ଜମ୍ମୁ ଓ କାଶ୍ମୀରର ଉଚ୍ଚ ପାହାଡ଼ରେ ଆପଣ କ୍ୱଚିତ୍ ଜଣେ ବକରୱାଲଙ୍କୁ ଏକୁଟିଆ ଦେଖିବାକୁ ପାଇବେ।
ଗ୍ରାମୀଣ ପଶୁପାଳକ ସଂପ୍ରଦାୟ ସେମାନଙ୍କ ଗୃହପାଳିତ ପଶୁଙ୍କ ଲାଗି ଚାରଣଭୂମି ସନ୍ଧାନରେ ହିମାଳୟ ସାରା ବଡ଼ ବଡ଼ ଦଳରେ ବୁଲିଥାନ୍ତି। ପ୍ରତିବର୍ଷ ଉଚ୍ଚ ସ୍ଥାନରେ ଥିବା ଏକ ଘାସ ପଡ଼ିଆ ବା ବହକକୁ ଯାଉଥିବା ମହମ୍ମଦ ଲତିଫ୍ କହିଲେ, ‘‘ତିନିରୁ ଚାରି ଭାଇ ଏକାଠି ହୋଇ ସେମାନଙ୍କ ପରିବାର ସହ ଯାତ୍ରା କରିଥାନ୍ତି’’। ପ୍ରାୟ ୫୦୦୦ ମେଣ୍ଢା, ଛେଳି, ଘୋଡ଼ା ଏବଂ କିଛି ସୁନ୍ଦର ବକରୱାଲି କୁକୁର ଯେଉଁଗୁଡ଼ିକ ବାର୍ଷିକ ସେମାନଙ୍କ ସହ ଯାତ୍ରା କରିଥାନ୍ତି ସେଗୁଡ଼ିକ ଉଦ୍ଦେଶ୍ୟରେ ସେ କହିଲେ, ‘‘ଛେଳି ଓ ମେଣ୍ଢାକୁ ଏକାଠି ରଖାଯାଉଥିବାରୁ ପଲଙ୍କୁ ସମ୍ଭାଳିବା ସହଜ ହୋଇଥାଏ’’।
ଜମ୍ମୁର ସମତଳରୁ ପୀର ପଞ୍ଜଲ ଏବଂ ଅନ୍ୟ ହିମାଳୟ ଶୃଙ୍ଖଳାର ଉଚ୍ଚ ଚାରଣଭୂମି ଯାଏ ବକରୱାଲମାନଙ୍କର ଯାତ୍ରା ମଧ୍ୟରେ ପ୍ରାୟ ୩୦୦୦ ମିଟରର କ୍ରମିକ ଚଢ଼ିବା ସାମିଲ ହୋଇଥାଏ। ସେମାନେ ଗରମ ଆରମ୍ଭ ପୂର୍ବରୁ ମାର୍ଚ୍ଚ ମାସର ଶେଷ ଆଡ଼କୁ ଉପରକୁ ଚାଲି ଯାଇଥାନ୍ତି, ଏବଂ ଶୀତ ଆରମ୍ଭ ହେବା ପୂର୍ବରୁ ସେପ୍ଟେମ୍ବର ମାସ ପାଖାପାଖି ସମୟରେ ଫେରିବା ଆରମ୍ଭ କରିଥାନ୍ତି।
ପ୍ରତ୍ୟେକ ଯାତ୍ରାରେ ପ୍ରତି ଥର ପ୍ରାୟ ୬-୮ ସପ୍ତାହ ସମୟ ଲାଗିଥାଏ; ମହିଳା, ପିଲାମାନେ ଏବଂ କିଛି ପୁରୁଷ ଆଗରେ ରହିଥାନ୍ତି। ମହମ୍ମଦ ଲତିଫ୍ ଯୋଗ କଲେ, ‘‘ସେମାନେ ଗୁରୁ ତ୍ୱ ପୂର୍ଣ୍ଣ ଚାରଣଭୂମିରେ ଆମ ଆଗରୁ ପହଞ୍ଚିଥାନ୍ତି ଏବଂ ପଶୁ ପଲଙ୍କ ଆଗମନ ଲାଗି ଡେରା [କ୍ୟାମ୍ପ ]ପ୍ରସ୍ତୁତ କରି ରଖନ୍ତି।’’ ତାଙ୍କ ଦଳ ରାଜୌରୀ ନିକଟସ୍ଥ ସମତଳ ଭୂମିରୁ ଲଦାଖର ଜୋଜିଲା ପାସ୍ ନିକଟବର୍ତ୍ତୀ ମୀନାମାର୍ଗ ଯାଏ ଉପରକୁ ଯାତ୍ରା କରିଥାଏ।
