ଶାନ୍ତି ମାନ୍ଝୀଙ୍କୁ ୩୬ ବର୍ଷ ବୟସ ହୋଇଥିଲା ଯେତେବେଳେ ଚଳିତ ବର୍ଷ ଜାନୁଆରୀରେ ସେ ପ୍ରଥମ ଥର ପାଇଁ ଜଣେ ଆଈ ହୋଇଥିଲେ । ସେହି ରାତିରେ, ସେ ଆଉ ଗୋଟିଏ କାମ ପ୍ରଥମ ଥର କରିଥିଲେ – ଏହି ବିସ୍ମୟ ମହିଳା ଯେ ଦୁଇ ଦଶକ ସମୟ ମଧ୍ୟରେ ନିଜ ଘରର ଏକାନ୍ତତା ମଧ୍ୟରେ କୌଣସି ଡାକ୍ତର କିମ୍ବା ନର୍ସଙ୍କ ଉପସ୍ଥିତି ବିନା ସାତୋଟି ସନ୍ତାନ ଜନ୍ମ ଦେଇଛନ୍ତି, ଶେଷରେ ଗୋଟିଏ ଡାକ୍ତରଖାନାକୁ ଗଲେ ।
ଯେଉଁ ଦିନ ତାଙ୍କ ବଡ଼ ଝିଅ ମମତା ତାଙ୍କ ଘରେ ପ୍ରସବ ଯନ୍ତ୍ରଣା ଅନୁଭବ କଲା ସେ ଦିନକୁ ମନେପକାଇ ସେ କୁହନ୍ତି, ‘‘ମୋ ଝିଅ ଘଣ୍ଟା ଘଣ୍ଟା ଧରି ଯନ୍ତ୍ରଣା ପାଉଥିଲା କିନ୍ତୁ ଶିଶୁଟି ବାହାରି ଆସିନଥିଲା। ଆମକୁ ଏକ ଟେମ୍ପୋ ଡାକିବାକୁ ହୋଇଥିଲା ।’’ ତାଙ୍କ ପାଇଁ ଟେମ୍ପୋର ଅର୍ଥ ହେଉଛି ଏକ ତିନି ଚକିଆ ଯାତ୍ରୀବାହୀ ଯାନ ଯାହା ମାତ୍ର ୪ କିଲୋମିଟର ଦୂରରେ ଥିବା ଶେଓହାର ସହରରୁ ଆସିବା ପାଇଁ ପ୍ରାୟ ଏକ ଘଣ୍ଟା ସମୟ ନେଇଥିଲା, ପ୍ରାୟ ସନ୍ଧ୍ୟା ହୋଇଯାଇଥିଲା । ମମତାଙ୍କୁ ଶେଓହାରରେ ଥିବା ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ ସେ କେଇ ଘଣ୍ଟା ପରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ ।
ଏ ପର୍ଯ୍ୟନ୍ତ ଟେମ୍ପୋ ଭଡ଼ା ସମ୍ପର୍କରେ ଅସନ୍ତୁଷ୍ଟ ଥିବା ଶାନ୍ତି ବିରକ୍ତ ହୋଇ କୁହନ୍ତି, ‘‘ସେ ଟ. ୮୦୦ ଦାବି କରିଥିଲା,’’ ଆମ ତୋଳାର କେହି ଡାକ୍ତରଖାନାକୁ ଯାଆନ୍ତି ନାହିଁ । ତେଣୁ ଆମେ ଜାଣିନଥିଲୁ ଆମ୍ବୁଲାନ୍ସ ଅଛି କି ନାହିଁ ।’’
ତାଙ୍କର ସବୁଠାରୁ ସାନ ସନ୍ତାନ, ଚାରି ବର୍ଷ ବୟସ୍କ କାଜଲ୍ ଶୋଇବା ପୂର୍ବରୁ କିଛି ଖାଇଛି କି ନାହିଁ ତାହା ଦେଖିବା ପାଇଁ ପରେ ସେହି ରାତିରେ ଶାନ୍ତିଙ୍କୁ ଘରକୁ ଫେରିବାକୁ ହୋଇଥିଲା । ସେ କୁହନ୍ତି, ‘‘ମୁଁ ଗୋଟିଏ ଆଈ ହୋଇଯାଇଛି କିନ୍ତୁ ଜଣେ ମାଆର ଦାୟିତ୍ୱ ମଧ୍ୟ ମୋର ରହିଛି ।’’ ମମତା ଏବଂ କାଜଲଙ୍କ ବ୍ୟତୀତ ତାଙ୍କର ଆଉ ତିନୋଟି ଝିଅ ଏବଂ ଦୁଇଟି ପୁଅ ଅଛନ୍ତି ।
ଏହି ମାନ୍ଝୀ ପରିବାର ମୂଷାହାର ତୋଲାରେ ରୁହନ୍ତି। ଏହା ଉତ୍ତର ବିହାରର ଶେଓହାର ବ୍ଲକ୍ ଏବଂ ଏହି ଜିଲ୍ଲାର ମାଧୋପୁର ଅନନ୍ତ ଗ୍ରାମ ବାହାରେ ପ୍ରାୟ ଏକ କିଲୋମିଟର ଦୂରରେ କୁଡ଼ିଆଗୁଡ଼ିକ ଏକ ସମୂହ। ପାଖାପାଖି ୪୦ଟି ମାଟି ଏବଂ ବାଉଁଶ କୁଡ଼ିଆ ଥିବା ଏହି ତୋଳାରେ ପ୍ରାୟ ୩୦୦-୪୦୦ ଲୋକ ବାସ କରନ୍ତି । ସେମାନଙ୍କ ମଧ୍ୟରୁ ସମସ୍ତେ ମୂଷାହାର ଜାତିର, ଏହାକୁ ଏକ ମହା ଦଳିତ ସମୂହ- ବିହାରର ସବୁଠାରୁ ଅବହେଳିତ ଭାବରେ ସ୍ୱୀକୃତି ଦିଆଯାଇଛି । କେତେଗୁଡ଼ିଏ କୁଡ଼ିଆରେ ସଂକୁଚିତ ଭିତର ଭାଗରେ ଏକ ବାଡ଼ ଦିଆଯାଇଥିବା କୋଣରେ କିଛି ଛେଳି ଓ ଗୋଟିଏ ଗାଈ ମଧ୍ୟ ବନ୍ଧା ହୋଇଛନ୍ତି ।










