ଆମେ ଏହା ଦେଖିଲୁ, କିନ୍ତୁ ବିଶ୍ୱାସ କରିପାରିଲୁ ନାହିଁ । ଆମେ ପାଖକୁ ଗଲୁ । କାର୍ରୁ ତଳକୁ ଓହ୍ଲେଇଲୁ ଏବଂ ଭଲଭାବରେ ଦେଖିଲୁ । ଏହା ସତ ଥିଲା କିନ୍ତୁ ତଥାପି ଆମେ ବିଶ୍ୱାସ କରି ପାରୁ ନଥିଲୁ । ରତନ ବିଶ୍ୱାସ ପାଖରେ ପାଞ୍ଚ ଖଣ୍ଡ ବାଉଁଶ ଥିଲା , ପ୍ରତ୍ୟେକ ପ୍ରାୟ ୪୦-୪୫ଫୁଟ ଲମ୍ବ, ଯାହା ସମ୍ପୂର୍ଣ୍ଣ ସନ୍ତୁଳନ ସହ ତାଙ୍କ ସାଇକେଲରେ ବନ୍ଧା ଯାଇଥିଲା । ଏବଂ ସେ ଏହି ଓଜନକୁ ନିଜ ଗାଁରୁ ୧୭ କିଲୋମିଟର ଦୂର ରାଜଧାନୀ ଅଗରତାଲାର ଏକ ବଜାରକୁ ଟାଣି ଟାଣି ନେଉଥିଲେ । ଯଦି ଏହି ବାଉଁଶର କୌଣସି ଅଗ ପଥର, ଗେଟି କିମ୍ବା ଅନ୍ୟ କିଛି ଜିନିଷରେ ବାଜିଯିବ ତା’ ହେଲେ ସାଇକେଲ, ସାଇକେଲ ଚାଳକ ଓ ବାଉଁଶ – ସବୁକିଛି ତଳେ ପଡ଼ିବ । ତେବେ ସବୁଠାରୁ ଦୁଃଖର କଥା ହେଉଛି , ବାଉଁଶର ବିଶେଷତ୍ୱ ହେଉଛି ଏହା ଦେଖିବାକୁ ବହୁତ ହାଲକା କିନ୍ତୁ ପ୍ରକୃତରେ ଖୁବ୍ ଭାରୀ । ବାଉଁଶ ପାଞ୍ଚ ଖଣ୍ଡ ଥିଲା କିନ୍ତୁ ଚାରୋଟି ପରି ଦେଖା ଯାଉଥିଲା କାରଣ ଦୁଇଟି ଏତେ ଟାଇଟ୍ ଭାବରେ ବନ୍ଧା ଯାଇଥିଲା ଯେ ଏହା ଗୋଟିଏ ଭଳି ଦେଖା ଯାଉଥିଲା । ସେଗୁଡ଼ିକର ସମୁଦାୟ ଓଜନ ପାଖାପାଖି ୨୦୦ କେ.ଜି ଥିଲା । ବିଶ୍ୱାସ ବି ଏହା ଜାଣିଥିଲେ । ସେ ଆମମାନଙ୍କ ସହ କଥାବାର୍ତ୍ତା କରି ଖୁସି ହେଉଥିଲେ ଏବଂ ତାଙ୍କର ଏହି ବିଚିତ୍ର ମାଲ୍ ର ଫଟୋ ଉଠାଇବାକୁ ଦେଲେ । ମାତ୍ର ସେ ଆମକୁ ତାଙ୍କ ସାଇକେଲ୍ ଟାଣିବାକୁ ଅନୁମତି ଦେଲେ ନାହିଁ । କାରଣ ସେ ଏହାର ବିପଦ ଜାଣିଥିଲେ ।
“ମାତ୍ର ପାଞ୍ଚ ଫୁଟ ଲମ୍ବ ସାଇକେଲ ଉପରେ ଆପଣ ଏତେ ଲମ୍ବା ଏବଂ ଏତେ ଓଜନିଆ ବାଉଁଶର ସନ୍ତୁଳନ କିପରି ରଖୁଛନ୍ତି?” ଏହି ପ୍ରଶ୍ନ ଶୁଣି ସେ ସାମାନ୍ୟ ହସି ଆମକୁ ଏକ ପଟା ଦେଖାଇଲେ ଯାହାକି ବାଉଁଶରେ ତିଆରି ହେଇଥିଲା । ସାଇକେଲର ସାମ୍ନାରେ ଦୁଇଟି ବାଉଁଶ ସିଧା ହୋଇ ରହିଥିଲା। ଏହି ଦୁଇଟିର ତଳ ଅଂଶ ସାଇକେଲର ତଳ ପାଇପ୍ ସହ ଦୃଢ଼ ଭାବରେ ବନ୍ଧା ହୋଇଥିଲା ଏହା ଉପର ସମାନ୍ତରାଳ ପାଇପର ଦୁଇ ପାର୍ଶ୍ଵରେ ପୁଣି ବନ୍ଧା ହୋଇଥିଲା । ଏହା ପରେ ସେ ଆଉ ଏକ ବାଉଁଶ ପଟା ଦେଖାଇଲେ ଯାହା ସାଇକେଲର କ୍ୟାରିଅରରେ ବନ୍ଧା ହୋଇଥିଲା ।