ନିଜର ୩୦ ଦଶକର ଶେଷ ଭାଗରେ ପହଞ୍ଚିଥିବା ଶୌକତ ଅଲ୍ଲୀ କଣ୍ଡଲ ଜମ୍ମୁର କାଠୁଆ ଜିଲ୍ଲାର ୨୦ଟି ବକରୱାଲ ପରିବାରବିଶିଷ୍ଟ ଅନ୍ୟ ଏକ ଗୋଷ୍ଠୀର ଅଶଂବିଶେଷ। ଏହା ସେପ୍ଟେମ୍ବର ୨୦୨୨ ଏବଂ ତାଙ୍କ ଦଳ କିସ୍ତୱାର ଜିଲ୍ଲାର ଦୋଢ଼ାଇ ବହକ (ଉଚ୍ଚ ଚାରଣଭୂମି) ରୁ ଫେରୁଛି-କିଛି ପିଢ଼ି ଧରି ତାହା ତାଙ୍କ ପରିବାରର ଗ୍ରୀଷ୍ମକାଳୀନ ଘର। ସେମାନେ ୱାରୱାନ ଉପତ୍ୟକାରେ ବରଫ ରାସ୍ତା ଦେଇ ଫେରିଛନ୍ତି। ଶୌକତ କହିଲେ, ‘‘ଆମେ ଆଉ ଏକ ମାସ ମଧ୍ୟରେ କାଠୁଆ ପହଞ୍ଚିବୁ। ରାସ୍ତାରେ ଆଉ ୪-୫ଟି ଅଟକିବା ସ୍ଥାନ ରହିଛି।’’
ବକରୱାଲମାନେ ବର୍ଷର ଅଧିକାଂଶ ସମୟ ଏଣେ ତେଣେ ବୁଲିଥାନ୍ତି କାରଣ ସେମାନଙ୍କର ମେଣ୍ଢାଙ୍କୁ ଆବଦ୍ଧ କରି ରଖାଯାଇ ପାରିବ ନାହିଁ; ସେମାନେ ନିଶ୍ଚିତ ଭାବେ ଖୋଲାରେ ଚରିବା ଆବଶ୍ୟକ। ପଶୁପଲଙ୍କର ଆରାମ ଓ ଖାଦ୍ୟ ସବୁଠୁ ଗୁରୁତ୍ୱପୂର୍ଣ୍ଣ କାରଣ ପଶୁମାନେ ସେମାନଙ୍କ ରୋଜଗାରର ମୁଖ୍ୟ ସ୍ରୋତ-ସମସ୍ତ କାଶ୍ମିରୀ ଭୋଜିରେ ଛେଳି ଓ ମେଣ୍ଢା ମାଂସକୁ ଖୁବ୍ ଗୁରୁତ୍ୱ ଦିଆଯାଇଥାଏ। ଶୌକତଙ୍କର ଜଣେ ପୁରୁଣା ସଂପର୍କୀୟ କହିଲେ, ‘‘ଆମର ମେଣ୍ଢା ଓ ଛେଳି ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। କାଶ୍ମୀରିମାନଙ୍କ[ସ୍ଥାନୀୟ] ନିକଟରେ ଅଖରୋଟ୍ ଓ ସେଓ ଗଛ [ଆୟ ଲାଗି଼] ରହିଛି।’’ ସେମାନଙ୍କ ଯାତ୍ରା ସମୟରେ ଘୋଡ଼ା ଓ ଖଚର ବି ମହତ୍ୱପୂର୍ଣ୍ଣ: କେବେ କେବେ ଆସୁଥିବା ପର୍ଯ୍ୟଟକ କେବଳ ନୁହନ୍ତି, ବରଂ ପରିବାର ଲୋକ, ମେଣ୍ଢା ଛୁଆ, ଉଲ୍, ପାଣି ଓ ଦୈନନ୍ଦିନର ଆବଶ୍ୟକ ଜିନିଷପତ୍ର ବି ସେମାନଙ୍କ ମାଧ୍ୟମରେ ପରିବହନ ହୋଇଥାଏ।
ଏହା ପୂର୍ବରୁ ଦିନରେ ଆମେ ଶୌକତଙ୍କ ପତ୍ନୀ ଶମା ବାନୋଙ୍କ ସହ ସେମାନଙ୍କର କ୍ୟାମ୍ପରେ ପହଞ୍ଚିବା ଲାଗି ପାହାଡ଼ର ତୀଖ ଚଟାଣ ଉପରେ ଚଢ଼ିଥିଲୁ। ତାଙ୍କ ମୁଣ୍ଡରେ ପାଣିର ଏକ ବଡ଼ ପାତ୍ର ଥିଲା ଯାହାକୁ ସେ ତଳୁ ନଦୀରୁ ଭରି ଆଣିଥିଲେ। ପାଣି ଆଣିବା କାମ ପ୍ରାୟତଃ ମହିଳା ଚରାଳୀଙ୍କ ଉପରେ ପଡ଼ିଥାଏ ଯେଉଁମାନଙ୍କୁ ଯାତ୍ରା ସମୟରେ ବି ପ୍ରତିଦିନ ଏହି କାମ କରିବାକୁ ପଡ଼ିଥାଏ।
