ରାସ୍ତାରେ ଚାରିଦିନ ଧରି ରହଣି ତଥା ୭୫୦ କି.ମି ପଥ ଅତିକ୍ରାନ୍ତ କରିବା ପରେ ଟେମ୍ପୋ ଏବଂ ଜୀପର କାଫିଲାଗୁଡିକ ରାଜସ୍ଥାନର କୋଟାର ଏକ ଗୁରୁଦ୍ୱାରରେ ମଧ୍ୟାହ୍ନ ଭୋଜନ ପାଇଁ ଅଟକିଲା। ୨୪ ଡ଼ିସେମ୍ବରର ଶୀତୁଆ ମଧ୍ୟାହ୍ନରେ ମହାରାଷ୍ଟ୍ରରୁ - କୃଷକ ଏବଂ କୃଷି ଶ୍ରମିକମାନେ ରାତିସାରା ଯାତ୍ରା କରି ଥକି ଯାଇଛନ୍ତି କିନ୍ତୁ ଗୁରୁଦ୍ୱାରର ସାର୍ବଜନୀନ ରୋଷଶାଳାରେ ନିଜର ଭୋଜନ ପାଇଁ ଅପେକ୍ଷା କରିଥିବା ବେଳେ ସବିତା ଗୁଞ୍ଜଲଙ୍କ ଗୀତ ସେମାନଙ୍କ ଉତ୍ସହାକୁ ଶିଖରରେ ରଖିଛି - କାମଗର ଚ୍ୟା କସ୍ତାନା ନତାବଲା ଜଗାଲା, ଜୀବନ ନାହିଁ ଜୋତାଲା, କପଡ଼ା ନାହିଁ ନେସୟାଲା ( 'ଶ୍ରମିକମାନଙ୍କର ଶ୍ରମ ଜଗତକୁ ସୁନ୍ଦର କରିଥାଏ, କିନ୍ତୁ ସେମାନଙ୍କର ଖାଇବାକୁ ରୁଟି ନାହିଁ କିମ୍ବା ପିନ୍ଧିବାକୁ ପୋଷାକ ନାହିଁ )
ଗାଢ ନାଲି ରଙ୍ଗର ସାର୍ଟ ଏବଂ ନୀଳ ଜିନ୍ସ ପିନ୍ଧିଥିବା ୧୬ ବର୍ଷୀୟ ଭିଲ୍ ଆଦିବାସୀ ଗାୟିକା କୁହନ୍ତି, “ମୁଁ ଗୀତ ଗାଇବାକୁ ଏଠାକୁ ଆସିଛି ।" ନାସିକ ଜିଲ୍ଲାର ଚାନ୍ଦୱାଦ ତାଲୁକାର ଚାନ୍ଦୱାଦ ଗ୍ରାମରୁ ଆସିଥିବା ସବିତା କୁହନ୍ତି,“ମୁଁ କୃଷକମାନଙ୍କୁ ସେମାନଙ୍କର ଅଧିକାର ବିଷୟରେ ଅବଗତ କରାଇବାକୁ ଚାହୁଁଛି। ଆମର ଅବସ୍ଥା ବିଷୟରେ ସାରା ବିଶ୍ୱବାସୀଙ୍କୁ ମୁଁ କହିବାକୁ ଚାହୁଁଛି।" ସେ ଦିଲ୍ଲୀର ସୀମାବର୍ତ୍ତୀ ଅଞ୍ଚଳରେ ହେଉଥିବା ବିକ୍ଷୋଭରେ ଯୋଗ ଦେବାକୁ କୃଷକମାନଙ୍କର ଜାଠଯାନରେ ଡିସେମ୍ବର ୨୧ ରେ ନାସିକରୁ ବାହାରିଥିଲେ। ଲକ୍ଷ ଲକ୍ଷ କୃଷକ ତିନୋଟି କୃଷି ଆଇନକୁ ବିରୋଧ କରି ଆସୁଛନ୍ତି। ପ୍ରଥମେ ଜୁନ ୫, ୨୦୨୦ ରେ ନିୟମ ପ୍ରଣୟନ କରାଯାଇଥିଲା ଏବଂ ପରେ ସେପ୍ଟେମ୍ବର ୧୪ ରେ ସଂସଦରେ କୃଷି ବିଧେୟକ (ଫାର୍ମ ବିଲ) ଭାବେ ପ୍ରବର୍ତ୍ତିତ ହୋଇଥିଲା ଏବଂ ସେହି ମାସର ୨୦ ତାରିଖ ସୁଦ୍ଧା କାର୍ଯ୍ୟ ହେବା ପାଇଁ ଚେଷ୍ଟା କରାଯାଇଥିଲା।
ନିଜ ଗ୍ରାମକୁ ଫେରି, ସବିତା ସପ୍ତାହାନ୍ତ ଏବଂ ଛୁଟିଦିନଗୁଡିକରେ କୃଷି ଶ୍ରମିକ ଭାବରେ କାର୍ଯ୍ୟକରି ଦିନକୁ ୧୫୦-୨୦୦ ଟଙ୍କା ରୋଜଗାର କରନ୍ତି । ସେ କୁହନ୍ତି - "ଯଦି କୌଣସି କାର୍ଯ୍ୟ ଅଛି ମତେ ଖେତକୁ ଯିବାକୁ ପଡିବ।" କୋଭିଡ -୧୯ର ତାଲାବନ୍ଦ ସମୟରେ, ଚାନ୍ଦୱାଦରେ କୃଷିକ୍ଷେତ୍ରରେ କାର୍ଯ୍ୟ କରିବାରେ ସେ ଅନେକ ସମୟ ଅତିବାହିତ କରିଛନ୍ତି। ସେ କୁହନ୍ତି - ତାଲାବନ୍ଦ ସମୟରେ କାମ କାମ ଥିଲା । ମୋତେ ଯାହାକିଛି ମିଳିବ ମୁଁ ତାକୁ ଗ୍ରହଣ କରିବି ଏବଂ ଯେତିକି ସମ୍ଭବ ମୁଁ ରୋଜଗାର କରିବି। "ସେ ଚଳିତ ବର୍ଷ (୨୦୨୦) ହାଇସ୍କୁଲ ସମାପ୍ତ କରିଛନ୍ତି, କିନ୍ତୁ ମହାମାରୀ ଯୋଗୁଁ କଲେଜ ଆରମ୍ଭ କରିପାରିନାହାନ୍ତି।



