ, ଟିକୁର (ଏକ ସୁଗନ୍ଧିତ ଔଷଧୀୟ ଚେର), କୋସମ ଫଳ, ଟୋର (ମହୁଲ ମଞ୍ଜି) ଏବଂ ଶୁଖିଲା ମହୁଲ, ସଲଫି (ସଲଫି ଗଛର ରସ), ଅଁଳା, ଚାର ମଞ୍ଜି (ଶ୍ରୀଖଣ୍ଡ ଭଳି ବ୍ୟଞ୍ଜନ ପ୍ରସ୍ତୁତ ହୁଏ), ଭେଲୱା ମଞ୍ଜି (ଔଷଧୀୟ ମୂଲ୍ୟଯୁକ୍ତ), ଏକ ପ୍ରକାର ଛତୁ, ବହୁ ପରିମାଣର ମାଟିଆଳୁ, ସେଣ୍ଡି (ଖଜୁରୀ), ଅଞ୍ଜିର, ଜାମୁ ଓ ତେନ୍ଦୁ ଫଳ।

ଖାଦ୍ୟ ଭାବେ ବ୍ୟବହୃତ ହେଉ ନଥିବା କିଛି ଜଂଗଲଜାତ ଦ୍ରବ୍ୟ ମଧ୍ୟ ବିକ୍ରି ହୁଏ: ଶାଳ ମଞ୍ଜି, କରଞ୍ଜ ମଞ୍ଜି, ଗିର୍ଚି ମଞ୍ଜି ଏବଂ ବଦାନଗୁଲ ମଞ୍ଜି। ଏସବୁ ତୈଳ ମଞ୍ଜି ସାବୁନ ତିଆରିରେ ବ୍ୟବହାର ହୁଏ ବା ଔଷଧ ପ୍ରସ୍ତୁତ ହୁଏ। ଖଜୁରୀ ପତ୍ର, ବା ଘାସ ବା ବାଉଁଶ ତିଆରି ଝାଡ଼ୁ ମଧ୍ୟ ଏଠି ବିକ୍ରି ହୁଏ।

The haat is a burst of colour in the otherwise tranquil area. The market starts at noon and lasts for several bustling hours
PHOTO • Manasa Kashi and Namitha Muktineni
The haat is a burst of colour in the otherwise tranquil area. The market starts at noon and lasts for several bustling hours
PHOTO • Manasa Kashi and Namitha Muktineni

ଅନ୍ୟ ସମୟରେ ନିରବ ରହୁଥିବା ଏହି ଅଞ୍ଚଳ ହାଟ ଦିନ ରଂଗୀନ ହୋଇଉଠେ। ବଜାର ମଧ୍ୟାହ୍ନରେ ଆରମ୍ଭ ହୁଏ ଏବଂ କିଛି ଘଣ୍ଟା ପାଇଁ ବେଶ ଜମେ

ମଧ୍ୟାହ୍ନରେ ବଜାର ଆରମ୍ଭ ହୁଏ ଏବଂ ବେଶ କିଛି ଘଣ୍ଟା ଧରି ବେଶ ଜମେ। ସଂଧ୍ୟା ସାତଟାରେ ଅନ୍ଧାର ହେଲେ ହାଟ ଭାଙ୍ଗିବା ଆରମ୍ଭ ହୁଏ। ବ୍ୟବସାୟୀମାନେ ଆଉ ଏକ ହାଟ ପାଇଁ ତାଙ୍କ ଜିନିଷପତ୍ର ଉଠାନ୍ତି, ଆଉ ବଲେଙ୍ଗାପଡ଼ା ଲୋକେ ଗଙ୍ଗେଙ୍କ ଭଳି ତାଙ୍କ ଜିନିଷପତ୍ର ଧରି ଘରକୁ ଫେରନ୍ତି। କିଛି ଫଳ, ପରିବା ଏବଂ ବୋତଲେ ଦି ବୋତଲ ମଦ ବଳିଥାଏ।

ଯେତେବେଳେ ସେ କମ୍ ବୟସର ହୋଇଥିଲେ, ଗଙ୍ଗେ ସ୍କୁଲ ଯିବାକୁ ଚାହୁଁଥିଲେ, କିନ୍ତୁ ସେ ଯାଇ ପାରିଲେନି। ସେ କହନ୍ତି, ‘‘ଏବେ ମୋ ଝିଅମାନେ ପାଠ ପଢୁଥିବାରୁ ମୁଁ ଗର୍ବ ଅନୁଭବ କରୁଛି।’’ ସେ ଚାହାଁନ୍ତି ତାଙ୍କ ଝିଅମାନେ ବାହା ହୋଇ ତାଙ୍କ ନିଜ ଘରେ ରୁହନ୍ତୁ।

