“ପ୍ଲେଗ୍ (୧୯୯୪ର) ସମୟରେ ନୁହେଁ, ଚିକୁନଗୁନିୟା ପ୍ରାଦୁର୍ଭାବ (୨୦୦୬ର) ସମୟରେ ନୁହେଁ, ଏମିତି କି ଭୂମିକମ୍ପ (୧୯୯୩ର) ସମୟରେ ବି ନୁହେଁ, କୌଣସି ସମୟରେ ଏହି ମନ୍ଦିର ବନ୍ଦ ହୋଇନଥିଲା । ଇତିହାସରେ ପ୍ରଥମ ଥର ପାଇଁ ଆମେ ଏହି ସ୍ଥିତି ଦେଖୁଛୁ ।” ସ୍ପଷ୍ଟ ଭାବେ ଚିନ୍ତିତ ସ୍ଵରରେ ଏହା କହନ୍ତି ସଞ୍ଜୟ ପେଣ୍ଡେ । ମହାରାଷ୍ଟ୍ରର ତୁଲଜାପୁର ସହରରେ ଥିବା ତୁଲଜା ଭବାନୀ ଦେବୀଙ୍କ ମନ୍ଦିରର ମୁଖ୍ୟ ସେବକଙ୍କ ମଧ୍ୟରୁ ସେ ଜଣେ ।
କୋଭିଡ୍-୧୯ର ବ୍ୟାପ୍ତିକୁ ରୋକିବା ଲାଗି ମାର୍ଚ୍ଚ ୧୭ ତାରିଖରେ ସରକାର ଲକ୍ଡାଉନ୍ ଘୋଷଣା କରିବା ସହିତ ଭକ୍ତମାନଙ୍କ ପାଇଁ ମନ୍ଦିରର ଦ୍ଵାର ବନ୍ଦ ହୋଇଯାଇଥିଲା । ଏଠାକାର ଲୋକେ ଏହାକୁ ବିଶ୍ଵାସ କରିପାରୁନାହାନ୍ତି । ୩୮ ବର୍ଷ ବୟସ୍କ ପେଣ୍ଡେ କହନ୍ତି, “ଏଇଟା ପୁଣି କି ପ୍ରକାରର ରୋଗ ? ବାହାର ରାଜ୍ୟରୁ ଏଠାକୁ ଭକ୍ତମାନେ ଆସୁଛନ୍ତି । କିନ୍ତୁ ସେମାନଙ୍କୁ ମନ୍ଦିର ବାହାରେ ରହି ଦର୍ଶନରେ ସନ୍ତୁଷ୍ଟ ହେବାକୁ ପଡୁଛି । ତାହା ବି ପୋଲିସ ସହ ଝଗଡ଼ା କଲା ପରେ ।” ତାଙ୍କ ଉଦ୍ବେଗର ଏକ ବଡ଼ କାରଣ ହେଲା ଯେ ପ୍ରତି ଦିନ ସେ ୧୦-୧୫ଟି ସ୍ଵତନ୍ତ୍ର ପୂଜା କରି ଯାହା ରୋଜଗାର କରୁଥିଲେ ତାହା ବନ୍ଦ ହୋଇଯାଇଛି । ପେଣ୍ଡେଙ୍କ ଆକଳନ ଅନୁସାରେ, ତୁଲଜାପୁରରେ ମନ୍ଦିର ସଂପର୍କିତ କାର୍ଯ୍ୟକ୍ରମରୁ ଆୟ ଉପରେ ନିର୍ଭର କରି ଚଳୁଥିବା ୫,୦୦୦ରୁ ଅଧିକ ସେବାୟତ ଅଛନ୍ତି ।
ମରାଠୱାଡ଼ା ଅଞ୍ଚଳର ଓସମାନାବାଦ ଜିଲ୍ଲାରେ ଅବସ୍ଥିତ ୩୪,୦୦୦ ଲୋକଙ୍କର (୨୦୧୧ ଜନଗଣନା ଅନୁସାରେ) ଏହି ସହରର ଅର୍ଥବ୍ୟବସ୍ଥା ଏକ ପାହାଡ଼ ଉପରେ ଥିବା ଏହି ମନ୍ଦିର ଉପରେ ନିର୍ଭର କରେ । ୧୨ଶ ଶତାବ୍ଦୀରେ ଏହି ମନ୍ଦିର ନିର୍ମିତ ହୋଇଥିଲା ବୋଲି ବିଶ୍ଵାସ କରାଯାଏ । ମହାରାଷ୍ଟ୍ର ଏବଂ ଅନ୍ୟାନ୍ୟ ରାଜ୍ୟର ବହୁ ଲୋକଙ୍କ ପାଇଁ ଦେବୀ ତୁଲଜା ଭବାନୀ ସେମାନଙ୍କ ପରିବାରର ଇଷ୍ଟଦେବୀ ଏବଂ ରାଜ୍ୟ ଭିତରର ଏକ ତୀର୍ଥଯାତ୍ରା ପଥରେ ଅବସ୍ଥିତ ଏହି ମନ୍ଦିରଟି ଦେବୀଙ୍କର ଅନ୍ୟତମ ମୁଖ୍ୟ ମନ୍ଦିର ।









