ବ୍ୟତିବ୍ୟସ୍ତ ହୋଇ ଦୁଇଟି ପତ୍ର ଗୋଟିଏ କଢ଼ ଖୋଜିବାରେ ଲାଗିଛନ୍ତି ରାଜିନ୍ଦର। ଗଡ଼ାଣିଆ ପାହାଡ଼ରେ ତଳକୁ ତଳ ହୋଇ ସମାନ ବ୍ୟବଧାନରେ ଲାଗିଥିବା ଚା’ ଗଛ ବୁଦାଗୁଡ଼ିକରେ ବୁଲିବାରେ ଲାଗିଛି ତାଙ୍କ ହାତର ଆଙ୍ଗୁଠି। ହାତରେ ଝୁଡ଼ିଟିଏ ଧରି ତାଙ୍କ ପାଖକୁ ଲାଗି ଠିଆ ହୋଇଛନ୍ତି ସ୍ତ୍ରୀ ସୁମ୍ନା ଦେବୀ। ହିମାଳୟ ପର୍ବତମାଳାର ଧୌଲାଧର ପାହାଡ଼ିଆ ଅଞ୍ଚଳରେ ଘଞ୍ଚ ଚା’ ବୁଦା ପାଖରେ ମୁଣ୍ଡ ଟେକି ଠିଆ ହୋଇଥିବା ସୁଉଚ୍ଚ ଓହି ଗଛଗୁଡ଼ିକ ପାଖରେ ମଣିଷମାନେ ଖର୍ବକାୟ ମନେ ହେଉଛନ୍ତି।
ଏବେ ଅମଳ ସମୟ। ହେଲେ ରାଜିନ୍ଦରଙ୍କ ଚା’ ପତ୍ର ଖୋଜା ଅଭିଯାନରୁ କୌଣସି ସୁଫଳ ମିଳିନାହିଁ। କାଙ୍ଗଡ଼ା ଜିଲ୍ଲାର ତାଣ୍ଡା ଗାଁରେ ଥିବା ଚା’ ବଗିଚାକୁ ସେ ସବୁଦିନ ଆସନ୍ତି। ତାଙ୍କ ସାଙ୍ଗରେ ଥାଆନ୍ତି ତାଙ୍କ ସ୍ତ୍ରୀ ସୁମ୍ନା କିମ୍ବା ସେମାନଙ୍କର ୨୦ ବର୍ଷୀୟ ପୁଅ ଆର୍ୟାନ। ଏପ୍ରିଲ ଓ ମେ ମାସ ହେଉଛି ଚା’ ପତ୍ର ତୋଳିବାର ଋତୁ- ଯାହାକୁ ପ୍ରଥମ ଅମଳ କୁହାଯାଏ। ହେଲେ ସେହି ସମୟରେ ବି ତାଙ୍କର ତୋଳିବା ପାଇଁ କିଛି ହେଲେ ନଥିଲା।
ହିମାଚଳ ପ୍ରଦେଶର ପାଲମପୁର ତହସିଲରେ ଅବସ୍ଥିତ ତାଙ୍କ ବଗିଚାରେ ମରି ମରିଯାଉଥିବା ଚା’ ଗଛ ପାଇଁ ଚିନ୍ତିତ ଅବସ୍ଥାରେ ଥାଇ ସେ କହନ୍ତି, “ଏବେ ବି ଆପଣ ଏଠାକାର ଗରମ ଅନୁଭବ କରିପାରିବେ। ଜାଣିନି, ଏ ବର୍ଷା କୋଉଠି ଅଛି !”
ଗତ ଦୁଇ ବର୍ଷର ବୃଷ୍ଟିପାତ ରେକର୍ଡକୁ ବିଚାରକୁ ନେଲେ ରାଜିନ୍ଦରଙ୍କ ଦୁଶ୍ଚିନ୍ତାକୁ ବେଶ୍ ବୁଝିହୁଏ। ୨୦୧୬ରେ ପ୍ରକାଶିତ ଜାତିସଂଘ ଖାଦ୍ୟ ଓ କୃଷି ସଂଗଠନର ଅନ୍ତଃସରକାରୀ ରିପୋର୍ଟ ରେ ଉଲ୍ଲେଖ କରାଯାଇଛି ଯେ, “ବିକ୍ଷିପ୍ତ ବର୍ଷା ହିଁ ଚା’ ବଗିଚା ନଷ୍ଟ ହେବାର କାରଣ।” ଚା’ ଗଛ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସଂପର୍କରେ ଏହି ରିପୋର୍ଟରେ ବିସ୍ତୃତ ଅଧ୍ୟୟନ କରାଯାଇଛି। ନିର୍ଦ୍ଦିଷ୍ଟ ଭାବରେ ଫେବ୍ରୁଆରୀରୁ ଏପ୍ରିଲ ମାସ ଭିତରେ ଚା’ ଗଛ ବର୍ଷା ଆବଶ୍ୟକ କରେ ଏବଂ ଏପ୍ରିଲ ମାସରେ ପ୍ରଥମ ଅମଳ ଚା’ର ଚାହିଦା ଯୋଗୁଁ ଦର ବି ଅଧିକ ରହିଥାଏ। ଏହି ସମୟରେ ଚା’ର ଦର କିଲୋଗ୍ରାମ ପ୍ରତି ୮୦୦ ଟଙ୍କା ରହିଥାଏ ଏବଂ ବେଳେବେଳେ ଏହା ୧,୨୦୦ ଟଙ୍କାରେ ବି ବିକ୍ରି ହୁଏ।
