୪୦ ପର ବୟସର ଜଣେ ଗାଲିଚା ବୁଣାକାର ଅଖତାର୍ ଅଲ୍ଲୀ କହନ୍ତି, ‘‘ଭଦୋହି ହେଉଛି ଗାଲିଚାର ଜିଲ୍ଲା। ଏଠାରେ ଆଉ କିଛି କାମ ନାହିଁ। ମୁଁ ମୋର ପିଲାଦିନ ଏଠି କଟାଇଛି ଏବଂ ସେହି କାରଣରୁ ମୁଁ ବୁଣିବା ଶିଖିଛି।’’ ଅବଶ୍ୟ ଗାଲିଚା ତିଆରିରୁ ଆୟ କମିବା କାରଣରୁ ଅଲ୍ଲୀ ବର୍ତ୍ତମାନ ଟେଲରିଂ କାମ ଧରିଛନ୍ତି।
ଉତ୍ତରପ୍ରଦେଶର ମିର୍ଜାପୁର ଡିଭିଜନ୍ରେ ଅବସ୍ଥିତ ଭଦୋହି ଜିଲ୍ଲା ହେଉଛି ଗାଲିଚା ତିଆରି ଉଦ୍ୟୋଗର ବୃହତ୍ତମ କେନ୍ଦ୍ର। ଏହି ସମୂହରେ ମିର୍ଜାପୁର, ବାରଣାସୀ, ଘାଜିପୁର, ସୋନଭଦ୍ରା, କୌଶମ୍ବୀ, ଆହ୍ଲାବାଦ, ଜୋନପୁର, ଘାଜିପୁର, ଚନ୍ଦୋଲି ଆଦି ରହିଛି। ଏହି ଉଦ୍ୟୋଗ ପ୍ରାୟ ଦୁଇ ନିୟୁତ ଗ୍ରାମୀଣ ବୁଣାକାରଙ୍କୁ ନିଯୁକ୍ତି ଦେଇଥାଏ ଯେଉଁମାନଙ୍କ ମଧ୍ୟରେ ବହୁ ସଂଖ୍ୟାରେ ମହିଳା ଅଛନ୍ତି।
ହାତରେ ଗଣ୍ଠି ପକାଇ ବୁଣିବା ଶୈଳୀ ଏହାର ବୟନ ପ୍ରକ୍ରିୟାକୁ ଅନ୍ୟ ସମସ୍ତଙ୍କଠାରୁ ଅଲଗା କରେ। ଗାଲିଚା ବା କାର୍ପେଟଗୁଡ଼ିକ ସମାନ୍ତରାଳ ଭାବରେ ଥିବା ତନ୍ତରେ ବୁଣାଯାଏ ଯେଉଁଥିରେ ବର୍ଗ ଇଞ୍ଚ ପିଛା ୩୦ରୁ ୩୦୦ ପର୍ଯ୍ୟନ୍ତ ଗଣ୍ଠି ପଡ଼ିଥାଏ। ଏହି ଗଣ୍ଠି ହିଁ ଗାଲିଚାର ମାନ ନିର୍ଣ୍ଣୟ କରିଥାଏ। ଏହି ପଦ୍ଧତି ଏବଂ ଏହି କଞ୍ଚାମାଲ- ଉଲ୍, କପା ଏବଂ ସିଲ୍କ ସୂତା – ଅତି କମ୍ରେ ଦୁଇ ଶତାବ୍ଦୀ ଧରି ସମାନ ରହିଛି। ଏହି ବୁଣାକାରମାନେ ତନ୍ତରେ ହାତରେ ଗଣ୍ଠି ପକାଇବାର କୌଶଳ ନିଜ ପିଲାମାନଙ୍କୁ ଶିଖାଇଥା’ନ୍ତି, ଉତ୍ତରାଧିକାରିତ୍ୱ ଭାବରେ।
ସେମାନଙ୍କ ବୁଣିବା ପଦ୍ଧତିର ଅନନ୍ୟ ପ୍ରକାର ପ୍ରତି ସ୍ୱୀକୃତି କାରଣରୁ ଭଦୋହି କାର୍ପେଟ୍ ୨୦୧୦ରେ ଭୌଗୋଳିକ ସୂଚକାଙ୍କ ପ୍ରମାଣପତ୍ର ଲାଭ କରିଛି। ଏହି ଜିଆଇ ଟ୍ୟାଗ୍ ଏହି ଉଦ୍ୟୋଗକୁ ପ୍ରୋତ୍ସାହନ ଦେବ ବୋଲି ଆଶା କରାଯାଉଥିଲା। ତେବେ, ଏହା ଗାଲିଚା ବୁଣାକାରମାନଙ୍କର ବ୍ୟବସାୟକୁ ଉନ୍ନତ କରିବାରେ ସାହାଯ୍ୟ କରିନାହିଁ।
ଉଦାହରଣ ସ୍ୱରୂପ, ମୁବାରକ୍ ଅଲ୍ଲୀ ଆଣ୍ଡ୍ ସନ୍ସ, ଏହା ୧୯୩୫ ମସିହାରେ ସ୍ଥାପିତ ହୋଇଥିଲା, ଏହା ଭଦୋହିର ଗାଲିଚାକୁ ୨୦୧୬ ପର୍ଯ୍ୟନ୍ତ ଯୁକ୍ତରାଜ୍ୟ, ଯୁକ୍ତରାଷ୍ଟ୍ର, ୟୁରୋପୀୟ ସଂଘ ଏବଂ ଜାପାନ ପରି ଦେଶକୁ ରପ୍ତାନୀ କରୁଥିଲା। ଏହା ପରେ ଚାହିଦା ଅଭାବ କାରଣରୁ ଏହି ଦୋକାନ ବନ୍ଦ ହୋଇଗଲା। ଏହି ରପ୍ତାନୀ ଗୃହର ସଂସ୍ଥାପକ ତଥା ପୂର୍ବତନ ମାଲିକ ମୁବାରକ୍ଙ୍କ ନାତି ହେଉଛନ୍ତି ୬୭ ବର୍ଷ ବୟସ୍କ ଖାଲିଦ୍ ଖାନ୍। ସେ କହନ୍ତି, ‘‘ମୋ ଜେଜେବାପା ଏବଂ ବାପା ଏହି ବ୍ୟବସାୟରେ ଥିଲେ। ଆମର ବ୍ୟବସାୟ ବ୍ରିଟିଶ ଶାସନ ସମୟରେ ଆରମ୍ଭ ହୋଇଥିଲା, ଯେତେବେଳେ କାର୍ପେଟ୍ଗୁଡ଼ିକ ‘ମେଡ୍ ଇନ୍ ବ୍ରିଟିଶ୍ ଇଣ୍ଡିଆ’ ଲେବୁଲ୍ ସହିତ ରପ୍ତାନୀ ହେଉଥିଲା।’’


