ବ୍ୟତିବ୍ୟସ୍ତ ହୋଇ ଦୁଇଟି ପତ୍ର ଗୋଟିଏ କଢ଼ ଖୋଜିବାରେ ଲାଗିଛନ୍ତି ରାଜିନ୍ଦର। ଗଡ଼ାଣିଆ ପାହାଡ଼ରେ ତଳକୁ ତଳ ହୋଇ ସମାନ ବ୍ୟବଧାନରେ ଲାଗିଥିବା ଚା’ ଗଛ ବୁଦାଗୁଡ଼ିକରେ ବୁଲିବାରେ ଲାଗିଛି ତାଙ୍କ ହାତର ଆଙ୍ଗୁଠି। ହାତରେ ଝୁଡ଼ିଟିଏ ଧରି ତାଙ୍କ ପାଖକୁ ଲାଗି ଠିଆ ହୋଇଛନ୍ତି ସ୍ତ୍ରୀ ସୁମ୍ନା ଦେବୀ। ହିମାଳୟ ପର୍ବତମାଳାର ଧୌଲାଧର ପାହାଡ଼ିଆ ଅଞ୍ଚଳରେ ଘଞ୍ଚ ଚା’ ବୁଦା ପାଖରେ ମୁଣ୍ଡ ଟେକି ଠିଆ ହୋଇଥିବା ସୁଉଚ୍ଚ ଓହି ଗଛଗୁଡ଼ିକ ପାଖରେ ମଣିଷମାନେ ଖର୍ବକାୟ ମନେ ହେଉଛନ୍ତି।
ଏବେ ଅମଳ ସମୟ। ହେଲେ ରାଜିନ୍ଦରଙ୍କ ଚା’ ପତ୍ର ଖୋଜା ଅଭିଯାନରୁ କୌଣସି ସୁଫଳ ମିଳିନାହିଁ। କାଙ୍ଗଡ଼ା ଜିଲ୍ଲାର ତାଣ୍ଡା ଗାଁରେ ଥିବା ଚା’ ବଗିଚାକୁ ସେ ସବୁଦିନ ଆସନ୍ତି। ତାଙ୍କ ସାଙ୍ଗରେ ଥାଆନ୍ତି ତାଙ୍କ ସ୍ତ୍ରୀ ସୁମ୍ନା କିମ୍ବା ସେମାନଙ୍କର ୨୦ ବର୍ଷୀୟ ପୁଅ ଆର୍ୟାନ। ଏପ୍ରିଲ ଓ ମେ ମାସ ହେଉଛି ଚା’ ପତ୍ର ତୋଳିବାର ଋତୁ- ଯାହାକୁ ପ୍ରଥମ ଅମଳ କୁହାଯାଏ। ହେଲେ ସେହି ସମୟରେ ବି ତାଙ୍କର ତୋଳିବା ପାଇଁ କିଛି ହେଲେ ନଥିଲା।
ହିମାଚଳ ପ୍ରଦେଶର ପାଲମପୁର ତହସିଲରେ ଅବସ୍ଥିତ ତାଙ୍କ ବଗିଚାରେ ମରି ମରିଯାଉଥିବା ଚା’ ଗଛ ପାଇଁ ଚିନ୍ତିତ ଅବସ୍ଥାରେ ଥାଇ ସେ କହନ୍ତି, “ଏବେ ବି ଆପଣ ଏଠାକାର ଗରମ ଅନୁଭବ କରିପାରିବେ। ଜାଣିନି, ଏ ବର୍ଷା କୋଉଠି ଅଛି !”
