ମାର୍ଚ୍ଚ ୨୦୧୯ରେ ଯେତେବେଳେ ଏରପ୍ପା ବାୱଗେ ବେଙ୍ଗାଲୁରୁରେ ପ୍ରୋଜେକ୍ଟ ମ୍ୟାନେଜର ଚାକିରି ପାଇଲେ, ସେତେବେଳେ ବୋଧହୁଏ ସେ ଏକଥା ଭାବିନଥିବେ ଯେ ତାଲାବନ୍ଦ କାରଣରୁ ଏକ ବର୍ଷ ପରେ ତାଙ୍କୁ ତାଙ୍କର ଚାକିରି ହରାଇବାକୁ ପଡିବ। ଆଉ ଜୁନ୍ ୨୦୨୦ ବେଳକୁ, ସେ ପଶ୍ଚିମ କର୍ଣ୍ଣାଟକର ବିଦାର ଜିଲ୍ଲାରେ ଅବସ୍ଥିତ ତାଙ୍କ ଗ୍ରାମ କମ୍ଥନାରେ ଏକ ଏମ୍ଜିଏନ୍ଆର୍ଇଜିଏ କାର୍ଯ୍ୟ ସ୍ଥଳିରେ କାମ କରୁଥିବେ ।
“ଚାକିରି ହରାଇ ବେକାର ହୋଇ ଏକ ମାସ ପର୍ଯ୍ୟନ୍ତ ଘରେ ବସିବା ପରେ, ମୁଁ ଏପ୍ରିଲ୍ରେ ଏନ୍ଆର୍ଇଜିଏର ପ୍ରକ୍ରିୟା ବୁଝିବାକୁ ଚେଷ୍ଟା କଲି,” ବୋଲି ସେ କୁହନ୍ତି, “କିଛି ଉପାର୍ଜନ କରିବାକୁ ଓ ମୋ ପରିବାରକୁ ଏ ଦୁସ୍ଥିତିରେ ବଞ୍ଚାଇ ରଖିବାକୁ । ତାଲାବନ୍ଦ ଘୋଷଣା ହେବା ବେଳକୁ ଆମ ପାଖରେ କିଛି ପଇସା ନଥିଲା ବୋଲି କହିଲେ ଚଳିବ । ଏପରିକି ମୋର ମା’ଙ୍କୁ ମଧ୍ୟ ସହଜରେ କାମ ମିଳୁନଥିଲା, ଯେହେତୁ ମାଲିକମାନେ ଶ୍ରମିକମାନଙ୍କୁ କାମ ପାଇଁ ଡାକିବା ବନ୍ଦ କରିଦେଇଥିଲେ।’’
ତାଲାବନ୍ଦ କାରଣରୁ ସେ ଯେଉଁ ଚାକିରି ହରାଇଲେ, ତାହା ତାଙ୍କୁ ବହୁତ ପରିଶ୍ରମ କରିବା ପରେ ଓ ଋଣବୋଝରେ ଭାରାକ୍ରାନ୍ତ ହେବା ପରେ ମିଳିଥିଲା । ତାଙ୍କ ପରିବାର ସଦସ୍ୟଙ୍କ ସମର୍ଥନ ଓ ଶିକ୍ଷା ମାଧ୍ୟମରେ ସେମାନେ ନିଜକୁ ଜୀବିକା – ନିର୍ବାହ ସ୍ତରଠାରୁ ଅଧିକ ଉପାର୍ଜନ କରିବାର ଦୃଢ ଇଚ୍ଛାଶକ୍ତି ମଧ୍ୟ ସହାୟକ ହୋଇଥିଲା ।
ଏରପ୍ପା ଅଗଷ୍ଟ ୨୦୧୭ରେ ତାଙ୍କର ଏକ ଘରୋଇ ମହାବିଦ୍ୟାଳୟରୁ ବିଟେକ୍ ଡିଗ୍ରୀ ହାସଲ କରିଥିଲେ ଓ ତାହା ପୂର୍ବରୁ ୨୦୧୩ରେ, ଏକ ସରକାରୀ ପଲିଟେକ୍ନିକ୍ରୁ ଅଟୋମୋବାଇଲ୍ ଇଂଜିନିୟରିଂରେ ଡିପ୍ଲୋମା କରିଥିଲେ, ଉଭୟ ଅନୁଷ୍ଠାନ ବିଦାର ଟାଉନ୍ରେ ଅବସ୍ଥିତ । ଡିଗ୍ରୀ ପାଠ୍ୟକ୍ରମରେ ନାମ ଲେଖାଇବା ପୂର୍ବରୁ ସେ ପୁନାରେ ଅବସ୍ଥିତ ଏକ ବହୁରାଷ୍ଟ୍ରୀୟ କମ୍ପାନି, ଯେଉଁଠାରେ ଚାଷ ଯନ୍ତ୍ରପାତି ନିର୍ମାଣ କରାଯାଏ, ରେ ଜଣେ ବୈଷୟିକ ପ୍ରଶିକ୍ଷଣାର୍ଥୀ ଭାବେ କାମକରି ମାସକୁ ୧୨, ୦୦୦ଟଙ୍କା ଉପାର୍ଜନ କରୁଥିଲେ । “ମୁଁ ଜଣେ ଭଲ ଛାତ୍ର ଥିଲି, ଏଣୁ ମୁଁ ବଡ ଦାୟିତ୍ୱ ବହନ କରିପାରିବି ଓ ଅଧିକ ଅର୍ଥ ଉପାର୍ଜନ କରିପାରିବି ବୋଲି ଭାବିଲି । ମୁଁ ଭାବିଲି ଯେ ଦିନେ ମୁଁ ମଧ୍ୟ ଏକ ଇଂଜିନିୟର୍ ବୋଲାଇବି,” ବୋଲି ୨୭ ବର୍ଷ ବୟସ୍କ ଏରପ୍ପା କୁହନ୍ତି ।
