ସବୁଦିନ ସକାଳ ୧୦ଟାରେ ଉତ୍ତର ସୁରଟର ମୀନାନଗର ଅଞ୍ଚଳରେ ଥିବା ରେଣୁକା ପ୍ରଧାନଙ୍କ ଏକ ବଖୁରିଆ ଘର ତାଙ୍କର କାର୍ଯ୍ୟକ୍ଷେତ୍ର ପାଲଟିଥାଏ । ତାଙ୍କ ଘରେ ପହଞ୍ଚାଯାଇଥିବା ରଙ୍ଗୀନ ଶାଢିର ବଣ୍ଡଲ ରୋଷେଇଘର ସିଙ୍କ୍ ନିକଟରେ, ଦୁଆରମୁହଁ ପାଖରେ, ଏପରିକି ଖଟିଆ ତଳେ ଗଦା ହୋଇଥାଏ । ପ୍ରଧାନ ଏକ ଗାଢ଼ ଗୋଲାପୀ ଏବଂ ନୀଳ ରଙ୍ଗର ପଲିଷ୍ଟର ଶାଢିକୁ କାଢିବା ପାଇଁ ଧୀରେ ଧୀରେ ଏକ ବଣ୍ଡଲ ଖୋଲିଲେ ଯାହାକୁକି ସେ ତାଙ୍କ କୋଠରୀ ବାହାରେ ଥିବା ପାଣି ପାଇପ୍ରେ ଝୁଲାଇଥିଲେ ।
ନିକଟରେ ଭିଇଡି ରୋଡ୍ରେ ଥିବା ଫେବ୍ରିକ୍ ତିଆରି ୟୁନିଟ୍ରୁ ସେହି ଶାଢି ଏଠାକୁ ଆସିଛି । ଯନ୍ତ୍ରଚାଳିତ ଏମ୍ବ୍ରୋଡୋରୀ ପ୍ରକ୍ରିୟା ସମୟରେ ମେସିନ୍ କାମ ଯୋଗୁ ପଲିଷ୍ଟର ଫେବ୍ରିକ୍ ପଛପଟରେ କିଛି ବଳକା ସୂତା ରହିଯାଏ । ଫ୍ରେବିକକୁ ବୟନଶିଳ୍ପ ୟୁନିଟ୍ର ଇସ୍ତ୍ରୀ ଏବଂ ଭଙ୍ଗାଯିବା ବିଭାଗକୁ ପଠାଯିବା ପୂର୍ବରୁ ଏହି ସୂତାକୁ ଖୁବ୍ ଯତ୍ନର ସହ କଢାଯିବା ଆବଶ୍ୟକ । ଏହି ସମୟରେ ପ୍ରଧାନଙ୍କ ଭଳି ଘରୋଇ ଶ୍ରମିକଙ୍କ ଆବଶ୍ୟକତା ପଡ଼େ ।
ନିଜର ତର୍ଜନୀ ଏବଂ ବୁଢା ଆଙ୍ଗୁଳିକୁ ବ୍ୟବହାର କରି ପ୍ରଧାନ ଦିନକୁ ପ୍ରାୟ ୭୫ରୁ ଅଧିକ ଝୁଲୁଥିବା ଶାଢିରୁ ବଳକା ସୂତା ଟାଣି ବାହାର କରିଥାନ୍ତି । ଯଦି ଶାଢିଗୁଡ଼ିକ ଟିକେ ଅଧିକ ଦାମୀ ପଲିଷ୍ଟର ସିଲ୍କରୁ ତିଆରି ହୋଇଥାଏ ତେବେ ସେ ବଳକା ସୂତାଗୁଡ଼ିକୁ କାଟିବା ପାଇଁ ଏକ ଛୁରୀର ବ୍ୟବହାର କରିଥାନ୍ତି । ସେ କହନ୍ତି, “ମୁଁ ପ୍ରତିଟି ଶାଢିରେ ପ୍ରାୟ ୫-୭ ମିନିଟ୍ ସମୟ ଦେଇଥାଏ ।’’ “ଯଦି ଭୁଲବଶତଃ ମୁଁ କୌଣସି କ୍ଷେତ୍ରରେ ଅଧିକ ସୂତା ଟାଣିଦିଏ ଏବଂ ଫେବ୍ରିକଗୁଡ଼ିକ ନଷ୍ଟ ହୋଇଯାଇଥାଏ ତେବେ ମୋତେ କଣ୍ଟ୍ରାକ୍ଟରକୁ ଶାଢିର ସମୁଦାୟ ଟଙ୍କା ଫେରାଇବାକୁ ହୁଏ । ତେଣୁ ମୋତେ ବହୁତ ଯତ୍ନବାନ ହେବାକୁ ପଡ଼ିଥାଏ ।’’
