ହସହସ ମୁହଁରେ ଲୋକଙ୍କୁ ଅଭିବାଦନ ଜଣାଇ ଗାଁର ଗଳିକନ୍ଦି ବାଟରେ ତରତର ହୋଇ ଚାଲନ୍ତି ବୈଶାଳୀ ୟେଡ଼େ ଏବଂ ତାଙ୍କୁ ସମର୍ଥନ କରିବାକୁ ଅନୁରୋଧ କରନ୍ତି । “ମି ତମ୍ଚିଚ୍ ମୁଲ୍ଗି ଆହୋ” (ମୁଁ ଆପଣମାନଙ୍କର ଝିଅ), ହାତଯୋଡ଼ି ସ୍ଥାନୀୟ ବର୍ହାଡ଼ି ଭାଷାରେ ସେମାନଙ୍କୁ କହନ୍ତି ।
ଲୋକଙ୍କଠାରୁ ମିଳୁଥିବା ସମର୍ଥନ ତାଙ୍କୁ ଆନନ୍ଦିତ କରେ। କିନ୍ତୁ ତାଙ୍କ ଅନୁରୋଧ- “ମହ୍ୟାୱାର ଲକ୍ଷ ଅସୁଦ୍ୟା ଜୀ” (ମତେ ଆପଣଙ୍କ ପ୍ରାର୍ଥନା ଓ ଭାବନାରେ ରଖନ୍ତୁ), ଚାଷୀମାନଙ୍କ ବିଧବାମାନଙ୍କୁ ନ ଭୂଲିବା ପାଇଁ ଏକ ଆକୁଳ ଆବେଦନ ମଧ୍ୟ । ସେଥିରେ ଥାଏ ସ୍ୱାମୀମାନେ ଆତ୍ମହତ୍ୟା କରିବା ପରେ ସେମାନେ ଭୋଗୁଥିବା ମାନସିକ ଓ ଆର୍ଥିକ ଯନ୍ତ୍ରଣାର କଥା ।
ମଝିରେ ମଝିରେ ବୟସ୍କ ବ୍ୟକ୍ତିମାନଙ୍କର ପାଦ ଛୁଇଁବା ପାଇଁ ନଇଁ ଯାଆନ୍ତି ୨୮ ବର୍ଷୀୟା ବୈଶାଳୀ । କିଶୋରୀ ଓ ଯୁବତୀମାନଙ୍କ ସହିତ ହାତ ମିଳାନ୍ତି ଏବଂ ନଳକୂଅରୁ ପାଣି ନେଉଥିବା ମହିଳାମାନଙ୍କ ଆଡ଼କୁ ଚାହିଁ ହାତ ହଲାନ୍ତି । ତା’ପରେ ସେ ତାଙ୍କ ସହିତ ଥିବା ଛ’-ସାତଟି ସାଧାରଣ କାର୍ ମଧ୍ୟରୁ ଗୋଟିକ ଭିତରେ ବସି, ୪୨ ଡିଗ୍ରୀର ଅସହ୍ୟ ତାପମାନରେ ତାଙ୍କ ପ୍ରଚାର ଜାରି ରଖିବାକୁ ପରବର୍ତ୍ତୀ ଗାଁ ଅଭିମୁଖେ ଯାଆନ୍ତି ।
ବୈଶାଳୀ, ପୂର୍ବ ମହାରାଷ୍ଟ୍ରର ୟବତ୍ମାଲ-ୱାଶିମ୍ ନିର୍ବାଚନମଣ୍ଡଳୀରୁ ୨୦୧୯ ଲୋକସଭା ନିର୍ବାଚନ ଲଢୁଛନ୍ତି । ଏପ୍ରିଲ୍ ୧୧ରେ ଏଠାକାର ପ୍ରାୟ ୧୭.୫ ଲକ୍ଷ ଭୋଟ୍ଦାତା ଭୋଟ୍ ଦେବେ। ଅମରାବତୀ ଜିଲ୍ଲାର ଅଚଲପୁରର ସ୍ୱାଧୀନ ବିଧାୟକ ୪୮ ବର୍ଷୀୟ ଓମ୍ପ୍ରକାଶ (ବାଚ୍ଚୁ) କାଡୁଙ୍କ ନେତୃତ୍ୱାଧୀନ ପ୍ରହାର ଜନଶକ୍ତି ପକ୍ଷ ନାମକ ଏକ ସ୍ଥାନୀୟ ରାଜନୈତିକ ଦଳର ପ୍ରାର୍ଥୀ ବୈଶାଳୀ। ବିଦର୍ଭରେ ତାଙ୍କ ଦଳର ଲୋକପ୍ରିୟତା ଧୀରେ ଧୀରେ ବଢୁଛି ଏବଂ କୃଷକ ଓ କୃଷି ଶ୍ରମିକମାନଙ୍କର ସମସ୍ୟା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରୁଥିବାରୁ ଦଳର ପରିସର ମଧ୍ୟ ବଢୁଛି ।