ଏକ ଗ୍ରାମୀଣ ପଶୁପାଳକ ସଂପ୍ରଦାୟ ବକରୱାଲମାନେ ରାଜ୍ୟରେ ଅନୁସୂଚୀତ ଜନଜାତି ଭାବେ ସୂଚୀବଦ୍ଧ। ୨୦୧୩ ମସିହାର ଏକ ରିପୋର୍ଟ ଅନୁସାରେ ସେମାନଙ୍କର ଜନସଂଖ୍ୟା ପ୍ରାୟ ୧,୧୩,୧୯୮। ସେମାନେ ଜମ୍ମୁ ଓ କାଶ୍ମୀର ସାରା ବୁଲୁଥିବାରୁ ବଗିଚାଗୁଡ଼ିକରେ ଋତୁକାଳୀନ ଶ୍ରମିକ ରୂପେ କାମ କରିବାର ମଧ୍ୟ ସୁଯୋଗ ନେଇଥାନ୍ତି। ସମାନ ସ୍ଥାନକୁ ସେମାନଙ୍କର ବାର୍ଷିକ ବିସ୍ଥାପନ ସ୍ଥାନୀୟ କାଶ୍ମୀରିମାନଙ୍କ ସହ ସେମାନଙ୍କର ଏକ ସୁଦୃଢ ବନ୍ଧୁତାର ବନ୍ଧନ ସୃଷ୍ଟି କରିଛି। ପ୍ରାୟ ସମୟରେ ନିକଟବର୍ତ୍ତୀ ଗାଁମାନଙ୍କରୁ ଗାଈ ଚରାଇବାକୁ ଉପରକୁ ଆସୁଥିବା ମହିଳାମାନେ ପର୍ଯ୍ୟଟକଙ୍କ ସହ କଥାହେବାକୁ ସେମାନଙ୍କର ତମ୍ବୁରେ ବସିଯାଇଥାନ୍ତି।
ଜୋହରା କହନ୍ତି, ‘‘ଆମ ନିକଟରେ ଏକ ଛୋଟ ପଶୁ ପଲ ରହିଛି, ତଥାପି ଆମର ପୁରୁଷମାନେ ଅଧିକ କାମ ପାଉଥିବାରୁ [ଯେତେବେଳେ ଆମେ ଯାତ୍ରା କରୁ] ଆମେ ପ୍ରତିବର୍ଷ ବିସ୍ଥାପିତ ହୋଇଥାଉ। ଯୁବକମାନେ ସ୍ଥାନୀୟ କାଶ୍ମୀରିମାନଙ୍କ ଲାଗି କାଠ କାଟିବା କିମ୍ବା ଅଖରୋଟ୍ ଓ ସେଓ ଅମଳ କରିବାର କାମ କରିବାକୁ ଯାଇଥାନ୍ତି। ପ୍ରାୟ ୭୦ ବର୍ଷୀୟ ଜୋହରା କିଛି ବକରୱାଲ ମହିଳା ପିନ୍ଧୁଥିବା ପାରମ୍ପରିକ ହସ୍ତନିର୍ମିତ ଏମ୍ବ୍ରୋଡୋରୀ ହୋଇଥିବା ଟୋପି ପିନ୍ଧିଥିଲେ। ଜମ୍ମୁରେ ଥିବା ସେମାନଙ୍କର ଘରକୁ ଫେରିବା ରାସ୍ତାରେ ସେ ନିଜ ପରିବାରର ଅନ୍ୟ ସଦସ୍ୟମାନଙ୍କ ସହ ପାହାଡ଼ିଆ ଗଣ୍ଡରବଲ ଜିଲ୍ଲାର ଏକ ଗାଁ କାଙ୍ଗନର ଏକ ପାଣି କେନାଲ କୂଳରେ ରହୁଛନ୍ତି। ସେ ସ୍ମିତହାସ୍ୟ ଖେଳାଇ କହିଲେ, ‘‘ସେଠାରେ କିଛି ନଥିଲେ ବି ଆମେମାନେ ବିସ୍ଥାପିତ ହେବୁ, କାହିଁକି ଆପଣ ଜାଣନ୍ତି? ଖରାଦିନେ ସମତଳରେ ଗରମରେ ରହିବା ମୋ ପାଇଁ ଖୁବ୍ କଷ୍ଟକର।’’
*****
‘‘ସେହି ସବୁ ବାଡ଼କୁ ଦେଖ’’।
ଛେଳି କ୍ଷୀରରେ ପ୍ରସ୍ତୁତ କ୍ରିମଯୁକ୍ତ ଗୋଲାପୀ ଚା’ କପେ ପିଉ ପିଉ ଗୁଲାମ ନବୀ ଯୋଗକଲେ, ‘‘ପୁରୁଣା ସମୟ ଚାଲିଯାଇଛି’’ ସେମାନେ ଅଭ୍ୟସ୍ତ ଥିବା ବାଡ଼ ବିହୀନ ପ୍ରାକୃତିକ ଦୃଶ୍ୟ ଉଦ୍ଦେଶ୍ୟରେ ସେ କହିଲେ। ସେମାନେ ଏବେ ଘାସ ପଡ଼ିଆ ଏବଂ ଅସ୍ଥାୟୀ ଶିବିର ସ୍ଥଳ ଯାଏ ପହଞ୍ଚିବା ସଂପର୍କରେ ଅନିଶ୍ଚିତତା ଓ ଉତ୍କଣ୍ଠାର ସହ ଯାତ୍ରା କରୁଛନ୍ତି।
