“କରୋନା ମାତିବା ଦିନଠାରୁ କୋଚିଆ (ମଧ୍ୟସ୍ଥ) ଆମ ଗାଁକୁ ଆସିବା ବନ୍ଦ କରିଦେଇଛି,” ଯମୁନା ବାଇ ମାଣ୍ଡବୀ କହନ୍ତି । “ଗଲା ଥର, ତିନି ସପ୍ତାହ ତଳେ ସେ ଟୋକେଇ କିଣିବାକୁ ଆସିଥିଲା । ତେଣୁ ଆମେ ଆଉ କିଛି ବିକିପାରୁନାହୁଁ ଏବଂ କିଛି କିଣିବାକୁ ଆମ ପାଖରେ ପଇସା ନାହିଁ ।”
ଧମତରି ଜିଲ୍ଲା ଅନ୍ତର୍ଗତ ନାଗରି ବ୍ଲକ୍ର କୌହାବହରା ଗାଁ ବାସିନ୍ଦା ଯମୁନା ବାଇ ଜଣେ ବିଧବା ଏବଂ ଚାରିଟି ସନ୍ତାନର ମାଆ । ପ୍ରାୟ ୪୦ ବର୍ଷ ବୟସ୍କା ଯମୁନା ବାଇ, କମାର ସଂପ୍ରଦାୟର ଜଣେ ଆଦିବାସୀ । ଛତିଶଗଡ଼ର ଏହି ସଂପ୍ରଦାୟକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ଵାରା ବିଶେଷ ରୂପେ ଦୁର୍ବଳ ଜନଜାତି ଗୋଷ୍ଠୀ (PVTG) ରୂପେ ତାଲିକାଭୁକ୍ତ କରାଯାଇଛି । ଗାଁର ସେହି ଭାଗରେ ତାଙ୍କ ଭଳି ଆଉ ୩୬ଟି କମାର ପରିବାର ରହନ୍ତି । ତାଙ୍କ ଭଳି, ସେମାନେ ସମସ୍ତେ ଆଖପାଖକୁ ଘେରି ରହିଥିବା ଜଙ୍ଗଲରୁ ବାଉଁଶ ସଂଗ୍ରହ କରି, ଟୋକେଇ ବୁଣି ଗୁଜୁରାଣ ମେଣ୍ଟାନ୍ତି ।
ଯେଉଁ କୋଚିଆ କଥା ସେ କହୁଛନ୍ତି, ଯମୁନା ବାଇ ଏବଂ ଅନ୍ୟ ଟୋକେଇ ବୁଣାଳିଙ୍କ ପାଇଁ ସେ ଖୁବ୍ ଗୁରୁତ୍ଵପୂର୍ଣ୍ଣ । ସେମାନେ ହେଲେ ମଧ୍ୟସ୍ଥ, କିମ୍ବା ବେପାରୀ, ଯେଉଁମାନେକି ଟୋକେଇ କିଣିବାକୁ ପ୍ରତି ସପ୍ତାହରେ ଗାଁକୁ ଆସନ୍ତି ଏବଂ ସେଗୁଡ଼ିକୁ ନେଇ ବିଭିନ୍ନ ସହରର ବଜାରରେ ଏବଂ ଗାଁ ହାଟରେ ଖୁଚୁରା ଦରରେ ବିକ୍ରି କରନ୍ତି ।
ଖୁବ୍ ଶୀଘ୍ର, କୌହାବହରାକୁ ସେମାନଙ୍କ ଶେଷ ଗସ୍ତକୁ ମାସେ ପୂରିଯିବ– କୋଭିଡ୍-୧୯ ଲକ୍ଡାଉନ୍ ଆରମ୍ଭ ହେବା ପରଠାରୁ ସେମାନେ ଆସିନାହାନ୍ତି ।
ଯମୁନାଙ୍କର ଚାରିଟି ସନ୍ତାନ- ୧୨ ବର୍ଷର ଲାଲେଶ୍ଵରୀ, ଯିଏ କି ୫ମ ଶ୍ରେଣୀ ପରେ ସ୍କୁଲ ଛାଡ଼ି ଦେଇଛି, ୮ ବର୍ଷର ତୁଲେଶ୍ଵରୀ, ୬ ବର୍ଷର ଲୀଲା ଏବଂ ୪ ବର୍ଷର ଲକ୍ଷ୍ମୀ । ଚାରି ବର୍ଷ ତଳେ ତାଙ୍କ ସ୍ଵାମୀ ଶିୟାରାମଙ୍କର, ୪୦ ବର୍ଷରୁ ଅଧିକ ବୟସରେ, ଡାଇରିଆରେ ମୃତ୍ୟୁ ହୋଇଥିଲା । ବଞ୍ଚିବା ପାଇଁ ଅହରହ ସଂଘର୍ଷରତ ଯମୁନା ଓ ତାଙ୍କ ଚାରି ପିଲାଙ୍କୁ ଛାଡ଼ି ସେ ଚାଲିଯାଇଥିଲେ । କେବଳ ଟୋକେଇ ବିକ୍ରିରୁ ତାଙ୍କ ଆୟ ଉପରେ ନୁହେଁ, ଅନ୍ୟ ରୋଜଗାର ପନ୍ଥାକୁ ମଧ୍ୟ ଲକ୍ଡାଉନ୍ ପ୍ରଭାବିତ କରିଛି ।
ଜଙ୍ଗଲରେ ଏବେ ମହୁଲ ଫୁଲର (ଯେଉଁଥିରୁ ଦେଶୀ ମଦ ତିଆରି ହୁଏ) ଋତୁ–ଏଠାକାର ଆଦିବାସୀମାନଙ୍କର ଏକ ଉପାର୍ଜନ ପନ୍ଥା ଏବେ ଦୁଃସମୟ ଦେଇ ଗତି କରୁଛି।