ତାଙ୍କ ପରିବାର ତାଙ୍କ ପାଠପଢା ଖର୍ଚ୍ଚ ଉଠାଇବା ପାଇଁ ଅନେକ ଋଣ କିରଛନ୍ତି । “ତିନି ବର୍ଷରେ (ବିଟେକ୍ର), ମୋର ପ୍ରାୟ ୧.୫ଲକ୍ଷ ଟଙ୍କା ଆବଶ୍ୟକ ହୋଇଥିଲା” ବୋଲି ସେ କୁହନ୍ତି । “କେତେବେଳେ ୨୦,୦୦୦ ଟଙ୍କା ତ କେତେବେଳେ ୩୦,୦୦୦ଟଙ୍କା, ମୋର ଅଭିବାବକ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀଠାରୁ (ଏସ୍ଏଚ୍ଜି) ଋଣ କରନ୍ତି । “ଯେତେବେଳେ ସେ ପଞ୍ଚମ ସେମିଷ୍ଟର୍ରେ ଥିଲେ, ସେତେବେଳେ ଡିସେମ୍ବର ୨୦୧୫ରେ, ତାଙ୍କର ୪୮ ବର୍ଷ ବୟସ୍କ ବାପା, ଯିଏ ଜଣେ ଶ୍ରମିକ ଥିଲେ. ଜଣ୍ଡିସ୍ରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲି ଯାଇଥିଲେ । ତାଙ୍କର ଚିକିତ୍ସା ପାଇଁ ପରିବାର ଏସ୍ଏଚ୍ଜି ଓ ସମ୍ପର୍କୀୟମାନଙ୍କଠାରୁ ଅତିରିକ୍ତ ୧.୫ଲକ୍ଷ ଟଙ୍କା ଋଣ କରିଥିଲେ । “ମୋର ଡିଗ୍ରୀ ପାଠପଢା ସରିବାବେଳକୁ, ମୋର କାନ୍ଧରେ ଅନେକ ଦାୟିତ୍ଵର ବୋଝ ଥିଲା,” ବୋଲି ଏରପ୍ପା କୁହନ୍ତି ।
ଏଣୁ ମୁଁ ଯେତେବେଳେ ବେଙ୍ଗାଲୁରୁରେ ପ୍ଲାଷ୍ଟିକ୍ ମୋଲ୍ଡିଂ ମେସିନ୍ ପ୍ରସ୍ତୁତ କରୁଥିବା ଏକ ଲଘୁ ଉଦ୍ୟୋଗରେ ଜଣେ ପ୍ରୋଜେକ୍ଟ ମ୍ୟାନେଜର୍ ଭାବେ ମାସିକ ୨୦,୦୦୦ ଟଙ୍କା ବେତନରେ ଚାକିରି ପାଇଲି, ମୋର ପରିବାର ଖୁସି ହୋଇଗଲା । ତାହା ହେଉଛି ମାର୍ଚ୍ଚ ୨୦୧୯ର କଥା । “ମୁଁ ପ୍ରତିମାସରେ ମୋ ମାଁଙ୍କ ପାଖକୁ ୮୦୦୦- ୧୦.୦୦୦ ଟଙ୍କା ପଠାଉଥିଲି । ଅଥଚ, ତାଲାବନ୍ଦ ଲାଗୁ କରାଯିବା ପରେ ସବୁକିଛି ବଦଳିଗଲା,’’ ବୋଲି ସେ କୁହନ୍ତି ।ଏରପ୍ପାଙ୍କ ମାଁ, ତାଙ୍କୁ ବ୍ୟାକୁଳ ହୋଇ କଲ୍ କରିବାକୁ ଆରମ୍ଭ କରିଦେଲେ । ସେ ଭାବୁଥିଲେ ଯେ ତାଙ୍କ ଗ୍ରାମରେ ତାଙ୍କର ପୁଅର ଜୀବନ ଅଧିକ ସୁରକ୍ଷିତ ଅଟେ । “ମୁଁ ମାର୍ଚ୍ଚ ୨୨ ପର୍ଯ୍ୟନ୍ତ କାମ କରିଛି । ଏହା ପ୍ରାୟତଃ ମାସ ଶେଷ ହୋଇଥିବାରୁ, ମୋ ପାଖରେ ଘରକୁ ଫେରିବା ପାଇଁ ପର୍ଯ୍ୟାପ୍ତ ନଗଦ ନଥିଲା । ଏଣୁ ମତେ ମୋର ଜଣେ ସମ୍ପର୍କୀୟ ଭାଇଠାରୁ ୪,୦୦୦ଟଙ୍କା ଧାର କରିବାକୁ ପଡିଲା,” ବୋଲି ସେ କୁହନ୍ତି । ପରିଶେଷରେ ସେ ଘରେ ପହଞ୍ଚିବାକୁ ଏକ ଘରୋଇ କାର୍ରେ ଯାତ୍ରା କଲେ ।
ପରବର୍ତ୍ତୀ ମାସରେ, ନିଜର ଜୀବନଧାରଣ କରିବାକୁ, ଚାରିଜଣ ସଦସ୍ୟ ବିଶିଷ୍ଟ ଏହି ପରିବାର – ସେମାନେ ଗୋଣ୍ଡ ସମ୍ପ୍ରଦାୟ, ଏକ ଅନୁସୂଚିତ ଜାତି ଅନ୍ତର୍ଭୁକ୍ତକୁ ସେମାନଙ୍କ ମା’ଙ୍କ ଉପାର୍ଜନ ଉପରେ ନିର୍ଭର କରିବାକୁ ପଡିଲା ଯାହା ସେ ବିଭିନ୍ନ ସମୟରେ ଦୈନିକ ୧୦୦-୧୫ ମଜୁରୀ ରେ ବିଭିନ୍ନ ଚାଷଜମିରେ ଘାସ ବାହାର କରିବା କାମ କରି ପାଇଥିଲେ । ଏରପ୍ପା କୁହନ୍ତି ଯେ ଜମି ମାଲିକମାନେ ସାଧାରଣତଃ ଏହିପରି କାମ କରିବାରେ ଅଭ୍ୟସ୍ତ ମହିଳାମାନଙ୍କୁ ଏଥିପାଇଁ ନିୟୋଜିତ କରିଥାନ୍ତି ହେଲେ, ତାଙ୍କର ପରି ଯୁବକମାନଙ୍କୁ ନୁହେଁ । ଆଉ ସେମାନେ ସେମାନଙ୍କର ବିପିଏଲ୍ (ଦରିଦ୍ର ସୀମା ରେଖା ତଳେ) କାର୍ଡ ଦେଖାଇ ପିଡିଏସ୍ ରାସନ୍ ନେଇଛନ୍ତି । ଏରପ୍ପାଙ୍କର ଦୁଇଜଣ ଛୋଟ ଭାଇ ଅଛନ୍ତି – ୨୩ ବର୍ଷ ବୟସ୍କ ରାହୁଲ କର୍ଣ୍ଣାଟକ ଲୋକସେବା ଆୟୋଗ ଅଧିନରେ କର୍ମନିଯୁକ୍ତି ପାଇଁ ହେଉଥିବା ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଥିବାବେଳେ ୧୯ ବର୍ଷ ବୟସ୍କ ବିଳାଷ ସ୍ନାତକ ପାଠ୍ୟକ୍ରମର ପ୍ରଥମ ବର୍ଷର ଛାତ୍ର ଅଟନ୍ତି ଓ ସେ ଆର୍ମିରେ ଯୋଗ ଦେବା ପାଇଁ ଆବେଦନ କରିବାକୁ ନିଜକୁ ପ୍ରସ୍ତୁତ କରୁଛନ୍ତି । ପରିବାରର ଏକ-ଏକର ବିଶିଷ୍ଟ ବର୍ଷା –ଜଳ ନିର୍ଭରଶୀଳ ଚାଷଜମିରେ ସେମାନେ ମସୁର, ମୁଙ୍ଗ ଓ ଜୱାର୍ ଚାଷ କରନ୍ତି, ଯାହାର ଅଧିକାଂଶ ଭାଗ ସେମାନେ ନିଜେ ଖାଇବା ପାଇଁ ବ୍ୟବହାର କରନ୍ତି । ପରିବାର ପାଖରେ ଗୋଟିଏ ମଇଁଷି ଅଛି, ଯାହାର ଯତ୍ନ ଏରପ୍ପାଙ୍କର ଭାଇମାନେ ନିଅନ୍ତି ଓ ଏହାର ଦୁଗ୍ଧ ବିକ୍ରି କରି ମାସକୁ ପ୍ରାୟ ୫,୦୦୦ଟଙ୍କା ରୋଜଗାର କରନ୍ତି ।
ଏରପ୍ପା ୩୩ଦିନ ପର୍ଯ୍ୟନ୍ତ ଏମ୍ଜିଏନ୍ଆର୍ଇଜିଏ କାର୍ଯ୍ୟସ୍ଥଳିଗୁଡିକରେ କାମ କରିଛନ୍ତି – ଅଧିକାଂଶ କେନାଲ୍ ହେଉଛି କେନାଲଗୁଡିକୁ ବାଲୁକାମୁକ୍ତ କରିବା କାମ – ଓ ଏ ବାବଦକୁ ସେ ସମୁଦାୟ ୯,୦୦୦ଟଙ୍କା ଉପାର୍ଜନ କରିଛନ୍ତି । ତାଙ୍କର ଭାଇଦ୍ୱୟ ଜୁଲାଇ ମାସରେ ୧୪ଦିନ ଲେଖା କାମ କରିଛନ୍ତି ଓ ତାଙ୍କର ମା ୩୫ଦିନ କରିଛନ୍ତି – ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଅଧିନିୟମ ୨୦୦୫ ଅଧିନରେ ପ୍ରତ୍ୟେକ ପରିବାର ବର୍ଷକୁ ସମୁଦାୟ ୧୦୦ ଦିନର କାମ କରିବାକୁ ହକ୍ଦାର ହୋଇପାରିବେ । ସେପ୍ଟେମ୍ବରଠାରୁ, ତାଙ୍କ ମାଙ୍କୁ ଜମିରୁ ଅଗଚ୍ଛା ବାଛିବା କାମ ଅଧିକରୁ ଅଧିକ ମିଳିବାରେ ଲାଗିଛି, ଯେଉଁଥିପାଇଁ ସେ ଅନ୍ୟଦିନ ପରି ୧୦୦ - ୧୫୦ ଦିନ ମଜୁରି ପାଆନ୍ତି ।
ସେ ବିଦାରକୁ ଫେରିବାର କିଛିଦିନ ମଧ୍ୟରେ, ଏରପ୍ପା ବେଙ୍ଗାଲୁରୁର ଯେଉଁ ନିର୍ମାଣକାରୀ ୟୁନିଟରେ କାମ କାମ କରୁଥିଲେ, ତାହା ତିନିମାସ ପାଇଁ ବନ୍ଦ ହୋଇଗଲା । “ମୋର ବୋସ୍ କହିଲେ ଯେ ସେଠାରେ ସମସ୍ତେ କରିବା ପାଇଁ ପର୍ଯ୍ୟାପ୍ତ କାମ ନାହିଁ’’ ନିରାଶ ପ୍ରକାଶ କରି ସେ କୁହନ୍ତି । “ ମୁଁ ବାଙ୍ଗାଲୋର୍, ପୁନା ଓ ବମ୍ବେରେ କାମ କରୁଥିବା ମୋର ତିନି ଚାରି ଜଣ ଇଂଜିନିୟରିଂ କଲେଜ ବନ୍ଧୁଙ୍କୁ ମୋର ସିଭି ପଠାଇଛି । “ମୁଁ ନିୟମିତ ଭାବେ ଚାକିରି ୱେବ୍ସାଇଟ୍ଗୁଡିକ ଯାଞ୍ଚ କରୁଛି । ମୁଁ ଆଶା କରୁଛି ଯେ କିଛି ନା କିଛି ହେବ ଓ ମୁଁ ଚାକିରି ପାଇବି (ପୁଣି)”।