କୃଷି କ୍ଷେତ୍ରରେ ସଂକଟ ଘନୀଭୂତ ହେବା ସହ ପ୍ରାୟ ଦୁଇ ଦଶନ୍ଧି ଧରି ବିଦର୍ଭରେ ଚାଷୀ ଆତ୍ମହତ୍ୟାର କେନ୍ଦ୍ରସ୍ଥଳ ରୂପେ ରହିଆସିଛି ୟବତ୍ମାଲ । ଋଣଭାର ବୃଦ୍ଧି, ରୋଜଗାର ହ୍ରାସ ଏବଂ ଏକ ସ୍ଥାଣୁ ଗ୍ରାମୀଣ ଅର୍ଥନୀତି ଭଳି ଅନେକ କାରଣରୁ ଶହ ଶହ କପା ଓ ସୋୟାବିନ୍ ଚାଷୀ ଏହି ଜିଲ୍ଲାରେ ଆତ୍ମହତ୍ୟା କରିଛନ୍ତି ।
ବୈଶାଳୀ କହନ୍ତି, “ଆଜି ଆମେ ରାଲେଗାଓଁ ସାରିଲୁ।’’ ‘‘କାଲି ୱାଶିମ୍ ଯିବୁ।” ସେ କହନ୍ତି ଯେ, ନିର୍ବାଚନମଣ୍ଡଳୀରେ ଥିବା ଆନୁମାନିକ ୨,୦୦୦ ଗାଁ ଏବଂ ସହର ବୁଲିବା ଅସମ୍ଭବ । ତେଣୁ ସେ ଅଳ୍ପ କେତେକ ସ୍ଥାନରେ ସାଧାରଣ ସଭା କରୁଛନ୍ତି ।
୨୦୦୯ ମସିହାରେ ସୁଧାକର ୟେଡ଼େଙ୍କୁ ବିବାହ କରିବା ବେଳେ ବୈଶାଳୀଙ୍କ ବୟସ ଥିଲା ପ୍ରାୟ ୧୮ ଏବଂ ସ୍ୱାମୀଙ୍କ ମୃତ୍ୟୁ ବେଳକୁ ତାଙ୍କୁ ୨୦ବର୍ଷ । ୟବତ୍ମାଲର କଲାମ୍ବ ତହସିଲ ଅନ୍ତର୍ଗତ ନିଜ ଗାଁ ଡୋଙ୍ଗରଖର୍ଡ଼ାରୁ ପ୍ରାୟ୨୦ କିଲୋମିଟର ଦୂର ସେହି ତହସିଲ ଅନ୍ତର୍ଗତ ରାଜୁର ଗାଁରେ ତାଙ୍କ ସ୍ୱାମୀଙ୍କର ତିନି ଏକର ଶୁଷ୍କ ଜମି ଥିଲା, ଯେଉଁଥିରେ ସେ ମୁଖ୍ୟତଃ କପା ଓ ସୋୟାବିନ୍ ଚାଷ କରୁଥିଲେ । ୨୦୧୧ ଅକ୍ଟୋବର ୨ ତାରିଖରେ ସେ ଆତ୍ମହତ୍ୟା କଲେ। ସେତେବେଳେ ବୈଶାଳୀ ତାଙ୍କ ବାପଘରେ ଥିଲେ। ତାଙ୍କର ଦ୍ୱିତୀୟ ସନ୍ତାନ ଜାହ୍ନବୀ ସେତେବେଳେ ଜନ୍ମ ହୋଇଥିଲା ଏବଂ ପୁଅ କୁନାଲକୁ ଦେଢ଼ ବର୍ଷ ହୋଇଥିଲା । ପଛକଥା ମନେ ପକାଇ ସେ କହନ୍ତି, “ସେଦିନ ସନ୍ଧ୍ୟାରେ ଖବର ମିଳିଲା ଯେ ମୋ ସ୍ୱାମୀ ବିଷ ପିଇ ମରିଯାଇଛନ୍ତି।’’ ‘‘ସେ ଏମିତି ଆମକୁ ଛାଡ଼ି ଚାଲିଗଲେ । ମୁଁ ବା ଆମ ପିଲାମାନଙ୍କ କଥା ଭାବିଲେନି ।” ବୈଶାଳୀ କହନ୍ତି ଯେ, କ’ଣ ପାଇଁ ସେ ନିଜ ଜୀବନ ନିଜେ ନେଲେ ତାହା ସ୍ପଷ୍ଟ ଭାବେ ଜଣାପଡ଼ିଲାନି । ସେ ଋଣ କରିଥିଲେ, ସେ ବର୍ଷ ଫସଲ ଉଜୁଡ଼ି ଯାଇଥିଲା.... ।
ଅନ୍ୟ ଶକ୍ତିଶାଳୀ ପ୍ରତିଯୋଗୀମାନେ: ଚାରି ଥର ସାଂସଦ ହୋଇଥିବା ଶିବ ସେନାର ଭାବନା ଗାୱଲି, ଏବଂ ମହାରାଷ୍ଟ୍ର ବିଧାନ ପରିଷଦର ଉପାଧ୍ୟକ୍ଷ, କଂଗ୍ରେସର ମାନିକ୍ରାଓ ଠାକ୍ରେ
ବୈଶୀଳୀଙ୍କୁ ମଇଦାନକୁ ଆଣି ଉଭୟ ୟବତ୍ମାଲ ଏବଂ ୱାଶିମ୍ର ଗ୍ରାମ ପଞ୍ଚାୟତ, ନଗର ପଞ୍ଚାୟତ ଏବଂ ଜିଲ୍ଲା ପରିଷଦରେ ସ୍ଥାନ ସୃଷ୍ଟି କରିବା ପାଇଁ ଦଳ ଲକ୍ଷ୍ୟ ରଖିଛି । ବୈଶାଳୀଙ୍କୁ ମିଳୁଥିବା ଭୋଟସଂଖ୍ୟା ଏବଂ ସେ ଭୋଟ୍ ପାଉଥିବା ବୁଥ୍ଗୁଡ଼ିକ ସୂଚାଇ ଦେବ ଯେ ଦଳକୁ ସମର୍ଥନ କରିବାକୁ ଲୋକେ ପ୍ରସ୍ତୁତ କି ନୁହଁ ଏବଂ ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳ କେଉଁମାନଙ୍କୁ ପ୍ରାର୍ଥୀ କରିବା ଉଚିତ ହେବ ।
ବୈଶାଳୀ କହନ୍ତି, “ମୁଁ ଏହା କରିବାକୁ ଚାହୁଁ ନଥିଲି ।’’ ‘‘କିନ୍ତୁ ଯେତେବେଳେ ବାଚ୍ଚୁ ବାବୁ ଆମକୁ କହିଲେ ଯେ ଚାଷୀଙ୍କ ଆତ୍ମହତ୍ୟା ବନ୍ଦ ହେଉନାହିଁ ଏବଂ ଚାଷୀମାନଙ୍କ ସମସ୍ୟା ଉଠାଇବା ଲାଗି ମତେ ନିର୍ବାଚନ ଲଢ଼ିବାକୁ ପଡ଼ିବ, ମୁଁ ଲଢ଼ିବାକୁ ସ୍ଥିର କଲି ।” ସେ କହନ୍ତି, “ରାଜନୀତି ପାଇଁ ମୁଁ ନିର୍ବାଚନରେ ଭାଗ ନେଉନାହିଁ, ବରଂ ସାମାଜିକ କାର୍ଯ୍ୟ ପାଇଁ ।”