ଶାଢି ପିଛା ୨ଟଙ୍କା ହିସାବରେ ପ୍ରଧାନ ଦିନକୁ ପ୍ରାୟ ୧୫୦ ଟଙ୍କା ରୋଜଗାର କରିଥାନ୍ତି । ଯଦି କୌଣସି ଭୁଲ୍ ହୁଏ ତା’ ହେଲେ ତାଙ୍କୁ ପ୍ରାୟ ତାଙ୍କର ୫ ଦିନର ପାଉଣା ହରାଇବାକୁ ପଡ଼େ । ସେ କହିଲେ ‘‘ଦିନର ଶେଷ ବେଳକୁ (ଆଠ ଘଣ୍ଟା ପରେ), ମୁଁ କ୍ୱଚିତ୍ ମୋ ଆଙ୍ଗୁଳିରେ କିଛି ଅନୁଭବ କରିପାରେ (ଆଙ୍ଗୁଳି କାଲୁଆ ମାରିଯାଏ) ।’’
ଓଡ଼ିଶାର ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକର ସାନବରଗମ୍ ଗାଁର ଜଣେ ଦେଶାନ୍ତରୀ ଭାବେ ପ୍ରଧାନ (୩୫) ତାଙ୍କର ସ୍ୱାମୀ ଯିଏକି ସୂତାକଳରେ କାମ କରନ୍ତି ଏବଂ ତାଙ୍କର ଚାରି ସନ୍ତାନଙ୍କ ସହ ଗତ ୧୭ ବର୍ଷ ହେଲା ସୁରଟରେ ରହିଆସୁଛନ୍ତି । ଏକ ପରିସଂଖ୍ୟାନ ଅନୁସାରେ ସୁରଟରେ ପ୍ରାୟ ୮ ଲକ୍ଷ ଓଡ଼ିଆ ଦେଶାନ୍ତରୀ ରହିଆସୁଛନ୍ତି ( ଝଚ୍ଚଦ୍ଭଗ୍ଧଷରଗ୍ଧସମ ଲବଭକ୍ସସମ, ବଙ୍କଗ୍ଧଷରଦ୍ଭଗ୍ଧସମ ୟରଗ୍ଦକ୍ଟ୍ରବସକ୍ସ ବଦ୍ଭୟ ଖସଙ୍ଖସଦ୍ଭଶ ସଦ୍ଭ ଗ୍ଧଷର କ୍ସକ୍ଟକ୍ଟଜ୍ଞଗ୍ଦ ଭଚ୍ଚ ଗ୍ଧଷର କ୍ଷକ୍ଟକ୍ଟଜ୍ଞଗ୍ଦ ଦେଖନ୍ତୁ ) । ସେମାନଙ୍କ ମଧ୍ୟରୁ ଅଧିକାଂଶ ସୁରଟର ସୂତାକଳ ଏବଂ ବୟନ ଶିଳ୍ପ କାରଖାନାରେ କାମ କରିଥାନ୍ତି ଯାହାକି ଅନେକ ସମୟରେ ଦେଶର ବୟନଶିଳ୍ପ ରାଜଧାନୀ ଭାବେ ପରିଗଣିତ ହୋଇଥାଏ । ଗୁଜରାଟ ବୁଣାକାର ସଂଘ ଏବଂ ଏହାର ସହାୟକ ପଣ୍ଡେସରା ବୁଣାକାର ସଂଘ ପକ୍ଷରୁ ଜୁଲାଇ ୨୦୧୮ରେ ଦିଆଯାଇଥିବା ଏକ ରିପୋର୍ଟ ଅନୁସାରେ ଏଠାରେ ବାର୍ଷିକ ପ୍ରାୟ ୫୦,୦୦୦ କୋଟିରୁ ଅଧିକ ବ୍ୟବସାୟ ହୋଇଥାଏ।
ପ୍ରଧାନ କୁଶଳୀ ଭାବେ ଗଣନା କରାଯାଉନଥିବା ହଜାର ହଜାର ଘରୋଇ କାମକରାଳୀଙ୍କ ମଧ୍ୟରୁ ଅନ୍ୟତମ- ସେମାନଙ୍କ ମଧ୍ୟରୁ ଅଧିକାଂଶ ସୂତାକଳରେ କାମ କରୁଥିବା ଓଡ଼ିଆ ଶ୍ରମିକମାନଙ୍କ ପତ୍ନୀ। ଉତ୍ତର ସୁରଟରେ ଶିଳ୍ପ କରିଡର ମଧ୍ୟରେ କିମ୍ବା ତା’ ନିକଟରେ ଥିବା ସ୍ଥାନରେ ସେମାନେ ରହିଥାନ୍ତି ଏବଂ ସେଠାରୁ କାମ କରିଥାନ୍ତି। ସେମାନଙ୍କର କାମ ହେଲା ଧାଗା କାଟିବା (ବଳକା ସୂତା କାଟିବା) ଏବଂ ଫ୍ରେବିକ୍ରେ ଡାଇମଣ୍ଡ (ରଙ୍ଗୀନ ପଥର) ଲଗାଇବା । ସେମାନଙ୍କର କାମ କରିବା ପାଇଁ ସେମାନଙ୍କୁ କୌଣସି ସୁରକ୍ଷା ଗିଅର ଦିଆଯାଇନଥାଏ ଏବଂ କୌଣସି ପ୍ରକାର ଶାରୀରିକ ଅସୁବିଧା ଯେପରିକି ଆଖିରେ ଯନ୍ତ୍ରଣା ହେବା, କଟିଯିବା ଏବଂ ଏହି ପ୍ରକ୍ରିୟା ମଧ୍ୟରେ ସୃଷ୍ଟି ହେବାର ଆଶଙ୍କା ଥିବା ପିଠି ବିନ୍ଧା ପାଇଁ ସେମାନଙ୍କୁ କୌଣସି ପ୍ରକାର କ୍ଷତିପୂରଣ ମିଳେନାହିଁ । ମଜୁରୀ ନେଇ ସେମାନଙ୍କର କୌଣସି କଣ୍ଟ୍ରାକ୍ଟ ସ୍ୱାକ୍ଷରିତ ହୋଇନଥାଏ କିମ୍ବା ସାମାଜିକ ନିରାପତ୍ତା ନ ଥାଏ ଏବଂ ମୂଲଚାଲ କରିବା ଲାଗି ସାଧାରଣତଃ ସେମାନଙ୍କ ନିକଟରେ କୌଣସି ସୁବିଧା ନଥାଏ ।
ପ୍ରଧାନ କହିଲେ, “ମୁଁ ପ୍ରାୟ ୧୫ ବର୍ଷ ଧରି କାମ କରିଛି, କିନ୍ତୁ କଂପାନିର ନାମ କିମ୍ବା ତାର ମାଲିକଙ୍କ ବିଷୟରେ ଜାଣିନାହିଁ । ପ୍ରତିଦିନ ସକାଳେ ବଣ୍ଡଲଗୁଡ଼ିକୁ ପହଞ୍ଚାଇ ଦିଆଯାଏ ଏବଂ ପ୍ରତି ୧୫ ଦିନରେ ମୋର କାମ ପାଇଁ ମୋତେ ଟଙ୍କା ମିଳେ ।’
ପ୍ରଧାନଙ୍କ ଘରଠାରୁ ମାତ୍ର କିଛି ମିଟର ଦୂରରେ ଶାନ୍ତି ସାହୁ ମଧ୍ୟ ସେହି କାମ କରୁଛନ୍ତି । ଗଞ୍ଜାମ ଜିଲ୍ଲାର ବରହମପୁର ସଦର ବ୍ଲକର ବୁଡୁକା ଗାଁରୁ ସେ ସୁରଟକୁ ଆସିଛନ୍ତି । ୪୦ ବର୍ଷୀୟ ସାହୁ ସକାଳ ୫ଟାରୁ ଉଠି ନିକଟବର୍ତ୍ତୀ ଟଙ୍କା ଦିଆ ଶୌଚାଳୟକୁ ଯିବା ପାଇଁ ମୀନାନଗରରେ ରହୁଥିବା ତାଙ୍କ ବନ୍ଧୁମାନଙ୍କ ସହ ରାସ୍ତାରେ ଯୋଗ ଦେଇଥାନ୍ତି । ପରବର୍ତ୍ତୀ କିଛି ଘଣ୍ଟା ଅନେକ ପ୍ରକାର ଘରୋଇ କାମ ଯେପରିକି ପାଣି ସଂଗ୍ରହ, ରୋଷେଇ, ଲୁଗା ସଫା କରିବା ଏବଂ ତାଙ୍କର ସ୍ୱାମୀ ଅରିଜିତ ସାହୁଙ୍କର ଦେଖାଶୁଣା କରିବାରେ ଯାଇଥାଏ । ଅରିଜିତ୍, ଯିଏକି ସୂତାକଳରେ ରାତି ସିଫ୍ଟ ସାରି ସେତିକିବେଳେ ଘରକୁ ଫେରିଥାନ୍ତି ।
