ଉଭୟଙ୍କର ବୟସ ୧୭, ଉଭୟ ଗର୍ଭବତୀ। ନଜର ତଳକୁ ରଖିବା ଲାଗି ବାପାମାଆଙ୍କ ନିର୍ଦ୍ଦେଶକୁ ଭୁଲି ଯାଇ ଉଭୟ ସହଜରେ ହସି ହସି ଗଡ଼ି ଯାଆନ୍ତି। ଏବଂ ଆଗକୁ ସେମାନଙ୍କର କ’ଣ ହେବ ବୋଲି ଉଭୟ ଆଶଙ୍କିତ।
ଉଭୟ ସଲିମା ପରବୀନ ଏବଂ ଆସ୍ମା ଖାତୁନ (ପରିବର୍ତ୍ତିତ ନାମ) ଗତ ବର୍ଷ ୭ମ ଶ୍ରେଣୀରେ ପଢୁଥିଲେ, ଯଦିଚ ୨୦୨୦ ଶିକ୍ଷା ବର୍ଷ ସାରା ଗାଁର ସରକାରୀ ସ୍କୁଲଟି ବନ୍ଦ ରହିଥିଲା । ଲକ୍ଡାଉନ୍ ଅବଧି ବଢ଼ି ଚାଲିବା ସହିତ ପାଟନା, ଦିଲ୍ଲୀ ଓ ମୁମ୍ବାଇରେ ରହି କାମ କରିଆସୁଥିବା ସେମାନଙ୍କ ପରିବାରର ପୁରୁଷମାନେ ବିହାରର ଅରରିୟା ଜିଲ୍ଲା ଅନ୍ତର୍ଗତ ବଙ୍ଗାଲି ଟୋଲା ପଲ୍ଲୀକୁ ଫେରିଆସିଲେ । ଏହା ପରେ ପରେ ଆରମ୍ଭ ହେଲା ବୈବାହିକ ସଂପର୍କ ସ୍ଥାପନର ଏକ କ୍ଷୁଦ୍ର ଘଟଣାକ୍ରମ ।
“କରୋନା ମେଁ ହୁଇ ଶାଦି,” ଉଭୟଙ୍କ ମଧ୍ୟରୁ ଅଧିକ ପ୍ରଗଳ୍ଭ ଆସମା କହନ୍ତି, “କରୋନା ସମୟରେ ମୁଁ ବାହା ହେଲି ।”
ଦୁଇ ବର୍ଷ ପୂର୍ବରୁ ସଲିମାଙ୍କ ନିକାହ (ବିବାହ ଉତ୍ସବ) ସଂପନ୍ନ ହୋଇଥିଲା ଏବଂ ୧୮ ବର୍ଷ ବୟସ ହେଲା ବେଳକୁ ସେ ତାଙ୍କ ସ୍ଵାମୀଙ୍କ ସହ ଏକାଠି ରହିବେ ବୋଲି ସ୍ଥିର କରାଯାଇଥିଲା। ଏହା ପରେ ଲକ୍ଡାଉନ୍ ଆରମ୍ଭ ହେଲା ଏବଂ ସଲିମା ସେମାନଙ୍କ ପାଖରେ ରହନ୍ତୁ ବୋଲି ଦର୍ଜି ଭାବେ କାମ କରୁଥିବା ତାଙ୍କର୨୦ ବର୍ଷ ବୟସ୍କ ସ୍ଵାମୀ ଓ ସେହି ପଲ୍ଲୀରେ ରହୁଥିବା ତାଙ୍କ ପରିବାର ଜିଦ୍ ଧରିଲେ । ପାଖାପାଖି ୨୦୨୦ ଜୁଲାଇ ବେଳର କଥା । ତାଙ୍କ ସ୍ଵାମୀଙ୍କ ପାଖରେ କାମ ନଥିଲା ଏବଂ ସେ ସାରା ଦିନ ଘରେ ରହୁଥିଲେ । ଅନ୍ୟ ପୁରୁଷମାନେ ବି ଘରେ ରହୁଥିଲେ ଏବଂ ଘରକାମ ଲାଗି ଆଉ ଜଣେ ଦରକାର ହେବ ବୋଲି ଭାବିଥିଲେ ।
ନିଜ ମନକୁ ଦୃଢ଼ କରିବା ଲାଗି ଆସମାଙ୍କ ପାଖରେ ତ ଆହୁରି କମ୍ ସମୟ ଥିଲା । ୨୦୧୯ରେ ତାଙ୍କ ୨୩ ବର୍ଷୀୟା ଭଉଣୀ କ୍ୟାନ୍ସରରେ ପ୍ରାଣ ହରାଇଥିଲେ ଏବଂ ପାଇପ୍ ମିସ୍ତ୍ରୀ କାମ କରୁଥିବା ଭଉଣୀଙ୍କ ସ୍ଵାମୀ ଲକ୍ଡାଉନ୍ ସମୟରେ ହିଁ ଆସମାଙ୍କୁ ବିବାହ କରିବା ଲାଗି ଅଡ଼ି ବସିଲେ । ୨୦୨୦ ଜୁନ୍ରେ ହିଁ ବିବାହ ଉତ୍ସବ ସଂପନ୍ନ ହେଲା ।
ଦୁଇ ଝିଅଙ୍କ ମଧ୍ୟରୁ କେହି ହେଲେ ଜାଣି ନଥିଲେ ଯେ, ପିଲା କେମିତି ଜନ୍ମ ହୁଅନ୍ତି । ଆସମାଙ୍କ ମାଆ ରୁକ୍ସାନା କହନ୍ତି, “ଝିଅମାନଙ୍କୁ ମାଆମାନେ ଏସବୁ କଥା ବୁଝାଇ ନଥିଲେ ।” ଝିଅମାନଙ୍କର ଖିଲିଖିଲି ହସ ଭିତରେ ସେ କହନ୍ତି, “ଲାଜ୍ କି ବାତ୍ ହୈ (ଏହା ଲାଜର କଥା)।” ସମସ୍ତେ ଗୋଟିଏ କଥାରେ ସମ୍ମତ ହୁଅନ୍ତି ଯେ, କନ୍ୟାର ଭାଭୀ ବା ତା’ର ଭାଇଙ୍କ ସ୍ତ୍ରୀ ହିଁ ଏହି ବିଷୟରେ ଏବଂ ଅନ୍ୟାନ୍ୟ ବିଷୟରେ ତାଙ୍କୁ ବୁଝାଇ ଦେବା କଥା । କିନ୍ତୁ ସଲିମା ଓ ଆସ୍ମା ଦୁହେଁ ନଣନ୍ଦ ଓ ଭାଉଜ ଏବଂ ଗର୍ଭଧାରଣ ସଂପର୍କରେ କେହି କାହାରିକୁ କିଛି ପରାମର୍ଶ ଦେବା ଭଳି ସ୍ଥିତିରେ ନଥିଲେ ।