ତାଙ୍କ ପାଇଁ ୨୦୨୨ ମସିହା ଏକ ସ୍ୱତନ୍ତ୍ର ବର୍ଷ ହେବ ବୋଲି ରାଜିନ୍ଦର ଭାବିଥିଲେ। କାରଣ, ସେ ଆଉ ଅଧିକ ଦୁଇ ହେକ୍ଟର ଚା’ ବଗିଚା ଲିଜ୍ରେ ନେଇ ସାରିଥିଲେ। ସେ କହନ୍ତି, “ମୁଁ ଭାବିଥିଲି ମୋ ରୋଜଗାର ବଢ଼ିଯିବ।” ତାଙ୍କ ପାଖରେ ମୋଟ ତିନି ହେକ୍ଟର ଚା’ ଜମି ଥିବାରୁ ଏଥର ଫସଲ ଋତୁ ଶେଷ ସୁଦ୍ଧା ୪,୦୦୦ କିଲୋ ପର୍ଯ୍ୟନ୍ତ ଚା’ ଅମଳ କରିବେ ବୋଲି ସେ ଭାବିଥିଲେ। ଲିଜ୍ ବାବଦରେ ୨୦,୦୦୦ ଟଙ୍କା ଖର୍ଚ୍ଚ କରିସାରିଥିବା ରାଜିନ୍ଦର କହନ୍ତି ଯେ ଚା’ ଚାଷରେ ମୋଟ ଉତ୍ପାଦନ ଖର୍ଚ୍ଚର ୭୦ ପ୍ରତିଶତ କେବଳ ଶ୍ରମିକ ମଜୁରି ବାବଦରେ ଚାଲିଯାଏ। ସେ କହନ୍ତି, “ଚା’ ବଗିଚାର ରକ୍ଷଣାବେକ୍ଷଣ ନିମନ୍ତେ ମଜୁରି ବାବଦ ଏବଂ ବିନିଯୋଗ ଖର୍ଚ୍ଚ ବହୁତ ଅଧିକ ହୋଇଥାଏ।” ତା ସହିତ ଚା’ ପତ୍ରର ପ୍ରକ୍ରିୟାକରଣ ବାବଦ ଅତିରିକ୍ତ ଖର୍ଚ୍ଚ ବି ରହିଛି।
ତାଙ୍କ ପରିବାର ଲବାନା ସଂପ୍ରଦାୟର ଏବଂ ଏହି ସଂପ୍ରଦାୟ ହିମାଚଳ ପ୍ରଦେଶରେ ଅନ୍ୟାନ୍ୟ ପଛୁଆ ଶ୍ରେଣୀ (OBC) ଭାବରେ ତାଲିକାଭୁକ୍ତ। “ମୋ (ପରିବାରର) ପୂର୍ବ ପିଢ଼ି ମଧ୍ୟ ଏହି କାମ କରୁଥିଲେ” ଏବଂ ତାଙ୍କ ପିତା ଦୀର୍ଘଦିନ ରୋଗରେ ପଡ଼ି ଶେଷରେ ପ୍ରାଣ ହରାଇବା ପରେ ସେ ମାତ୍ର ୧୫ ବର୍ଷ ବୟସରୁ ହିଁ ପରିବାରର ଏହି ବଗିଚା ଦାୟିତ୍ୱ ହାତକୁ ନେଲେ। ଚାରି ଭାଇଭଉଣୀଙ୍କ ମଧ୍ୟରେ ସେ ବଡ଼ ହୋଇଥିବାରୁ ପରିବାର ଚଳାଇବା ଦାୟିତ୍ୱ ତାଙ୍କର ବୋଲି ସେ ଅନୁଭବ କଲେ ଏବଂ ଏଥିପାଇଁ ସ୍କୁଲ ପଢ଼ା ଛାଡ଼ିଦେଲେ।
ଚା’ ବଗିଚା ଦେଖାରଖା କରିବାରେ ଏବଂ ପାନୀୟ ରୂପେ ବଜାରରେ ବିକ୍ରି ହେବା ପର୍ଯ୍ୟନ୍ତ ଚା’ର ବିଭିନ୍ନ ପ୍ରକ୍ରିୟାରେ ତାଙ୍କ ପରିବାରର ସବୁ ସଦସ୍ୟ ସାମିଲ ହୁଅନ୍ତି। ତାଙ୍କ ଝିଅ ଆଞ୍ଚଲ ସ୍ନାତକ ଡିଗ୍ରୀ ପାଇଁ ପଢୁଛନ୍ତି ଏବଂ ସେ ଚା’ ବଗିଚାରୁ ଅନାବନା ଗଛ ବାଛିବାରେ ଏବଂ ପ୍ୟାକିଂ କରିବାରେ ସହାୟତା କରନ୍ତି। ପୁଅ ଆର୍ୟନ୍ ତ ସବୁ ସମୟରେ ଲାଗିଥାଆନ୍ତି – ଅନାବନା ଗଛ ବାଛିବାଠାରୁ ଆରମ୍ଭ କରି ପତ୍ର ତୋଳିବା, କାଣ୍ଟଛାଣ୍ଟ କରିବା ଏବଂ ପ୍ୟାକିଂ କରିବା ପର୍ଯ୍ୟନ୍ତ। ଗଣିତରେ ସ୍ନାତକ ଡିଗ୍ରୀ ପାଇଁ ପଢୁଥିବା ଏହି ୨୦ ବର୍ଷର ଯୁବକ ସାମୟିକ ଭାବେ ପିଲାଙ୍କୁ ପାଠ ପଢ଼ାନ୍ତି।
କାଙ୍ଗଡ଼ାର ବିଭିନ୍ନ ଚା’ ବଗିଚାରୁ ବ୍ଲାକ୍ ଓ ଗ୍ରୀନ୍ ଚା’ ଉତ୍ପାଦିତ ହୁଏ ଏବଂ ଏଠାକାର ଘରେ ଘରେ ଏହି ଚା’କୁ ଖୁବ୍ ପସନ୍ଦ କରନ୍ତି। ସୁମ୍ନା କହନ୍ତି, “ଆପଣ ଏଠାରେ ଚା’ ଦୋକାନଟିଏ ପାଇବା କଷ୍ଟକର। ଅନ୍ୟପକ୍ଷରେ ପ୍ରତି ଘରେ ଆପଣଙ୍କୁ ଚା’ରେ ହିଁ ସ୍ୱାଗତ କରାଯିବ। ଆମେ ଚା’ରେ କ୍ଷୀର କି ଚିନି ମିଶାଉ ନାହିଁ। ଏହା ଆମ ପାଇଁ ଔଷଧ ଭଳି।” ସେ ବି ଚା’ର ମାନ ନିର୍ଦ୍ଧାରଣ ଓ ପ୍ୟାକିଂ ପ୍ରକ୍ରିୟାରେ ସାମିଲ ହୁଅନ୍ତି ବୋଲି ସେ କହନ୍ତି। ରାଜିନ୍ଦରଙ୍କ ଭଳି ଅଧିକାଂଶ ଚା’ ଚାଷୀଙ୍କ ପାଖରେ ଅସ୍ଥାୟୀ ପ୍ରକ୍ରିୟାକରଣ ଗୃହଟିଏ ରହିଛି ଏବଂ ଏଥିରେ ଚା’ର ତାଜା ପତ୍ରକୁ ଗଡ଼େଇ ଗଡ଼େଇ ଶୁଖାଇବା ବା ଭାଜିବା ଲାଗି ଯନ୍ତ୍ରପାତି ରହିଛି। ସେମାନେ ଅନ୍ୟ ଚାଷୀମାନଙ୍କର ଚା’ ପତ୍ରର ବି ପ୍ରକ୍ରିୟାକରଣ କରନ୍ତି ଏବଂ ବିକ୍ରିଯୋଗ୍ୟ ଚା’ କରିବା ଲାଗି କିଲୋ ପିଛା ୨୫୦ ଟଙ୍କା ହିସାବରେ ଦେୟ ନିଅନ୍ତି।
ତାଙ୍କ ପରିବାର ଦ୍ୱାରା ତାଜା ଚା’ ପତ୍ରର ପ୍ରକ୍ରିୟାକରଣ ନିମନ୍ତେ, ୧୯୮୬ରେ ତାଙ୍କ ମୃତ୍ୟୁର ଠିକ୍ ପୂର୍ବରୁ ରାଜିନ୍ଦରଙ୍କ ବାପା ୮ ଲକ୍ଷ ଟଙ୍କାର ମେସିନ୍ କିଣିବା ପାଇଁ ଋଣ ନେଇଥିଲେ ଏବଂ ଜମି ବିକ୍ରି କରିଥିଲେ। ଏହି ଋଣ ଏ ପର୍ଯ୍ୟନ୍ତ ପରିଶୋଧ କରାଯାଇନାହିଁ।
କାଙ୍ଗଡ଼ା ଜିଲ୍ଲାର ଚା’ ଚାଷ କ୍ଷେତ୍ରରେ ରାଜିନ୍ଦରଙ୍କ ଭଳି କ୍ଷୁଦ୍ର ଚାଷୀଙ୍କ ସଂଖ୍ୟା ଅଧିକ। ୨୦୨୨ରେ ରାଜ୍ୟ କୃଷି ବିଭାଗ ପକ୍ଷରୁ ପ୍ରକାଶିତ ଏକ ବିବୃତିରେ ଦର୍ଶାଯାଇଛି ଯେ, ଏଠାକାର ୯୬ ପ୍ରତିଶତ ଚାଷୀଙ୍କ ପାଖରେ ଦୁଇ ହେକ୍ଟରରୁ କମ୍ ଜମିର ମାଲିକାନା ରହିଛି। ମୋଟ ଚା’ ବଗିଚାର ଅଧାରୁ ଅଧିକ ପାଲମପୁର ତହସିଲରେ ଏବଂ ଅବଶିଷ୍ଟ ବୈଜନାଥ, ଧର୍ମଶାଳା ଏବଂ ଦେହରା ତହସିଲରେ ରହିଛି।
“କେବଳ ହିମାଚଳ ପ୍ରଦେଶର ଅଳ୍ପ କେତେକ ଜିଲ୍ଲାରେ ଚା’ ଚାଷର ସମ୍ଭାବନା ରହିଛି। କାରଣ ଏଠାରେ ଚା’ ଚାଷ ପାଇଁ ଉପଯୁକ୍ତ ଏସିଡିକ୍ ମୃତ୍ତିକା ଏବଂ ମୃତ୍ତିକାର ଉଦ୍ଜାନ ଧାରଣ କ୍ଷମତା ବା ପିଏଚ୍ ଲେଭଲ ୪.୫ରୁ ୫.୫ ମଧ୍ୟରେ ରହିଛି।” ଏହା କହନ୍ତି ଡକ୍ଟର ସୁନୀଲ ପଟିଆଲ। ରାଜ୍ୟ କୃଷି ବିଭାଗରେ ସେ ଚା’ ବୈଷୟିକ ଅଧିକାରୀ।
କାଙ୍ଗଡ଼ାର ଚା’ ବଗିଚା ଏବଂ ପାହାଡ଼ ପର୍ବତ ଘେରା ଦୃଶ୍ୟ ବଲିଉଡ୍ ସିନେମାରେ ଖୁବ୍ ଅଧିକ ଦେଖିବାକୁ ମିଳେ। ଏହି କ୍ରମରେ ସର୍ବଶେଷ ସିନେମା ହେଉଛି ‘ଭୂତ୍ ପୋଲିସ’, ଯାହାର କାହାଣୀ ଅଲୌକିକ ଚରିତ୍ରମାନଙ୍କୁ କେନ୍ଦ୍ର କରି ଲେଖାଯାଇଛି। ରାଜିନ୍ଦର କହନ୍ତି, “ଅନେକ ପର୍ଯ୍ୟଟକ ସେମାନଙ୍କ କ୍ୟାମେରା ବାହାର କରି ଆମ ବଗିଚାର ଫଟୋ ଉଠାନ୍ତି। ହେଲେ ସେମାନେ ତା ସଂପର୍କରେ ଖୁବ୍ କମ୍ ଜାଣନ୍ତି।”
