ଏହା ଟିକେ ଅଜବ ଥିଲା-କିନ୍ତୁ ଆମ ସାମ୍ନାରେ ଦିଲ୍ଲୀର ଜିଟି କରନାଲ ବାଇପାସ୍ ସମ୍ମୁଖରେ ଏହା ହିଁ ଘଟୁଥିଲା ।
ଗୋଟିଏ ଟ୍ରାକ୍ଟର ଦଳ ଦିଲ୍ଲୀ ଆଡ଼କୁ ଯାଉଥିଲେ - ଯେତେବେଳେକି ଆଉ କିଛି ବିପରୀତ ଦିଗରେ ଦିଲ୍ଲୀରୁ ସିଂଘୁ ଆଡ଼କୁ ଯାତ୍ରା କରୁଥିଲେ । ସେମାନେ ପ୍ରକୃତରେ ପରସ୍ପରକୁ ରାଜପଥରେ ଅତିକ୍ରମ କଲେ ଏବଂ ଏହି ଅତିକ୍ରମ କିଛି ମାତ୍ରାରେ ଭ୍ରମ ସୃଷ୍ଟି କଲା । ଦିଲ୍ଲୀରୁ ଫେରୁଥିବା ଟ୍ରାକ୍ଟର ଦଳ ସେମାନଙ୍କ ନେତାଙ୍କ କଥା ଅନୁସାରେ ଏହା କରୁଥିଲେ । ସେମାନଙ୍କ ମଧ୍ୟରୁ କିଛି ଭୁଲ୍ରେ ସକାଳୁ ରାଜଧାନୀ ମଧ୍ୟକୁ ପ୍ରବେଶ କରିଥିଲେ ଏଇଆ ଭାବି ଯେ ସେମାନଙ୍କ ନେତାମାନେ ପୁଲିସ ସହିତ ବୁଝାମଣା କରିଥିବା ରୁଟ୍ ବ୍ୟତୀତ ଆଉ ଏକ ରୁଟ୍ରେ ସହର ମଧ୍ୟକୁ ପ୍ରବେଶ କରିବା ଲାଗି ସିଦ୍ଧାନ୍ତ ନେଇଛନ୍ତି ।
ସେପ୍ଟେମ୍ବର ମାସରେ ସଂସଦ ଦ୍ୱାରା ପାରିତ ହୋଇଥିବା ତିନିଟି ନୂଆ କୃଷି ଆଇନ ବିରୋଧରେ ବିକ୍ଷୋଭ କରୁଥିବା ଚାଷୀମାନେ ସେମାନଙ୍କର ନିଜସ୍ୱ ଗଣତନ୍ତ୍ର ଦିବସ ପରେଡ୍ର ଆୟୋଜନ କରିଥିଲେ । ଯାହାକି ଦିଲ୍ଲୀ ସୀମାର ବିଭିନ୍ନ ସ୍ଥାନ ଯେପରିକି ସିଂଘୁ, ଟିକିରି, ଗାଜିପୁର, ଚିଲା ଓ ମେୱାଟ ଭଳି ସ୍ଥାନରୁ ଆଗକୁ ବଢ଼ୁଥିଲା । ରାଜସ୍ଥାନ-ହରିଆନା ସୀମାରେ ଶାହଜାହାନ୍ପୁର ଅଂଚଳରେ ମଧ୍ୟ ଗୋଟିଏ ମାର୍ଚ୍ଚ ଆଗକୁ ବଢ଼ୁଥିଲା ଯେଉଁଠାରେ ଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ପ୍ରତିନିଧିତ୍ୱ କରୁଥିବା ପ୍ରଜ୍ଞାପନ ମେଢ଼ ପ୍ରାୟ ୬୦ କିମି ଦୂରତା ଅତିକ୍ରମ କରୁଥିଲା । ଏହାକୁ ଅଲ୍ ଇଣ୍ଡିଆ କିଶାନ୍ ସଭା ପକ୍ଷରୁ ଆୟୋଜିତ କରାଯାଇଥିଲା । ଏହା ଗଣତନ୍ତ୍ର ଦିବସର ସବୁଠୁ ଲୋକପ୍ରିୟ ନାଗରିକ ଉତ୍ସବ ଥିଲା ।
ଏହା ଏକ ବିଶାଳ, ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଏବଂ ସଂପୂର୍ଣ୍ଣ ଭାବେ ଅଦ୍ଭୁତପୂର୍ବ ପ୍ରୟାସ ଥିଲା । ଏହା ସାଧାରଣ ନାଗରିକ, ଚାଷୀ, ଶ୍ରମିକ ଓ ଅନ୍ୟମାନଙ୍କ ଦ୍ୱାରା ଗଣତନ୍ତ୍ରର ପୁନଃପ୍ରାପ୍ତି ଥିଲା । ଏଥିରେ ଲକ୍ଷ ଲକ୍ଷ ଲୋକ, ଶହ ଶହ ସଂଖ୍ୟାରେ ଟ୍ରାକ୍ଟର ସାମିଲ ହୋଇଥିଲେ-ଏବଂ ଭାରତୀୟ ସଂଘର ପ୍ରାୟ ସବୁ ରାଜ୍ୟରେ ଏହି ଭଳି ଆୟୋଜନ ଓ ପରେଡ୍ ସହ ସମନ୍ୱିତ କରାଯାଇଥିଲା ।
କିନ୍ତୁ ଏକ ଅପେକ୍ଷାକୃତ ଛୋଟ ସମୂହ ମିଡିଆକୁ ଏହି ଅବିଶ୍ୱସନୀୟ ଅଭ୍ୟାସ ଏବଂ ଏହାର ଆଶ୍ଚର୍ଯ୍ୟଜନକ ପରିଣାମଠାରୁ ଦୂରେଇ ରଖିବାରେ ସକ୍ଷମ ଥିଲା- ଦିଲ୍ଲୀ ମଧ୍ୟରେ ଅତି ଚମତ୍କାର କାର୍ଯ୍ୟକ୍ରମ ହେଉଥିଲେ ବି ସେହି ଛୋଟ ସମୂହ ଏହାକୁ ସମସ୍ୟାରେ ପକାଇବା ଓ ପୃଥକ କରିଦେବା ଉପରେ ଧ୍ୟାନ କେନ୍ଦ୍ରିତ କଲା । ୩୨ଟି କୃଷକ ସଂଗଠନକୁ ନେଇ ଗଠିତ ଦ ସଂଯୁକ୍ତ କିଷାନ୍ ମୋର୍ଚ୍ଚା(ଏସକେଏମ୍) ଯାହାକି ଦୁଇ ମାସରୁ ଅଧିକ ସମୟ ଧରି ଦିଲ୍ଲୀ ସୀମାରେ ଆନ୍ଦୋଳନର ନେତୃତ୍ୱ ନେଉଛି ତାହା ନିର୍ଦ୍ଧାରିତ ରୁଟ୍ର ଉଲ୍ଲଂଘନ କରି ଦିଲ୍ଲୀରେ ପ୍ରବେଶ କରିଥିବା ସମୂହର ହିଂସା ଓ ବରବରତାକୁ ଦୃଢ଼ ଭାବେ ବିରୋଧ କରିଛି । ଏହା “ଶାନ୍ତିପୂର୍ଣ୍ଣ ଓ ଦୃଢ଼ ଚାଷୀ ଆନ୍ଦୋଳନକୁ ବିଫଳ କରିବା ଲାଗି ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର’’ ବୋଲି ଏସକେଏମ୍ ପ୍ରକାଶ କରିଛି ।



















