“କିଛି ବର୍ଷ ପୂର୍ବେ ଯାହା ଥିଲା ସେପରି ସ୍ଥିତି ଆଉ ନାହିଁ । ଆଜିର ମହିଳାମାନେ ବର୍ତ୍ତମାନର ଗର୍ଭନିରୋଧକ ପଦ୍ଧତି ସମ୍ପର୍କରେ ଭଲ ଭାବେ ସଚେତନ ଓ ସୂଚୀତ ଅଛନ୍ତି,” କହିଥିଲେ ସାଲା ଖାତୁନ, ଯିଏକି ଇଟା ଓ ଚୂନରେ ନିର୍ମିତ ସୂର୍ଯ୍ୟାଲୋକ ପଡ଼ିଥିବା ଏକ ବାରଣ୍ଡାରେ ଛିଡ଼ା ହୋଇଥିଲେ, ଯାହାର କାନ୍ଥରେ ସମୁଦ୍ର-ନୀଳ ରଙ୍ଗ ଦିଆଯାଇଥିଲା ।
ସେ ନିଜ ଅଭିଜ୍ଞତାରୁ କହୁଥିଲେ-ଗତ ଏକ ଦଶନ୍ଧି ହେବ ସାଲା ଓ ତାଙ୍କ ପୁତୁରାଙ୍କ ପତ୍ନୀ ଶମା ପରବିନ୍ ବିହାର ମଧୁବନୀ ଜିଲ୍ଲାର ହସନପୁର ଗ୍ରାମର ମହିଳାମାନଙ୍କ ପାଇଁ ଅଣସରକାରୀ ମାନ୍ୟତାପ୍ରାପ୍ତ ପରିବାର ନିୟୋଜନ ଓ ଋତୁସ୍ରାବ ପରାମର୍ଶଦାତ୍ରୀ ଭାବେ କାର୍ଯ୍ୟ କରି ଆସୁଛନ୍ତି ।
ମହିଳାମାନେ ଅଧିକାଂଶ ସମୟରେ ସେମାନଙ୍କୁ ଗର୍ଭନିରୋଧକ, ଗର୍ଭଧାରଣରେ ବ୍ୟବଧାନ, ଟିକାକରଣର ସମୟ ଏବଂ ଅନ୍ୟାନ୍ୟ ବିଷୟରେ ପ୍ରଶ୍ନ ଓ ଅନୁରୋଧ କରିଥାନ୍ତି । ଆହୁରି କିଛି ମହିଳା ଆସି ଗୋପନୀୟ ଭାବେ ଇଞ୍ଜେକ୍ସନ ମାଧ୍ୟମରେ କୌଣସି ଗର୍ଭନିରୋଧକ ଗ୍ରହଣ କରିବା ପାଇଁ ଅନୁରୋଧ କରିଥାନ୍ତି ।
ଶମାଙ୍କ ଘରର ଗୋଟିଏ କୋଣରେ ଛୋଟିଆ ଗୁପ୍ତ କ୍ଲିନିକରେ, ଆଲମାରୀରେ ଔଷଧର ଛୋଟ ଶିଶି ଓ ଷ୍ଟ୍ରିପଗୁଡ଼ିକ ଥାଏ । ୪୦ ବର୍ଷୀୟା ଶମା ଏବଂ ୫୦ ବର୍ଷୀୟା ସାଲା, ସେମାନଙ୍କ ମଧ୍ୟରୁ କେହି ଜଣେ ମଧ୍ୟ ତାଲିମପ୍ରାପ୍ତ ନର୍ସ ନୁହନ୍ତି, କିନ୍ତୁ ମାଂସପେଶୀରେ ଇଞ୍ଜେକ୍ସନ ଦେଇଥାନ୍ତି। “ବେଳେବେଳେ ମହିଳାମାନେ ଏକୁଟିଆ ଆସିଥାନ୍ତି, ଇଞ୍ଜେକ୍ସନ ନେଇ ଶୀଘ୍ର ପଳାଇ ଯାଇଥାନ୍ତି । ସେମାନଙ୍କ ଘରେ କେହି କିଛି ଜାଣନ୍ତି ନାହିଁ”, ସାଲା କୁହନ୍ତି । “ଅନ୍ୟମାନେ ସେମାନଙ୍କ ସ୍ୱାମୀ କିମ୍ବା ଅନ୍ୟ ମହିଳା ସମ୍ପର୍କୀୟଙ୍କ ସହିତ ଆସିଥାନ୍ତି ।”
ଫୁଲପରାସ ବ୍ଲକ ସାଇନି ଗ୍ରାମ ପଞ୍ଚାୟତ ଅଧୀନ ହସନପୁର ଗ୍ରାମରେ ୨୫୦୦ ବାସିନ୍ଦା ରହିଥାନ୍ତି, ଏକ ଦଶନ୍ଧି ପୂର୍ବେ ଏମାନେ ପରିବାର ନିୟୋଜନ ପଦ୍ଧତି ସମ୍ପର୍କରେ ସେତେଟା ପରିଚିତ ନଥିଲେ, କିନ୍ତୁ ଏବେ ଏକ ନାଟକୀୟ ପରିବର୍ତ୍ତନ ଆସିଛି ।
ଏହି ପରିବର୍ତ୍ତନ କାହିଁକି ଆସିଛି? “ୟେ ଅନ୍ଦର କୀ ବାତ୍ ହୈ (ଏହା ଭିତିରି କଥା)”, ଶମା କୁହନ୍ତି।