*****
ସେହି ଗ୍ରାମରେ ଅନ୍ୟଜଣେ ଯୁବକଙ୍କ ସ୍ୱପ୍ନ ମଧ୍ୟ ପ୍ରାୟତଃ ଭାଙ୍ଗି ଯାଇଛି । ସେପ୍ଟେମ୍ବର ୨୦୧୯ରେ ତାଙ୍କର ଏମ୍ବିଏ ପାଠପଢା (ଅକ୍ସଫୋର୍ଡ କଲେଜ୍ ଅଫ୍ ଇଂଜିନିୟରିଂ, ବେଙ୍ଗାଲୁରୁରୁ) ସମାପ୍ତ କରିଥିବା ଅତିଶ ମେତ୍ରେ, ୨୫, ମଧ୍ୟ ଗତ କିଛି ମାସ ହେବ, ଏରପ୍ପାଙ୍କ ସହିତ କମ୍ଥାନା ଗ୍ରାମରେ ଏକ ଏମ୍ଜିଏନ୍ଆର୍ଇଜିଏ କାର୍ଯ୍ୟସ୍ଥଳରେ କାମ କରୁଛନ୍ତି ।
ତାଲାବନ୍ଦ କାରଣରୁ ଚଳିତ ବର୍ଷ ଏପ୍ରିଲ୍ରେ ବେଙ୍ଗାଲୁରୁରେ ଏକ ଏଚ୍ଡିଏଫ୍ସି ବ୍ୟାଙ୍କରେ ସେ ସେଲ୍ସ ବିଭାଗରେ କରୁଥିବା ଚାକିରି ଛାଡିବାକୁ ବାଧ୍ୟ ହୋଇଥିଲେ । “ଆମକୁ ଆମର ଟାର୍ଗେଟ୍ ନିଶ୍ଚିତ ଭାବେ ପୂରଣ କରିବାକୁ ପଡିବ, ହେଲେ, ଘରୁ ବାହାରୁକୁ ବାହାରିବା ପାଇଁ ଆମକୁ ଅନୁମତି ମିଳୁନଥିବା କମ୍ବା ଏହା ସୁରକ୍ଷିତ ମଧ୍ୟ ନଥିଲା । ମୋର ଟିମ୍ରେ କାମ କରୁଥିବା ଅଧିକାଂଶ ଲୋକଙ୍କୁ ଚାକିରି ଛାଡିବାକୁ ପଡିଲା, ମୋ ପାଖରେ ମଧ୍ୟ ଅନ୍ୟ କୌଣସି ବିକଳ୍ପ ନଥିଲା,’’ ବୋଲି ସେ କୁହନ୍ତି ।
ସେ ତାଙ୍କର ୨୨ବର୍ଷ ବୟସ୍କ ସ୍ତ୍ରୀ ସତ୍ୟବତୀ ଲାଡ୍ଗେରୀଙ୍କ ସହିତ କମ୍ଥାନା ଫେରିଗଲେ । ସତ୍ୟବତୀ ବିକମ୍ ଡିଗ୍ରୀ ପାସ୍ କରିଛନ୍ତି ଓ ସେ ମଧ୍ୟ ଅତିଶଙ୍କ ସହିତ ଯେତେଦିନ ପର୍ଯ୍ୟନ୍ତ କଷ୍ଟ ସହ୍ୟ କରିପାରିଲେ, ସେତେଦିନ ପର୍ଯ୍ୟନ୍ତ ଏମ୍ଜିଏନ୍ଆର୍ଇଜିଏ କାର୍ଯ୍ୟସ୍ଥଳରେ କାମ କଲେ । ଅତିଶ କାମ କରିବା ଜାରି ରଖିଲେ ଓ ନଭେମ୍ବର ୨୧ ବେଳକୁ ସେ ଏହି କାର୍ଯ୍ୟସ୍ଥଳଗୁଡିକରେ ୧୦୦ଦିନର କାମ କରିସାରିଥିଲେ – ଖାତ ଖୋଳିବା, କ୍ଷୁଦ୍ର ଡ୍ୟାମ୍ ଖୋଳିବା, ହ୍ରଦଗୁଡିକୁ ବାଲୁକାମୁକ୍ତ କରିବା ଆଦି କାମ – ଓ ଏ ବାବଦକୁ ପ୍ରାୟ ୨୭,୦୦୦ଟଙ୍କା ଉପାର୍ଜନ କଲେ ।
ଏପ୍ରିଲ୍ରେ ଅତିଶଙ୍କର ଦୁଇ ବଡଭାଇ –ଏହି ପରିବାର ହୋଲେୟା ସମ୍ପ୍ରଦାୟ, ଏକ ଅନୁସୂଚିତ ଜାତି ଅନ୍ତର୍ଭୁକ୍ତ – ଏକ ଛୋଟ ବିଦ୍ଧିସଙ୍ଗତ ପଦ୍ଧତିରେ ବିବାହ କରିଥିଲେ ଯେଉଁଥିପାଇଁ ତାଙ୍କ ମା ଏକ ସ୍ଥାନୀୟ ଏସ୍ଏଚ୍ଜିରୁ ୭୫,୦୦୦ଟଙ୍କା ଧାର କରିଥିଲେ ; ପ୍ରତି ସପ୍ତାହରେ ଏହାର କିସ୍ତି ପଇଠ କରିବାକୁ ହେବ । ଅତିଶ ନଭେମ୍ବର ୨୦୧୯ରେ ଏକ ବାଇକ୍ ଋଣ ନେଇ କିଣିଥିଲେ, ଯେଉଁଥିପାଇଁ ତାଙ୍କୁ ମଧ୍ୟ ପ୍ରତିମାସରେ ୩, ୭୦୦ ଦେୟ ପ୍ରଦାନ କରିବାକୁ ପଡେ । ଗତ କିଛି ମାସ ହେବ ଏହି ପରିବାର ବେଙ୍ଗାଲୁରୁର ଏକ କମ୍ପାନିରେ ଏସି ଟେକ୍ନିସିଆନ୍ ଭାବେ କାମ କରୁଥିବା ତାଙ୍କ ବଡ ଭାଇଙ୍କର ଉପାର୍ଜନ ଉପରେ ନିର୍ଭର କରିବାକୁ ବାଧ୍ୟ ହୋଇଛି । ଆଠଜଣ ସଦସ୍ୟ ବିଶିଷ୍ଟ ଏହି ପରିବାରରେ ରହୁଥିବା ସେମାନଙ୍କର ଅଭିଭାବକମାନେ ଶ୍ରମିକ ଭାବେ କାମ କରୁଥିବା ବେଳେ ତାଙ୍କର ଅନ୍ୟ ଜଣେ ଭାଇ ମଧ୍ୟ ଏହି କାମ କରନ୍ତି ।
