କୋଳାହଳ କରି ଆସେ ମଲ୍ଲୀଫୁଲ। ସବୁଦିନ ପ୍ରତ୍ୟୁଷରେ ମଦୁରାଇର ମାଟ୍ଟୁତାବାଣୀ ବଜାରରେ ବସ୍ତା ବସ୍ତା କରି ପହଞ୍ଚେ ମୋତି ସଦୃଶ ଏହି ଫୁଲକଢ଼। ଦୁମ୍ଦାମ୍ ଶବ୍ଦରେ ବାତାବରଣ ସରଗରମ ହୋଇଉଠେ। “ଭାଝି, ଭାଝି (ଚାଲ, ଚାଲ),” ଗଳାଫଟାଇ ପାଟି କରୁ କରୁ ଲୋକେ ପ୍ଲାଷ୍ଟିକ ଚାଦର ଉପରେ ଏହାକୁ ଅଜାଡ଼ି ଦିଅନ୍ତି। ଏହି କଅଁଳ ଫୁଲକୁ ଲୁହାର ତରାଜୁରେ ଲଦି ଓଜନ କରନ୍ତି ଫୁଲବିକାଳିମାନେ। ଝଣଝଣ ଶବ୍ଦ କରେ ନିକିତି। ଆଉ ଗୋଟିଏ କିଲୋ ଫୁଲକୁ ଗରାଖଙ୍କ ପ୍ଲାଷ୍ଟିକ୍ ବ୍ୟାଗ୍ରେ ଭରି ଦିଅନ୍ତି। କେହି ଜଣେ ଏଠି ଦର ପଚାରୁଥାାନ୍ତି ତ ସେଠି ଆଉ କେହି ଜଣେ ସେହି ଦରକୁ ଚିତ୍କାର କରି କହୁଥାଆନ୍ତି। ପାଦ ତଳେ ଚକଟି ହୋଇଯାଏ ଫୁଲଭର୍ତ୍ତି ତାରପୁଲିନ, ବାସିଫୁଲରୁ ପଚରପଚର ଶବ୍ବ ବାହାରେ, ଏଜେଣ୍ଟମାନେ କିଣାବିକାର ଗତି ଉପରେ ନଜର ରଖିଥାଆନ୍ତି, ହାତରେ ଧରିଥିବା ଛୋଟିଆ ନୋଟ୍ବୁକ୍ରେ ତରବର ହୋଇ କିଛି ଗାରେଇ ପକାନ୍ତି, ଆଉ କେହି ଜଣେ ଚିତ୍କାର କରି ଉଠନ୍ତି, “ମୋର ପାଞ୍ଚ କିଲୋ ଦରକାର...। ”
ମହିଳାମାନେ ବୁଲି ବୁଲି ସବୁଠାରୁ ଭଲ ଫୁଲ ଖୋଜି କିଣନ୍ତି। ସେମାନେ ଆଞ୍ଜୁଳାଏ ଫୁଲ ଉଠାନ୍ତି, ଏହାର ଗୁଣ ପରଖିଲା ପରେ ଆଙ୍ଗୁଠି ମେଲା କରି ସେଗୁଡ଼ିକୁ ତଳକୁ ପକାଇ ଦିଅନ୍ତି। ବର୍ଷାପାଣି ଭଳି ମଲ୍ଲୀ ତଳେ ପଡ଼େ। ଜଣେ ଫୁଲବିକାଳି ଗୋଟିଏ ଗୋଲାପ ଓ ଗେଣ୍ଡୁଫୁଲକୁ ଏକାଠି କରିଥିବା ବେଳେ କେଶରେ ଲାଗୁଥିବା ପିନ୍କୁ ଦାନ୍ତରେ ଚାପି ଧରିଥାଆନ୍ତି। ବାସ୍, ଦେଖୁ ଦେଖୁ ତାଙ୍କ ମୁଣ୍ଡରେ ଲାଗିଯାଏ ଏହି ଫୁଲ। ତା’ପରେ ସେ ନିଜ ଝୁଡ଼ିକୁ ଉଠାନ୍ତି- ଯେଉଁଥିରେ ଥାଏ ମଲ୍ଲୀ, ଗୋଲାପ, ଗେଣ୍ଡୁଫୁଲ। ଫୁଲଝୁଡ଼ିକୁ ମୁଣ୍ଡରେ ମୁଣ୍ଡାଇ ବଜାରର ଗହଳଚହଳ ଭିତର ଦେଇ ଆଗେଇ ଯାଆନ୍ତି।