*****
ହିମାଚଳ ପ୍ରଦେଶରେ ଚା’ ଚାଷ କେବଳ ପାହାଡ଼ ନିକଟବର୍ତ୍ତୀ ଅଞ୍ଚଳରେ ବୃଷ୍ଟିପାତର ପରିମାଣ ଉପରେ ନିର୍ଭର କରେ। ସାଧାରଣତଃ ଅଧିକ ଗରମ ହେଲେ ବର୍ଷା ହୋଇଥାଏ ଏବଂ ଏହା ଫଳରେ ଚା’ ଗଛ ଭଲ ବଢ଼ିଥାଏ। ପଟିଆଲ ବୁଝାଇ କହନ୍ତି, “ତାପମାତ୍ରା ବଢ଼ିବା ସହିତ ବୃଷ୍ଟିପାତ ନ ହେଲେ ବିରାଟ ଏକ ସମସ୍ୟା ଦେଖାଦିଏ। ଚା’ ଗଛ ବଢ଼ିବା ପାଇଁ ଆର୍ଦ୍ରତା ଦରକାର କରେ। ହେଲେ ଏବେ (୨୦୨୧ ଏବଂ ୨୦୨୨ରେ) ଏଠାରେ ଗରମ ହେଉଛି।”
ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁସାରେ ୨୦୨୨ ମସିହା ମାର୍ଚ୍ଚ ଓ ଏପ୍ରିଲ ମାସରେ କାଙ୍ଗଡ଼ା ଜିଲ୍ଲାରେ ବୃଷ୍ଟିପାତ ପରିମାଣ ସ୍ୱାଭାବିକ ବୃଷ୍ଟିପାତ ତୁଳନାରେ ୯୦ ପ୍ରତିଶତ ହ୍ରାସ ପାଇଛି। ପରବର୍ତ୍ତୀ ସମୟରେ, ୨୦୨୨ ଏପ୍ରିଲ ଓ ମେ ମାସରେ ତୋଳାଯାଇ ପାଲାମପୁର ସମବାୟ ଚା’ ଫ୍ୟାକ୍ଟରୀକୁ ପଠାଯାଇଥିବା ଚା’ ପତ୍ର ପରିମାଣ ଏକ ଲକ୍ଷ କିଲୋଗ୍ରାମକୁ ଖସି ଆସିଛି- ଯାହାକି ୨୦୧୯ର ସେହି ମାସ ପାଇଁ ପଠାଯାଇଥିବା ପତ୍ର ପରିମାଣର ଏକ ଚତୁର୍ଥାଂଶ ମାତ୍ର।
ରାଜିନ୍ଦର ବି ଏହି ସ୍ଥିତିରୁ ବର୍ତ୍ତି ନାହାନ୍ତି। ୨୦୨୨ ମେ ମାସରେ ପରୀ ଟିମ୍ ତାଙ୍କୁ ଦେଖାକରିବା ବେଳକୁ କୌଣସି ପ୍ରକାରେ ସେ ମାତ୍ର ୧,୦୦୦ କିଲୋଗ୍ରାମ ଚା’ ଅମଳ କରିଥିଲେ। ସେଥିରୁ ଅଧା ତାଙ୍କ ଘରେ ପ୍ରକ୍ରିୟାକରଣ କରାଯାଇ ସ୍ଥାନୀୟ ବଜାରରେ ବିକ୍ରି ପାଇଁ ରଖାଯାଇଥିଲା ଏବଂ ବାକି ଅଧା ପ୍ରକ୍ରିୟାକରଣ ନିମନ୍ତେ ପାଲମପୁର ଫ୍ୟାକ୍ଟରୀକୁ ପଠାଯାଇଥିଲା। ତାଙ୍କ ପୁଅ ଆର୍ୟନ୍ କହିଲେ, “ଚାରି କିଲୋଗ୍ରାମ ସବୁଜ ପତ୍ରରୁ ଗୋଟିଏ କିଲୋ ଚା’ ବାହାରେ। ଆମେ ବିକିବା ପାଇଁ ଏକ କିଲୋଗ୍ରାମ ଲେଖାଏଁ ଚା’ ଥିବା ପ୍ରାୟ ୧୦୦ଟି ପ୍ୟାକେଟ୍ କରିଥିଲୁ।” ବ୍ଲାକ୍ ଟି ବା ସାଧାରଣ ଚା’ କିଲୋ ପିଛା ୩୦୦ ଟଙ୍କାରେ ଏବଂ ଗ୍ରୀନ୍ ଟି ୩୫୦ ଟଙ୍କାରେ ବିକ୍ରି ହୋଇଥାଏ।