ପରବର୍ତ୍ତୀ ପାହାଡ଼ରେ ବାଡ଼ର ଏକ ନୂଆ ଧାଡ଼ି ଆଡ଼କୁ ଇଙ୍ଗିତ କରି ସେ କହିଲେ, ‘‘ଆମେ ଶୁଣିଛୁ ଯେ ସେନା ଆସନ୍ତାବର୍ଷ ଏହି ସ୍ଥାନ ଉପରେ କବ୍ଜା କରିବ।’’ ଆମ ଚାରିପଟେ ବସିଥିବା ଅନ୍ୟ ବକରୱାଲମାନେ ସଂପ୍ରଦାୟର ଏହି ବୟସ୍କଙ୍କ କଥାକୁ ଶୁଣୁଥିଲେ, ସେମାନଙ୍କର ମୁହଁରେ ଚିନ୍ତାର ରେଖା ସ୍ପଷ୍ଟ ଭାବେ ଦେଖାଯାଉଥିଲା।
କେବଳ ସେତିକି ନୁହେଁ। ବହୁ ଘାସ ପଡ଼ିଆକୁ ପର୍ଯ୍ୟଟନ ଲାଗି ପରିବର୍ତ୍ତନ କରାଯାଉଛି; ସୋନମାର୍ଗ ଏବଂ ପହଲଗାମ୍ ଭଳି ଲୋକପ୍ରିୟ ପର୍ଯ୍ୟଟନସ୍ଥଳରେ ଚଳିତବର୍ଷ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏହି ସବୁ ସ୍ଥଳ ସେମାନଙ୍କ ପଶୁଙ୍କ ଲାଗି ଗୁରୁତ୍ୱପୂର୍ଣ୍ଣ ଖରାଦିନିଆ ଚାରଣଭୂମି ବୋଲି ସେମାନେ କହିଲେ।
ନାମ ଗୋପନ ରଖିବାକୁ ଚାହୁଁଥିବା ସଂପ୍ରଦାୟର ଜଣେ ବୟସ୍କ ଆମକୁ କହିଲେ, ‘‘ଦେଖନ୍ତୁ ସେମାନେ [ରାଜ୍ୟ] ସୁଡ଼ଙ୍ଗ ଓ ରାସ୍ତା ପାଇଁ କେତେ ଟଙ୍କା ବିନିଯୋଗ କରୁଛନ୍ତି। ସବୁସ୍ଥାନରେ ଆଗକୁ ଭଲ ରାସ୍ତା ହେବାକୁ ଯାଉଛି, ଯାହାକି ପର୍ଯ୍ୟଟକ ଏବଂ ଭ୍ରମଣକାରୀଙ୍କ ଲାଗି ଭଲ କିନ୍ତୁ ଆମ ପାଇଁ ନୁହେଁ।’’
ବକରୱାଲମାନେ ମୋଟରଗାଡ଼ି ଯିବାଭଳି ରାସ୍ତା ନଥିବା ସ୍ଥାନରେ ଘୋଡ଼ା ଭଡ଼ାରେ ଦେଇ ଟଙ୍କା ରୋଜଗାର କରିବାର ତଥ୍ୟକୁ ଲକ୍ଷ୍ୟ କରି ସେ କହିଲେ। ସେ ଆହୁରି କହିଲେ, ‘‘ପର୍ଯ୍ୟଟନ ସମୟରେ ଏହା ଆମର ରୋଜଗାରର ଅନ୍ୟତମ ମୁଖ୍ୟ ଉତ୍ସ।’’ କିନ୍ତୁ କେବଳ ଘୋଡାକୁ ଭଡାରେ ଦେବା ନେଇ ନୁହେଁ, ବରଂ ପର୍ଯ୍ୟଟକ ଓ ଟ୍ରେକିଂ ଗାଇଡ୍ ଭାବେ ଏବଂ ସ୍ଥାନୀୟ ରେସ୍ତୋରାଁରେ କାମ ପାଇବା ଲାଗି ସେମାନଙ୍କୁ ଦଲାଲ ଏବଂ ସ୍ଥାନୀୟ ଲୋକଙ୍କ ସହ ପ୍ରତିଯୋଗିତା କରିବାକୁ ହେବ। ୨୦୧୩ର ଏହି ରିପୋର୍ଟ ଅନୁସାରେ ବକରୱାଲମାନଙ୍କର ହାରାହାରି ସାକ୍ଷରତା ହାର ୩୨ ପ୍ରତିଶତ ହୋଇଥିବା ବେଳେ ଅନ୍ୟ କାମ ପ୍ରାୟତଃ ଅପହଞ୍ଚ।
ଏହି ସଂପ୍ରଦାୟ ମଧ୍ୟ ଉଲ୍ର ବ୍ୟବସାୟ କରିଥାଏ ଯାହାକି କାଶ୍ମୀରି ସାଲ୍ ଏବଂ କାର୍ପେଟ୍ରେ ପରିବର୍ତ୍ତିତ ହୋଇଥାଏ। ଗୁଣବତ୍ତାର ବିକାଶ ଲକ୍ଷ୍ୟରେ ବର୍ଷ ବର୍ଷ ଧରି ସ୍ଥାନୀୟ ଦେଶୀ ମେଣ୍ଢା ପ୍ରଜାତି ଯେପରିକି କାଶ୍ମୀର ଭ୍ୟାଲି ଏବଂ ଗୁରେଜିକୁ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡର