‘‘ସ୍କୁଲରେ ଦ୍ୱିତୀୟ ଥର ଖାଇବାକୁ ମିଳନ୍ତା କି ବୋଲି ମୁଁ ଭାବୁଛି।’’
ସାତ ବର୍ଷ ବୟସ୍କ ସ୍ୱରାଜୁ ତେଲଙ୍ଗାନାସ୍ଥିତ ସେରିଲିଙ୍ଗମପଲ୍ଲୀ ମଣ୍ଡଳ ରେ ଥିବା ମଣ୍ଡଳ ପରିଷଦ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ନ୍ତି। ରାଙ୍ଗାରେଡ୍ଡୀ ଜିଲ୍ଲାରେ ଥିବା ଏହି ବିଦ୍ୟାଳୟଟି ହେଉଛି ଦେଶର ୧୧.୨ ଲକ୍ଷ ବିଦ୍ୟାଳୟ ମଧ୍ୟରୁ ଅନ୍ୟତମ ଯେଉଁଠି ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନରେ ଗରମ ରନ୍ଧା ଖାଦ୍ୟ ଦିଆଯାଏ। ସ୍ୱରାଜୁଙ୍କ ବିଦ୍ୟାଳୟ ସହପାଠୀ ୧୦ ବର୍ଷ ବୟସର ଅମ୍ବିକା ସ୍କୁଲ ଯିବା ପୂର୍ବରୁ କେବଳ ଗୋଟିଏ ଗ୍ଲାସ ଗାଞ୍ଜି (ରନ୍ଧା ହୋଇଥିବା ଭାତ ପାଣି) ପିଇଥାନ୍ତି, ତେଣୁ ମଧ୍ୟାହ୍ନ ଭୋଜନ ହିଁ ତାଙ୍କ ପାଇଁ ଦିନର ପ୍ରଥମ ଖାଦ୍ୟ ହୋଇଥାଏ।
ଭାରତର ମଧ୍ୟାହ୍ନ ଭୋଜନ ଯୋଜନା ଦେଶର ସବୁ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଏବଂ ସର୍ବ ଶିକ୍ଷା ଅଭିଯାନ ସହାୟତାରେ ଚାଲିଥିବା ରାଜ୍ୟ ସରକାରଙ୍କ ପରିଚାଳିତ ଶିକ୍ଷାନୁଷ୍ଠାନରେ କାର୍ଯ୍ୟକାରୀ ହୋଇଥାଏ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଦେଶର ୧୧୮ ନିୟୁତ ପିଲାଙ୍କୁ ସବୁ କାର୍ଯ୍ୟ ଦିବସରେ ସମ୍ପୂର୍ଣ୍ଣ ମାଗଣାରେ ମଧ୍ୟାହ୍ନ ଭୋଜନ ମିଳିଥାଏ। କୌଣସି ବ୍ୟକ୍ତି ଏହି ଯୁକ୍ତି ଦର୍ଶାଇ ପାରିବେ ନାହିଁ ଯେ ପେଟପୂରା ଖାଦ୍ୟ ଜଟିଳ ଗଣିତ ସମାଧାନ କରିବା ଏବଂ ବନାନ ମନେ ରଖିବାରେ ସହାୟକ ହୋଇଥାଏ, କିନ୍ତୁ ଏହା ମଧ୍ୟ ସତ୍ୟ ଯେ ମଧ୍ୟାହ୍ନ ଭୋଜନ ମୁଖ୍ୟତଃ ପିଲାମାନଙ୍କୁ ସ୍କୁଲ ଆସିବାକୁ ଆକୃଷ୍ଟ କରିଥାଏ। (ଭାରତରେ ଅତିକମ୍ରେ ୧୫ କୋଟି ଶିଶୁ ଏବଂ ଯୁବବର୍ଗ ଔପଚାରିକ ଶିକ୍ଷା ପ୍ରଣାଳୀରୁ ବଞ୍ଚିତ ହୋଇଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି)
ରାଜସ୍ଥାନର ଭିଲୱାରା ଜିଲ୍ଲା ଅନ୍ତର୍ଗତ ଯୋଦ୍ଧଗଡ଼ ଗ୍ରାମରେ ଥିବା ରାଜକୀୟ ପ୍ରାଥମିଲ ବିଦ୍ୟାଳୟରେ ପଢ଼ୁଥିବା ୧୦ ବର୍ଷ ବୟସ୍କ ଦକ୍ଷ ଭଟ୍ଟଙ୍କୁ ଆମେ ଯେତେବେଳେ ଭେଟିଥିଲୁ ସେ ସ୍କୁଲ ଆସିବା ପୂର୍ବରୁ କେବଳ କେତୋଟି ବିସ୍କୁଟ ଖାଇଥିଲେ। ଏଠାରୁ ହଜାର ହଜାର କିଲୋମିଟର ଦୂର ଆସାମର ନାଲବାଡ଼ି ଜିଲ୍ଲାର ନିଜଖାଘାଟା ଏଲପି ସ୍କୁଲ ସଂଖ୍ୟା ୮୫୮ରେ ପଢ଼ୁଥିବା ଆଲିଶା ବେଗମ କହିଥିଲେ ଯେ, ସେ କେବଳ ଗୋଟିଏ ରୁଟି ଏବଂ ନାଲି ଚା’ ପିଇ ସ୍କୁଲକୁ ଆସିଥିଲେ। ତାଙ୍କ ବାପା ଜଣେ ରାସ୍ତାକଡ଼ ଉଠାଦୋକାନୀ ଏବଂ ମା’ ଜଣେ ଗୃହିଣୀ।


