ଆସାମ, ପଶ୍ଚିମ ବଙ୍ଗ ଏବଂ ତାମିଲନାଡୁର ନୀଳଗିରି ଅଞ୍ଚଳରେ ବହୁଳ ପରିମାଣରେ ଚା’ ଅମଳ ହୋଇଥାଏ। ଭାରତୀୟ ଚା’ ବୋର୍ଡର ୱେବ୍ସାଇଟ୍ରେ ଦର୍ଶାଯାଇଛି ଯେ, ୨୦୨୧-୨୨ ବର୍ଷରେ ଭାରତରେ ୧,୩୪୪ ନିୟୁତ କିଲୋଗ୍ରାମ ଚା’ ଉତ୍ପାଦିତ ହୋଇଥିଲା ଏବଂ ଏହାର ୫୦ ପ୍ରତିଶତ କ୍ଷୁଦ୍ର ଚାଷୀଙ୍କ ପାଖରୁ ଆସିଥିଲା। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ପରିଚାଳିତ ଏହି ବୋର୍ଡ ପକ୍ଷରୁ ଆହୁରି କୁହାଯାଇଥିଲା ଯେ “କ୍ଷୁଦ୍ର ଚାଷୀମାନେ ବ୍ୟାପକ ଭାବରେ ଅଣସଂଗଠିତ ସ୍ଥିତିରେ ଅଛନ୍ତି ଏବଂ ସେମାନଙ୍କ ମାଲିକାନାରେ ଥିବା ଚା’ ଚାଷ ଜମିଗୁଡ଼ିକ ଛୋଟ ଛୋଟ ଖଣ୍ଡରେ ଏବଂ ଏଣେତେଣେ ରହିଥିବାରୁ ଏହି ଚାଷୀମାନେ ମୂଲ୍ୟ ଶୃଙ୍ଖଳର ସବୁଠାରୁ ନିମ୍ନରେ ରହିଛନ୍ତି।”
ହିମାଚଳର ଚା’କୁ ଅନ୍ୟାନ୍ୟ ଅଞ୍ଚଳର ଚା’ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡ଼େ। ଏବଂ “ରାଜ୍ୟ ଭିତରେ ବି ସେଓ ଚାଷୀମାନଙ୍କ ପ୍ରତି (ସ୍ଥାନୀୟ) ପ୍ରଶାସନ ଅଗ୍ରାଧିକାର ଭିତ୍ତିରେ ଧ୍ୟାନ ଦେଇଥାଏ” ବୋଲି ଡକ୍ଟର ପ୍ରମୋଦ ବର୍ମା କହନ୍ତି। ସେ ପାଲମପୁରର ହିମାଚଳ ପ୍ରଦେଶ କୃଷି ବିଶ୍ୱବିଦ୍ୟାଳୟର ଚା’ ବିଶେଷଜ୍ଞ ଏବଂ ଦଶ ବର୍ଷରୁ ଅଧିକ ସମୟ ହେଲା ସେ ଚା’ ଉପରେ ଗବେଷଣା କରିଆସୁଛନ୍ତି।
ଚା’ ଚାଷ କରାଯାଉଥିବା ଜମିର ପରିମାଣ ସଂକୁଚିତ ହେବାରେ ଲାଗିଥିବାରୁ ଚା’ ଉତ୍ପାଦନ କମିବାରେ ଲାଗିଛି: କାଙ୍ଗଡ଼ା ଜିଲ୍ଲାର ୨,୧୧୦ ହେକ୍ଟର ଜମିରେ ଚା’ ଗଛ ଲାଗିଥିଲେ ହେଁ ମାତ୍ର ୧୦୯୬.୮୩ ହେକ୍ଟର ଜମିରେ ସକ୍ରିୟ ଚାଷକାର୍ଯ୍ୟ ଚାଲିଛି। ଅବଶିଷ୍ଟ ଚା’ ଗଛର ବୁଦା ଥିବା ଜମି ଅବହେଳିତ କିମ୍ବା ପରିତ୍ୟକ୍ତ ଅବସ୍ଥାରେ ରହିଛି ବା ବାସଗୃହରେ ପରିଣତ ହୋଇଛି। ଏହା ଫଳରେ ହିମାଚଳ ପ୍ରଦେଶ ଜମି ମାଲିକାନା ସିଲିଂ ଆଇନ, ୧୯୭୨ ର ଉଲ୍ଲଂଘନ କରାଯାଉଛି। ଏହି ଆଇନ ଅନୁସାରେ ଚା’ ଚାଷ କରାଯାଉଥିବା ଜମିକୁ ଅନ୍ୟ କୌଣସି ଉଦ୍ଦେଶ୍ୟରେ ବ୍ୟବହାର କରାଯାଇ ପାରିବ ନାହିଁ।
ତାଣ୍ଡା ଗାଁରେ ରାଜିନ୍ଦରଙ୍କ ପଡ଼ୋଶୀ ଜଟ୍ ରାମ ବାହ୍ମନ କହନ୍ତି, “କିଛି ବର୍ଷ ତଳେ ମୋ ଚାଷଜମିର ଠିକ୍ ପଛପଟେ ଅନେକ ଚା’ ବଗିଚା ଥିଲା।” ସେ ଓ ତାଙ୍କ ସ୍ତ୍ରୀ ଅଜଜ୍ଞା ବାହ୍ମନ୍ ୧୫ କାନାଲ (ମୋଟାମୋଟି ଗୋଟିଏ ହେକ୍ଟରର ତିନି ଚତୁର୍ଥାଂଶ) ପରିମାଣର ବଗିଚାରେ ଚା’ ଚାଷ କରନ୍ତି।