ତାଙ୍କର ଝିଅ ଆଶା ଇତିମଧ୍ୟରେ ଶାଢି ବଣ୍ଡଲଗୁଡ଼ିକୁ ଖୋଲିବା ଆରମ୍ଭ କରିଛନ୍ତି । ସାହୁ ତାଙ୍କର ୧୩ ବର୍ଷର ଝିଅ ଆଡ଼କୁ ଇଙ୍ଗିତ କରି କହିଲେ, “ଆମେ ଏକ ଟିମ୍ ଭାବେ ଏକାଠି କାମ କରୁ ।’’ ଆଶାଙ୍କୁ ପାଠପଢା ଛାଡ଼ିବାକୁ ପଡ଼ିଲା କାରଣ ସେ ପଢୁଥିବା ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ଯାହାକି ସୁରଟ ପୌରପାଳିକା ଦ୍ୱାରା ପରିଚାଳିତ ହୋଇଥାଏ ସେଠାରେ ମାତ୍ର ଅଷ୍ଟମ ଶ୍ରେଣୀ ଯାଏ ପଢିବାର ସୁବିଧା ରହିଛି ଏବଂ ଘରୋଇ ବିଦ୍ୟାଳୟରେ ଶିକ୍ଷାଲାଭ କରିବା ତାଙ୍କ ପାଇଁ ଏକ ସ୍ୱପ୍ନ । ଏହି ମା’-ଝିଅଙ୍କ ଯୋଡ଼ି ଅପେକ୍ଷାକୃତ ଦାମୀ ଶାଢି ଯେଉଁଗୁଡ଼ିକରେ ଅଧିକ ଭାରି ସୂତାକାମ ହୋଇଥାଏ ସେଥିରେ କାମ କରନ୍ତି । ସେମାନେ ପ୍ରତି ଶାଢି ପିଛା ୫-୧୦ ଟଙ୍କା ରୋଜଗାର କରିଥାନ୍ତି । ଏଥିରେ ଭୁଲ୍ ହେବାର ଆଶଙ୍କା ବି ଅଧିକ ଥାଏ । ସାହୁ କହିଲେ, “ଆମ ଘରର ଛାତର ଉଚ୍ଚତା ବହୁତ କମ୍ ଏବଂ ଘରକୁ ଖୁବ୍ କମ୍ ଆଲୋକ ଆସିଥାଏ ଯାହାଦ୍ୱାରାକି ଘରେ କାମ କରିବା ଆମ ପକ୍ଷେ ଅସମ୍ଭବ ହୋଇଥାଏ । ଆମେ ଶାଢିଗୁଡ଼ିକୁ ବାହାରେ ଏକ ନିର୍ଦ୍ଦିଷ୍ଟ ଉଚ୍ଚତାରେ ଟଙ୍ଗାଇ ଦେଉ ଏବଂ ପ୍ରାୟ ସାରା ଦିନ ଛିଡ଼ା ହୋଇ କାମ କରୁ । ଫେବ୍ରିକ୍ରେ କୌଣସି ପ୍ରକାର ଦାଗ ଲାଗିଲେ ତାହା ଆମ ମଜୁରୀରୁ କଟାଯିବ ।’’