“ତାଲାବନ୍ଦ ପରେ ମୋର ଭାଇ ପ୍ରଦୀପ ମଧ୍ୟ ଏପ୍ରିଲ୍ରେ ମୋ ସହିତ କମ୍ଥାନାରୁ ଫେରି ଆସିଥିଲେ । ହେଲେ, ସେ ଅଗଷ୍ଟରେ ପୁଣି ଥରେ ବେଙ୍ଗାଲୁରୁ ଚାଲିଗଲେ ଓ ଏକ କମ୍ପାନିରେ ଯୋଗ ଦେଲେ,” ବୋଲି ଅତିଶ କୁହନ୍ତି । “ମୁଁ ମଧ୍ୟ ସୋମବାରଦିନ (ନଭେମ୍ବର ୨୩) ବେଙ୍ଗାଲୁରୁ ଯାଉଛି । ମୁଁ ସେଠାରେ ମୋର ଜଣେ ବନ୍ଧୁଙ୍କ ସହିତ ରହି ଚାକିରି ଖୋଜିବି ; ମୁଁ ଯେକୌଣସି ବିଭାଗରେ କାମ କରିବାକୁ ଚାହିଁବି ।*****
“ଅତିଶ ଓ ଏରପ୍ପାଙ୍କଠାରୁ ଭିନ୍ନ, ପ୍ରିତମ କେମ୍ପେ ୨୦୧୭ରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଅନ୍ୟ କୁଆଡେ ନଯାଇ କମ୍ଥାନାରେ ଅଛନ୍ତି । ସେ ମାସିକ ୬,୦୦୦ ବେତନରେ ଏକ ପାନୀୟ ଜଳ କାରଖାନାରେ କ୍ୱାଲିଟି ଟେଷ୍ଟର୍ ଭାବେ ପାର୍ଟ-ଟାଇମ୍ ଚାକିରି ପାଇଗଲେ । ତାପରେ ସେ ୨୦୧୯ ଡିସେମ୍ବରେ ବିଏଡ୍ ପାଠ୍ୟକ୍ରମ ସମାପ୍ତ କଲେ । “ମୁଁ ସ୍ନାତକରେ ଉତ୍ତୀନ୍ନ ହେବା ପରେ, ମୋ ପରିବାରକୁ ସହାୟତା କରିବା ପାଇଁ ମତେ ସଙ୍ଗେସଙ୍ଗେ କିଛି କାମ କରିବା ଜରୁରୀ ଥିଲା, ଏଣୁ ସହର ବାହାରକୁ ଯିବା ମୋ ପାଇଁ ବୋଧହୁଏ ଉତ୍ତମ ବିକଳ୍ପ ହୋଇନଥାନ୍ତା,” ବୋଲି ସେ କୁହନ୍ତି । “ମୁଁ ଭାବୁଛି ମୁଁ ଏବେ ମଧ୍ୟ କୌଣସି ସହରକୁ କାମ କରିବାକୁ ଯାଇପାରିବିନାହିଁ କାରଣ ମା’ଙ୍କ ସହିତ ମୁଁ ରହିବା ନିତାନ୍ତ ଜରୁରୀ ଅଟେ ।
ତାଙ୍କ ମା’ – ଏହି ପରିବାର ହୋଲେୟା ଏସ୍ସି ସମ୍ପ୍ରଦାୟ, ଅନ୍ତର୍ଭୁକ୍ତ – କପଡା ସିଲେଇକରି ରୋଜଗାର କରନ୍ତି ହେଲେ କାମ ଯୋଗୁଁ ସେ ଉଭୟ ଦୃଷ୍ଟିଜନିତ ସମସ୍ୟା ଓ ଗୋଡରେ ଯନ୍ତ୍ରଣା ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି; ତାଙ୍କର ଭଉଣୀ ମଧ୍ୟ ବିଏଡ୍ ଡିଗ୍ରୀ ପାଠ୍ୟକ୍ରମରେ ଅଧ୍ୟୟନ କରୁଥିବାବେଳେ ତାଙ୍କର ଦୁଇଜଣ ବଡଭାଇଙ୍କ ବିବାହ ହୋଇଯାଇଛି ଓ ସେମାନେ ଭିନ୍ନ ହୋଇ ରହୁଛନ୍ତି; ତାଙ୍କର ବାପା ଜଣେ କୃଷକ ଥିଲେ, ୨୦୦୬ରେ ତାଙ୍କର ମୃତ୍ୟୁ ହୋଇଯାଇଛି ।ପ୍ରିତମ ଫେବୃଆରିରେ ଏକ ଘରୋଇ ଅର୍ଥଯୋଗାଣକାରୀ ଫାର୍ମରୁ ତାଙ୍କ ବଡ ଭଉଣୀଙ୍କ ବାହାଘର ପାଇଁ ୧ଲକ୍ଷ ଟଙ୍କା ଋଣ କରିଥିଲେ । ଏହି ଋଣ ପରିଶୋଧ କରିବାକୁ ତାଙ୍କୁ ପ୍ରତିମାସରେ ୫,୫,୦୦ଟଙ୍କା ଜମା କରିବାଗୁ ପଡେ । ତାଲାବନ୍ଦ ସମୟରେ ଏହି ସୁଧ ପଇଠ କରିବା ପାଇଁ ସମର୍ଥ ହେବାକୁ ସେ ପୁଣିଥରେ ଗ୍ରାମର ଜଣେ ବ୍ୟକ୍ତିଙ୍କଠାରୁ ତାଙ୍କ ମା‘ଙ୍କ ସୁନା ବନ୍ଧକ ରଖି କିଛି ଟଙ୍କା ଋଣ ଆଣିଥିଲେ ।
ମେ ପ୍ରଥମ ସପ୍ତାହରେ, ସେ ମଧ୍ୟ ଏରପ୍ପା ଓ ଅତିଶଙ୍କ ସହିତ ଏମ୍ଜିଏନ୍ଆର୍ଇଜିଏ କାର୍ଯ୍ୟସ୍ଥଳରେ କାମ କରିବାକୁ ଆରମ୍ଭ କଲେ । “ଏଭଳି ଆର୍ଥିକ ସହାୟତାର ପରିଚାଳନା କରିବା ଅତ୍ୟନ୍ତ କଷ୍ଟକର ଅଟେ । ବର୍ଷା ହୋଇଗଲେ, ଆମକୁ ଏନ୍ଆର୍ଇଜିଏ କାମ ମଧ୍ୟ ମିଳେନି,” ବୋଲି ସେ ମତେ କିଛିଦିନ ପୂର୍ବେ କହିଥିଲେ । ପ୍ରିତମ ନଭେମ୍ବର ୨୧ ସୁଦ୍ଧା ବିଭିନ୍ନ କାର୍ଯ୍ୟସ୍ଥଳିରେ ପ୍ରାୟ ୯୬ଦିନ କାମ କରିଛନ୍ତି ଓ ମୋଟାମୋଟି ପ୍ରାୟ ୨୬୦୦୦ଟଙ୍କା ଉପାର୍ଜନ କରିଛନ୍ତି ।
