ଝିଅର ଦୁଃଖଦ ମୃତ୍ୟୁ ପରେ ବିଗତ ପାଞ୍ଚ ବର୍ଷରେ କାନ୍ତା ଭିସେଙ୍କ ଭିତରେ କୁହୁଳୁଥିବା କ୍ରୋଧ ତାଙ୍କୁ ନିଜ କଥା କହିବା କ୍ଷେତ୍ରରେ ସାମାନ୍ୟ ଦୃଢ଼ନିଶ୍ଚୟୀ କରି ଦେଇଥିଲା। କାନ୍ତାଙ୍କ ଝିଅ ମୋହିନୀ ୨୦ ଜାନୁଆରୀ ୨୦୧୬ରେ ଆତ୍ମହତ୍ୟା କରି ଦେଇଥିଲେ। କାନ୍ତା କୁହନ୍ତି, “ଆମର ଦାରିଦ୍ର୍ୟ ମୋ ପିଲାର ଜୀବନ ନେଇଗଲା।”
ଯେତେବେଳେ ମୋହିନୀଙ୍କ ମୃତ୍ୟୁ ଘଟିଲା, ସେତେବେଳେ ତାଙ୍କ ବୟସ ମାତ୍ର ୧୮ ବର୍ଷ ଥିଲା, ସେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିଲେ। ମହାରାଷ୍ଟ୍ରର ଲାତୁର ଜିଲ୍ଲାର ଭିସେ ବାଘୋଲୀ ଗ୍ରାମରେ ରହୁଥିବା ୪୨ ବର୍ଷୀୟା କାନ୍ତା କୁହନ୍ତି, “ତା’କୁ ଦ୍ୱାଦଶଠାରୁ ଆଗକୁ ପଢ଼ାଇବା ଲାଗି ଆମର ସାମର୍ଥ୍ୟ ନଥିଲା, ସେଥିପାଇଁ ଆମେ ତା’ର ବାହାଘର କରିବା ଲାଗି ପୁଅ ଦେଖିବା ଆରମ୍ଭ କଲୁ।”
ଗୋଟିଏ ବାହାଘରରେ ବିଭିନ୍ନ ପ୍ରକାରର ଖର୍ଚ୍ଚ ରହିଥାଏ। କାନ୍ତା ଓ ତାଙ୍କର ୪୫ ବର୍ଷୀୟ ସ୍ୱାମୀ ପାଣ୍ଡୁରଙ୍ଗ ଏହାକୁ ନେଇ ଚିନ୍ତାରେ ଥିଲେ। କାନ୍ତା କୁହନ୍ତି, “ମୁଁ ଓ ମୋର ସ୍ୱାମୀ, ଆମେ ଦୁହେଁ କୃଷି ଶ୍ରମିକ ଭାବେ କାମ କରିଥାଉ। ଆମକୁ ଲାଗୁଥିଲା ଯେ ମୋହିନୀଙ୍କ ବାହାଘର ପାଇଁ ଆମେ ଆବଶ୍ୟକ ଟଙ୍କା ଯୋଗାଡ଼ କରିପାରିବୁ ନାହିଁ। ସେତେବେଳେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯୌତୁକ ଦାବି କରାଯାଉଥିଲା।
ଭିସେ ଦମ୍ପତି ପୂର୍ବରୁ ରହିଥିବା ୨.୫ ଲକ୍ଷ ଟଙ୍କାର ଋଣ ସୁଝୁଥିଲେ, ଯାହାକୁ ସେମାନେ ଜଣେ ଘରୋଇ ସାହୁକାରଠାରୁ ମାସିକ ୫% ସୁଧ ଦରରେ ଉଧାର ଆଣିଥିଲେ। ସେହି ଋଣ ସେମାନେ ୨୦୧୩ରେ ବଡ଼ ଝିଅ ଅଶ୍ୱିନୀଙ୍କ ବାହାଘର ସମୟରେ ଆଣିଥିଲେ। ମୋହିନୀଙ୍କ ବାହାଘର ପାଇଁ ସେମାନଙ୍କ ପାଖରେ ନିଜର ଜମି ବିକିବା ଛଡ଼ା ଅନ୍ୟ କୌଣସି ବିକଳ୍ପ ନଥିଲା, ଯେଉଁଥିରୁ ସେମାନଙ୍କୁ ୨ ଲକ୍ଷ ଟଙ୍କା ମିଳିଥାନ୍ତା।
ଭିସେ ବାଘୋଲିଠାରେ ଥିବା ତାଙ୍କର ଗୋଟିଏ ଏକର ଜମିରେ ଚାଷ କାମ ହୋଇପାରୁନଥିଲା। କାନ୍ତା ବିସ୍ତୃତ ଭାବେ କହିଥାନ୍ତି, “ଏଠାରେ ପାଣିର କୌଣସି ସ୍ରୋତ ନାହିଁ ଏବଂ ଆମ ଅଞ୍ଚଳରେ ସବୁବେଳେ ମରୁଡ଼ି ପଡ଼ିଥାଏ।” ୨୦୧୬ରେ ଅନ୍ୟମାନଙ୍କ ଚାଷ ଜମିରେ କାମ କରି କାନ୍ତା ୧୫୦ ଟଙ୍କା, ଅନ୍ୟପଟେ ପାଣ୍ଡୁରଙ୍ଗ ୩୦୦ ଟଙ୍କାର ଦୈନିକ ମଜୁରି ପାଉଥିଲେ। ଏହିପରି ଗୋଟିଏ ମାସ ଭିତରେ ଦୁହେଁ ମିଶି ୨୦୦୦-୪୦୦୦ ଟଙ୍କା ରୋଜଗାର କରୁଥିଲେ।