ଗତ ଦୁଇ ବର୍ଷର ବୃଷ୍ଟିପାତ ରେକର୍ଡକୁ ବିଚାରକୁ ନେଲେ ରାଜିନ୍ଦରଙ୍କ ଦୁଶ୍ଚିନ୍ତାକୁ ବେଶ୍ ବୁଝିହୁଏ। ୨୦୧୬ରେ ପ୍ରକାଶିତ ଜାତିସଂଘ ଖାଦ୍ୟ ଓ କୃଷି ସଂଗଠନର ଅନ୍ତଃସରକାରୀ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, “ବିକ୍ଷିପ୍ତ ବର୍ଷା ହିଁ ଚା’ ବଗିଚା ନଷ୍ଟ ହେବାର କାରଣ।” ଚା’ ଗଛ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସଂପର୍କରେ ଏହି ରିପୋର୍ଟରେ ବିସ୍ତୃତ ଅଧ୍ୟୟନ କରାଯାଇଛି। ନିର୍ଦ୍ଦିଷ୍ଟ ଭାବରେ ଫେବ୍ରୁଆରୀରୁ ଏପ୍ରିଲ ମାସ ଭିତରେ ଚା’ ଗଛ ବର୍ଷା ଆବଶ୍ୟକ କରେ ଏବଂ ଏପ୍ରିଲ ମାସରେ ପ୍ରଥମ ଅମଳ ଚା’ର ଚାହିଦା ଯୋଗୁଁ ଦର ବି ଅଧିକ ରହିଥାଏ। ଏହି ସମୟରେ ଚା’ର ଦର କିଲୋଗ୍ରାମ ପ୍ରତି ୮୦୦ ଟଙ୍କା ରହିଥାଏ ଏବଂ ବେଳେବେଳେ ଏହା ୧,୨୦୦ ଟଙ୍କାରେ ବି ବିକ୍ରି ହୁଏ।
ତାଙ୍କ ପାଇଁ ୨୦୨୨ ମସିହା ଏକ ସ୍ୱତନ୍ତ୍ର ବର୍ଷ ହେବ ବୋଲି ରାଜିନ୍ଦର ଭାବିଥିଲେ। କାରଣ, ସେ ଆଉ ଅଧିକ ଦୁଇ ହେକ୍ଟର ଚା’ ବଗିଚା ଲିଜ୍ରେ ନେଇ ସାରିଥିଲେ। ସେ କହନ୍ତି, “ମୁଁ ଭାବିଥିଲି ମୋ ରୋଜଗାର ବଢ଼ିଯିବ।” ତାଙ୍କ ପାଖରେ ମୋଟ ତିନି ହେକ୍ଟର ଚା’ ଜମି ଥିବାରୁ ଏଥର ଫସଲ ଋତୁ ଶେଷ ସୁଦ୍ଧା ୪,୦୦୦ କିଲୋ ପର୍ଯ୍ୟନ୍ତ ଚା’ ଅମଳ କରିବେ ବୋଲି ସେ ଭାବିଥିଲେ। ଲିଜ୍ ବାବଦରେ ୨୦,୦୦୦ ଟଙ୍କା ଖର୍ଚ୍ଚ କରିସାରିଥିବା ରାଜିନ୍ଦର କହନ୍ତି ଯେ ଚା’ ଚାଷରେ ମୋଟ ଉତ୍ପାଦନ ଖର୍ଚ୍ଚର ୭୦ ପ୍ରତିଶତ କେବଳ ଶ୍ରମିକ ମଜୁରି ବାବଦରେ ଚାଲିଯାଏ। ସେ କହନ୍ତି, “ଚା’ ବଗିଚାର ରକ୍ଷଣାବେକ୍ଷଣ ନିମନ୍ତେ ମଜୁରି ବାବଦ ଏବଂ ବିନିଯୋଗ ଖର୍ଚ୍ଚ ବହୁତ ଅଧିକ ହୋଇଥାଏ।” ତା ସହିତ ଚା’ ପତ୍ରର ପ୍ରକ୍ରିୟାକରଣ ବାବଦ ଅତିରିକ୍ତ ଖର୍ଚ୍ଚ ବି ରହିଛି।


















