ମାରୁତି ଭ୍ୟାନଟି ପୂରଣ ହୋଇସାରିଛି ଏବଂ ଗଡ଼ିବା ଲାଗି ପ୍ରସ୍ତୁତ ଅଛି। ଚାଷୀମାନେ ସବୁ କୋଣରେ ବସିଯାଇଛନ୍ତି, ଏପରିକି କିଛି ଲୋକ ପରସ୍ପରର ଗୋଡ଼ ଉପରେ ଗୋଡ଼ ପକାଇ ଲଗାଲଗି ହୋଇ ବସିଛନ୍ତି। ସେମାନଙ୍କର ବ୍ୟାଗ ଓ ଆଶାବାଡ଼ି ପଛସିଟ ଉପରେ ଥିବା ଏକ ଦସ୍ତାର ଥାକ ଉପରେ ଖୁନ୍ଦା ହୋଇଛି।
କିନ୍ତୁ ମଙ୍ଗଲ ଘଡ଼ଗେଙ୍କ ପାଖରେ ଥିବା ଗୋଟିଏ ସିଟ ସନ୍ଦେହଜନକ ଭାବେ ଖାଲି ରହିଛି। ସେଠାରେ ସେ କାହାକୁ ବସିବାକୁ ଦେଉନାହାନ୍ତି-ଏହା ‘ସଂରକ୍ଷିତ’ ଅଛି। ଏହାପରେ ମୀରାବାଇ ଲାଙ୍ଗେ ଭ୍ୟାନ ନିକଟକୁ ଆସୁଛନ୍ତି ଏବଂ ସେହି ଖାଲି ସ୍ଥାନରେ ବସିପଡ଼ି ନିଜର ଶାଢ଼ିକୁ ସଜାଡ଼ି ନେଉଛନ୍ତି, ତାଙ୍କୁ ଦେଖି ମଙ୍ଗଲ ନିଜ ବାହୁକୁ ତାଙ୍କ କାନ୍ଧ ଉପରେ ରଖୁଛନ୍ତି। ଫାଟକ ବନ୍ଦ ହେଉଛି ଏବଂ ମଙ୍ଗଲ ଡ୍ରାଇଭରଙ୍କୁ କହୁଛନ୍ତି, “ଚଲ୍ ରେ (ଚାଲ ଯିବା)।”
ଉଭୟ ମଙ୍ଗଲ (୫୩) ଏବଂ ମୀରାବାଇ (୬୫)ଙ୍କ ଘର ନାସିକର ଦିଣ୍ଡୋରି ତାଲୁକାର ଶିନ୍ଦୱାଡ ଗ୍ରାମର ନିବାସୀ। ତେବେ, ବହୁ ଦଶନ୍ଧି ଧରି ସେମାନେ ଗୋଟିଏ ଗ୍ରାମରେ ରହି ଆସୁଥିଲେ ସୁଦ୍ଧା ଗତ କିଛି ବର୍ଷ ହେବ ଦୁହିଁଙ୍କ ମଧ୍ୟରେ ସମ୍ପର୍କର ବନ୍ଧନ ସୁଦୃଢ଼ ହୋଇଛି। “ଆମେ ଗାଁରେ କାମ ଏବଂ ଘରକୁ ନେଇ ବ୍ୟସ୍ତ ରହିଥାଉ”, ମଙ୍ଗଲ କୁହନ୍ତି। “ଆନ୍ଦୋଳନସ୍ଥଳୀରେ, ଆମେ ଆଲୋଚନା କରିବାକୁ ଅଧିକ ସମୟ ପାଇଥାଉ।”
ମାର୍ଚ୍ଚ ୨୦୧୮ରେ ନାସିକରୁ ମୁମ୍ବାଇ ବାହାରିଥିବା ଲମ୍ବା କିଷାନ ପଦଯାତ୍ରାରେ ଦୁହେଁ ଏକାଠି ସାମିଲ ହୋଇଥିଲେ। କିଷାନ ମୁକ୍ତି ମୋର୍ଚ୍ଚା ପାଇଁ ନଭେମ୍ବର ୨୦୧୮ରେ ଉଭୟ ଦିଲ୍ଲୀ ଯାତ୍ରା କରିଥିଲେ। ଏବଂ ବର୍ତ୍ତମାନ, ସେମାନେ ଜଥା, ନାସିକରୁ ଦିଲ୍ଲୀ ବାହାରିଥିବା ଗାଡ଼ି ଶୋଭଯାତ୍ରାରେ ସାମିଲ ହୋଇଛନ୍ତି। ମୁଁ ଯେତେବେଳେ ଏହି ଆନ୍ଦୋଳନରେ କାହିଁକି ଯୋଗଦାନ କରିଛନ୍ତି ବୋଲି ତାଙ୍କୁ ପଚାରିଥିଲି, “ପୋଟା ସାଥି(ଆମର ପେଟ ପାଇଁ)”, ମଙ୍ଗଲ କହିଥିଲେ।
ଦିଲ୍ଲୀରେ, ଚଳିତ ବର୍ଷ ସେପ୍ଟେମ୍ବର ମାସରେ କେନ୍ଦ୍ର ସରକାର ଆଣିଥିବା ତିନୋଟି କୃଷି ଆଇନକୁ ବିରୋଧ କରି ଜାତୀୟ ରାଜଧାନୀ ସୀମାକୁ ଲାଗି ରହିଥିବା ତିନୋଟି ଭିନ୍ନ ଭିନ୍ନ ସ୍ଥାନରେ ଲକ୍ଷାଧିକ କୃଷକ ଆନ୍ଦୋଳନ ଚଳାଇଛନ୍ତି। ଆନ୍ଦୋଳନରତ ଚାଷୀଙ୍କୁ ସେମାନଙ୍କର ସମର୍ଥନ ଏବଂ ସହଯୋଗ ଯୋଗାଇ ଦେବା ଲାଗି, ଡିସେମ୍ବର ୨୧ ତାରିଖରେ ମହାରାଷ୍ଟ୍ରର ୨୦୦୦ ଚାଷୀ, ଏଠାରୁ ପାଖାପାଖି ୧୪୦୦କିମି ଦୂର ଦିଲ୍ଲୀକୁ ଜଥାରେ ଯିବା ଲାଗି ନାସିକଠାରେ ଏକତ୍ରିତ ହୋଇଥିଲେ। ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ସହ ଅନୁବନ୍ଧିତ ଅଲଇଣ୍ଡିଆ କିଷାନ ସଭା ଅଧୀନରେ ଏମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।
ମଙ୍ଗଲ ଓ ମୀରାବାଇ ହେଉଛନ୍ତି ଏହି ଉତ୍ସାହୀ ଆନ୍ଦୋଳନକାରୀମାନଙ୍କ ମଧ୍ୟରୁ ଅନ୍ୟତମ।





