ରାଧାଙ୍କ ସାହସର ପରିଣାମ ତାଙ୍କ ପୋଷା କୁକୁରମାନଙ୍କୁ ଭୋଗିବାକୁ ପଡ଼ିଲା। ପ୍ରଥମ କୁକୁରର ମୁଣ୍ଡ କାଟ କରାଗଲା, ଦ୍ୱିତୀୟଟିକୁ ବିଷ ଦେଇ ମାରି ଦିଆଗଲା, ତୃତୀୟଟି ନିଖୋଜ ହୋଇଗଲା ଏବଂ ଚତୁର୍ଥ କୁକୁରକୁ ତାଙ୍କ ଉପସ୍ଥିତିରେ ହିଁ ମାରି ଦିଆଗଲା। ସେ କୁହନ୍ତି, “ମୋ ଗ୍ରାମର ଚାରି ଜଣ ପ୍ରଭାବଶାଳୀ ବ୍ୟକ୍ତି ମୋ ସହିତ ଯାହା କଲେ, ସେଥିପାଇଁ ସେମାନେ ଜେଲରେ ଅଛନ୍ତି। ମୁଁ ବଳାତ୍କାର ମାମଲା ପ୍ରତ୍ୟାହାର ନକରିବା ଯୋଗୁଁ ସେମାନେ ମୋତେ ଘୃଣା କରିଥାନ୍ତି।”
ପ୍ରାୟ ଛଅ ବର୍ଷ ତଳର କଥା, ଚାରି ଜଣ ବ୍ୟକ୍ତି ରାଧା (ଛଦ୍ମନାମ) ଙ୍କୁ ଗଣବଳାତ୍କାର କରିଥିଲେ। ବୀଡ୍ ଜିଲ୍ଲାରେ ଥିବା ନିଜ ଗାଁ ଠାରୁ ପ୍ରାୟ ୧୦୦ କିଲୋମିଟର ଦୂର ବୀଡ୍ ସହରକୁ ଯାଉଥିବା ସମୟରେ ବୀଡ୍ ଜିଲ୍ଲାର ଏକ ଘରୋଇ ଗାଡ଼ିର ଚାଳକ ତାଙ୍କୁ ଲିଫ୍ଟ ଦେବା ବାହାନାରେ ଅପହରଣ କରି ନେଇଥିଲା। ଏହାପରେ ସେ ଓ ତା’ର ତିନି ଜଣ ସାଙ୍ଗ ମିଶି ରାଧାଙ୍କୁ ବଳାତ୍କାର କରିଥିଲେ। ସମସ୍ତ ଅଭିଯୁକ୍ତମାନେ ସେହି ଗୋଟିଏ ଗାଁର ଥିଲେ।
୪୦ ବର୍ଷୀୟା ରାଧା ନିଜ ସହ ହୋଇଥିବା ଏହି ଘୃଣ୍ୟ ଅପରାଧ ବିଷୟରେ ସ୍ମରଣ କରି କୁହନ୍ତି, “ଏହି ଘଟଣାର କିଛିଦିନ ପର୍ଯ୍ୟନ୍ତ ମୁଁ ଅତ୍ୟନ୍ତ ବ୍ୟଥିତ ଥିଲି। ଆଇନ ମାଧ୍ୟମରେ ସେମାନଙ୍କୁ ଦଣ୍ଡ ଦେବା ଲାଗି ମୁଁ ନିଷ୍ପତ୍ତି ନେଲି, ତେଣୁ ମୁଁ ପୁଲିସରେ ଏକ ଅଭିଯୋଗ କଲି।”
ତାଙ୍କ ପ୍ରତି ହୋଇଥିବା ଏହି ହିଂସାତ୍ମକ ଆକ୍ରମଣ ସମୟରେ, ରାଧା ନିଜ ସ୍ୱାମୀ ଓ ପିଲାମାନଙ୍କ ସହିତ ବୀଡ୍ ସହରରେ ରହୁଥିଲେ। ସେ କୁହନ୍ତି, “ମୋର ସ୍ୱାମୀ ସେଠାରେ ଏକ ଫାଇନାନ୍ସ ଏଜେନ୍ସିରେ କାମ କରୁଥିଲେ। ମୁଁ ମୋ ଚାଷ ଜମିର ଦେଖାଶୁଣା କରିବା ଲାଗି ମଝିରେ ମଝିରେ ଗାଁକୁ ଯାଉଥିଲି।”