ସଭା ଓ ଶୋଭାଯାତ୍ରା ସମୟର ତାଙ୍କ ଭାଷଣରେ, ଫସଲର ଉଚିତ ମୂଲ୍ୟ ଏବଂ ମହିଳା କୃଷି ଶ୍ରମିକମାନଙ୍କୁ ଉଚିତ ମଜୁରି ଏବଂ ଚାଷୀମାନଙ୍କ ବିଧବା ଓ ପରିବାର ସଂପର୍କିତ ସମସ୍ୟା ଉଠାଇବା ପାଇଁ ତାଙ୍କୁ ସଂସଦକୁ ପଠାଇବା ଲାଗି ବୈଶାଳୀ କୃଷକମାନଙ୍କୁ ନିବେଦନ କରନ୍ତି । ସେ କହନ୍ତି, ଏସବୁ ସମସ୍ୟା ସହିତ ରହିଛି ଚାଷୀ ସଂପ୍ରଦାୟର ମଦନିଶା ପ୍ରତି ଆସକ୍ତି । ତେଣୁ ୟବତ୍ମାଲରେ ମଦ ନିଷେଧ କରିବାକୁ ସେ ଚାହାଁନ୍ତି । ବୈଶାଳୀ କହନ୍ତି, ମହିଳାମାନଙ୍କୁ ଦୁଃଖକଷ୍ଟରୁ ଏବଂ ହିଂସାରୁ ରକ୍ଷା କରିବା ପାଇଁ ନିଶା ନିବାରଣ ଅତି ଗୁରୁତ୍ୱପୂର୍ଣ୍ଣ। ସେ କହନ୍ତି, ଯୌନ ଶୋଷଣର ଶିକାର ହୋଇ ପୁରୁଷଙ୍କ ଦ୍ୱାରା ପରିତ୍ୟକ୍ତା ଆଦିବାସୀ ଯୁବତୀମାନଙ୍କର (ସ୍ଥାନୀୟ ଅଞ୍ଚଳରେ ଏଭଳି ଅନେକ ଘଟଣାର ଅଭିଯୋଗ ହୋଇଛି) ଥଇଥାନ ବ୍ୟବସ୍ଥା ତାଙ୍କର ପ୍ରମୁଖ ପ୍ରାଥମିକତା ମଧ୍ୟରେ ରହିବ।
ଅନ୍ୟ ଶକ୍ତିଶାଳୀ ପ୍ରତିଯୋଗୀମାନେ: ଚାରି ଥର ସାଂସଦ ରହିଥିବା ଶିବ ସେନାର ଭାବନା ଗାୱଲି ପୁଣି ନିର୍ବାଚିତ ହେବାକୁ ଚାହୁଁଛନ୍ତି । ତାଙ୍କୁ ମୁଖ୍ୟତଃ ଟକ୍କର ଦେଉଛନ୍ତି ମହାରାଷ୍ଟ୍ର ବିଧାନ ପରିଷଦର ଉପାଧ୍ୟକ୍ଷ, କଂଗ୍ରେସ ପ୍ରାର୍ଥୀ ମାନିକ୍ରାଓ ଠାକ୍ରେ, ଯିଏ କି ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ମଧ୍ୟ ।
ଡୋଙ୍ଗରଖର୍ଡ଼ାରେ କିଛି ସମୟ ପାଇଁ ଅଟକିଥିବା ବେଳେ ସେଠାରେ ଏକାଠି ହୋଇଥିବା ଗାଁ ଲୋକଙ୍କୁ କାଡୁ କହନ୍ତି, “ଆପଣମାନେ ଏହି ବଡ଼ ବଡ଼ ନେତାଙ୍କୁ ଜିତାଇବେ ଏବଂ ସେମାନେ ଆପଣଙ୍କୁ ଭୁଲିଯିବେ।’’ ‘‘କିନ୍ତୁ ଆପଣମାନେ ଯଦି ଆପଣଙ୍କ ନିଜ ଝିଅ ପଛରେ ଠିଆ ହେବେ, ସେ ଆପଣମାନଙ୍କ ପାଇଁ ଦିନରାତି କାମ କରିବ ।”
ସକାଳେ ବୈଶାଳୀ ଜଣେ କୃଷି ଶ୍ରମିକ ଭାବେ ଏବଂ ଅପରାହ୍ଣରେ ରାଜୁଲ ଗାଁ ଅଙ୍ଗନବାଡ଼ିରେ ସହାୟିକା ଭାବେ କାମ କରନ୍ତି ଏବଂ ସନ୍ଧ୍ୟାରେ ଆଉ ଟିକେ ଅଧିକ ରୋଜଗାର ପାଇଁ ତାଙ୍କ ସିଲେଇ ମେସିନ୍ରେ ସିଲେଇ କରନ୍ତି । ମାସକୁ ମୋଟ ପ୍ରାୟ ୭,୦୦୦-୮,୦୦୦ ଟଙ୍କା ସେ ରୋଜଗାର କରନ୍ତି । ଆଜିକାଲି ତାଙ୍କୁ ସବୁଠୁଁ ବେଶୀ ସାହାଯ୍ୟ କରୁଥିବା ତାଙ୍କ ବଡ଼ଭାଇ ସଞ୍ଜୟ କହନ୍ତି, “ଗଲା ନ’ ବର୍ଷ କାଳ ଖୁବ୍ ସଂଘର୍ଷ କରିବାକୁ ପଡ଼ିଛି ।”