ବୟନଶିଳ୍ପ ଜଗତରେ ସେମାନଙ୍କର ଅତି ନଗଣ୍ୟ ସ୍ଥାନ ଏବଂ ଅଫିସିଆଲ ରେକର୍ଡରେ ସଂପୂର୍ଣ୍ଣ ଅଦୃଶ୍ୟତାକୁ ଦୃଷ୍ଟିରେ ରଖି ଘରୋଇ ଭାବେ କେତେଜଣ ମହିଳା ଏହି କାମରେ ନିୟୋଜିତ ଅଛନ୍ତି ତାର କୌଣସି ସ୍ପଷ୍ଟ ଆକଳନ ନାହିଁ । ପଶ୍ଚିମ ଭାରତରେ ଓଡ଼ିଆ ଦେଶାନ୍ତରୀ ଶ୍ରମିକଙ୍କ ପାଇଁ କାମ କରୁଥିବା ଏକ ସ୍ୱେଚ୍ଛାସେବୀ ସଂଗଠନ ଆଜୀବିକା ବ୍ୟୁରୋ, ସୁରଟର ପ୍ରୋଗ୍ରାମ କୋଅର୍ଡିନେଟର ସଞ୍ଜୟ ପଟେଲ୍ କହିଲେ, “ସେମାନଙ୍କ ମଧ୍ୟରୁ କେହି ବି କୌଣସି ଲିଖିତ କଣ୍ଟ୍ରାକ୍ଟରେ ଦସ୍ତଖତ କରିନାହାନ୍ତି, ଏପରିକି ସେମାନେ ସେମାନଙ୍କୁ କାମ ଦେଉଥିବା କଣ୍ଟ୍ରାକ୍ଟରର ନାଁ ବି ଜାଣିନଥିବେ ।’’ “ଅନେକ କ୍ଷେତ୍ରରେ ସେମାନଙ୍କର କାମକୁ ମହିଳା ଓ ସେମାନଙ୍କର ପରିବାର ଲୋକେ ଶ୍ରମ ବୋଲି ମଧ୍ୟ ମନେ କରନ୍ତି ନାହିଁ । କାରଣ ଏହା ଘର ଭିତରେ କରାଯାଏ । ପିଲାମାନଙ୍କୁ ମଧ୍ୟ ଏହି କାମରେ ନିୟୋଜିତ କରାଯାଇଥାଏ । ସେମାନଙ୍କୁ ପ୍ରତିଦିନ ପିସ୍ ହିସାବରେ ଟାର୍ଗେଟ୍ ଦିଆଯାଏ । ସେଥିପାଇଁ ସେମାନେ ସେମାନଙ୍କର ମଜୁରୀ ନେଇ ମୂଲଚାଲ ବି କରିପାରନ୍ତି ନାହିଁ ।’’
ଗୁଜରାଟ ସର୍ବନିମ୍ନ ମଜୁରୀ ପ୍ରାବଧାନ (ଏପ୍ରିଲରୁ ସେପ୍ଟେମ୍ବର ୨୦୧୯; ବର୍ଧିଷ୍ଣୁ ମୁଦ୍ରାସ୍ପୀତି ସହ ତାଳ ଦେବା ପାଇଁ ପ୍ରତି ଛଅମାସରେ ଏହା ସଂଶୋଧିତ ହୋଇଥାଏ) ଅନୁସାରେ ‘ରେଡିମେଡ୍ ପୋଷାକ ପ୍ରସ୍ତୁତି କିମ୍ବା ସେଥିରେ ଲାଗୁଥିବା ଜିନିଷପତ୍ର ଏବଂ ଟେଲରିଂ କାମରେ’ ନିୟୋଜିତ ହେଉଥିବା ଅଶକୁଶଳୀ ଶ୍ରମିକମାନେ ଦିନକୁ ଆଠ ଘଣ୍ଟାର ସିଫ୍ଟ ପାଇଁ ପ୍ରାୟ ୩୧୫ ଟଙ୍କା ପାଇବା କଥା । ପ୍ରକୃତରେ କିନ୍ତୁ ପ୍ରଧାନ, ସାହୁ ଏବଂ ଓଡ଼ିଶାର ଅନ୍ୟ ମହିଳାମାନେ ଘରେ କରୁଥିବା କାମ ପିସ୍ ପିଛା ବିକ୍ରି ହୋଇଥାଏ ଏବଂ ସେମାନେ ପ୍ରାୟତଃ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସର୍ବନିମ୍ନ ମଜୁରୀ ହାରଠାରୁ ୫୦ ପ୍ରତିଶତ କମ୍ ଟଙ୍କା ପାଇଥାନ୍ତି । ଏଠାକାର କାରଖାନାଗୁଡ଼ିକରେ କାମ କରୁଥିବା ମହିଳାମାନେ ଯେଉଁମାନେ କି ସମାନ ଧାଗା କାଟିବା କାମ କରିଥାନ୍ତି ସେମାନେ ମାସିକ ହାରାହାରି ଭାବେ ୫,୦୦୦-୭,୦୦୦ ଟଙ୍କା ପାଇଥାନ୍ତି ଏବଂ ଓଭରଟାଇମ୍ ଦରମା ପାଇବା ଓ କର୍ମଚାରୀ ବୀମା ପରି ସାମାଜିକ ନିରାପତ୍ତା ସୁବିଧା ବି ପାଆନ୍ତି, ଯେତେବେଳେ କି ଘରେ କାମ କରୁଥିବା ମହିଳାମାନେ ମାସିକ ୩,୦୦୦ ଟଙ୍କାରୁ ଅଧିକ ପାଇନଥାନ୍ତି ।
୩୨ ବର୍ଷୀୟ ଗୀତା ସାମଲ ଗୋଲିୟା ଯାହାଙ୍କର ସ୍ୱାମୀ ରାଜେଶ ସୂତାକଳରେ କାମ କରନ୍ତି ସେ କହିଲେ, “୧୦ ବର୍ଷ ତଳେ ମଧ୍ୟ ମୁଁ ଶାଢ଼ି ପିଛା ମାତ୍ର ୨ ଟଙ୍କା ପାଉଥିଲି । ପ୍ରତିଥର ଯେତେବେଳେ ମୁଁ କଣ୍ଟ୍ରାକ୍ଟରଙ୍କ ସହିତ ମୋର ମଜୁରୀ ବଢ଼ାଇବା ସଂପର୍କରେ କଥା ହେବାକୁ ଉଦ୍ୟମ କରିଛି, ସେ ମୋତେ କହିଛନ୍ତି ଯେ ମୁଁ ମୋର ଘରୁ କାମ କରୁଛି ଏବଂ ପ୍ରକୃତରେ ସେ କାମ ପାଇଁ କୌଣସି ଦକ୍ଷତାର ଆବଶ୍ୟକତା ନାହିଁ । “କିନ୍ତୁ ବିଜୁଳି ବିଲ୍ ଏବଂ ଘରଭଡ଼ା କଥା କ’ଣ ହେବ ଯାହାକୁ ମୋତେ ଦେବାକୁ ପଡୁଛି?’’ ଗୀତାଙ୍କର ପରିବାର ମୀନାନଗରଠାରୁ ପ୍ରାୟ ୪ କିମି ଦୂରରେ ବିଶ୍ରାମ ନଗରରେ ରହନ୍ତି ।
କାଲିଫର୍ଣ୍ଣିଆର ୟୁନିଭରସିଟି ଅଫ୍ ବର୍କଲେରେ ଫେବ୍ରୃୟାରୀ ୨୦୧୯ରେ ଟେଣ୍ଟେଡ୍ ଗାର୍ମେଣ୍ଟସ: ଦ ଏକ୍ସପ୍ଲୋଏଟେସନ୍ ଅଫ୍ ୱିମେନ୍ ଆଣ୍ଡ ଗାର୍ଲସ ଇନ୍ ଇଣ୍ଡିଆସ ହୋମ ବେସଡ ଗାରମେଣ୍ଟ ସେକ୍ଟର ଶୀର୍ଷକରେ କରାଯାଇଥିବା ଏକ ଅନୁଧ୍ୟାନ ଅନୁସାରେ ଭାରତର କପଡ଼ା ଶିଳ୍ପ ଜଗତରେ ଘରୋଇ ଭାବେ କାମ କରୁଥିବା ୯୫.୫ ପ୍ରତିଶତ ହେଉଛନ୍ତି ମହିଳା। ଆଧୁନିକ ଦାସତ୍ୱ ଗବେଷକ ସିଦ୍ଧାର୍ଥ କରଙ୍କ ନେତୃତ୍ୱରେ କରାଯାଇଥିବା ଅନୁଧ୍ୟାନର ରିପୋର୍ଟରେ ଆହୁରି କୁହାଯାଇଛି ଯେ କାମ କରୁଥିବା ସମୟରେ ଆହତ ହେଲେ ଏହି ଶ୍ରମିକଙ୍କ ମଧ୍ୟରୁ କାହାରିକୁ ବି କୌଣସି ପ୍ରକାର ମେଡିକାଲ୍ ସୁବିଧା ମିଳେନାହିଁ । ଏମାନେ କୌଣସି ସଂଘର ଅନ୍ତର୍ଭୁକ୍ତ ନୁହନ୍ତି କିମ୍ବା ଏମାନେ କୌଣସି ଲିଖିତ କାର୍ଯ୍ୟ ବୁଝାମଣାରେ ଦସ୍ତଖତ କରିନାହାନ୍ତି ।
