ରାୟପୁରରୁ ସୋନାଖାନ୍ ନିକଟସ୍ଥ ପିଥୋରା ପର୍ଯ୍ୟନ୍ତ ଯିବାପାଇଁ ସଡକ ପଥରେ ଦୁଇ ଘଣ୍ଟା ସମୟ ଲାଗେ। କିନ୍ତୁ ଗାଁରେ ପହଞ୍ଚିବା ପାଇଁ ବାକି ୩୦ କିମି ଯିବାକୁ ଦୁଇ ଘଣ୍ଟାରୁ ଅଧିକ ସମୟ ଲାଗିଯାଏ। ଜୟସିଂହ ପାଇକରା କହନ୍ତି, “ଗାଁରେ କେହି ଗୁରୁତର ଅସୁସ୍ଥ ହେଲେ, ଆମକୁ ଡାକ୍ତରୀ ଚିକିତ୍ସା ପାଇଁ ଜଙ୍ଗଲ ରାସ୍ତାରେ ପ୍ରାୟ ୩୫ କିମି ଦୂରକୁ ବୋହି ନେବାକୁ ପଡେ। ”
‘କିନ୍ତୁ ଅର୍ଜ୍ଜୁନ ସିଂହଙ୍କ ହସ୍ପିଟାଲର କ’ଣ ହେଲା?’ ଉତ୍ତର ଦେଲେ ପାଇକରା, “୧୩ ବର୍ଷ ତଳେ ଏ ଡାକ୍ତରଖାନା ଆରମ୍ଭ ହେବାପରଠାରୁ କେବେ କୌଣସି ଡାକ୍ତରଙ୍କୁ ଦେଖିବାକୁ ମିଳିନାହିଁ। ” ସେଠାରେ ଜଣେ କମ୍ପାଉଣ୍ଡର ଅଛନ୍ତି ଯିଏ କେବଳ ପ୍ରେସକ୍ରିପସନ୍ ଲେଖିଦିଅନ୍ତି। କିନ୍ତୁ ଔଷଧକୁ ବାହାରୁ କିଣିବାକୁ ପଡ଼ିଥାଏ।
ତା’ହେଲେ ସେ “ବଡ଼ଲୋକ”ମାନେ ଏଠାକୁ ଆସିବାର କାରଣ କ’ଣ? ପ୍ରକୃତରେ ସେମାନେ କ’ଣ କଲେ?
ପାଇକରା କହିଲେ, “ପ୍ରତିଥର ସେମାନେ ସମାନ କଥା ପାଇଁ ଆସନ୍ତି। ସେମାନେ ନାରାୟଣ ସିଂହହଙ୍କ ସମ୍ପର୍କରେ ଭାଷଣ ଦିଅନ୍ତି ଏବଂ କେବଳ ଗୋଟିଏ ପରିବାରକୁ, ତାଙ୍କର ଉତ୍ତରାଧିକାରୀଙ୍କୁ ଟଙ୍କା ଓ ଉପହାର ଦିଅନ୍ତି। ଆମେ କିନ୍ତୁ ସେ ଉତ୍ତରାଧିକାରୀଙ୍କୁ କେବେ ଦେଖିନାହୁଁ। ”
ଚରଣ ସିଂହ କହିଲେ, “ସେମାନେ କେବେହେଲେ ଏଠି ରହିନାହାନ୍ତି, ସେମାନେ ନିଜକୁ ନାରାୟଣ ସିଂହଙ୍କ ଉତ୍ତରାଧିକାରୀ ବୋଲି କୁହନ୍ତି, କିନ୍ତୁ ପ୍ରକୃତରେ ସେମାନେ ନାରାୟଣ ସିଂହଙ୍କ ଉତ୍ତରାଧିକାରୀ କି ନୁହେଁ କିଏ ଜାଣେ। ଏମିତିକି ସେମାନେ ଗ୍ରାମଦେବତୀଙ୍କ ମନ୍ଦିରରେ ପୂଜା ବି କରନ୍ତି ନାହିାଁ”
“ତଥାପି ସେମାନେ ସବୁକିଛି ଉପଭୋଗ କରୁଛନ୍ତି” କହିଲେ ପାଇକରା
ମଧ୍ୟପ୍ରଦେଶର ସ୍ୱାଧୀନତା ସଂଗ୍ରାମୀଙ୍କୁ ନେଇ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ସରକାରୀ ତାଲିକା ଅନେକ ସନେ୍ଦହଜନକ। ବ୍ରିଟିଶଙ୍କ ସହ ଲଢେଇରେ ବହୁ ଆଦିବାସୀ ନିଜ ଜୀବନ ଦେଇଥିଲେ। କିନ୍ତୁ ସେହି ତାଲିକାରେ ଆଦିବାସୀଙ୍କ ନାମ ପାଇବା ଅସମ୍ଭବ। ଛତିଶଗଡ ଓ ବସ୍ତରରେ ବି ସ୍ଥିତି ସମାନ। ଯେହେତୁ ଇତିହାସ ବିଜେତାଙ୍କ ଦ୍ୱାରା ଲିଖିତ, ତେଣୁ ଏ ଆଦିବାସୀଙ୍କ ସ୍ଥାନରେ ମିର୍ଧା, ଶୁକ୍ଲା, ଅଗ୍ରୱାଲ୍, ଗୁପ୍ତା ଓ ଦୁବେ ମାନଙ୍କୁ ଇତିହାସରେ ସ୍ଥାନ ମିଳିଛି।
ଅଶୀ ଦଶକର ମଧ୍ୟ ଭାଗରେ, ମଧ୍ୟପ୍ରଦେଶର ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଅର୍ଜୁନ ସିଂ, ତାଙ୍କର ଦୁଇ ଜଣ ମୁଖ୍ୟ ବିରୋଧୀ ଶୁକ୍ଲା ଭ୍ରାତାଙ୍କୁ ରାସ୍ତାରୁ ହଟାଇବାକୁ ଚାହୁଁଥିଲେ। ଏମାନଙ୍କ ମଧ୍ୟରୁ ଜଣେ ଥିଲେ ରାଜ୍ୟର ତିନି ଥର ମୁଖ୍ୟମନ୍ତ୍ରୀ ହୋଇଥିବା ଶ୍ୟାମାଚରଣ ଶୁକ୍ଲା ଓ ଅନ୍ୟଜଣେ ହେଲେ ବହୁଥର କେନ୍ଦ୍ରମନ୍ତ୍ରୀ ହୋଇଥିବା ବିଦ୍ୟାଚରଣ ଶୁକ୍ଲା। ଛତିଶଗଡ ସେମାନଙ୍କର ଶେଷ ଲକ୍ଷ୍ୟ ଥିଲା ଓ ରହିଆସିଛି। ରାଜ୍ୟ କଂଗ୍ରେସରେ ନିଜର ପ୍ରଭୂତ୍ୱ ବଜାୟ ରଖିବା ପାଇଁ ସେମାନଙ୍କୁ ଟାର୍ଗେଟ୍ କରିଥିଲେ ଅର୍ଜୁନ ସିଂ। ଏବଂ ଏଥିପାଇଁ ବୀର ନାରାୟଣ ସିଂହଙ୍କୁ ସହଯୋଗୀ ଭାବେ ବାଛିଥିଲେ।
ଯଦିଓ ଇତିହାସ ପୁସ୍ତକରେ ନାରାୟଣ ସିଂହଙ୍କ ବାବଦରେ ଉଲ୍ଲେଖ ନାହିଁ, ତଥାପି ତାଙ୍କ ଅଞ୍ଚଳର ଲୋକମାନଙ୍କ ପାଇଁ ସେ ଜଣେ ପ୍ରକୃତ ନାୟକ। ତେବେ ବର୍ତ୍ତମାନ ରାଜ୍ୟ ସରକାର ତାଙ୍କୁ ମାନ୍ୟତା ଦେଇଛନ୍ତି।
ବୀର ନାରାୟଣ ସିଂହଙ୍କ ଅଭୁ୍ୟତ୍ଥାନ ଫଳରେ ଶୁକ୍ଲା ମାନଙ୍କର ପ୍ରତିପତ୍ତି କମିଲା। ତେବେ ଛତିଶଗଡର ପ୍ରକୃତ ନାୟକ କିଏ ? ଆଦିବାସୀ ନେତା ? ନା ସମ୍ଭ୍ରାନ୍ତ ଶୁକ୍ଲା ? ଛତିଶଗଡର ମହାନ ପରମ୍ପରା କାହା ସହ ସମ୍ପୃକ୍ତ? ସମସାମୟିକ ରାଜନୈତିକ ଯୁଦ୍ଧ ଭିତରେ ଏବେ ଇତିହାସ କୁଆଡେ ଲୁଚିଯାଇଛି। ବୀର ନାରାୟଣ ସିଂହଙ୍କୁ ଦେବତା ତୁଲ୍ୟ ସ୍ଥାନ ଦେଇ ଅର୍ଜୁନ ସିଂ ଶୁକ୍ଲା ମାନଙ୍କ ବିପକ୍ଷରେ ନିଜକୁ ଆଦିବାସୀଙ୍କ ପକ୍ଷଭୁକ୍ତ କରିନେଇଥିଲେ।