“ମୁଁ ଯେଉଁ ପାନୀୟ ଜଳ ବ୍ୟବସ୍ଥାରେ ନିଯୁକ୍ତି ପାଇଛି, ସେଠାରେ କରିବାକୁ ବିଶେଷ କାମ ନାହିଁ” ବୋଲି ମଧ୍ୟ ସେ ପ୍ରକାଶ କରନ୍ତି । “ମୁଁ ସେହି ସ୍ଥାନକୁ କିଛି ଘଣ୍ଟା ପାଇଁ ସପ୍ତାହରେ ତିନି – ଚାରି ଥର ଯାଇଥାଏ, ଗତ ଅକ୍ଟୋବର୍ରେ ମତେ ୫,୦୦୦ଟଙ୍କା (ଗୋଟଏ-ଥର) ଦେୟ ପ୍ରଦାନ କରିଥିଲେ । ମୋର କିଛି ମାସର ବେତନ ଏବେ ମଧ୍ୟ ମିଳିବାକୁ ବାକି ଅଛି । ବର୍ତ୍ତମାନ ମଧ୍ୟ ନିୟମିତ ବେତନ ପାଇବାର କୌଣସି ଗ୍ୟାରେଣ୍ଟି ନାହିଁ । ଏଣୁ ମୁଁ ବିଦାରର ଶିଳ୍ପାଞ୍ଚଳରେ ଏକ ନୂଆ ଚାକିରି ଅନ୍ୱେଷଣ କରୁଛି ।*****
ଏରପ୍ପା, ଅତିଶ ଓ ପ୍ରିତମଙ୍କ ଭଳି ୧୧,୧୭୯ ଜନସଂଖ୍ୟା ବିଶିଷ୍ଟ କମ୍ଥାନା ଗ୍ରାମର ଅନେକ ଲୋକ ତାଲାବନ୍ଦ ସମୟରେ ନିରାଶ ହୋଇ ଶେଷରେ ଏମ୍ଜିଏନ୍ଆର୍ଇଜିଏ କାମ କରୁଛନ୍ତି ।
“ତାଲାବନ୍ଦ ଲାଗୁ କରାଯିବାର ପ୍ରାରମ୍ଭିକ ଦିନରେ, ଅନେକ ଲୋକ ବେକାର ହୋଇଗଲେ ଓ ଖାଦ୍ୟ ପାଇଁ ସେମାନଙ୍କୁ ସଂଘର୍ଷ କରିବାକୁ ପଡିଲା,” ବୋଲି ଲକ୍ଷ୍ମୀ ବୱଗେ, ଯିଏ ମାର୍ଚ୍ଚ ୨୦୨୦ରେ ବୁଦ୍ଧ ବାସବ ଆମ୍ବେଦକର୍ ଯୁବ ଗୋଷ୍ଠୀ ନିର୍ମାଣ କରିବା ପାଇଁ ସାହାଯ୍ୟ କରିଥିଲେ, କୁହନ୍ତି । ଏହି ଦଳ ଯେଉଁଥିରେ ବର୍ତ୍ତମାନ ସମସ୍ତ ବୟସ ବର୍ଗର ପ୍ରାୟ ୬୦୦ ସଦସ୍ୟ ଅଛନ୍ତି, ତାଲାବନ୍ଦ ଯେତେବେଳେ ଆରମ୍ଭ ହେଲା, ସେତେବେଳେ ବିଦାରର ଜିଲ୍ଲା ପ୍ରଶାସନର ସହଯୋଗରେ କମ୍ଥାନାରେ ବାସ କରୁଥିବା ପରିବାରଗୁଡିକ, ଯେଉଁମାନଙ୍କ ପାଖରେ କାର୍ଡ ନାହିଁ ବା ଯେଉଁମାନେ ପିଡିଏସ୍ ଆଉଟ୍ଲେଟ୍ରେ ପହଞ୍ଚିବା ସମ୍ଭବ ହେଉନାହିଁ, ସେମାନଙ୍କୁ ରାସନ୍ ସାମଗ୍ରୀ ବିତରଣ କରୁଥିଲେ, ଅଙ୍ଗନ୍ୱାଡିଗୁଡିକରୁ ଖାଦ୍ୟପଦାର୍ଥ ନେଇ ଗର୍ଭବତୀ ମହିଳାଙ୍କ ପାଖରେ ପହଞ୍ଚାଉଥିଲେ ତଥା ଅନ୍ୟାନ୍ୟ ଅନେକ ଉପାୟରେ ସହାୟତା କରିବାକୁ ଚେଷ୍ଟା କରୁଥିଲେ ।
“ଲକ୍ଷ୍ମୀ ୨୮, ଅଖିଳ ଭାରତ ଗାଣତାନ୍ତ୍ରିକ ମହିଳା ସଂଗଠନର ଜଣେ ସଦସ୍ୟ, ପଡୋଶୀ ଗୁଲବର୍ଗା ଜିଲ୍ଲାର ଜଣେ ବରିଷ୍ଠ ସମାଜସେବୀଙ୍କ ସହିତ ଏମ୍ଜିଏନ୍ଆର୍ଇଜିଏ କାମ ପାଇଁ ପଞ୍ଜୀକକରଣ ପ୍ରକ୍ରିୟା ବିଷୟରେ ଜାଣିବା ପାଇଁ କଥା ହୋଇଥିଲେ । “ପଞ୍ଚାୟତ ସ୍ତରରେ ବ୍ୟାପକ ଅନିୟମିତତା ହେଉଥିବାରୁ, ବେକାର ଯୁବକମାନଙ୍କ ପକ୍ଷରେ ବୃତ୍ତି କାର୍ଡ ହାସଲ କରିବା ସହଜ ହେଉନଥିଲା,” ବୋଲି ସେ କୁହନ୍ତି । “ଅଥଚ, ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ସାହାଯ୍ୟ କଲେ ଓ ସେମାନେ କିପରି କାମ ପାଇପାରିବେ ତାହା ସୁନିଶ୍ଚିତ କଲେ ।