ପ୍ରତ୍ୟେକ ସନ୍ଧ୍ୟାରେ, ପାଖାପାଖି ୫ଟାରେ କାମରୁ ଫେରିବା ପରେ ଡାକ୍ତର ଶବନମ ୟାସ୍ମୀନ ସିଧାସଳଖ ନିଜର ଫିକାବାଦାମୀ ରଙ୍ଗ ଘରର ଛାତ ଉପରକୁ ଚାଲିଯାଇଥାନ୍ତି। ସେଠାରେ ସେ ସ୍ନାନ କରିଥାନ୍ତି, କଲମ ଓ ଡାଏରୀ ସହିତ ନିଜର କାର୍ଯ୍ୟସ୍ଥଳକୁ ନେଇଥିବା ସବୁ ଜିନିଷକୁ ଜୀବାଣୁମୁକ୍ତ କରିଥାନ୍ତି, ନିଜର ପୋଷାକ ଧୋଇଥାନ୍ତି (ଏ ସବୁ ପାଇଁ ଛାତକୁ ବ୍ୟବସ୍ଥିତ କରାଯାଇଛି), ଏବଂ ଏହାପରେ ନିଜ ପରିବାର ସହିତ ରହିବା ଲାଗି ତଳକୁ ଆସିଥାନ୍ତି। ଏହି ଦିନଚର୍ଯ୍ୟା ସେ ଗତ ଏକ ବର୍ଷ ଧରି ସମ୍ପୂର୍ଣ୍ଣ ସତର୍କତାର ସହିତ ପାଳନ କରି ଆସୁଛନ୍ତି।
“ମୁଁ ମହାମାରୀ (ଲକଡାଉନ) ସମୟରେ ସମ୍ପୂର୍ଣ୍ଣ ଭାବେ କାମ କରିଥିଲି, ସେତେବେଳେ ସବୁକିଛି ବନ୍ଦ ଥିଲା, ଏପରିକି ଘରୋଇ ଡାକ୍ତରଖାନା ମଧ୍ୟ। ପରୀକ୍ଷାରେ ମୁଁ କେବେ ବି ପଜିଟିଭ୍ ଚିହ୍ନଟ ହୋଇନାହିଁ, ଅନ୍ୟପଟେ ମୋର କିଛି ସହଯୋଗୀ ପଜିଟିଭ୍ ଚିହ୍ନଟ ହୋଇଥିଲେ। ତେବେ ଆମେ ଡାକ୍ତରଖାନାରେ ଦୁଇ ଜଣ କୋଭିଡ-୧୯ ପଜିଟିଭ ଗର୍ଭବତୀଙ୍କୁ ସଫଳତାପୂର୍ବକ ପ୍ରସବ କରାଇପାରିଥିଲୁ”, ୪୫ ବର୍ଷୀୟା ଡାକ୍ତର ୟାସ୍ମୀନ କହିଥାନ୍ତି, ଯିଏକି ଉତ୍ତର-ପୂର୍ବ ବିହାରର କିଷନଗଞ୍ଜ ସହରରେ ନିଜ ଘରଠାରୁ ପାଖାପାଖି ଏକ କିଲୋମିଟର ଦୂର, ସଦର ଡାକ୍ତରଖାନାରେ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ ଓ ସର୍ଜନ ଭାବେ କାମ କରୁଛନ୍ତି।
ଶବନମଙ୍କର ସବୁକିଛି ବାଜିରେ ଲାଗିଛି। ସେ କରୋନା ଭୂତାଣୁର ବାହକ ହେବାର ବିପଦ ମୁଣ୍ଡାଇ ପାରନ୍ତି। ତାଙ୍କର ମା’ ଓ ପିଲାମାନେ-୧୮ ଓ ୧୨ ବର୍ଷର ଦୁଇ ପୁଅ ଘରେ ଅଛନ୍ତି। ଏବଂ ତାଙ୍କ ପତି ୫୩ ବର୍ଷୀୟ ଇରତଜା ହସନ କିଡନୀ ରୋଗରୁ ଭଲ ହେଉଛନ୍ତି ଏବଂ ତାଙ୍କୁ ଦୁଇଗୁଣା ସତର୍କ ରହିବାର ଆବଶ୍ୟକତା ରହିଛି। “ମୁଁ ମୋର ମା’, ଅଜରା ସୁଲତାନାଙ୍କ କାରଣରୁ (ଗତ ଗୋଟିଏ ବର୍ଷ ଧରି) କାମ କରିପାରୁଛି, ନହେଲେ ସବୁକିଛି ମୁଁ ହିଁ କରୁଥିଲି-ଡାକ୍ତର, ଗୃହିଣୀ, ଶିକ୍ଷୟିତ୍ରୀ, ଟ୍ୟୁଟର”, ୟାସ୍ମୀନ କୁହନ୍ତି।
