ପୁନମ୍ ରାନୀଙ୍କ କେଶକୁ ଦୁଇ ଭାଗରେ ବିଭକ୍ତ କରନ୍ତି, ତା’ପରେ ତେଲ ଲଗାନ୍ତି ଏବଂ ଏହାକୁ ଟାଣି ବେଣୀ କରନ୍ତି। କିନ୍ତୁ ସେ ଏହାକୁ ଏକ ରବର ବ୍ୟାଣ୍ଡରେ ବାନ୍ଧିବା ପୂର୍ବରୁ ପିଲାଟି ନିଜ ଭାଇଭଉଣୀ ଏବଂ ସାଙ୍ଗମାନଙ୍କ ସହିତ ଖେଳିବାକୁ ବାହାରକୁ ଦୌଡ଼ି ପଳାଏ। ପୁନମ୍ ଦେବୀ ରାତ୍ରି ପାଇଁ ରୋଷେଇ କରିବା ସମୟରେ ତାଙ୍କ ପିଲାମାନଙ୍କ ବିଷୟରେ କହନ୍ତି, “ଦୋସ୍ତ ସବ୍ କେଇବିତୈ, ସାଞ୍ଜ ହୋତେ ଘରସେ ଭାଗଯାଇ ଚାଇ ଖେଲଲେ[ସେମାନଙ୍କ ସାଙ୍ଗମାନେ ଆସିବା ମାତ୍ରେ ସେମାନେ ସମସ୍ତେ ସନ୍ଧ୍ୟାରେ ଖେଳିବାକୁ ଦୌଡ଼ନ୍ତି]।" ଆଠ ବର୍ଷର ରାନୀ ତାଙ୍କର ଦ୍ୱିତୀୟ ଝିଅ ।
ପୁନମଙ୍କର ତିନି ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି। କିନ୍ତୁ ତାଙ୍କର ଚାରି ପିଲାଙ୍କ ମଧ୍ୟରୁ ସବୁଠାରୁ ସାନ ତାଙ୍କ ପୁଅର ଜନ୍ମ ପ୍ରମାଣପତ୍ର ଅଛି। ସେ କୁହନ୍ତି, "ହମ୍ରା ଲାଗ ମେ ଏତେପାଇରହିତେ ତ ବନବାଇଲେତେୟେ ସବକେ [(ଯଦି ମୋ ପାଖରେ ଟଙ୍କା ଥାଆନ୍ତା, ତେବେ ମୁଁ ଅନ୍ୟ ତିନି ଜଣକ ପାଇଁ ଏହା ଆଣି ପାରିଥାନ୍ତି)]।
ବିହାରର ଗ୍ରାମାଞ୍ଚଳର ଅନେକ ଘର ପରି ତାଙ୍କ କଚ୍ଚା ଘର ଚାରିପଟେ ବାଉଁଶ ବାଡ଼ ରହିଛି । ଦୈନିକ ମଜୁରିଆ ଭାବରେ କାମ କରୁଥିବା ୩୮ ବର୍ଷୀୟ ମନୋଜଙ୍କୁ ବିବାହ କରି ସେ ବିହାରର ମଧୁବନୀ ଜିଲ୍ଲାର ବେନିପାଟୀ ବ୍ଲକର ଏକତାରା ଗ୍ରାମରେ ରୁହନ୍ତି। ମନୋଜ ପ୍ରାୟ ମାସକୁ ୬,୦୦୦ ଟଙ୍କା ରୋଜଗାର କରନ୍ତି।
ପୁନମ କୁହନ୍ତି, “ମୋତେ ବୟସ ବର୍ତ୍ତମାନ ୨୫ ବର୍ଷ ଏବଂ କିଛି ମାସ ହୋଇଛି (କାହାଣୀରେ ସମସ୍ତ ନାମ ପରିବର୍ତ୍ତନ କରାଯାଇଛି)। “ମୋର ଆଧାର କାର୍ଡ ମୋ ସ୍ୱାମୀଙ୍କ ପାଖରେ ଅଛି ଏବଂ ସେ ବର୍ତ୍ତମାନ ଘରେ ନାହାଁନ୍ତି। ମୁଁ ବିବାହ କରିବା ସମୟରେ ମୋର ବୟସ କେତେ ଥିଲା ତାହା ମୋର ଠିକରେ ମନେ ନାହିଁ। ଯଦି ସେ ବର୍ତ୍ତମାନ ୨୫ ବର୍ଷର, ବିବାହ ସମୟରେ ସେ ବୋଧହୁଏ ୧୪ ବର୍ଷ ବୟସର ହୋଇଥିଲେ।
ପୁନମଙ୍କର ସମସ୍ତ ପିଲାଙ୍କୁ ଘରେ ପ୍ରସବ କରାଯାଇଥିଲା। “ଧାଈ [ପାରମ୍ପରିକ ଜନ୍ମ ସେବିକା] ପ୍ରତ୍ୟେକ ଥର ସାହାଯ୍ୟ କରିଥିଲେ। ମନୋଜଙ୍କ ମାଉସୀ ୫୭ ବର୍ଷୀୟା ଶାନ୍ତି ଦେବୀ କୁହନ୍ତି ଯଦି ପରିସ୍ଥିତି ଗୁରୁତର ମନେହୁଏ ତେବେ ଆମେ ଡାକ୍ତରଖାନା ଯିବାକୁ ବିଚାର କରୁ।" ସେ ସେହି ମହୋଲାରେ ସେମାନଙ୍କ ଘର ନିକଟରେ ରୁହନ୍ତି ଏବଂ ପୁନମଙ୍କୁ ତାଙ୍କ ନିଜ ବୋହୂ ବୋଲି ଭାବନ୍ତି।