୨୦୨୦ରେ ଏପ୍ରିଲ୍ରୁ ସେପ୍ଟେମ୍ବର ମଧ୍ୟରେ, କମ୍ଥାନାରେ ସମୁଦାୟ ୪୯୪ ଏମ୍ଜିଏନ୍ଆର୍ଇଜିଏ ବୃତ୍ତି କାର୍ଡ ଜାରି କରାଯାଇଥିଲା, ବୋଲି ସରତ କୁମାର ଅଭିମାନ, ବିଦାର ତାଲୁକ ପଞ୍ଚାୟତର ସହାୟକ ନିର୍ଦ୍ଦେଶକ କୁହନ୍ତି । “ଜିଲ୍ଲା ପ୍ରଶାସନର ଏହା ହୃଦ୍ବୋଧ ହେଲା ଯେ ଆଗକୁ ବହୁ ସଂଖ୍ୟକ ପ୍ରବାସୀ ଶ୍ରମିକମାନେ ଏଠାକୁ ଆସିବେ, ଯେଉଁମାନେ ମୁଖ୍ୟତଃ ବଡ ବଡ ସହର ଓ ଟାଉନ୍ରୁ ବିଦାର୍କୁ ଫେରିବେ । ଏଣୁ ଆମେ ସେମାନଙ୍କୁ ବୃତ୍ତି କାର୍ଡ ଯୋଗାଇବାକୁ ଆରମ୍ଭ କଲୁ ଓ ସେମାନଙ୍କୁ ଛୋଟ ଛୋଟ ଦଳରେ ବିଭକ୍ତ କରି ଏନ୍ଆର୍ଇଜିଏ ଅଧିନରେ କାମ ବଣ୍ଟନ କଲୁ,” ବୋଲି ମତେ ଅଭିମାନ ଫୋନ୍ ମାଧ୍ୟମରେ କହିଛନ୍ତି ।
*****
ଗୁଲ୍ବର୍ଗା ଜିଲ୍ଲାରେ କମ୍ଥାନାଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଅବସ୍ଥିତ ତାଜ୍ ସୁଲ୍ତାନ୍ପୁର ଗ୍ରାମରେ, ୨୮ ବର୍ଷ ବୟସ୍କ ମଲ୍ଲାମ୍ମା ମଦାଙ୍କର ଛାତ୍ର ସମୟରୁ ୨୦୧୭ରୁ ଏମ୍ଜିଏନ୍ଆର୍ଇଜିଏ କାର୍ଯ୍ୟସ୍ଥଳଗୁଡିକରେ କାମ କରି ଆସୁଛନ୍ତି – ହ୍ରଦକୁ ବାଲୁକାମୁକ୍ତ କରିବା, ଜମିରେ ପୋଖରୀ, ନାଳ ଓ ରାସ୍ତା ନିର୍ମାଣ କରିବା ଆଦି କାମ । “ମୁଁ ପ୍ରାତଃକାଳରେ ଘରୁ ବାହାରି ପଡୁଥିଲି, ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ କାମ କରୁଥିଲି, ତାପରେ ବସ୍ ଧରି କାର୍ଯ୍ୟସ୍ଥଳିରୁ ମୋର ମହାବିଦ୍ୟାଳୟକୁ ଯାଉଥିଲି, “ ବୋଲି ସେ କହିଲେ ।
ମାର୍ଚ୍ଚ ୨୦୧୮ରେ ସେ ଗୁଲ୍ବର୍ଗାରେ ଥିବା ଡ. ବିଆର୍ ଆମ୍ବେଦକର ମହାବିଦ୍ୟାଳୟରୁ ତାଙ୍କର ଆଇନ ଡିଗ୍ରୀ ହାସଲ କଲେ ଓ ମାସିକ ୬,୦୦୦ଟଙ୍କା ବେତନରେ ନଅମାସ ପାଇଁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ କ୍ଲର୍କ ଭାବେ ଚୁକ୍ତି ଆଧାରରେ କାମ କଲେ । “ ଗୁଲ୍ବର୍ଗାର ଜିଲ୍ଲା କୋର୍ଟରେ ଜଣେ ବରିଷ୍ଠ ଆଇନ୍ଜୀବୀଙ୍କ ଅଧିନରେ ମୋର ଆଇନ୍ ପେସା ଆରମ୍ଭ କରିବାକୁ ମୁଁ ଚାହୁଁଥିଲି ଓ ଏ ବାବଦରେ ମୁଁ ଜଣଙ୍କ ସହିତ କଥା ମଧ୍ୟ ହୋଇଥିଲି, ଯିଏ ମତେ ମୋର ମହାବିଦ୍ୟାଳୟର ପ୍ରୋଜେକ୍ଟ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥିଲେ । ଚଳିତ ବର୍ଷ ମୁଁ କୋର୍ଟରେ କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା କରିଥିଲି ହେଲେ ମୁଁ କରିପାରିଲିନାହିଁ ( କୋଭିଡ୍ କାରଣରୁ) ।“