ଅଭିଯୋଗ ଦାୟର କରିବା ପରେ, ରାଧାଙ୍କ ଉପରେ ମାମଲା ପ୍ରତ୍ୟାହାର କରିବା ଲାଗି ବେଶ୍ ଚାପ ପଡ଼ିଲା। ସେ କୁହନ୍ତି, ଅପରାଧୀ ଏବଂ ସେମାନଙ୍କ ସମ୍ପର୍କୀୟମାନଙ୍କର ଗ୍ରାମ ପଞ୍ଚାୟତ ସଦସ୍ୟ ଓ ଗାଁର ପ୍ରଭାବଶାଳୀ ଲୋକଙ୍କ ସହିତ ଭଲ ସମ୍ପର୍କ ଥିଲା। ରାଧା କୁହନ୍ତି, “ମୋ ଉପରେ ବେଶ୍ ଚାପ ପଡ଼ିଥିଲା। କିନ୍ତୁ ମୁଁ ଗାଁ ଠାରୁ ଦୂରରେ ରହୁଥିଲି। ସହରରେ ମୋତେ ସାହାଯ୍ୟ କରିବା ଲୋକମାନେ ଥିଲେ। ମୁଁ ବେଶ ସୁରକ୍ଷିତ ଏବଂ ଆଶ୍ୱସ୍ତ ଅନୁଭବ କରୁଥିଲି।”
କିନ୍ତୁ ମାର୍ଚ୍ଚ ୨୦୨୦ରେ କୋଭିଡ-୧୯ ପ୍ରକୋପ ଦେଖାଦେବା ପରେ, ତାଙ୍କ ସୁରକ୍ଷାର ପ୍ରାଚୀର ଭାଙ୍ଗି ଯାଇଥିଲା। ଦେଶବ୍ୟାପୀ ଲକଡାଉନ ଘୋଷଣା ହେବା ପରେ ତାଙ୍କ ସ୍ୱାମୀ ମନୋଜ (ଛଦ୍ମନାମ)ଙ୍କ ଚାକିରି ଚାଲିଗଲା। ରାଧା କୁହନ୍ତି, “ସେ ମାସିକ ୧୦,୦୦୦ ଟଙ୍କା ରୋଜଗାର କରୁଥିଲେ। ଆମେ ଏକ ଭଡ଼ା ଫ୍ଲାଟରେ ରହୁଥିଲୁ। କିନ୍ତୁ ମନୋଜ ବେରୋଜଗାର ହୋଇଯିବା ପରେ, ଆମେ ଭଡ଼ା ଦେଇପାରିଲୁ ନାହିଁ। ଏହାପରେ, ଆମ ପାଇଁ ପେଟ ପୋଷିବା କଷ୍ଟକର ହୋଇପଡ଼ିଲା।”
ଅନ୍ୟ କୌଣସି ଚାରା ନମିଳିବାରୁ, ଇଚ୍ଛା ନଥିଲେ ମଧ୍ୟ ରାଧା, ମନୋଜ ଓ ତାଙ୍କର ପିଲାମାନଙ୍କୁ ଗାଁରେ ଯାଇ ରହିବାକୁ ପଡ଼ିଲା-ଅର୍ଥାତ୍ ସେହି ଗ୍ରାମ ଯେଉଁଠି ରାଧା ଗଣବଳାତ୍କାରର ଶିକାର ହୋଇଥିଲେ। ସେ କୁହନ୍ତି, “ଆମ ପାଖରେ ତିନି ଏକର ଜମି ଥିଲା, ସେଥିପାଇଁ ଆମେ ଏଠାକୁ ରହିବା ଲାଗି ଆସିଲୁ। ଅନ୍ୟ କୌଣସି ବିକଳ୍ପ ବିଷୟରେ ଆମେ ଚିନ୍ତା କରିପାରିନଥିଲୁ।” ତାଙ୍କ ପରିବାର ଏବେ ସେହି ଜମିରେ ତିଆରି କୁଡ଼ିଆରେ ରହୁଛନ୍ତି ଏବଂ ରାଧା ସେଠାରେ କପା ଓ ଯଅ ଚାଷ କରୁଛନ୍ତି।
ସେ ଗାଁକୁ ଫେରି ଆସିବା କ୍ଷଣି, ଅପରାଧୀମାନଙ୍କ ପରିବାର ଲୋକମାନେ ରାଧାଙ୍କ ପଛରେ ଲାଗିଗଲେ। ସେ କୁହନ୍ତି, “ମାମଲା ଚାଲିଥିଲା। ଏହାକୁ ପ୍ରତ୍ୟାହାର କରିବା ଲାଗି ଚାପ ବହୁତ ବଢ଼ିଗଲା।” କିନ୍ତୁ ସେ ଯେତେବେଳେ ପଛକୁ ହଟିବାକୁ ମନା କଲେ, ଏହି ଚାପ ହଠାତ୍ ଧମକରେ ପରିବର୍ତ୍ତିତ ହୋଇଗଲା। ରାଧା କୁହନ୍ତି, “ଗାଁରେ ମୁଁ ସେମାନଙ୍କ ଠିକ୍ ସାମ୍ନାରେ ରହୁଥିଲି। ମୋତେ ଧମକାଇବା ଏବଂ ନିର୍ଯାତନା ଦେବା ସେମାନଙ୍କ ପାଇଁ ଆହୁରି ସହଜ ହୋଇଗଲା”। କିନ୍ତୁ ରାଧା ଡରିଯାଇ ପଛକୁ ହଟିବା ଭଳି ମହିଳା ନଥିଲେ।