ରାଜ୍ୟ ପ୍ରଶାସନ ନାରାୟଣ ସିଂହଙ୍କୁ ଏକ ନୂଆ ରୂପରେ ଉପସ୍ଥାପନ କରୁଥିଲା, ଏହାର କେତେକ ସକାରାତ୍ମକ ପ୍ରଭାବ ବି ଥିଲା। ଶେଷରେ ଯଥୋଚିତ ସମ୍ମାନ ପାଇ ନଥିବା ଜଣେ ନାୟକଙ୍କୁ ତାଙ୍କର ପ୍ରକୃତ ସ୍ଥାନ ମିଳିଲା, ଏହାକୁ କେହି ଅସ୍ୱୀକାର କରିପାରିବେ ନାହିଁ। କିନ୍ତୁ ସେ ଉଦ୍ଦେଶ୍ୟଗୁଡିକ ପଛରେ ନିର୍ଦ୍ଦିଷ୍ଟ ତର୍କ ରହିଥିଲା। ସୋନାଖାନରେ ନିଜର ଉତ୍ତରାଧିକାର ସାବ୍ୟସ୍ତ କରିବାକୁ ନେତାମାନଙ୍କ ଭିତରେ ଚାଲିଥିଲା ପ୍ରତିଯୋଗିତା। ଡାକ୍ତରଖାନା ଓ ଅନ୍ୟାନ୍ୟ ଅଟ୍ଟାଳିକା ଉଦଘାଟନ କରାଗଲା। କିନ୍ତୁ ସେଗୁଡିକ କେବେ ବି କାର୍ଯ୍ୟକ୍ଷମ ହୋଇନାହିଁ। ନିଯୁକ୍ତି ଓ ସହାୟତା ଘୋଷଣା ହୋଇଥିଲା। ବୀର ନାରାୟଣ ସିଂହଙ୍କ ନାମରେ ଜଳଭଣ୍ଡାର ଓ ବଗିଚାର ନାମକରଣ କରାଯାଇଥିଲା।
କିନ୍ତୁ ଗ୍ରାମବାସୀ ଅଭିଯୋଗ କରନ୍ତି, ଏସବୁ ଦ୍ୱାରା କେବଳ ଗୋଟିଏ ପରିବାର ଉପକୃତ ହୋଇଛନ୍ତି।
ଯଦିଓ ଅନ୍ୟ ଅଞ୍ଚଳ ଗୁଡିକରେ ନାରାୟଣ ସିଂହଙ୍କ ନାଁର ପ୍ରତିଷ୍ଠା ଥିଲା, କିନ୍ତୁ ତାଙ୍କ ନିଜ ଗାଁରେ ଏହା ନିମ୍ନଗାମୀ ହୋଇଥିଲା। କେବଳ ଗୋଟିଏ ପରିବାରର ଲାଭକୁ ସୋନାଖାନବାସୀ ବିରୋଧ କରୁଥିଲେ।
ବୀର ନାରାୟଣ ସିଂହ ଯେଉଁ ରାଜନୈତିକ ବିରୋଧର ପ୍ରତୀକ ଥିଲେ, ସେସବୁ କୁଆଡେ ହଜିଯାଇଥିଲା। ଚାଟୁକାରିତାର ରାଜନୀତି ବିଜୟ ଲାଭ କରିଥିଲା। ସମ୍ଭ୍ରାନ୍ତ ମାନଙ୍କର ଚକ୍ରାନ୍ତ ଭିତରେ ଜଣେ ପ୍ରକୃତ ପାରମ୍ପରିକ ନାୟକଙ୍କର ପରିଚୟ ଲୁପ୍ତ ହୋଇଗଲା। ସେ ଯେଉଁ ଐକ୍ୟ ପାଇଁ ଲଢେଇ କରିଥିଲେ, ତାହା କୁଆଡେ, ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା। ଅଶୀ ଦଶକ ଆରମ୍ଭ ହୋଇସାରିଥିଲା।
ଆମ ରହଣିର ଶେଷ ବେଳକୁ ଗ୍ରାମବାସୀମାନେ ନରମ ହୋଇସାରିଥିଲେ। ସେମାନଙ୍କର କ୍ରୋଧର କାରଣ ବି ଯୁକ୍ତିଯୁକ୍ତ ଥିଲା। ବିଜୟ ପାଇକରା କହିଲେ, “ନାରାୟଣ ସିଂହ ପ୍ରକୃତରେ ଜଣେ ଭଲ ଲୋକ ଥିଲେ, କିନ୍ତୁ ସେତେବେଳେ ସେ ଆମ ସମସ୍ତଙ୍କ ପାଇଁ ଲଢେଇ କରିଥିଲେ, କେବଳ ତାଙ୍କ ପରିବାର ପାଇଁ ନୁହେଁ, ସେ ନିସ୍ୱାର୍ଥପର ଥିଲେ। ତେବେ କେବଳ ଗୋଟିଏ ପରିବାର କାହିଁକି ଉପକୃତ ହେବ?”