ଭଗବାନପୁରର ପୁରୁଷମାନେ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶର ବିଦ୍ୟୁତ ପ୍ରକଳ୍ପରେ କାମ କରିବା ଲାଗି ବହୁବର୍ଷ ଧରି ପଳାୟନ କରିବାରେ ଲାଗିଛନ୍ତି। ୫୩ ବର୍ଷୀୟ ଅଖିମୁଦ୍ଦିନ ପାଖାପାଖି ୨୫ ବର୍ଷ ପୂର୍ବେ ଲାଇନମ୍ୟାନ ଭାବେ କାମ କରିବା ଆରମ୍ଭ କରିଥିଲେ। “ମୁଁ ହିମାଚଳ ପ୍ରଦେଶରେ ଥିଲି। ମୁଁ ଯେତେବେଳେ ପ୍ରଥମେ କାମ କରିବା ଆରମ୍ଭ କଲି ମୋତେ ଦିନକୁ ୨.୫୦ ଟଙ୍କା ମିଳୁଥିଲା”, ସେ କୁହନ୍ତି। “ଯେତିକି ହୋଇପାରିବ ଆମେ ସେତିକି ରୋଜଗାର କରିବା ଲାଗି ଚେଷ୍ଟା କରିଥାଉ। କିଛି ଟଙ୍କା ନିଜ ପାଖରେ ରଖିଥାଉ ଏବଂ ବାକି ଘରକୁ ପଠାଇ ଦେଇଥାଉ। ଯାହାଫଳରେ ପରିବାର ବଞ୍ଚି ରହିପାରିବେ”, ଶ୍ରମିକମାନଙ୍କୁ ନେଇ ତାଙ୍କ ପିଢ଼ି ଏକ ନେଟୱର୍କ ଗଢ଼ିଥିଲା ଯାହା ଅନସ ଓ ଅକ୍ରମଙ୍କୁ ସେମାନଙ୍କ ପଦଚିହ୍ନ ଅନୁସରଣ କରିବା ସହଜ କରିଥିଲା।
କିନ୍ତୁ ସେମାନଙ୍କ ଚାକିରି ବିପଦପୂର୍ଣ୍ଣ ଥିଲା। ଅକ୍ରମ ନିଜର ଅନେକ ବନ୍ଧୁମାନଙ୍କୁ ବିଦ୍ୟୁତ ଆଘାତ ପାଇ ମୃତ୍ୟୁବରଣ କରିବା ଏବଂ ଆହତ ହେବା ଦେଖିଥିଲେ। “ଏହା ଭୟାବହ ହୋଇଥାଏ। ଆମକୁ ସାଧାରଣ ସୁରକ୍ଷା ମିଳିଥାଏ। ଯେକୌଣସି ସମୟରେ କିଛି ବି ଘଟିପାରେ।” ଉଦାହରଣ ଭାବେ, ପ୍ରାକୃତିକ ବିପର୍ଯ୍ୟୟ ଯାହା ତାଙ୍କ ଭାଇଙ୍କୁ ଭସାଇ ନେଇଥିଲା (ଅନସ ଏବେ ସୁଦ୍ଧା ନିଖୋଜ ଅଛନ୍ତି; ତାଙ୍କର ମୃତଦେହ ମିଳିନାହିଁ)। “କିନ୍ତୁ ଆମ ପାଖରେ କୌଣସି ବିକଳ୍ପ ନାହିଁ। ଜୀବିତ ରହିବା ଲାଗି ଆମକୁ ରୋଜଗାର କରିବାକୁ ପଡ଼ିଥାଏ।” ମାଲଦାଠାରେ କୌଣସି କାମ ନାହିଁ। ଆମକୁ ଏଠାରୁ ପଳାୟନ କରିବାକୁ ପଡ଼ିବ।”
ମାଲଦା ଦେଶର ସବୁଠୁ ଗରିବ ଜିଲ୍ଲା ମଧ୍ୟରୁ ଅନ୍ୟତମ। ଏହାର ଗ୍ରାମୀଣ ଜନସଂଖ୍ୟାର ଏକ ବଡ଼ ବର୍ଗ ଭୂମିହୀନ ଏବଂ ମଜୁରି ଉପରେ ନିର୍ଭରଶୀଳ। “ଜିଲ୍ଲାରେ ରୋଜଗାରର ମୁଖ୍ୟ ଉତ୍ସ ହେଉଛି କୃଷି”, ମାଲଦାର ବରିଷ୍ଠ ସାମ୍ବାଦିକ, ଶୁଭ୍ରୋ ମୈତ୍ର କହିଥାନ୍ତି। “କିନ୍ତୁ ଲୋକମାନଙ୍କ ପାଖରେ ଛୋଟ ଏବଂ ଖୁବ କମ୍ ଜମି ରହିଛି। ସେଥିମଧ୍ୟରୁ ଅଧିକାଂଶ ଜମି ବନ୍ୟା ଜଳରେ ବୁଡ଼ିଯାଇଥାଏ। ଏହା କୃଷକମାନଙ୍କ ସମେତ କୃଷି ଶ୍ରମିକମାନଙ୍କ ଲାଗି ମଧ୍ୟ ଅସହନୀୟ।” ସେ ଆହୁରି କହିଥାନ୍ତି ଯେ ଜିଲ୍ଲାରେ କୌଣସି ଶିଳ୍ପ ନାହିଁ, ସେଥିପାଇଁ ଏଠାକାର ଲୋକମାନେ କାମ କରିବା ଲାଗି ରାଜ୍ୟ ବାହାରକୁ ଚାଲିଯାଇଥାନ୍ତି।
ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ୨୦୦୭ରେ ପ୍ରକାଶିତ, ଜିଲ୍ଲା ମାନବ ବିକାଶ ରିପୋର୍ଟ : ମାଲଦା, ଶ୍ରମିକମାନଙ୍କ ପ୍ରବାସ ଉପରେ ଆଲୋକପାତ କରିଥାଏ। ରିପୋର୍ଟରେ କୁହାଯାଇଛି ଯେ ଜଳ ସମ୍ପଦର ଅସନ୍ତୁଳିତ ବିତରଣ ଏବଂ ପ୍ରତିକୂଳ କୃଷି-ଜଳବାୟୁ ପରିସ୍ଥିତି ଜିଲ୍ଲାର କୃଷି ଶ୍ରମିକମାନଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ। ଆହୁରି ଧିମା ସହରୀକରଣ, ଶିଳ୍ପ ଗତିବିଧି ଅଭାବ ଓ ଗ୍ରାମୀଣ କ୍ଷେତ୍ରରେ କାମର ଋତୁକାଳୀନ ଅଭାବ ମଜୁରି ସ୍ତରକୁ ହ୍ରାସ କରି ଦେଇଛି, ଏହି କାରଣରୁ ଗରିବ ଶ୍ରମିକମାନେ କାମ ସନ୍ଧାନରେ ଦୂରକୁ ଯିବାକୁ ବାଧ୍ୟ ହୋଇଥାନ୍ତି।
ଏପ୍ରିଲ ପ୍ରଥମ ସପ୍ତାହରେ, ଦେଶରେ କୋଭିଡ-19 ମାମଲା ବୃଦ୍ଧି ପାଇବା ସତ୍ତ୍ୱେ, ୩୭ ବର୍ଷୀୟ ନୀରଜ ମଣ୍ଡଳ ଦିଲ୍ଲୀରେ ଉନ୍ନତ ରୋଜଗାର ସମ୍ଭାବନା ପାଇଁ ମାଲଦାରୁ ବାହାରିଥିଲେ। ସେ ମାଲଦାର ମାନିକଚକ ବ୍ଲକର ଭୂତନୀ ଦିୟାରା (ନଈ କୂଳରେ ଥିବା ଏକ ଦ୍ୱୀପ)ରେ ନିଜ ପତ୍ନୀ ଓ ଦୁଇ କିଶୋର ଶିଶୁଙ୍କୁ ଘରେ ଛାଡ଼ି ଆସିଥିଲେ। “ଆପଣ ଗୋଟିଏ ମାସ୍କ ପିନ୍ଧିଥାନ୍ତି ଓ ଜୀବନ ସହିତ ଆଗକୁ ବଢ଼ିଥାନ୍ତି”, ସେ କହିଥାନ୍ତି। “ଲକଡାଉନ (୨୦୨୦) ପରେ କାମ ମିଳିବା ଅତି ନଗଣ୍ୟ ଥିଲା। ସରକାର ଯାହା ଦେଲେ, ଆମେ ସେଥିରେ କାମ ଚଳାଇଲୁ, କିନ୍ତୁ ନଗଦ ଟଙ୍କା ନଥିଲା। ସେମିତିରେ ତ’ ମାଲଦାରେ କାମ କମ୍ ମିଳିଥାଏ।”
ନୀରଜଙ୍କୁ ମାଲଦାରେ ଦୈନିକ ମଜୁରି ଭାବେ ୨୦୦ ଟଙ୍କା ମିଳୁଥିଲା, କିନ୍ତୁ ଦିଲ୍ଲୀରେ ସେ ୫୦୦-୫୫୦ ଟଙ୍କା ରୋଜଗାର କରିପାରିବେ, ସେ କହିଥାନ୍ତି। “ଆପଣ ଅଧିକ ସଞ୍ଚୟ କରିପାରିବେ ଏବଂ ଘରକୁ ଟଙ୍କା ପଠାଇପାରିବେ”, ସେ କହିଥାନ୍ତି। “ନିଶ୍ଚିତ ଭାବେ, ମୋର ମୋ ପରିବାର କଥା ମନେ ପଡ଼ିବ । କେହି କେବେ ଖୁସିରେ ଘର ଛାଡ଼େ ନାହିଁ।”