୮୭ ବର୍ଷ ବୟସର ଜଟ୍ ରାମ ପୁରୁଣା ଦିନର କଥା ମନେ ପକାନ୍ତି, ଯେତେବେଳେ ଏଠାରେ ଅନେକ ଚା’ ବଗିଚା ଥିଲା ଏବଂ ସେଥିରୁ ଲାଭ ହେଉଥିଲା। ୧୮୪୯ରେ ଏଠାରେ ଚା’ର ପ୍ରଥମ ଚାରା ରୋପଣ କରାଯାଇଥିଲା ଏବଂ ୧୮୮୦ ମସିହା ବେଳକୁ କାଙ୍ଗଡ଼ାର ଚା’ ଲଣ୍ଡନ ଓ ଆମଷ୍ଟରଡାମ୍ ବଜାରରେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ବିଜୟୀ ହେଉଥିଲା। ୨୦୦୫ରେ ଏହାର ଅନନ୍ୟ ସ୍ୱାଦ ଯୋଗୁଁ କାଙ୍ଗଡ଼ା ଚା’କୁ ଭୌଗୋଳିକ ସଂକେତ (GI) ଟ୍ୟାଗ୍ ମିଳିଥିଲା।
ସେ କାଳର କଥା ମନେ ପକାଇ ୫୬ ବର୍ଷୀୟ ଯଶବନ୍ତ ଭାମନ କହନ୍ତି, “ସେ ସବୁ ଥିଲା ସ୍ୱର୍ଣ୍ଣିମ ବର୍ଷ।” ତାଣ୍ଡା ଗାଁରେ ୧୦ କାନାଲ (ମୋଟାମୋଟି ଅଧା ହେକ୍ଟର) ଆୟତନର ଚା’ ବଗିଚା ମାଲିକ ଯଶବନ୍ତ କହନ୍ତି, “ଆମେ ଆମମାନଙ୍କ ଘରେ (ପାରମ୍ପରିକ) ମେସିନ୍ରେ ଚା’ର ପ୍ରକ୍ରିୟାକରଣ କରୁଥିଲୁ ଏବଂ ଏହାକୁ ଅମୃତସରରେ ବିକ୍ରି କରୁଥିଲୁ। ଏହା ଖୁବ୍ ବଡ଼ ବଜାର ଥିଲା। ”
ଭାମନ କହୁଥିଲେ ୧୯୯୦ ମସିହାର କଥା। ସ୍ଥାନୀୟ ଚା’ ବୋର୍ଡ ଅନୁସାରେ ସେତେବେଳେ କାଙ୍ଗଡ଼ାରେ ବର୍ଷକୁ ୧୮ ଲକ୍ଷ ଟନ୍ ବିକ୍ରିଯୋଗ୍ୟ ଚା’ ଉତ୍ପାଦିତ ହେଉଥିଲା। ଏହି ଚା’କୁ ସଡ଼କ ପଥରେ ୨୦୦ କିଲୋମିଟର ଦୂର ଅମୃତସରକୁ ପଠାଯାଉଥିଲା ଏବଂ ସେଠାରେ ଅନ୍ତର୍ଜାତୀୟ ବଜାରରେ ଏହାର ନିଲାମ ଡକା ହେଉଥିଲା। ଏବେ ସେହି ପରିମାଣର ଅଧା ଚା’ ଉତ୍ପାଦିତ ହେଉଛି, ଯାହାକି ୮,୫୦,୦୦୦ ଟନ୍।
ପରୀ ଟିମ୍କୁ ସେ ରଖିଥିବା ପୁରୁଣା ବିଲ୍ ଦେଖାଇ ରାଜିନ୍ଦର କହିଲେ, “ସେତେବେଳେ ଆମେ (ଆମ ଏକ ହେକ୍ଟରରୁ) ଭଲ ଆୟ କରିପାରୁଥିଲୁ। ଯେତେ ଶୀଘ୍ର ବିକ୍ରିଯୋଗ୍ୟ ଚା’ ପ୍ରସ୍ତୁତ ହେଉଥିଲା ତାହାକୁ ନେଇ ଆମେ ସେତେ ଥର ଅମୃତସର ଯାତ୍ରା କରୁଥିଲୁ। ଥରକର ଯାତ୍ରାରୁ ମୁଁ ୧୩,୦୦୦ରୁ ୩୫,୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଥିଲି।”
ହେଲେ ସେହି ସ୍ୱର୍ଣ୍ଣିମ ଯୁଗ ବେଶୀ ଦିନ ରହିଲା ନାହିଁ। “ଅମୃତସର ମେ ଭୋତ୍ ପଙ୍ଗା ହୋନେ ଲଗା,” (ଅମୃତସରରେ ଆମ ପାଇଁ ଅନେକ ଅଡୁଆ ଉପୁଜିଲା) ବୋଲି କହନ୍ତି ଯଶବନ୍ତ। କାଙ୍ଗଡ଼ାର ଚା’ ଚାଷୀମାନେ ଚା’ ନିଲାମ କ୍ଷେତ୍ରରେ ଭାରତର ପ୍ରମୁଖ ପେଣ୍ଠ କୋଲକାତାକୁ ଯିବା ଆରମ୍ଭ କଲେ। ଅଧିକାଂଶ ଚା’ ଚାଷୀ ଘରେ ଚା’ ପ୍ରକ୍ରିୟାକରଣ ବନ୍ଦ କରି ପାଲମପୁର, ବୀର, ବୈଜନାଥ ଏବଂ ସିଧବାରିରେ ଥିବା ସରକାରୀ ଫ୍ୟାକ୍ଟରୀ ଉପରେ ନିର୍ଭର