ମେରିନୋ ଭଳି ପ୍ରଜାତି ସହ ମିଳନ କରାଯାଉଛି। ଏଠାରେ ମଧ୍ୟ ବକରୱାଲମାନେ ସଂକଟର ସାମ୍ନା କରୁଛନ୍ତି। ଆମକୁ ବହୁ ଲୋକ କହିଲେ, ‘‘ମାତ୍ର କିଛି ବର୍ଷ ତଳେ ଉଲ୍ର ଦାମ୍ କିଲୋ ପିଛା ପ୍ରାୟ ୧୦୦ ଟଙ୍କା ଥିଲା। ଏବେ ଆମେ ୩୦ ଟଙ୍କା ବି ପାଉନାହୁଁ।’’
ସେମାନଙ୍କ ଅନୁସାରେ ଉଲ୍ର ଦାମ୍ରେ ଦ୍ରୁତ ଅବନତିର କାରଣ ହେଲା ସହଜରେ ଉପଲବ୍ଧ ହେଉଥିବା ଶିୟରିଂ ୟୁନିଟ୍ର ଅଭାବ ସହ ରାଜ୍ୟ ସରକାରଙ୍କ ଉଦାସୀନତା। ସେମାନେ ବିକ୍ରି କରୁଥିବା ପ୍ରାକୃତିକ ଉଲ୍ ଏବେ ଶସ୍ତା ସିନ୍ଥେଟିକ୍ ବିକଳ୍ପ ଯେପରିକି ଆକ୍ରିଲିକ୍ ଉଲ୍ ଯୋଗୁ ବିପଦରେ। ଯେହେତୁ ଅନେକ ଘାସ ପଡ଼ିଆ ଯାଏ ବ୍ୟବସାୟୀ ଓ ଦୋକାନ ଅପହଞ୍ଚ ରହିଛି, ତେଣୁ ବକରୱାଲମାନେ ଯାତ୍ରାର ଗୋଟିଏ ଭାଗରେ ଘୋଡା କିମ୍ବା ଖଚର ପିଠିରେ ଉଲ୍ ଆଣିଥାନ୍ତି ଏବଂ ତାକୁ ବଜାର ଯାଏ ନେବାକୁ ପରେ ଏକ ଗାଡ଼ି ଭଡ଼ା କରିଥାନ୍ତି। ଚଳିତବର୍ଷ ଅନେକ ବକରୱାଲମାନେ ନିଜ ମେଣ୍ଢାର କେଶ କଟାଇଥିଲେ ଏବଂ ଉଲ୍କୁ ଘାସ ପଡ଼ିଆରେ ଛାଡ଼ି ଦେଇଥିଲେ କାରଣ ବଜାର ଯାଏ ତାକୁ ନେବା ଲାଗି ଯେତିକି ଟଙ୍କା ଖର୍ଚ୍ଚ ହୋଇଥାନ୍ତା ସେମାନେ ବଜାରରୁ ତା’ଠାରୁ କମ୍ ଦାମ୍ ପାଇଥାନ୍ତେ।
ଅନ୍ୟ ପକ୍ଷରେ ଛେଳିର କେଶକୁ ସେମାନେ ତମ୍ବୁ ଓ ଦଉଡ଼ି ପ୍ରସ୍ତୁତିରେ ବ୍ୟବହାର କରିଥାନ୍ତି। ନିଜର ଓ ନିଜ ଭାଇଙ୍କ ମଧ୍ୟରେ ପରିବ୍ୟାପ୍ତ ଏକ ରଶିକୁ ଟାଣି ଶୌକତ ଆମକୁ କହିଲେ, ‘‘କାଗନି ଛେଳି ଏଥିଲାଗି ଭଲ, ସେମାନଙ୍କର କେଶ ଲମ୍ବା।’’ କାଗନି ହେଉଛି ସେହି ପ୍ରଜାତି ଯାହାକି ଅତ୍ୟଧିକ ମୂଲ୍ୟବାନ କାଶ୍ମୀରି ଉଲ୍ ଦେଇଥାଏ।
ବକରୱାଲମାନଙ୍କୁ ସେମାନଙ୍କର ଗନ୍ତବ୍ୟସ୍ଥଳରେ ଶୀଘ୍ର ପହଞ୍ଚିବାଲାଗି ସାହାଯ୍ୟ କରିବାକୁ ୨୦୨୨ ମସିହାରେ ସରକାର ସେମାନଙ୍କୁ ଓ ସେମାନଙ୍କର ପଶୁମାନଙ୍କୁ ଖରାଦିନିଆ ଚାରଣଭୂମିକୁ ନେଇଯିବାକୁ ପରିବହନ ବ୍ୟବସ୍ଥା ଉପଲବ୍ଧ କରିବାକୁ ପ୍ରସ୍ତାବ ଦେଇଥିଲେ। ଯେଉଁ ଯାତ୍ରା ଲାଗି ସେମାନଙ୍କୁ ସପ୍ତାହ ସପ୍ତାହ ସମୟ ଲାଗୁଥିଲା ତାହା ଦିନକରେ ଶେଷ ହୋଇଯାଉଥିଲା। କିନ୍ତୁ ଟ୍ରକରେ ଯିବାଲାଗି ଆବେଦନ କରିଥିବା ବହୁ ଜଣ ସେଥିରେ ଯାଇ ପାରିଲେ ନାହିଁ କାରଣ ଟ୍ରକ୍ ସଂଖ୍ୟା ଖୁବ୍ କମ୍ ଥିଲା। ଅନ୍ୟମାନେ ଯାତ୍ରା ଆରମ୍ଭ କରିସାରିବା ପରେ ଏହି ପ୍ରସ୍ତାବ ପାଇଲେ। ଜଣେ ମେଣ୍ଢା ପାଳନ ଅଧିକାରୀ ସ୍ୱ ୀକାର କଲେ ଯେ, ‘‘ହଜାର ହଜାର ସଂଖ୍ୟାରେ ବକରୱାଲ ପରିବାର ଥିବାବେଳେ ଟ୍ରକ୍ ସଂଖ୍ୟା ଖୁବ୍ କମ୍। ଅଧିକାଂଶ ଲୋକେ ଏହି ସେବା ପାଇ ପାରୁନାହାନ୍ତି।’’
*****
‘‘ମୁଁ ମାତ୍ର ୨୦ ଦିନ ପୂର୍ବରୁ ତାକୁ ଜନ୍ମ ଦେଇଛି।’’
ମୀନା ଅଖତର ତମ୍ବୁର କୋଣରେ ଥିବା ଏକ ଛୋଟ ଲୁଗା ଗଣ୍ଠିଲିକୁ ଇଙ୍ଗିତ କଲେ। ଯେବେଯାଏ ସେ ନ କାନ୍ଦିଛି ସେବେଯାଏ ଗଣ୍ଠିଲି ମଧ୍ୟରେ ଏକ ନବଜାତ ରହିଛି ବୋଲି ଜାଣିବା କଷ୍ଟକର। ପାହାଡ଼ର ପାଦଦେଶରେ ଥିବା ଏକ ହସ୍ପିଟାଲରେ ମୀନା ତାକୁ ଜନ୍ମ ଦେଇଛନ୍ତି। ପିଲା ଜନ୍ମ ହେବାର ସମୟ ଅତିକ୍ରାନ୍ତ ହୋଇଯିବା ଏବଂ ପ୍ରସବ ବେଦନା ନ ହେବାରୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା।
ସେ କହିଲେ, ‘‘ମୁଁ ଦୁର୍ବଳ ଅନୁଭବ କଲି। ମୁଁ ମୋର ଶକ୍ତି ଫେରିପାଇବା ଲାଗି ହାଲୱା [ସୁଜି ଦଲିଆ] ଖାଉଥିଲି, ବିଗତ ୨ ଦିନ ହେଲା ମୁଁ ରୁଟି ଖାଉଛି।’’ ମୀନାଙ୍କର ସ୍ୱାମୀ ନିକଟବର୍ତ୍ତୀ ଗାଁରେ କାଠକଟାଳୀ ଭାବେ କାମ କରନ୍ତି ଏବଂ ସେ ଯେଉଁ ଟଙ୍କା ରୋଜଗାର କରନ୍ତି ସେଥିରେ ସେମାନଙ୍କର ଦୈନନ୍ଦିନର ଆବଶ୍ୟକତା ପୂରଣ ହୋଇଥାଏ।
ଚା’ ପ୍ରସ୍ତୁତି ଲାଗି ଏକ ପ୍ଲାଷ୍ଟିକ୍ ପ୍ୟାକେଟରୁ କ୍ଷୀର ବାହାର କରିବା ସମୟରେ ସେ କହିଲେ, ‘‘ଆମେ ଏବେ କ୍ଷୀର ପାଉନାହୁଁ। ଛେଳିଗୁଡ଼ିକ ଛୁଆ ଦେବାର ଅଛି। ସେମାନେ ଥରେ ଛୁଆ ଦେବା ପରେ ଆମେ ପୁଣି କ୍ଷୀର ପାଇବୁ।’’ ଜଣେ ବକରୱାଲ ବିଶେଷ କରି ମହିଳା ଏବଂ ପିଲାଙ୍କ ଲାଗି ଘିଅ, କ୍ଷୀର ଏବଂ ଛେନା ପୋଷଣର ମୁଖ୍ୟ ସ୍ରୋତ।