ସୁରଟର ବୟନଶିଳ୍ପ ଜଗତରେ ମହିଳାମାନଙ୍କର କାମ ଯେଉଁମାନେ କି ଘରୁ କାମ କରିଥାନ୍ତି-ଯାହାକି ସେମାନଙ୍କର କର୍ମସ୍ଥଳ ପାଲଟିଥାଏ-ତାକୁ ଆନୁଷ୍ଠାନିକ ନିଯୁକ୍ତି ଭାବେ ଗଣନା କରାଯାଇନଥାଏ । ଏହାର ଅର୍ଥ ସେମାନେ କୌଣସି ଶ୍ରମ ଆଇନ, ଯେପରିକି କାରଖାନା ଆଇନ ୧୯୪୮ ଯାହାକି କାରଖାନାରେ ନିଯୁକ୍ତ ଶ୍ରମିକମାନଙ୍କର ଅଧିକାରକୁ ସୁରକ୍ଷା ଦେଇଥାଏ ତାହା ଅଧୀନରେ ଆସନ୍ତି ନାହିଁ ।
ସୁରଟ ଅଞ୍ଚଳର ସହଯୋଗୀ ଶ୍ରମ କମିଶନର ଜିଏଲ୍ ପଟେଲଙ୍କ ଅନୁସାରେ, “ଘରୁ କାମ କରିବାର ବୁଝାମଣା କେବଳ ଏକ ସିଭିଲ୍ ସଂପର୍କ (କର୍ମଚାରୀ-କର୍ମଚାରୀଙ୍କ ମଧ୍ୟରେ ସଂପର୍କ ନୁହେଁ), ଯେଉଁଠାରେ ଶ୍ରମ ଆଇନ ଲାଗୁ ହୋଇନଥାଏ । “ଅଧିକନ୍ତୁ, କାମକୁ ଜଣକ ଦ୍ୱାରା ସେମାନଙ୍କୁ କଣ୍ଟ୍ରାକ୍ଟ ହିସାବରେ ଦିଆଯାଏ, ସେଠାରେ ବାସ୍ତବିକ ଭାବେ କୌଣସି ଯାଞ୍ଚ କରିବାର ବ୍ୟବସ୍ଥା ନଥାଏ ।’’
ସୁରଟର ସୂତାକଳ ସେବା କେନ୍ଦ୍ର (କେନ୍ଦ୍ର ସରକାରଙ୍କ ବୟନ ଶିଳ୍ପ ମନ୍ତ୍ରାଳୟ ଦ୍ୱାରା ପ୍ରତିଷ୍ଠିତ)ର ଅତିରିକ୍ତ ନିର୍ଦ୍ଦେଶକ ସିର୍ଦ୍ଧେଶ୍ୱର ଲୋମ୍ବେଙ୍କ ଅନୁସାରେ “ବୀମା ଏବଂ କ୍ଷତିପୂରଣ ସୁବିଧା କେବଳ ସେହି ଶ୍ରମିକମାନଙ୍କୁ ଦିଆଯାଇପାରିବ ଯେଉଁମାନେ ପଞ୍ଜିକୃତ ହୋଇଥିବା କାରଖାନା ପରିସରରେ ଆହତ ହୋଇଥିବେ ।’’ “ଯଦିଓ ମହିଳା ଶ୍ରମିକମାନେ ଏହି ଇଣ୍ଡଷ୍ଟ୍ରିର ଏକ ଅଂଶବିଶେଷ ବୋଲି ଜଣାଅଛି, କିନ୍ତୁ ସେମାନଙ୍କର କାର୍ଯ୍ୟର ନିର୍ଘଣ୍ଟ, ପରିସ୍ଥିତି ଏବଂ କ୍ଷତ ସଂପର୍କରେ କାଗଜପତ୍ର ପ୍ରସ୍ତୁତ କରିବା ଖୁବ୍ କଷ୍ଟକର କାରଣ ସେମାନେ ଘରୁ ସୁବିଧାନୁସାରେ କିଛି ସମୟ ପାଇଁ କାମ କରିଥାନ୍ତି ।’’