୨୦୦୭ରେ ମୁଁ ନିଜର ଡାକ୍ତରୀ ଶିକ୍ଷା ସମ୍ପୂର୍ଣ୍ଣ କରିବା ପରଠାରୁ ଜୀବନ ଏପରି ଚାଲୁଛି। “ମୁଁ ଏମବିବିଏସର ଶେଷ ବର୍ଷରେ ଗର୍ଭବତୀ ଥିଲି। ବାହାଘର ପରେ ପାଖାପାଖି ୬ ବର୍ଷ ପର୍ଯ୍ୟନ୍ତ ମୁଁ କେବେ ବି ନିଜ ପରିବାର ସହିତ ରହିନଥିଲି। ମୋ ପତି ଜଣେ ଓକିଲ ଥିଲେ ଓ ସେ ପାଟନାରେ ଓକିଲାତି କରୁଥିଲେ। ମୋତେ ଯେଉଁଠିକୁ ପଠାଯାଉଥିଲା ମୁଁ ସେଠାରେ ଚିକିତ୍ସା କରୁଥିଲି”, ୟାସ୍ମିନ କୁହନ୍ତି।
ସଦର ଡାକ୍ତରଖାନାରେ ନିଯୁକ୍ତି ପାଇବା ପୂର୍ବରୁ ଡାକ୍ତର ଶବନମ୨୦୧୧ରେ ଠାକୁରଗଞ୍ଜ ବ୍ଲକର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚସି)ରେ ନିୟୋଜିତ ଥିଲେ, ଯାହା ତାଙ୍କ ଘର ଠାରୁ ପାଖାପାଖି ୪୫ କିମି ଦୂର। ସେ ୨୦୦୩ରେ ରାଞ୍ଚିର ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ ମେଡ଼ିକାଲ ସାଇନ୍ସେସରୁ ଏମବିବିଏସ ଡିଗ୍ରୀ ଏବଂ ୨୦୦୭ରେ ପାଟନା ମେଡ଼ିକାଲ କଲେଜରୁ ସ୍ନାତକୋତ୍ତର ଡିଗ୍ରୀ ପ୍ରାପ୍ତ କରିବା ପରେ କିଛି ବର୍ଷ ପର୍ଯ୍ୟନ୍ତ ଡାକ୍ତର ଭାବେ ଘରୋଇ ଚିକିତ୍ସା ଜାରି ରଖିଥିଲେ। ଏହାପରେ ସରକାରୀ ଡାକ୍ତରଖାନାରେ ନିଯୁକ୍ତି ପାଇଥିଲେ। ଠାକୁରଗଞ୍ଜ ପିଏଚସି ପର୍ଯ୍ୟନ୍ତ ପହଞ୍ଚିବା ଲାଗି ତାଙ୍କୁ ନିଜର ସାନ ନବଜାତ ଶିଶୁକୁ ମା’ଙ୍କ ପାଖରେ ଛାଡ଼ିବାକୁ ପଡ଼ୁଥିଲା ଓ ଲୋକାଲ ବସ୍ରେ ଯିବାଆସିବା କରିବାକୁ ପଡ଼ିଥିଲା। ଏହା କଠିନ ଓ କଠୋର ଥିଲା, ସେଥିପାଇଁ ନଅ ମାସ ପରେ ସେ ନିଜ ମା’ ଓ ପିଲାମାନଙ୍କ ସହିତ ଠାକୁରଗଞ୍ଜ ସ୍ଥାନାନ୍ତରିତ ହୋଇଗଲେ। ତାଙ୍କ ପତି ଇରତଜା ପାଟନାରେ ହିଁ ରହୁଥିଲେ ଏବଂ ପ୍ରତ୍ୟେକ ମାସ ସେମାନଙ୍କ ପାଖକୁ ଯାଉଥିଲେ।







