ଜାନୁଆରୀ ମାସର ଶୀତୁଆ ରାତିରେ, ସମୟ ପ୍ରାୟ ୯ଟା ହେବ। ପ୍ରାୟ ୪୦୦ ଦର୍ଶକ ନାଟକ ଆରମ୍ଭ ହେବାକୁ ଅପେକ୍ଷା କରି ରହିଛନ୍ତି। ଗୋଟିଏ ଘଣ୍ଟା ପୂର୍ବରୁ କାର୍ଯ୍ୟକ୍ରମ ଆରମ୍ଭ ହେବାର ଥିଲା।
ହଠାତ୍, ଅସ୍ଥାୟୀ ମଞ୍ଚ ସମ୍ମୁଖରେ ହଲଚଲ ଦେଖାଦେଲା। ବାଉଁଶ ମଞ୍ଚରେ ଦୃଢ଼ ଭାବେ ବନ୍ଧା ହୋଇଥିବା ଲାଉଡସ୍ପିକର (ମାଇକ୍) ରେ କମ୍ପନ ହେଲା ଏବଂ ସେଥିରୁ ଉଚ୍ଚ ସ୍ୱରରେ ଶୁଣାଗଲା : ‘‘ଆମେ ଖୁବଶୀଘ୍ର ମା ବନବିବିଙ୍କୁ ସମର୍ପିତ ଗୀତିନାଟ୍ୟ ଆରମ୍ଭ କରିବାକୁ ଯାଉଛୁ… ମା’ ଆମକୁ ସବୁ ଦୁଷ୍ଟଶକ୍ତିଠାରୁ ସୁରକ୍ଷା ଦେଇଥାନ୍ତି!’’
ଯେଉଁମାନେ ଗୋସାବା ବ୍ଲକରେ ଥିବା ଜବାହର କଲୋନୀ ଗ୍ରାମରେ ଦିଗହରା ହୋଇ ବୁଲୁଛନ୍ତି, ନୂଆ କରି ଆସିଛନ୍ତି, ସେମାନେ ନିଶ୍ଚେ ‘ଦୁଷ୍ଟଶକ୍ତି’ଙ୍କୁ ଦେଖିବାକୁ ଉତ୍ସୁକ ଥିବେ। ଏମାନେ ହେଉଛନ୍ତି ଅଶୁଭ ଭୂତ, ସାପ, କୁମ୍ଭୀର, ବାଘ, ମହୁମାଛି। ଆଠାରୋ ଭାଟି-ର ଦେଶ (୧୮ଟି ଢେଉର ଭୂମି)ରେ ମା’ ବନବିବି ଏସବୁ ଦୁଷ୍ଟଶକ୍ତିମାନଙ୍କୁ ପରାଜିତ କରି ଦେଇଥାନ୍ତି। ଏହା ହେଉଛି ଲୁଣି ଏବଂ ମଧୁର ଜଳାଶୟରେ ପରିପୂର୍ଣ୍ଣ ବିଶ୍ୱର ସର୍ବବୃହତ ହେନ୍ତାଳ ଜଙ୍ଗଲ ସୁନ୍ଦରବନ ଯେଉଁଠି ବିଭିନ୍ନ ପ୍ରକାରର ପଶୁ ପକ୍ଷୀ, ଉଦ୍ଭିଦ, ସରିସୃପ ଓ ସ୍ତନ୍ୟପାୟୀ ପ୍ରାଣୀ ଦେଖିବାକୁ ମିଳନ୍ତି। ଏଠାରେ, ବନବିବିଙ୍କ କାହାଣୀ ପିଢ଼ି ପରେ ପିଢ଼ି ପ୍ରଚଳିତ ହୋଇଆସିଛି ଏବଂ ଏହା ସ୍ଥାନୀୟ ଅଞ୍ଚଳର ମୌଖିକ ପରମ୍ପରାରେ ଜୀବିତ ରହିଛି।
ଗ୍ରୀନ ରୁମ (କଳାକାରଙ୍କ ବେଶ ହେବା କୋଠରୀ)କୁ ପରଦା ଟାଣି ରାସ୍ତାଠାରୁ ଅଲଗା ଆବଦ୍ଧ କରି ରଖାଯାଇଛି। ତା’ ଭିତରେ ଦର୍ଶକମାନଙ୍କ କୋଳାହଳ ମଧ୍ୟରେ କଳାକାରମାନେ ଗୀତିନାଟ୍ୟ ବନବିବି ପାଲାଗାନ ପରିବେଷଣ ନିମନ୍ତେ ପ୍ରସ୍ତୁତ ହେଉଛନ୍ତି। ଆଜି ରାତିର କାର୍ଯ୍ୟକ୍ରମରେ ରଙ୍ଗମଞ୍ଚ ସାମଗ୍ରୀ ଭାବେ ବ୍ୟବହାର ହେବା ଲାଗି ବଡ଼ ବଡ଼ ମହୁ ଛତା ଓ ବାଘଙ୍କ ଟେରାକୋଟା ମୁଖା ସବୁ ତାରପୋଲିନ୍ କାନ୍ଥ ପାଖରେ ଗଦା ମାରି ରଖାଯାଇଛି। ସେଗୁଡ଼ିକ କେବଳ ବ୍ୟବହାର ଅପେକ୍ଷାରେ ରହିଛନ୍ତି। ୨୦୨୦ରେ ସୁନ୍ଦରବନ ୯୬ ବାଘଙ୍କ ବାସସ୍ଥଳୀ ଥିଲା। ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ଜୀବନ ସହ ନିବିଡ଼ ଭାବେ ଜଡ଼ିତ ବିଷୟବସ୍ତୁ ପ୍ରାୟତଃ ଏହି ମଞ୍ଚରେ ପରିବେଷଣ କରାଯାଇଥାଏ।



































