“ନଦୀରେ ଚାଷ କରିବା ସୁବିଧାଜନକ- ସେଥିରେ ଅମଳ ପରେ ଗଛର ଖୁଣ୍ଟା ରହେନି କି ଅନାବନା ଗଛ ଉଠି ଯାଏନି ।”
ରାୟପୁର ଜିଲ୍ଲାର ନାଗରି ସହର ନିକଟବର୍ତ୍ତୀ ଫାର୍ସିୟା ଗାଁ ଦେଇ ବହି ଯାଇଥିବା ମହାନଦୀ ଶଯ୍ୟାରେ ଯେଉଁ ୫୦ରୁ ୬୦ ଜଣ ଚାଷୀ ଚାଷ କରନ୍ତି, ସେମାନଙ୍କ ମଧ୍ୟରୁ ଜଣେ ହେଲେ ମହାସମନ୍ଦ ଜିଲ୍ଲାର ଘୋଡ଼ାରି ଗାଁ ନିବାସୀ କୁନ୍ତୀ ପାନେ । ୫୭ ବର୍ଷୀୟା କୁନ୍ତୀ କହନ୍ତି, “ଆଜିକୁ ଦଶ ବର୍ଷ ହେଲା ମୁଁ ଏହା କରିଆସୁଛି । ମୁଁ ଓ ମୋ ସ୍ୱାମୀ ମିଶି ଏଠାରେ ଭେଣ୍ଡି, ବିନ୍ସ ଏବଂ ଖରଭୁଜ ଚାଷ କରୁ ।”
ଜଣେ ବ୍ୟକ୍ତି ରହିବା ପାଇଁ ଯଥେଷ୍ଟ ଏବଂ ଝିପିଝିପି ବର୍ଷାରେ ଶୁଖିଲା ରହିପାରୁଥିବା ଭଳି କୁଟାରେ ତିଆରି ସେମାନଙ୍କର ଅସ୍ଥାୟୀ କୁଡ଼ିଆ ଘରେ ବସି ସେ ଏହା କହନ୍ତି । କିନ୍ତୁ ଏହି କୁଡ଼ିଆର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଦିଗଟି ହେଲା ଯେ, ଗାଈଗୋରୁ ଓ ଅନ୍ୟ ଜୀବଜନ୍ତୁଙ୍କ ଦାଉରୁ କ୍ଷେତକୁ ରକ୍ଷା କରିବା ପାଇଁ ଏଥିରେ ରାତି ବିତାଇ ହେବ ।
ଏଠାରେ ମହାନଦୀ ଉପରେ ଥିବା ପୋଲଟି ରାୟପୁର ଜିଲ୍ଲାର ପାରାଗାଓଁ ଏବଂ ମହାସମନ୍ଦ ଜିଲ୍ଲାର ଘୋଡ଼ାରି ଗାଁକୁ ସଂଯୋଗ କରୁଥିଲା । ଏହି ପୋଲ ଉପରେ ଠିଆ ହେଲେ ଏହା ତଳେ ମେଞ୍ଚା ମେଞ୍ଚା ସବୁଜ ରଙ୍ଗର ନଈପଠା ହିଁ ନଜରରେ ପଡ଼ିବ । ଡିସେମ୍ବରରୁ ମେ ମାସ ଶେଷରେ ବର୍ଷା ପଡ଼ିବା ପର୍ଯ୍ୟନ୍ତ ଚାଷ କରିବା ଲାଗି ନଈର ବାଲୁକା ଶଯ୍ୟାକୁ ଦୁଇ ଗାଁର ଲୋକେ ନିଜ ନିଜ ଭିତରେ ବାଣ୍ଟି ନେଇଛନ୍ତି ।














