“ଆମେ ଯଦି କାମ ବନ୍ଦ କରିଦେଉ, ତା’ହେଲେ ସାରା ଦେଶ ଅସୁଖୀ ହୋଇପଡ଼ିବ।”
ବାବୁ ଲାଲଙ୍କ ଏହି କଥା ପଦକର ଅର୍ଥ ସେତେବେଳେ ଆହୁରି ଭଲ ଭାବେ ବୁଝି ହୁଏ, ଯେତେବେଳେ ସେ ପୁଣି କହନ୍ତି, “କ୍ରିକେଟ୍ ଖେଲନେ କୋ ନହିଁ ମିଲେଗା କିସିକୋ ଭି (କେହି ଆଉ କ୍ରିକେଟ୍ ଖେଳିପାରିବେନି)।”
ଉତ୍ତର ପ୍ରଦେଶର ମିରଟ ଅନ୍ତର୍ଗତ ଶୋଭାପୁର ବସ୍ତିରେ ଅବସ୍ଥିତ ବିଭିନ୍ନ ଟ୍ୟାନେରୀରେ ପ୍ରସ୍ତୁତ ଚମଡ଼ାରୁ ତିଆରି ହୁଏ କ୍ରିକେଟର ସେହି ଲାଲ ଓ ଧଳା ରଙ୍ଗର ବଲ୍, ଯାହାକୁ ବ୍ୟାଟରମାନେ ଭୟ କରନ୍ତି ଏବଂ ବୋଲରମାନେ ଭଲ ପାଆନ୍ତି ,ଏବଂ ଯାହାକୁ ମନଭରି ଉପଭୋଗ କରନ୍ତି ଲକ୍ଷ ଲକ୍ଷ ଦର୍ଶକ। ମିରଟ୍ ନଗରୀର ଏକମାତ୍ର ଏହି ଅଞ୍ଚଳରେ ଚମଡ଼ା କାରିଗରମାନେ ଜୀବଜନ୍ତୁଙ୍କ କଞ୍ଚା ଛାଲକୁ ଆଲମ୍-ଟ୍ୟାନିଂ (ଆଲୁମିନିୟମ ଏବଂ ପଟାସିୟମ୍ ଫସଫେଟ୍ ମିଶ୍ରଣରୁ ପ୍ରସ୍ତୁତ ଲବଣରେ ଭିଜାଇ) ପଦ୍ଧତିରେ ପ୍ରକ୍ରିୟାକରଣ କରନ୍ତି ଏବଂ ଏଥିରୁ ହିଁ କ୍ରିକେଟ୍ ବଲ୍ ଶିଳ୍ପ ପାଇଁ ଆବଶ୍ୟକ କଞ୍ଚାମାଲ ମିଳିଥାଏ। କଞ୍ଚା ଛାଲକୁ ବ୍ୟବହାର ଉପଯୋଗୀ ଚମଡ଼ାରେ ରୂପାନ୍ତରିତ କରିବା ପ୍ରକ୍ରିୟାକୁ ‘ଟ୍ୟାନିଂ’ କୁହାଯାଏ।
ବାବୁ ଲାଲ କହନ୍ତି, “କେବଳ ଆଲମ୍ ଟ୍ୟାନିଂ ପଦ୍ଧତିରେ ହିଁ ଛାଲରେ ଥିବା ଦାନାଗୁଡ଼ିକ ମେଲା ହୋଇଥାଏ ଏବଂ ଏହା ଭିତର ଦେଇ ସହଜରେ ରଙ୍ଗ ପ୍ରବେଶ କରିପାରେ।” କେନ୍ଦ୍ରୀୟ ଚମଡ଼ା ଗବେଷଣା ସଂସ୍ଥା ପକ୍ଷରୁ ଷାଠିଏ ଦଶକରେ କରାଯାଇଥିବା ଗବେଷଣା ହିଁ ତାଙ୍କର ଏହି ବିବୃତିର ସତ୍ୟତା ପ୍ରମାଣିତ କରେ। ଗବେଷଣାରୁ ଜଣାପଡ଼ିଥିଲା ଯେ, ବୋଲରଙ୍କ ହାତରୁ ନିର୍ଗତ ଝାଳ କିମ୍ବା ବଲ୍କୁ ଚମକାଇବା ପାଇଁ ବୋଲରମାନେ ସେଥିରେ ଝାଳ କିମ୍ବା ପାଟିର ଲାଳ ଲଗାଇଲେ ବି ବଲ୍ ଖରାପ ହୋଇଯାଏ ନାହିଁ- ଏବଂ ଏହା ଫଳରେ ବୋଲରଙ୍କ ହାତରୁ ମ୍ୟାଚ୍ ବିଜୟର ସୁଯୋଗ ଖସି ଯାଏ ନାହିଁ।
ଶୋଭାପୁରରେ ତାଙ୍କ ମାଲିକାନାରେ ଥିବା ଟ୍ୟାନେରୀର ଗୋଟିଏ କୋଣରେ ପ୍ଲାଷ୍ଟିକ୍ ଚଉକିରେ ବସିଥିଲେ ବାଆଷଠି ବର୍ଷୀୟ ଏହି ବ୍ୟକ୍ତି ଜଣକ; ତାଙ୍କ ଆଗରେ ଚମକୁ ଥିଲା ଘରର ଚୂନଦିଆ ଚଟାଣ। ସେ କହନ୍ତି, “୨୦୦ ବର୍ଷ ହେଲା ଚମଡ଼ା ତିଆରି କରିଆସୁଛନ୍ତି ଆମ ପୂର୍ବପୁରୁଷ।”




