କଲେ। କାରଣ, ଏହି ସବୁ ଫ୍ୟାକ୍ଟରୀ ସିଧାସଳଖ କୋଲକାତାର ନିଲାମରେ ଅଂଶଗ୍ରହଣ କରୁଥିଲେ। ହେଲେ, ଧୀରେ ଧୀରେ ଏହି ସବୁ ଫ୍ୟାକ୍ଟରୀ ବନ୍ଦ ହେବାରେ ଲାଗିଲା ଏବଂ ସ୍ଥାନୀୟ ଚା’ ଚାଷୀମାନେ ନିଜ ନିଜ ଅଞ୍ଚଳରେ ସରକାରୀ ସହାୟତା ହରାଇ ବସିଲେ। ଆଜି ମାତ୍ର ଗୋଟିଏ ସମବାୟ ଫ୍ୟାକ୍ଟରୀ ଚାଲୁ ଅବସ୍ଥାରେ ରହିଛି।
କୋଲକାତାର ନିଲାମ କେନ୍ଦ୍ର କାଙ୍ଗଡ଼ାଠାରୁ ପ୍ରାୟ ୨,୦୦୦ କିଲୋମିଟର ଦୂର ଏବଂ ଏହା ଫଳରେ ପରିବହନ ଖର୍ଚ୍ଚ, ଗୋଦାମ ଘର ଭଡ଼ା ଏବଂ ଶ୍ରମିକ ମଜୁରି ଅଧିକ ହୋଇଥାଏ। ଏହି ସବୁ କାରଣରୁ ଆସାମ, ପଶ୍ଚିମ ବଙ୍ଗ ଏବଂ ନୀଳଗିରିରୁ ଆସୁଥିବା ଅନ୍ୟାନ୍ୟ ଭାରତୀୟ ଚା’ ସହିତ କାଙ୍ଗଡ଼ାର ପ୍ରତିଦ୍ୱନ୍ଦ୍ୱିତା କଷ୍ଟକର ହୋଇପଡ଼ିଲା ଏବଂ କାଙ୍ଗଡ଼ାର ଚା’ ଚାଷୀଙ୍କ ଲାଭ ହ୍ରାସ ପାଇବାରେ ଲାଗିଲା।
ଏ ସଂପର୍କରେ ବର୍ମା କହନ୍ତି, “କାଙ୍ଗଡ଼ାର ଚା’ ରପ୍ତାନୀ କରାଯାଏ ସତ, ହେଲେ ଭିନ୍ନ ନାଁରେ। କ୍ରେତା ଓ ବିକ୍ରେତା କମ୍ପାନୀ ଦେଇଥିବା ନାଁରେ। କୋଲକାତାର ବେପାରୀମାନେ କମ୍ ଦରରେ ଚା’ କିଣି ଖୁବ୍ ଭଲ ଦରରେ ବିକ୍ରି କରନ୍ତି ଏବଂ ସେମାନଙ୍କ ପାଖରେ ରପ୍ତାନୀ ସୁବିଧା ମଧ୍ୟ ରହିଛି।”
*****
ରାଜିନ୍ଦର କହିଲେ, “ମୋ ବଗିଚା ପାଇଁ ମୁଁ ପ୍ରାୟ ୧,୪୦୦ କିଲୋଗ୍ରାମ ସାର ଦରକାର କରେ ଏ ବାବଦରେ ମୋତେ ପ୍ରାୟ ୨୦,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ।” ପୂର୍ବରୁ ସରକାର ସାରରେ ୫୦ ପ୍ରତିଶତ ସବ୍ସିଡି ଦେଉଥିଲେ। ହେଲେ ଗତ ୫ ବର୍ଷ ହେଲା ଏହାକୁ ବନ୍ଦ କରିଦେଇଛନ୍ତି ଏବଂ କାହିଁକି ବନ୍ଦ କରାଗଲା, ସେ ସଂପର୍କରେ ସରକାରୀ ବିଭାଗ ସମେତ କାହାରି ପାଖରେ ହେଲେ ସ୍ପଷ୍ଟ ସୂଚନା ନାହିଁ ବୋଲି ସେ କହନ୍ତି।
ଚା’ ଚାଷରେ ଶ୍ରମିକଙ୍କ ଆବଶ୍ୟକତା ଖୁବ୍ ଅଧିକ ଏବଂ ଏପ୍ରିଲରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ଚା’ ପତ୍ର ତୋଳିବା ଏବଂ ତା’ ପରେ ନଭେମ୍ବରରୁ ଆଗକୁ ଗଛ କାଣ୍ଟଛାଣ୍ଟ କରିବା ଲାଗି ଶ୍ରମିକ ଦରକାର ହୋଇଥାଆନ୍ତି। ଚା’ ଗଛ କାଣ୍ଟଛାଣ୍ଟ କରିବା ଲାଗି ସରକାର ମେସିନ୍ ଦେଇଛନ୍ତି ଏବଂ ଶ୍ରମିକ ମଜୁରି ବାବଦ ଖର୍ଚ୍ଚ ବଞ୍ଚାଇବା ଲାଗି ରାଜିନ୍ଦର ଓ ତାଙ୍କ ପୁଅ ଏହି ମେସିନ୍ ଚଳାନ୍ତି। ହେଲେ ଏଥିପାଇଁ ସେମାନଙ୍କୁ ପେଟ୍ରୋଲ ବାବଦରେ ଖର୍ଚ୍ଚ କରିବାକୁ ପଡ଼େ।