ରାସ୍ତାକଡ଼ରେ, ଛୋଟିଆ ଛତାଟିର ଛାଇରେ ବସି ସେ ଫୁଲ ଗୁନ୍ଥିବାରେ ଲାଗନ୍ତି ଏବଂ ଗଣତି କରି ଏହାକୁ ବିକ୍ରି କରନ୍ତି। ସବୁଜ ରଙ୍ଗ ସୂତାର ଦୁଇ ପାଖରେ କଥା ମାନିଲା ଭଳି ବାହାର ପଟକୁ ମୁହଁ କରି ବସିଥାଆନ୍ତି ମଲ୍ଲୀକଢ଼ମାନେ, ଗୋଟି ଗୋଟି ପାଖୁଡ଼ାରେ ଭରିରହିଥାଏ ମଲ୍ଲୀର ସୁଗନ୍ଧ। ଏବଂ ଗଛରେ ହେଉ କି କାର୍ ଭିତରେ କିମ୍ବା ଭଗବାନଙ୍କ ଫଟୋଚିତ୍ର ଉପରେ ଲାଗିଥିବା ଲୁହାକଣ୍ଟାରେ, ଫୁଟିଲା ବେଳେ ଚଉଦିଗ ଚହଟାଇ ଝରିଆସେ ମଲ୍ଲୀର ବାସ୍ନା। ଆଉ ଶୁଣାଇଦିଏ, ମଦୁରାଇ ମଲ୍ଲୀର ଆଗମନ ବାର୍ତ୍ତା।
ତିନି ବର୍ଷ ଭିତରେ ମାଟ୍ଟୁତାବାଣୀ ବଜାରକୁ ତିନି ଥର ଯାଇଛି PARI ଟିମ୍। ପ୍ରଥମ ଗସ୍ତ ଥିଲା ୨୦୨୧ ସେପ୍ଟେମ୍ବରରେ, ପ୍ରଭୁ ଗଣେଶଙ୍କ ଜନ୍ମତିଥି ବିନାୟକ ଚତୁର୍ଥୀର ପୂର୍ବ ଦିନରେ। ତାହା ଥିଲା ଫୁଲ କାରବାର ଉପରେ ତ୍ୱରାନ୍ୱିତ ପାଠ୍ୟକ୍ରମ ସଦୃଶ। ସେ ସମୟରେ ଲାଗୁ ହୋଇଥିବା କୋଭିଡ୍ କଟକଣା ଯୋଗୁଁ ମାଟ୍ଟୁତାବାଣୀ ବସ୍ ଷ୍ଟାଣ୍ଡ ପଛପଟେ ବସୁଥିବା ଅସ୍ଥାୟୀ ଫୁଲବଜାରରେ ତାହା ସଂପନ୍ନ ହୋଇଥିଲା। ସେତେବେଳେ ସାମାଜିକ ଦୂରତା ବଜାୟ ରଖିବା ଉପରେ ଜୋର ଦିଆଯାଉଥିଲା। ତଥାପି, କୌଣସିମତେ ଏଥିରେ କିଛିଟା ଆବେଗ ଭରି ରହିଥିଲା।
ମୋର ପାଠପଢ଼ା ଆରମ୍ଭ କରିବା ପୂର୍ବରୁ ଦୃପ୍ତ କଣ୍ଠରେ ତାଙ୍କ ନାଁ ଘୋଷଣା କରନ୍ତି ମଦୁରାଇ ଫୁଲ ବଜାର ସଂଘର ସଭାପତି: “ମୋ ନାଁ ପୁକାଡ଼ାଇ ରାମଚନ୍ଦ୍ରନ୍। ଏବଂ ଏ ହେଉଛି ମୋର ବିଶ୍ୱବିଦ୍ୟାଳୟ।” ଫୁଲ ବଜାର ଉପରେ ହାତ ବୁଲାଇ ଆଣିବା ଢଙ୍ଗରେ ସେ କହନ୍ତି।






























