ସେ ଫୁଟପାଥ୍ରେ ଖାଲି ହାତରେ ଛିଡ଼ା ହୋଇଥିଲା । ଦୁଃଖର ପାହାଡ଼ ଚାରି ପଟୁ ତା’କୁ ଘେରି ରହିଥିଲା । ଏହାର କବଳରୁ ମୁକ୍ତି ପାଇବାର ଆଶା ସେ ଛାଡ଼ି ଦେଇଥିଲା । ତା’ର କେତେ କ୍ଷତି ହୋଇଛି, ସେ ହିସାବ ମଧ୍ୟ ସେ କରୁନଥିଲା, କାରଣ ଏବେ ସବୁକିଛି ତା’ ନିୟନ୍ତ୍ରଣ ବାହାରେ ଥିଲା। ଅବିଶ୍ୱାସ, ଭୟ, କ୍ରୋଧ, ନିରାଶା ଏବଂ ସ୍ତବ୍ଧତା- ଏସବୁ ଭାବନା କିଛି ମିନିଟ୍ ମଧ୍ୟରେ ତା’ ମନକୁ ଛୁଇଁ ଚାଲି ଯାଇଥିଲେ। ଏବେ ସେ ସଡ଼କର ଦୁଇ ପାଖରେ ଛିଡ଼ା ହୋଇ ଚୁପଚାପ ତମାସା ଦେଖୁଥିବା ଲୋକଙ୍କ ଭଳି ଛିଡ଼ା ହୋଇଥିଲା। ଆଖିର ଲୁହ ବରଫ ଭଳି ଜମି ଯାଇଥିଲା ଏବଂ କଣ୍ଠ ଯନ୍ତ୍ରଣାରେ ରୁନ୍ଧି ହୋଇଯାଉଥିଲା। ତା’ ଜୀବନକୁ ବୁଲଡୋଜର ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରି ଦେଇଥିଲା। ଏମିତିରେ ଦଙ୍ଗା ଜନିତ ଘା’ ଏବେ ସୁଦ୍ଧା ଶୁଖି ନାହିଁ ।
ନଜମା ଜାଣିଥିଲା ଯେ ଏବେ ସମୟ ବଦଳୁଛି । କିଛିଦିନ ହେବ ତା’ର ପଡ଼ୋଶୀ ରଶ୍ମୀଙ୍କ ମନୋଭାବ ବଦଳି ଯାଇଥିଲା । ଏକଥା ସେ ସେତିକିବେଳେ ଅନୁଭବ କରିଥିଲା, ଯେତେବେଳେ ସେ ଦହି ବସାଇବା ପାଇଁ କିଛି ଖଟା ମାଗିବାକୁ ଯାଇଥିଲା। ଏହି ପରିବର୍ତ୍ତନ କେବଳ ସେତିକିରେ ସୀମିତ ନଥିଲା । ଏହା ତା’ ପାଇଁ କେବଳ ଏକ ଦୁଃସ୍ଵପ୍ନ ନଥିଲା, ଯାହା କିଛିଦିନ ପରେ ଚାଲିଯିବ। ଶାହୀନ ବାଗର ମହିଳାମାନଙ୍କ ଆନ୍ଦୋଳନରେ ଯୋଡ଼ି ହେବା ପରଠାରୁ ସେ ଏହି ସ୍ଵପ୍ନ ଲଗାତାର ଦେଖି ଆସୁଥିଲା। ସେବେଠାରୁ ସେ ନିଜକୁ ଏକ ଗଭୀର ଗର୍ତ୍ତ ଭିତରେ ଏକାକୀ ପଡ଼ିଯାଇଥିବା ଭଳି ଅନୁଭବ କରୁଥିଲା। ତା’ ଭିତରେ ମଧ୍ୟ ଏକ ପରିବର୍ତ୍ତନ ଆସିଥିଲା, ବିଭିନ୍ନ କଥାକୁ, ନିଜକୁ ଏବଂ ନିଜ ଝିଅମାନଙ୍କୁ ସେ ପରିବର୍ତ୍ତିତ ଦୃଷ୍ଟିକୋଣରୁ ଦେଖୁଥିଲା। ତା’ ମନ ଭିତରେ ଏକ ଭୟ ବସା ବାନ୍ଧି ନେଇଥିଲା।
ଏକଥା ଭିନ୍ନ ଯେ ନିଜ ଆପଣାର ଜିନିଷ ସବୁ ହରାଇବାର ଅନୁଭବ ତା’ ପରିବାର ପାଇଁ ନୂଆ ନଥିଲା। ସେ ଜାଣିଥିଲା ଯେ ତା’ର ଜେଜେ ମା’ ମଧ୍ୟ ଏହି କଷ୍ଟକୁ ଅନୁଭବ କରିଛି, ଯାହାକି ସାମ୍ପ୍ରଦାୟିକ ଦଙ୍ଗାକାରୀଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ଘୃଣା ଯୋଗୁ ଉତ୍ପନ୍ନ ହୋଇଥିଲା। ଛୋଟିଆ ଆଙ୍ଗୁଠି ତା’ର ଚୁନ୍ନି (କାନି) କୁ ଛୁଇଁ ଯାଇଥିଲା। ପଛକୁ ବୁଲି ଚାହିଁବାରୁ ସେ ଦେଖିଲା ଯେ ନିରୀହ ହସ ହସ ମୁହଁରେ କେହି ତା’ର ସ୍ୱାଗତ କରୁଥିଲା। ସେତିକି ବେଳେ ପୁଣିଥରେ ତା’ ମନରେ ଆଶାର ଫୁଲ ଖେଳି ଉଠିଲା।


