ମୌସୁମୀ ଥମି ଯାଇଥିଲା । ବିହାର ବାରାଗାଁଓ ଖୁର୍ଦ ଗାଁର ମହିଳାମାନେ ସେମାନଙ୍କର କଚ୍ଚା ଘରର କାନ୍ଥ ଲିପିବା ପାଇଁ ଜମିରୁ କାଦୁଅ ଆଣୁଥିଲେ । ଘରକୁ ଦୃଢ଼ କରିବାକୁ ଓ ସୁନ୍ଦର କରିବାକୁ ସେମାନେ ସାଧାରଣତଃ ଏହି କାମ କରିଥାଆନ୍ତି, ଖାସ୍ କରି ପର୍ବପର୍ବାଣି ପୂର୍ବରୁ ତ ନିଶ୍ଚୟ କରନ୍ତି ।
୨୨ ବର୍ଷୀୟା ଲୀଳାବତୀ ଦେବୀ ଅନ୍ୟ ମହିଳାଙ୍କ ସହ ମିଶି କାଦୁଅ ଆଣିବାକୁ ବାହାରକୁ ଯିବାକୁ ଚାହୁଁଥିଲେ । କିନ୍ତୁ ତାଙ୍କର ୩ ମାସର ଛୋଟ ପୁଅ କାନ୍ଦୁଥିଲା ଓ ଶୋଉନଥିଲା । ତାଙ୍କ ସ୍ଵାମୀ ୨୪ ବର୍ଷୀୟ ଅଜୟ ଓରାଓନ, ନିକଟରେ ଥିବା ନିଜ ତେଜରାତି ଦୋକାନରେ ଥିଲେ । ଶିଶୁଟି ତାଙ୍କ କାନ୍ଧକୁ ଆଶ୍ରୟ କରି ଶୋଇଥିଲା ଏବଂ କିଛି ମିନିଟ ବ୍ୟବଧାନରେ, ତାକୁ ଜ୍ଵର ଅଛି କି ବୋଲି ଜାଣିବା ପାଇଁ ଲୀଳାବତୀ ତା’ର କପାଳରେ ହାତ ମାରୁଥିଲେ । ସେ କହିଲେ, ‘‘ମୁଁ ଭାବୁଛି ସେ ଠିକ୍ ଅଛି ।’’
୨୦୧୮ ମସିହାରେ ଲୀଲାବତୀଙ୍କର ୧୪ ମାସର ଝିଅକୁ ଜ୍ଵର ହେଲା ଆଉ ସେ ସେଥିରେ ପ୍ରାଣ ହରାଇଲା । ଲୀଳାବତୀ କହନ୍ତି, ‘‘ମାତ୍ର ୨ ଦିନ ଜ୍ଵର ହୋଇଥିଲା, ତାହା ବି ଅଧିକ ନଥିଲା ।’’ ତା’ଛଡ଼ା ବାପା ମା’ ଜାଣିନଥିଲେ ଯେ ଝିଅର ମୃତ୍ୟୁର କାରଣ କ’ଣ ଥିଲା । ସେଠାରେ କୌଣସି ହସ୍ପିଟାଲ୍ ରେକର୍ଡ ନ ଥିଲା, ପ୍ରେସକ୍ରିପ୍ସନ୍ ନ ଥିଲା, କୌଣସି ଔଷଧ ନ ଥିଲା । ଯଦି ଆଉ କିଛି ଦିନ ଭିତରେ ଜ୍ଵର ନ କମେ ତେବେ, ଦମ୍ପତି ସେମାନଙ୍କ ଗାଁଠାରୁ ୯ କିଲୋମିଟର ଦୂରରେ କାଇମୁର ଜିଲ୍ଲା ଅଧୀନ ଅଧୌରା ବ୍ଲକ୍ରେ ଥିବା ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଯିବାକୁ ଯୋଜନା କରିଥିଲେ, କିନ୍ତୁ ସେମାନେ ତାହା କରିପାରିନଥିଲେ ।
କାଇମୁର ଅଭୟାରଣ୍ୟର ବନ୍ୟାଞ୍ଚଳ ନିକଟରେ ଥିବା ଏହି ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରର ପାଚେରୀ ନାହିଁ । ବାରାଗାଁଓ ଗାଁ ଓ ନିକଟସ୍ଥ ବାରାଗାଁଓ କଲାଣର ବାସିନ୍ଦା ସ୍ଵାସ୍ଥ୍ୟକେନ୍ଦ୍ର କୋଠା (ଦୁଇଟି ଗାଁ ପାଇଁ ଏହି ଗୋଟିଏ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ଅଛି) ରେ ଭାଲୁ, ଚିତାବାଘ, ନୀଳଗାଈ ଆଦି ବନ୍ୟଜନ୍ତୁ ବୁଲୁଥିବା ବାବଦରେ କହନ୍ତି, ଯାହା ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ଓ ଏଠାରେ କାମ କରିବାକୁ ଇଚ୍ଛୁକ ନ ଥିବା ସ୍ଵାସ୍ଥ୍ୟକର୍ମୀଙ୍କୁ ମଧ୍ୟ ଭୟଭୀତ କରେ ।
ଏଠାରେ କାମ କରୁଥିବା ଜଣେ ମାନ୍ୟତାପ୍ରାପ୍ତ ସାମାଜିକ ସ୍ଵାସ୍ଥ୍ୟକର୍ମୀ (ଆଶା) ଫୁଲବାସୀ ଦେବୀ କହନ୍ତି, ‘‘ଏଠାରେ ଗୋଟିଏ ସବ୍ ସେଣ୍ଟର ମଧ୍ୟ ଅଛି (ବାରାଗାଁଓ ଖୁର୍ଦ୍ଦରେ), କିନ୍ତୁ ସେହି କୋଠା ପରିତ୍ୟକ୍ତ ଅବସ୍ଥାରେ ଅଛି। ଏହା ଛେଳି ଓ ଅନ୍ୟ ପଶୁଙ୍କ ଆଶ୍ରୟସ୍ଥଳୀରେ ପରିବର୍ତ୍ତିତ ହୋଇସାରିଛି । ଫୁଲବାସୀ ଦେବୀ ୨୦୧୪ ମସିହାରୁ ଏଠାରେ ଜଣେ ଆଶା ଭାବେ କାମ କରୁଛନ୍ତି ଓ ସେ ନିଜ ସ୍ତର ଅନୁସାରେ ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଅଳ୍ପ ସଫଳତା ହାସଲ କରିଛନ୍ତି ।