ରାଜୁର ଗାଁରେ ବୈଶାଳୀଙ୍କ ଶାଶୁଘର ଲୋକ, ୟେଡ଼େମାନଙ୍କର ବଡ଼ ପରିବାର। ମୋଟ ପ୍ରାୟ ୫୦ ଘର ବୋଲି କହନ୍ତି ତାଙ୍କ କକା ଶ୍ୱଶୁର ମାନିକ୍ ୟେଡ଼େ। ବୈଶାଳୀଙ୍କ ବାପାମାଆଙ୍କ ପରିବାର ଭୂମିହୀନ। ତାଙ୍କ ବାପା ମାନିକ୍ରାଓ ଧୋଟେ ଜଣେ ରାଜମିସ୍ତ୍ରୀ ଏବଂ ମାଆ ଚନ୍ଦ୍ରକଳା ଜଣେ କୃଷି ଶ୍ରମିକ। ସଞ୍ଜୟ ଓ ସାନଭାଇ ବିନୋଦ ବୁଲି ବୁଲି ଶ୍ରମିକ ଭାବେ କାମ କରନ୍ତି। ଡୋଙ୍ଗରଖର୍ଡ଼ାରେ ଧୋଟେଙ୍କର ଏକ ଛୋଟ ଭଙ୍ଗାଘରଟିଏ, ଯାହାକୁ ଦୁଇ ଭାଗ କରାଯାଇଛି । ଗୋଟିଏ ପଟେ ସଞ୍ଜୟ ତାଙ୍କ ସ୍ତ୍ରୀ ଓ ପୁଅ ଏବଂ ଅନ୍ୟ ପଟେ ବୈଶାଳୀଙ୍କ ବାପାମାଆ, ବିନୋଦ ଏବଂ ବୈଶାଳୀଙ୍କ ନଅ ବର୍ଷର ପୁଅ ରହନ୍ତି । ବୈଶାଳୀ ଓ ସ୍କୁଲ୍ରେ ପ୍ରଥମ ଶ୍ରେଣୀରେ ପଢୁଥିବା ତାଙ୍କ ଝିଅ, ତାଙ୍କ ଶାଶୁ ପଞ୍ଚଫୁଲା ଶେଶରାଓ ୟେଡ଼େଙ୍କ ସହ ରାଜୁରରେ ରହନ୍ତି ।
‘‘ବୈଶାଳୀକୁ ଜଣେ ପ୍ରାର୍ଥୀ ଭାବେ ଦେଖିବା ଆମ କଳ୍ପନା ବାହାରେ ଥିଲା”, ତାଙ୍କ ବାପା କହନ୍ତି, “ମୁଁ ନିଶ୍ଚିତ ଯେ ତାକୁ ଭଲ ଭୋଟ୍ ମିଳିବ; ଚାଷୀମାନେ ତାକୁ ଭୋଟ୍ ଦେବେ ।”
କିନ୍ତୁ ତାଙ୍କ ପ୍ରାର୍ଥିତ୍ୱ ଅନେକଙ୍କୁ ଅଡୁଆରେ ପକାଇଛି । “ମୋ ମନରେ ଅଜବ ଦ୍ୱନ୍ଦ୍ୱ”, ଡୋଙ୍ଗରଖର୍ଡାର ୩୦ ବର୍ଷୀୟ ସରପଞ୍ଚ ନିଶ୍ଚଳ ଠାକ୍ରେ କହନ୍ତି । ଭାବପ୍ରବଣ ହୋଇ ସେ ତାଙ୍କ ଗାଁ ଝିଅ ବୈଶାଳୀ ପାଇଁ ପ୍ରଚାର କରିବେ ନା ବ୍ୟାବହାରିକ ଭାବେ ରାସ୍ତାଘାଟ, ପାଣି ଯୋଗାଣ ଏବଂ ଜଳସେଚନ ସମେତ ଗାଁର ଉନ୍ନତି ସାଧନ ଉପରେ ଦୃଷ୍ଟି ଦେବେ। ସେ କହନ୍ତି, “କାରଣ ମୁଁ ଯେତେବେଳେ ପୁଣି ନିର୍ବାଚନ ଲଢ଼ିବି, ମୁଁ ମୋ ଗାଁ ପାଇଁ କଣ କରିଛି ବୋଲି ଗାଁ ଲୋକେ ପଚାରିବେ ।” ସେ ଇଙ୍ଗିତ କରନ୍ତି ଯେ, ପତିଆରା ଥିବା ପ୍ରାର୍ଥୀ ୟବତ୍ମାଲ-ୱାଶିମ ଲୋକସଭା ଆସନରୁ ଜିତିଯିବେ ଏବଂ ତାହା ହୁଏତ ଛଅ ମାସ ଭିତରେ ହେବାକୁ ଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ଏବଂ ପରେ ପରେ ପୌର ସଂସ୍ଥା ଓ ପଞ୍ଚାୟତ ପାଇଁ ହେବାକୁ ଥିବା ନିର୍ବାଚନକୁ ବି ପ୍ରଭାବିତ କରିବ । ସେ କହନ୍ତି, “ତମେ ଯଦି ସୁଅ ଅନୁସାରେ ଡଙ୍ଗା ବାହୁଛ,’’ ‘‘ଗାଁର ଉନ୍ନତି ସକାଶେ ପାଣ୍ଠି ପାଇବା ଆମ ପାଇଁ ସହଜ ହେବ ।”
ଠାକ୍ରେ ସ୍ଥାନୀୟ ବିଜେପି-ଶିବ ସେନା ନେତାଙ୍କର ପାଖଲୋକ । କିନ୍ତୁ ସେ ଏ କଥାକୁ ବି ଏଡ଼ାଇ ଯାଇପାରିବେନି ଯେ ବୈଶାଳୀ ମଧ୍ୟ ତାଙ୍କ ନିଜ କୁନ୍ବି ସଂପ୍ରଦାୟର ଉପଜାତି ଖୈରେ କୁନ୍ବିର, ଯାହା କି ୟବତମାଲ ଜିଲ୍ଲାର ଏହି ଭାଗର ସଂଖ୍ୟାଧିକ ସଂପ୍ରଦାୟ ।
ଧନୀ ଓ ସଂପନ୍ନ ବ୍ୟକ୍ତିଙ୍କ ଏହି ଲଢ଼େଇରେ, ବୈଶାଳୀଙ୍କ ପାଖରେ ନାଁ ଧନ ଅଛି ନା ବଳ । ସେ କହନ୍ତି, ନିର୍ବାଚନ ପରେ ତାଙ୍କୁ ହୁଏତ ତାଙ୍କର ସେହିସବୁଦିନିଆ ଶ୍ରମିକ ଜୀବନକୁ ଫେରିଆସିବାକୁ ପଡ଼ିବ । କିନ୍ତୁ ଏବେ ସେ ତାଙ୍କ ନିର୍ବାଚନମଣ୍ଣଳୀର ଲୋକଙ୍କ ପାଖରେ ପହଞ୍ଚିବାକୁ ସବୁ ପ୍ରକାର ଉଦ୍ୟମ କରୁଛନ୍ତି । ଚାଷୀ ସଂପ୍ରଦାୟରୁ କେହି ଜଣେ ସେମାନଙ୍କ ତରଫରୁ ନ କହିବା ପର୍ଯ୍ୟନ୍ତ ଚାଷୀମାନଙ୍କ ସମସ୍ୟାର ସମାଧାନ ହେବନାହିଁ । ସେ କହନ୍ତି, “ଚାଷୀ ଏବଂ ମହିଳାମାନଙ୍କ ସମସ୍ୟା ସଂପର୍କରେ ମୋଠୁ ଅଧିକ ଭଲ ଭାବେ କିଏ ବା ଜାଣିଛି ? ମୁଁ ଯଦି ନିର୍ବାଚିତ ହୁଏ, ସଂସଦରେ ମୋ ନିଜ ଲୋକଙ୍କ ସମସ୍ୟା କଥା ଉଠାଇବି ।”
ଅନୁବାଦ: ଓଡ଼ିଶାଲାଇଭ୍