ସୋମ କଡ଼ାଲି କୁହନ୍ତି ତାଙ୍କ ଅବସ୍ଥା ବୁଝିବା ଲାଗି ପରିବାର ଲୋକମାନେ ତାଙ୍କୁ କଲ୍ କରୁଛନ୍ତି। ‘‘ମୁଁ ଏଠି ଭଲରେ ରହିବି,’’ ଏହି ୮୫ ବର୍ଷ ବୟସ୍କ ବ୍ୟକ୍ତି ଜଣଙ୍କ କୁହନ୍ତି।
ଅକୋଲେ (ଅକୋଲା ନାମରେ ମଧ୍ୟ ପରିଚିତ) ତାଲୁକା ୱାରାଙ୍ଘୁଶି ଗ୍ରାମର ଚାଷୀ ସୋମ କଡ଼ାଲି ଏପ୍ରିଲ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଜାରି ତିନି ଦିନିଆ ଶୋଭାଯାତ୍ରାରେ ଯୋଗ ଦେଇଛନ୍ତି। ଏହି ଶୋଭାଯାତ୍ରା ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର ଅକୋଲେଠାରୁ ଲୋନି ପର୍ଯ୍ୟନ୍ତ ଜାରି ରହିବ । ‘‘ମୁଁ ମୋର ସାରା ଜୀବନ ଚାଷ କାମରେ ବିତାଇଛି,’’ ବୟସାଧିକ୍ୟ ସତ୍ତ୍ୱେ ସେ କାହିଁକି ଏ ଆନ୍ଦୋଳନରେ ଯୋଗ ଦେଇଛନ୍ତି ତା’ର କାରଣ ସମ୍ପର୍କରେ ସେ କହିଥାନ୍ତି।
ତାଙ୍କ ଉପରେ ୨.୫ ଲକ୍ଷ ଟଙ୍କାର ଋଣ ବୋଝ ରହିଛି। ସେ କୁହନ୍ତି, ‘’୭୦ ବର୍ଷ ଧରି ଚାଷ କାମ କରିବା ପରେ ମୁଁ ଏହାକୁ ନେଇ ଦିନେ ନାଚାର ହୋଇପଡ଼ିବି ବୋଲି କେବେ ଚିନ୍ତା କରିପାରିନଥିଲି।’’ କଡ଼ାଲି ହେଉଛନ୍ତି ମହାଦେବ କୋଲି ଆଦିବାସୀ ସମୁଦାୟର ବାସିନ୍ଦା ଏବଂ ଗାଁରେ ତାଙ୍କର ପାଞ୍ଚ ଏକର ଚାଷ ଜମି ରହିଛି । ବର୍ତ୍ତମାନ ଯେପରି ପାଣିପାଗଜନିତ ଅନିଶ୍ଚିତତା ଦେଖା ଦେଇଛି ପୂର୍ବରୁ ସେ କେବେ ଏପରି ଦେଖିନଥିଲେ ବୋଲି କୁହନ୍ତି।
‘‘ମୋର ଆଣ୍ଠୁଗଣ୍ଠି ଯନ୍ତ୍ରଣା ଅଛି। ବେଶୀ ଚାଲିଲେ ମୋର ଆଣ୍ଠୁ ଯନ୍ତ୍ରଣା ହୁଏ। ସକାଳେ ନିଦରୁ ଉଠି ବା ସମୟରେ ମୋତେ ଅଧିକ ଯନ୍ତ୍ରଣା ହୋଇଥାଏ। ତଥାପି ମୁଁ ଏହି ଶୋଭାଯାତ୍ରାରେ ଚାଲିବି,’’ ସେ କୁହନ୍ତି।