ବାହାରେ ଉଚ୍ଚ ପାହାଡ଼ରେ ଏବଂ କେବଳ ତମ୍ବୁ କଭର୍ ମାଧ୍ୟମରେ ସୁରକ୍ଷିତ ଅତି ଛୋଟ ପିଲାମାନଙ୍କୁ ପ୍ରାୟତଃ ଭିତରେ ରୋଷେଇର ଜାଳେଣି ଏବଂ କମ୍ବଳ ମାଧ୍ୟମରେ ଗରମ ରଖାଯାଏ। ଯେଉଁମାନେ ବାହାରକୁ ଯାଇପାରିବେ ସେମାନେ କ୍ୟାମ୍ପ ଚାରିପଟେ ମୁକ୍ତ ଭାବେ ବିଚରଣ କରିଥାନ୍ତି ଏବଂ ପରସ୍ପର ସହ ଖେଳନ୍ତି। ସେମାନଙ୍କୁ କୁକୁରମାନଙ୍କ ଯତ୍ନ ନେବା କିମ୍ବା ଜାଳେଣି ଏବଂ ପାଣି ସଂଗ୍ରହ କରିବା ଭଳି ଛୋଟ କାମ ଦିଆଯାଇଥାଏ। ମୀନା କହନ୍ତି, ‘‘ପିଲାମାନେ ସାରା ଦିନ ପାହାଡ଼ର ଝରଣାରେ ଖେଳିଥାନ୍ତି।’’ ସେମାନଙ୍କର ଶୀତକାଳୀନ ବହକ ମୀନାମାର୍ଗ ଯାହାକି ଲଦାଖ ସୀମାରୁ ବେଶୀ ଦୂର ନୁହେଁ ତାକୁ ଛାଡ଼ି ଗଲେ ତାଙ୍କୁ ଦୁଃଖ ଲାଗିବ ବୋଲି ସେ କହନ୍ତି: ‘‘ସେଠାରେ ଭଲ ଲାଗୁଥିଲା।’’
ଶୌକତଙ୍କ ଡେରାର ଖାଲିଦା ବେଗମ୍ ମଧ୍ୟ ତାଙ୍କର ଛୋଟ ପିଲାଙ୍କ ସହ ଯାତ୍ରା କରିଥାନ୍ତି, କିନ୍ତୁ ତାଙ୍କର କିଶୋରୀ ଝିଅ ଜମ୍ମୁରେ ଜଣେ ସଂପର୍କୀୟଙ୍କ ସହ ରହିଛି ଯେପରିକି ସେ ସ୍କୁଲ ଯାଇପାରିବ। ଏହି ବିଚାରକୁ ମନେ ପକାଇ ସେ କହିଲେ, ‘‘ଝିଅ ସେଠାରେ ବହୁତ ଭଲ ପାଠ ପଢିପାରିବ।’’ ଅଧିକାଂଶ ପିଲାଙ୍କ ନିକଟରେ ସେହି ବିକଳ୍ପ ନଥାଏ ଏବଂ ସେମାନେ ସେମାନଙ୍କର ପରିବାର ସହ ବିସ୍ଥାପିତ ହେବାକୁ ବାଧ୍ୟ। ସରକାରଙ୍କ ପକ୍ଷରୁ ଭ୍ରାମ୍ୟମାଣ ସ୍କୁଲ ଚଳାଯିବାର ପ୍ରୟାସ ବନ୍ଦ ହୋଇନାହିଁ କାରଣ ମାତ୍ର କିଛି ବକରୱାଲ ହିଁ ତାର ଲାଭ ପାଇବା ଲାଗି ସମର୍ଥ।
ଭ୍ରାମ୍ୟମାଣ ସ୍କୁଲରେ ସରକାରଙ୍କ ପକ୍ଷରୁ ନିଯୁକ୍ତ ଶିକ୍ଷକ ସବୁବେଳେ ଉପସ୍ଥିତ ରହନ୍ତି ନାହିଁ। ନିଜର ୩୦ ଦଶକରେ ଥିବା ହତାଶ ଦେଖାଯାଉଥିବା ଖାଦିମ ହୁସେନ୍ କହିଲେ, ‘‘ସେମାନେ ଏଠାକୁ ଆସନ୍ତି ନାହିଁ, କିନ୍ତୁ ଦରମା ପାଇଥାନ୍ତି।’’ ସେ ବକରୱାଲମାନଙ୍କ ଏକ ଗୋଷ୍ଠୀର ଅର୍ନ୍ତଭୁକ୍ତ ଯେଉଁମାନେ ଜୋଜିଲା ପାସ୍ର ଅତି ନିକଟରେ ତମ୍ବୁ ପକାଇ ରହିଥାନ୍ତି ଯାହାକି କାଶ୍ମୀରକୁ ଲଦାଖ ସହ ସଂଯୋଗ କରୁଛି।
ଫୈଜଲ ରାଜା ବୋକଡ଼ା କହିଲେ, ‘‘ଯୁବ ପିଢ଼ି ଅଧିକ ଶିକ୍ଷା ପାଉଛନ୍ତି। ସେମାନେ ଯାଯାବର ଜୀବନ ବାଦ୍ ଅନ୍ୟ ବିକଳ୍ପ ବାଛୁଛନ୍ତି। ସେମାନଙ୍କୁ ଏହି ଜୀବନ [ଯାଯାବର] କଷ୍ଟକର ଲାଗୁଛି।’’ ସେ ଜମ୍ମୁରେ ଗୁଜ୍ଜର ବକରୱାଲ ଯୁବ କଲ୍ୟାଣ ସମ୍ମିଳନୀର ପ୍ରାନ୍ତୀୟ ଅଧ୍ୟକ୍ଷ ଅଛନ୍ତି ଏବଂ ପୀର ପଞ୍ଜାଲ ଶୃଙ୍ଖଳାରେ ଚାଲି ଚାଲି ଉଚ୍ଛେଦ ଏବଂ ଅନ୍ୟାୟ ପ୍ରସଙ୍ଗ ଉଠାଇବାକୁ ଯୋଜନା କରୁଥିଲେ। ସେ ଆହୁରି କହିଲେ, ‘‘ଏହା ଆମର ଯୁବ ପିଢ଼ି ଲାଗି ସହଜ ନୁହେଁ। ଆମେ ଏବେ ମଧ୍ୟ ଅନ୍ୟ ଲୋକଙ୍କ ସହ କଥାବାର୍ତ୍ତା କରିବା ସମୟରେ ଅନେକ କଳଙ୍କର ସାମ୍ନା କରିଥାଉ, ସହରରେ ଅଧିକ [ଭେଦଭାବ] ଆମକୁ ଗଭୀର ଭାବେ ପ୍ରଭାବିତ କରିଥାଏ।’’ ବୋକଡ଼ା ଗୁଜ୍ଜର ଏବଂ ବକରୱାଲମାନଙ୍କୁ ଅନୁସୂଚୀତ ଜନଜାତି ଭାବେ ସେମାନଙ୍କର ଅଧିକାର ପ୍ରତି ଅଧିକ ସଚେତନ କରିବା ଲାଗି କାମ କରୁଛନ୍ତି।
ଶ୍ରୀନଗର ସହରର ବାହାରେ ଜାକୁରା ନାମକ ଏକ ଅଞ୍ଚଳରେ ୧୨ଟି ବକରୱାଲ ପରିବାର ବସବାସ କରନ୍ତି-ସେମାନଙ୍କର ଶୀତକାଳୀନ ବହକ ଏକ ଜଳବିଦ୍ୟୁତ୍ ଡ୍ୟାମ ଯୋଜନାରେ ବିସ୍ଥାପିତ ହୋଇଯାଇଛି, ତେଣୁ ସେମାନେ ଏଠାରେ ରହୁଛନ୍ତି। ଅଲତାଫ୍ (ନାମ ପରିବର୍ତ୍ତିତ) ଏଠାରେ ଜନ୍ମ ହୋଇଥିଲେ ଏବଂ ଶ୍ରୀନଗରରେ ଏକ ସ୍କୁଲ ବସ୍ ଚଳାଉଛନ୍ତି। ନିଜ ସଂପ୍ରଦାୟର ଅନ୍ୟମାନଙ୍କ ଭଳି ସେ କାହିଁକି ବିସ୍ଥାପିତ ହେଲେନାହିଁ ତା’ର କାରଣ ଦର୍ଶାଇ ସେ କହିଲେ, ‘‘ମୁଁ ଏଠାରେ ମୋର ବୟସ୍କ, ରୋଗିଣା ବାପା ମା’ ଏବଂ ପିଲାଙ୍କ ଲାଗି ରହିବାକୁ ସ୍ଥିର କଲି।’’
ସମ୍ପ୍ରଦାୟ ଲାଗି ଅନିଶ୍ଚିତ ଭବିଷ୍ୟତ ଏବଂ ବାଡ଼, ପର୍ଯ୍ୟଟନ ଓ ପରିବର୍ତ୍ତିତ ଜୀବନ ଭଳି ଅନେକଗୁଡ଼ିଏ ବିପଦକୁ ସାଙ୍ଗରେ ନେଇ ଗୁଲାମ ନବୀ ଯିଏକି ସାରା ଜୀବନ ପାହାଡ଼ ସାରା ମୁକ୍ତ ଭାବେ ବୁଲିଛନ୍ତି କହିଲେ, ‘‘ଆପଣ କିଭଳି ମୋର ଯନ୍ତ୍ରଣା ଜାଣିବେ?’’
ଏହି ରିପୋର୍ଟରମାନେ ଫୈଜଲ ବୋକଡ଼ା, ଶୌକତ କଣ୍ଡଲ ଏବଂ ଇସଫାକ୍ କଣ୍ଡଲଙ୍କୁ ସେମାନଙ୍କର ଉଦାର ସାହାଯ୍ୟ ଏବଂ ଆତିଥ୍ୟ ଲାଗି ଧନ୍ୟବାଦ ଦେବାକୁ ଚାହୁଁଛନ୍ତି ।
ରୀତାୟନ ମୁଖାର୍ଜୀ ପଶୁଚାରଣ କେନ୍ଦ୍ରରୁ ଏକ ସ୍ୱ ତନ୍ତ୍ର ଯାତ୍ରା ଅନୁଦାନ ମାଧ୍ୟମରେ ଗ୍ରାମୀଣ ପଶୁଚରାଳୀ ସଂପ୍ରଦାୟ ଏବଂ ଯାଯାବରମାନଙ୍କ ସଂପର୍କରେ ରିପୋର୍ଟିଂ କରୁଛନ୍ତି । କେନ୍ଦ୍ର ପକ୍ଷରୁ ଏହି ରିପୋର୍ଟର ବିଷୟବସ୍ତୁ ନେଇ କୌଣସି ସଂପାଦକୀୟ ନିୟନ୍ତ୍ରଣ କରାଯାଇନାହିଁ ।
ଅନୁବାଦ : ଓଡ଼ିଶାଲାଇଭ୍