ଦିଲାୱର ସିକଲ୍ଗଡ ୧୯୬୦ର ଏକ ଘଟଣା ବିଷୟରେ ମନେପକାଇ ହସନ୍ତି । କେହିଜଣେ ତାଙ୍କର କମାରଶାଳରେ ଖଣ୍ଡେ ଲୁହାକୁ ହାତୁଡିରେ ପ୍ରହାର କରୁଥିଲେ ଓ ସେତେବେଳେ ଏଥିରୁ ବାହାରୁଥିବା କ୍ଷୁଦ୍ର ଲୁହା କଣିକା ଯୋଗୁଁ ତାଙ୍କ ବାମ ହାତର ତର୍ଜନୀରେ ଆଘାତ ଲାଗିଗଲା । ପାଞ୍ଚ ଦଶକ ପରେ ମଧ୍ୟ ଦୀର୍ଘ ଦିନ ପରେ ଶୁଖିଥିବା ସେହି କ୍ଷତ ଆଜି ମଧ୍ୟ ସେଭଳି ଜୀବିତ ରହିଛି ଓ ସେ ହସିହସି ଏହା ମଧ୍ୟ କୁହନ୍ତି ଯେ “ମୋର ପାପୁଲିକୁ ଦେଖନ୍ତୁ । ସେଗୁଡିକ ଏବେ ଧାତୁ ଭଳି ଶକ୍ତ ହୋଇଯାଇଛି ।’’
ସେହି ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ୬୮ ବର୍ଷ ବୟସ୍କ ଦିଲୱର ଅନେକ ତାପଦୀପ୍ତ ଲୁହା ଓ ଅଙ୍ଗାର ଷ୍ଟିଲ୍ (ଲୁହା ଓ ଅଙ୍ଗାରର ମିଶ୍ରଧାତୁ)କୁ ଦିନରେ ଅନ୍ୟୁନ ୫୦୦ରୁ ଅଧିକ ଥର ହାତୁଡିରେ ପ୍ରହାର କରିଥିବେ – ଆଉ ପ୍ରାୟ ୫୫ ବର୍ଷରେ ସେ ତାଙ୍କର ପାରମ୍ପରିକ ପାଞ୍ଚ କେଜି ଓଜନର ଘନ (ହାତୁଡି)ରେ ପ୍ରାୟ ୮ଲକ୍ଷରୁ ଅଧିକ ଥର ଧାତୁ ଉପରେ ପ୍ରହାର କରିଥିବେ ।
ସଙ୍ଗାଲି ଜିଲ୍ଲାର ୱଲ୍ୱା ତାଲୁକାର ବଗାନି ଗ୍ରାମରେ ରହୁଥିବା ସିକଲ୍ଗଡ୍ କମାର ପରିବାର ଏକ ଶହ ବର୍ଷରୁ ଅଧିକ ସମୟ ହେବ ଏହି କାମ କରିଆସୁଛନ୍ତି – ଘରେ ଓ ଜମିରେ ବ୍ୟବହାର ହେଉଥିବା ବିଭିନ୍ନ ଉପକରଣ ତିଆରି କରି ଆସୁଛନ୍ତି । ହେଲେ, ହାତରେ ତିଆରି ଉଚ୍ଚମାନର ଗୁଆକାତି ବା ଅଦ୍କିତ୍ତା (ମରାଠି ଭାଷାରେ) – ସ୍ୱତନ୍ତ୍ର ଡିଜାଇନ୍, ସ୍ଥାୟୀତ୍ୱ ଓ ଧାର -ପାଇଁ ସେମାନଙ୍କୁ ସମସ୍ତେ ଜାଣନ୍ତି ।
ଏହି ଗୁଆକାତିଗୁଡିକ ଚାରି ଇଂଚରୁ ଦୁଇ ଫୁଟ୍ ମଧ୍ୟରେ ବିଭିନ୍ନ ଆକାରରେ ଉପଲବ୍ଧ । ସବୁଠାରୁ ଛୋଟ ଅଦ୍କିତ୍ତାକୁ ସୁପାରୀ (ଗୁଆରୀ), କଥ୍ (ଖଇର), ଖୋବରା (ଖୁରୁଡୁ ନଡିଆ) ଓ ସୁତଲି (ନଡିଆ କତା ଦଉଡି) ଆଦି କାଟିବା ପାଇଁ ବ୍ୟବହାର କରାଯାଏ। ବଡ କାତିକୁ ସୁନା ଓ ରୂପା କାଟିବା ପାଇଁ (ସୁନାରୀ ଓ ଅଳଙ୍କାର ଦୋକାନୀ) ଓ ବଜାରରେ ବିକ୍ରି ହେଉଥିବା ଛୋଟ ଗୁଆ ଖଣ୍ଡ ଭାବେ ବିକ୍ରି ହେଉଥିବା ବଡ ସୁପାରୀ କାଟିବା ପାଇଁ ବ୍ୟବହାର କରାଯାଏ ।
ସିକଲ୍ଗଡ ପରିବାର ଦ୍ୱାରା ନିର୍ମିତ ଗୁଆକାତି ଏତେ ପ୍ରସିଦ୍ଧ ଯେ ଏହାକୁ କିଣିବା ପାଇଁ ଦୂରଦୂରାନ୍ତରୁ ଲୋକ ଦୀର୍ଘ ପଥ ଯାତ୍ରା କରି ବଗାନି ଆସନ୍ତି । ସେମାନେ ମହାରାଷ୍ଟ୍ରର ଅକ୍ଜୁଲ୍, କୋହ୍ଲାପୁର, ଓସ୍ମାନାବାଦ, ସାଙ୍ଗୋଲ୍ ଓ ସାଙ୍ଗଲି ତଥା କର୍ଣ୍ଣାଟକର ଅଥ୍ନି, ବିଜାପୁର, ରାୟବାଗ ଓ ଅନ୍ୟାନ୍ୟ ସ୍ଥାନରୁ ଆସନ୍ତି ।