ଗଙ୍ଗେ ୨୦୦୨ରେ ଚେଦିଲାଲ ସୋଢୀଙ୍କୁ ବିବାହ କରିଥିଲେ, ଯେତେବେଳେ ତାଙ୍କୁ ୧୭ ବର୍ଷ ହୋଇଥିଲା। ତାଙ୍କ ସଂପ୍ରଦାୟରେ ଉଭୟ ପୁରୁଷ ଓ ମହିଳା ବିବାହରେ ସହମତ ହେବା ଆବଶ୍ୟକ। ବିବାହ ଉତ୍ସବ କନ୍ୟା ଘର ଗାଁରେ ହୁଏ। ପରେ ବରଘର ଗାଁରେ ଉତ୍ସବ ପାଳନ ହୁଏ।

ସେ କହନ୍ତି, ‘‘ମୋ ବାପା ତାଙ୍କୁ ଧରି ଆଣିଥିଲେ।’’ ‘‘କିନ୍ତୁ କିଛି ବର୍ଷ ତଳେ ତାଙ୍କୁ ଛାଡି ପିଲାମାନଙ୍କ ସହ ମୁଁ ବାପ ଘରକୁ ଚାଲି ଆସିଲି। କାରଣ ସେ ମଦ ପିଇ ମୋତେ ମାଡ଼ ମାରିବା ଆରମ୍ଭ କଲେ। ମୋ ବାପା ମାଆ, ତାଙ୍କ ବାପା ମାଆ, ଏବଂ ଗାଁ ଲୋକେ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ କିଛି କାମ ଦେଲାନି। କିଛି ଦିନ ପରେ ସେ ମରିଗଲେ, ତେଣୁ ତା’ ପରେ ମୁଁ ଆଉ ଫେରିଲିନି।’’

ସେ କେବେ ବିବାହ ଚାହିଁଛନ୍ତି ? ‘‘ନା। ମୋ ପିଲାଙ୍କୁ ଛାଡି ବାହା ହେବାକୁ ଚାହିଁନି। ମୁଁ ଭଲରେ ଅଛି। ମୁଁ କେବଳ ଏଇଠି ମୋ ଘରେ ରହିବାକୁ ଚାହୁଁଛି।’’

ଆମ ସହ ସମୟ ଦେଇଥିବାରୁ ପ୍ରୟାଗ ଯୋଶୀଙ୍କୁ ଏବଂ ସିଏଫଏଲ୍‌ରେ ଆମ ଶିକ୍ଷକମାନେ କାହାଣୀ ପ୍ରସ୍ତୁତ କରିବାରେ ତତ୍ତ୍ୱାବଧାନ ଏବଂ ସହଯୋଗ କରିଥିବାରୁ ରିପୋର୍ଟରମାନେ ତାଙ୍କୁ ଧନ୍ୟବାଦ ଦେବାକୁ ଚାହାନ୍ତି।

ରୀ ଦ୍ୱାରା ପ୍ରେରଣା ପାଇ, ସେଣ୍ଟର ଫର ଲର୍ଣ୍ଣିଂ, ବାଙ୍ଗାଲୋରର ଦୁଇ ଜଣ ହାଇସ୍କୁଲ ଛାତ୍ର ମଧ୍ୟପ୍ରଦେଶକୁ ସ୍କୁଲ ଏକ୍ସକର୍ସନରେ ଯାଇଥିବା ବେଳେ ଜଣେ ଚାଷୀଙ୍କ ସହ ସାକ୍ଷାତ କରି ଲେଖା ପ୍ରସ୍ତୁତ କରିଥିଲେ। ଗ୍ରାମୀଣ ଭାରତର ବିଭିନ୍ନ ଦିଗ ଉପରେ ଏବଂ ଅନୁସନ୍ଧାନକୁ କିଭଳି ଲିପିବଦ୍ଧ କରାଯିବ ସେ ନେଇ ପରୀ ତାଙ୍କୁ ଅବଗତ କରିଥିଲା।

ଅନୁବାଦ: ଓଡ଼ିଶାଲାଇଭ୍‍

Manasa Kashi and Namitha Muktineni

ਮਾਨਸਾ ਕਾਸ਼ੀ 11ਵੀਂ ਤੇ ਨਮਿਤਾ ਮੁਕਤੀਨੇਨੀ 12 ਜਮਾਤ ਦੀ ਵਿਦਿਆਰਥਣ ਹੈ। ਦੋਵੇਂ ਦੀ ਉਮਰ 16 ਸਾਲ ਹੈ ਤੇ ਉਹ ਬੰਗਲੁਰੂ ਦੇ ਸੈਂਟਰ ਫਾਰ ਲਰਨਿੰਗ ਦੀਆਂ ਵਿਦਿਆਰਥਣਾਂ ਹਨ।

Other stories by Manasa Kashi and Namitha Muktineni
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE