ଏକ ବଡ଼ ଆଲୁମିନିୟମ ପାତ୍ର ଉପରେ ନଇଁ ପଡ଼ି କରଚୁଲି ସାହାଯ୍ୟରେ ଆଳୁ-ମଟର ଝୋଳକୁ ଘାଣ୍ଟୁଛନ୍ତି ପ୍ରକାଶ ଭଗତ। ସେ ନିଜର ବାମ ପାଦକୁ ଭୂମିରେ ରଖିଛନ୍ତି, ଡାହାଣ ପାଦ ଝୁଲନ୍ତା ଅବସ୍ଥାରେ ରହିଛି, ଏକ ଠେଙ୍ଗା ସାହାଯ୍ୟରେ ସନ୍ତୁଳନ ବଜାୟ ରଖି ଛିଡ଼ା ହୋଇଛନ୍ତି।
“ମୁଁ ଭାବୁଛି ମାତ୍ର ୧୦ ବର୍ଷ ବୟସରୁ ମୁଁ ବାଡ଼ି ଧରି ଚାଲୁଛି,” ୫୨ବର୍ଷୀୟ ଭଗତ କୁହନ୍ତି। “ମୁଁ ଛୋଟ ବେଳୁ ଏପରି ଭାବେ ଗୋଟିଏ ପାଦରେ ହିଁ ଚାଲିଆସୁଛି। ମୋ ବାପା ମା’ କୁହନ୍ତି ମୋର ଏକ ସ୍ନାୟୁ ସଙ୍କୁଚିତ ହେବା କାରଣରୁ ଏପରି ହୋଇଥିଲା।”
ଅକ୍ଷମତା ଭଗତଙ୍କ ସଂକଳ୍ପକୁ ପ୍ରଭାବିତ କରିପାରିନାହିଁ। ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲା ଅନ୍ତର୍ଗତ ପନଭେଲ ତାଲୁକାରେ ଥିବା ତାଙ୍କ ଗ୍ରାମ ପରଗାଓଁର ଅଧିକାଂଶ ଲୋକ ଯେତେବେଳେ ଦିଲ୍ଲୀ ଅଭିମୁଖେ ଜଥା, ବା ଗାଡ଼ି ଶୋଭାଯାତ୍ରାରେ ବାହାରିଲେ, ସେଥିରେ ଯୋଗ ଦେବା ଲାଗି ସେ ପୁଣିଥରେ ଚିନ୍ତା କଲେ ନାହିଁ। ଝୋଳ ଚାଖି ଠିକ ଅଛି ବୋଲି କହିବା ସମୟରେ, “ମୁଁ ଏଠାକୁ ଗୋଟିଏ କାରଣ ପାଇଁ ଆସିଛି”, ସେ କୁହନ୍ତି ।
ଦିଲ୍ଲୀରେ, ଚଳିତ ବର୍ଷ ସେପ୍ଟେମ୍ବର ମାସରେ କେନ୍ଦ୍ର ସରକାର ଆଣିଥିବା ତିନୋଟି କୃଷି ଆଇନକୁ ବିରୋଧ କରି ଜାତୀୟ ରାଜଧାନୀ ସୀମାକୁ ଲାଗି ରହିଥିବା ତିନୋଟି ଭିନ୍ନ ଭିନ୍ନ ସ୍ଥାନରେ ଲକ୍ଷାଧିକ କୃଷକ ଆନ୍ଦୋଳନ ଚଳାଇଛନ୍ତି। ଆନ୍ଦୋଳନରତ ଚାଷୀଙ୍କୁ ସେମାନଙ୍କର ସମର୍ଥନ ଏବଂ ସହଯୋଗ ଯୋଗାଇ ଦେବା ଲାଗି, ଡିସେମ୍ବର ୨୧ ତାରିଖରେ ମହାରାଷ୍ଟ୍ରର ୨୦୦୦ ଚାଷୀ, ଏଠାରୁ ପାଖାପାଖି ୧୪୦୦ କିମି ଦୂର ଦିଲ୍ଲୀକୁ ଜଥାରେ ଯିବା ଲାଗି ନାସିକଠାରେ ଏକତ୍ରିତ ହୋଇଥିଲେ।
ପରଗାଓଁ ଗ୍ରାମରୁ ୩୯ ଜଣ ଏଥିରେ ଯୋଗ ଦେବା ଲାଗି ବାହାରିଥିଲେ। “ଏ ଦେଶର କୃଷକମାନଙ୍କ ସହ ପ୍ରତାରଣା କରାଯାଉଛି”, ଭଗତ କହିଥିଲେ। “ଅଧିକରୁ ଅଧିକ ସଂଖ୍ୟକ କୃଷକଙ୍କୁ ସେମାନଙ୍କର ଫସଲ ପାଇଁ ସୁନିଶ୍ଚିତ ମୂଲ୍ୟ ପ୍ରଦାନ କରାଯିବା ଉଚିତ। ଏହି କୃଷି ଆଇନ ସେମାନଙ୍କୁ ଆହୁରି ଋଣ ଭାରରେ ବୁଡ଼ାଇ ଦେବ। ଚାଷୀମାନେ ବଡ଼ କମ୍ପାନୀଙ୍କ କବଜାରେ ପଡ଼ିଯିବେ, ଯେଉଁମାନେ ତାଙ୍କୁ ଶୋଷଣ କରିବେ। କୃଷି ଆଇନ ବୋଧହୁଏ ତୁରନ୍ତ ପଞ୍ଜାବ ଓ ହରିୟାଣାର କୃଷକମାନଙ୍କୁ ପ୍ରଭାବିତ କରିବ, ସେଥିପାଇଁ ଚାଷୀ ଆନ୍ଦୋଳନରେ ସେମାନଙ୍କର ପ୍ରଭାବ ଅଧିକ ରହିଛି, କିନ୍ତୁ ଏହାର ଅର୍ଥ ନୁହେଁ ଯେ ସାରା ଦେଶର କୃଷକମାନେ ଏଥିରେ ପ୍ରଭାବିତ ହେବେ ନାହିଁ।