ଏଣୁ ମାଲ୍ଲମ୍ମା – ସେ ହୋଲେୟା ଏସ୍ସି ସମ୍ପ୍ରଦାୟର ଅଟନ୍ତି – ଏପ୍ରିଲ୍ ଶେଷ ଭାଗରେ ଓ ମେ ରେ ପୁଣି ଥରେ ଏମ୍ଜିଏନ୍ଆର୍ଇଜିଏରେ କିଛି ସମୟ କାମ କରିବାକୁ ଫେରିଗଲେ । “ହେଲେ, ବର୍ଷା ଓ ସାମାଜିକ ଦୂରତା କାରଣରୁ, ଆମ ଗ୍ରାମର ଅଧିକାରୀମାନେ ଆମକୁ ଚଳିତ ବର୍ଷ ଏନ୍ଆର୍ଇଜିଏ ଅଧିନରେ କୌଣସି କାମ କରିବାକୁ ମଧ୍ୟ ଦେଲେ ନାହିଁ । ମୁଁ କେବଳ ୧୪ ଦିନ ପାଇଁ କାମ କରୁଛି,” ବୋଲି ସେ କୁହନ୍ତି । “ଯଦି କୋଭିଡ୍ ନଥାନ୍ତା, ତାହାହେଲେ ମୁଁ କୋର୍ଟରେ କାମ ଆରମ୍ଭ କରିସାରିଥାନ୍ତି ।
ମଲ୍ଲମ୍ମାଙ୍କର ସାତ ସଦସ୍ୟ ବିଶିଷ୍ଚ ପରିବାର ସେମାନଙ୍କର ଶିକ୍ଷାର ହାର ବୃଦ୍ଧି କରିବାକୁ ଆପ୍ରାଣ ଉଦ୍ୟମ କରିଛନ୍ତି; ଜଣେ ଭଉଣୀ ଏମ୍ଏ – ବିଏଡ୍ ଡିଗ୍ରୀ ପ୍ରାପ୍ତ କରିଛନ୍ତି (ଓ ବେଙ୍ଗାଲୁରୁସ୍ଥିତ ଏକ ଏନ୍ଜିଓରେ ସର୍ବେକ୍ଷକ ଭାବେ କାମ କରୁଥିଲେ), ଅନ୍ୟ ଜଣେ ଭଉଣୀ ସାମାଜ ସେବାରେ ଡିଗ୍ରୀ ହାସଲ କରିଛନ୍ତି ( ଓ ବିଦାରର ଏକ ଏନ୍ଜିଓରେ କାମ କରିଛନ୍ତି); ତାଙ୍କ ଭାଇ ଏମ୍କମ୍ ଡିଗ୍ରୀ ହାସଲ କରିଛନ୍ତି ।
ସେମାନଙ୍କ ମା ଭୀମବାଇ, ୬୨, ସେମାନଙ୍କର ତିନି ଏକର ଜମିର ଦେଖାରେଖା କରନ୍ତି, ଯେଉଁଥିରେ ସେମାନେ ଜୱାର୍, ମାଣ୍ଡିଆ ଓ ଅନ୍ୟ ଶସ୍ୟ ଚାଷ କରିଥାନ୍ତି ଓ ଏଥିରୁ ଯାହା ଉତ୍ପାଦନ ହୁଏ, ତାହା ସେମାନେ ମୁଖ୍ୟତଃ ନିଜେ ଖାଇବା ପାଇଁ ବ୍ୟବହାର କରନ୍ତି । ସେମାନଙ୍କ ବାପା ଗୁଲ୍ବର୍ଗା ଜିଲ୍ଲାର ଜେଭାର୍ଗୀ ତାଲୁକରେ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଥିଲେ । ୨୦୦୨ରେ ଅବସର ଗ୍ରହଣ କରିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା ଓ ବର୍ତ୍ତମାନ ପରିବାର ତାଙ୍କର ପେନ୍ସନ୍ ବାବଦକୁ ମାସକୁ ୯,୦୦୦ ଟଙ୍କା ପେନ୍ସନ୍ ପାଉଛି ।
“ମୋର ଭଉଣୀ ତାଲାବନ୍ଦ କାରଣରୁ ଘରକୁ ବାହୁଡି ଯାଇଛି,” ବୋଲି ମଲ୍ଲମ୍ମା କୁହନ୍ତି । “ଆମେ ସମସ୍ତେ ବର୍ତ୍ତମାନ ବେକାର ହୋଇ ବସିଛୁ ।“
କମଥନା ଗ୍ରାମରେ ସେ ଓ ତାଙ୍କଭଳି ଯୁବକମାନେ ବ୍ୟାକୁଳତା ସହିତ ଏପରି କିଛି କାମ ପାଇଁ ଅପେକ୍ଷା କରି ରହିଛନ୍ତି ଯେଉଁଠାରେ ସେମାନେ ତାଙ୍କର ଶିକ୍ଷାର ଉଚିତ୍ ବ୍ୟବହାର କରିପାରିବେ । “ମୁଁ ଏପରି କିଛି ଚାହୁଁଛି ଯେଉଁଥିରେ ମୋତେ କିଛି ଦାୟିତ୍ୱ ପ୍ରଦାନ କରାଯିବ,” ବୋଲି ଏରପ୍ପା କୁହନ୍ତି । “ମୁଁ ମୋର ଶିକ୍ଷାର ଉଚିତ୍ ବ୍ୟବହାର ହେବା ଚାହୁଁଛି । ମୁଁ ଜଣେ ଇଂଜିନିୟର୍ ଓ ଏପରି ଏକ ସ୍ଥାନରେ କାମ କରିବାକୁ ଚାହୁଁଛି ଯେଉଁଠାରେ ମୋର ଡିଗ୍ରୀର କିଛି ଗୁରୁତ୍ୱ ରହିଥିବ ।
ଏହି ଆଲେଖ ପାଇଁ କରାଯାଇଥିବା ସମସ୍ତ ସାକ୍ଷାତ ଫୋନ୍ ମାଧ୍ୟମରେ ଅଗଷ୍ଟ ୨୭ ରୁ ନଭେମ୍ବର ୨୧ ମଧ୍ୟରେ କରାଯାଇଥିଲା ।
ଅନୁବାଦ: ଓଡ଼ିଶାଲାଇଭ୍