ଗତ ବର୍ଷ ତାଙ୍କ ପରିବାର ଦିନକୁ ୩୦୦ ଟଙ୍କା ମଜୁରି ହିସାବରେ ତିନି ଜଣ ଶ୍ରମିକଙ୍କୁ କାମରେ ଲଗାଇଲେ। ହେଲେ କାହିଁକି ସେମାନଙ୍କୁ ଛାଡ଼ି ଦେବାକୁ ପଡ଼ିଲା ବୋଲି ବୁଝାଇବାକୁ ଯାଇ ରାଜିନ୍ଦର ପଚାରନ୍ତି, “ତୋଳିବାକୁ ଗଛରେ ପତ୍ର ନଥିଲା ତ ସେମାନଙ୍କୁ (ଶ୍ରମିକମାନଙ୍କୁ) ରଖିବାର କିଛି ମାନେ ନଥିଲା। ତେଣୁ ଆମେ ସେମାନଙ୍କୁ କେମିତି ମଜୁରି ଦେଇଥାଆନ୍ତୁ ?” ଏପ୍ରିଲରୁ ଅକ୍ଟୋବର ପର୍ଯ୍ୟନ୍ତ ଅମଳ ସମୟରେ ଏହି ପାହାଡ଼ିଆ ଅଞ୍ଚଳ ଶ୍ରମିକରେ ଭରିଯାଉଥିଲା, କିନ୍ତୁ ୨୦୨୨ରେ ଜଣେ ବି ଆଖିରେ ପଡ଼ିବା କଷ୍ଟକର ହୋଇପଡ଼ିଲା।
ଲାଭ ହ୍ରାସ ପାଉଥିବାରୁ ଏବଂ ସରକାରୀ ସହାୟତା ଅଭାବରୁ ଭବିଷ୍ୟତ ସମ୍ଭାବନା ନ ଦେଖି ଯୁବ ପିଢ଼ି ଏଥିରୁ ଦୂରେଇ ଯାଉଛନ୍ତି। ଜଟ୍ ରାମ କହନ୍ତି ତାଙ୍କ ପିଲାମାନେ ସରକାରୀ ଚାକିରି କରୁଛନ୍ତି ଏବଂ ତାଙ୍କ ପତ୍ନୀ ଅଜଜ୍ଞା କଥା ଯୋଡ଼ନ୍ତି, “ମୁଁ ଜାଣିନି, ମୋ ପରେ ଏହାର (ଏହି ବଗିଚାର) ଦେଖାରଖା କିଏ କରିବ।”
ରାଜିନ୍ଦରଙ୍କ ପୁଅ ଆର୍ୟନ୍ ବି ଏଠାରେ ରହିବାକୁ ମନ ବଳାଉ ନାହାନ୍ତି। ଆର୍ୟନ୍ କହିଲେ, “ଜୀବିକା ଅର୍ଜନ କରିବା ଲାଗି ସେମାନଙ୍କୁ (ତାଙ୍କ ବାପାମାଆଙ୍କୁ) ସଂଘର୍ଷ କରିବା କଥା ମୁଁ ଦେଖିଛି। ଏବେ ମୁଁ ମୋ ବାପାମାଙ୍କ ସହ କାମ କରୁଛି। କିନ୍ତୁ ଭବିଷ୍ୟତରେ ମୁଁ ଏହା କରିବି ନାହିଁ।”
ରାଜିନ୍ଦରଙ୍କ ଆକଳନ ଅନୁସାରେ ବର୍ଷ ଶେଷ ସୁଦ୍ଧା ସେମାନେ ୨.୫ ଲକ୍ଷ ଟଙ୍କା ରୋଜଗାର କରିଥିଲେ। ଏଥିରୁ ଅଧିକାଂଶ ଚା’ ଋତୁ ଶେଷ ଅର୍ଥାତ୍ ଅକ୍ଟୋବର ଶେଷ ସୁଦ୍ଧା ହୋଇଥିଲା। ଏହି ରୋଜଗାର ଟଙ୍କାରୁ ସେମାନଙ୍କୁ ଭଡ଼ା, କୃଷି ସାମଗ୍ରୀ ଏବଂ ଅନ୍ୟାନ୍ୟ ଖର୍ଚ୍ଚ କାଟିବାକୁ ପଡ଼ିବ।
ରାଜିନ୍ଦର କହିଲେ ଯେ ୨୦୨୨ରେ ତାଙ୍କ ପରିବାର ସଞ୍ଚୟ ଉପରେ ଭରସା କରିପାରି ନଥିଲା। ସେମାନେ ସେମାନଙ୍କର ଦୁଇଟି ଗାଈର କ୍ଷୀର ବିକି, ଅନ୍ୟ ଛୋଟ ଛୋଟ ବଗିଚାର ଚା’ ପ୍ରକ୍ରିୟାକରଣ କରି ଏବଂ ଆର୍ୟନ୍ ଟ୍ୟୁସନ କରି ଆଣୁଥିବା ୫,୦୦୦ ଟଙ୍କାକୁ ମିଶାଇ ଯାହା କିଛି ରୋଜଗାର କରିଥିଲେ।
୨୦୨୨ରେ ସେତେ ବେଶୀ ଫାଇଦା ନ ହେବାରୁ ରାଜିନ୍ଦର ଓ ସୁମ୍ନା ସେମାନେ ଲିଜ୍ରେ ନେଇଥିବା ଦୁଇ ହେକ୍ଟର ଚା’ ବଗିଚାକୁ ପୁଣି ଫେରାଇ ଦେଇଥିଲେ।
ଅନୁବାଦ : ଓଡ଼ିଶାଲାଇଭ୍