ଆନୁଷ୍ଠାନିକ ଭାବେ କୌଣସି ନିରାପତ୍ତା ଓ ସାମାଜିକ ସମର୍ଥନର ଅଭାବ ସତ୍ତ୍ୱେ ଗଞ୍ଜାମର ବୁଗୁଡ଼ା ବ୍ଲକର ଭୋଗୋଡା ଗାଁର ଦେଶାନ୍ତରୀ ରଞ୍ଜିତା ପ୍ରଧାନ (୩୦) ବିଶ୍ରାମ ନଗରରେ ଏକମାତ୍ର “ମହିଳା ଓଡ଼ିଆ ଏଜେଣ୍ଟ’’ର ମାନ୍ୟତା ପାଇଛନ୍ତି । ପ୍ରଧାନ ଯିଏକି ୧୩ ବର୍ଷ ତଳୁ ଘରୁ କାମ କରିବା ଆରମ୍ଭ କରିଥିଲେ ସେ କହିଲେ, “ପୁରୁଷ କଣ୍ଟ୍ରାକ୍ଟରଙ୍କ ସହ କାମ କରିବା ଖୁବ୍ କଷ୍ଟକର ହେଉଥିଲା ଯେଉଁମାନେ କି ଆମକୁ ଠିକ୍ ସମୟରେ ଟଙ୍କା ଦେଉନଥିଲେ। ଏପରକି ସେମାନେ କୌଣସି କାରଣ ନଥାଇ ଆମର ମଜୁରୀ ବି କାଟି ଦେଉଥିଲେ ।’’
୨୦୧୪ରେ, ପ୍ରଧାନ ଭିଇଡି ରୋଡ୍ରେ ଥିବା ଏକ ଗାର୍ମେଣ୍ଟ କଂପାନିର ମାଲିକଙ୍କୁ ସିଧାସଳଖ ଭାବେ ସଂପର୍କ କଲେ ଏବଂ ଯଦି ସେ ତାଙ୍କୁ ସିଧାସଳଖ ଭାବେ କାମର କଣ୍ଟ୍ରାକ୍ଟ ଦିଅନ୍ତି ତା’ ହେଲେ ତାଙ୍କୁ “ଉତ୍ତମ ମାନର କାମ’’ର ପ୍ରତିଶ୍ରୁତି ଦେଲେ । ୩ଟି ଗାର୍ମେଣ୍ଟ କାରଖାନାର ମାଲିକଙ୍କଠାରୁ ସେ ଡାଇମଣ୍ଡ ସିଲାଇ କାମକୁ କଣ୍ଟ୍ରାକ୍ଟରେ ଆଣି ପଡ଼ୋଶୀ ଅଞ୍ଚଳରେ ରହୁଥିବା ପ୍ରାୟ ୪୦ ଜଣ ମହିଳାଙ୍କୁ ଦେଇଛନ୍ତି । ସେମାନଙ୍କ ଅଲିଖିତ କାମ ବୁଝାମଣା ଅନୁସାରେ ପ୍ରଧାନ ମହିଳା ଶ୍ରମିକମାନଙ୍କୁ ପ୍ରତି ୧୫ ଦିନରେ ଏକ କିଲୋଗ୍ରାମ୍ ସିକ୍ୱିନ୍ ଏବଂ ଫେବ୍ରିକ୍ ଗ୍ଲୁ ପ୍ରଦାନ କରିଥାନ୍ତି । ପ୍ରତିଦିନ ସକାଳେ ସେମାନଙ୍କ ନିକଟରେ ପୋଷାକପତ୍ର ପହଞ୍ଚିଯାଏ । ଘରୋଇ ଭାବେ କାମ କରୁଥିବା ପ୍ରତି ମହିଳା ଦିନକୁ ପ୍ରାୟ ୨୦୦୦ ସିକ୍ୱିନ୍ ସିଲାଇ କରିଥାନ୍ତି, ହାରାହାରି ଭାବେ ଦିନକୁ ପ୍ରାୟ ୨୦୦ ଟଙ୍କା ରୋଜଗାର କରନ୍ତି (ପ୍ରତି ୧୦ଟି ସିକ୍ୱିନ୍ ପିଛା ୧ ଟଙ୍କା) ।
ପ୍ରଧାନ କହିଲେ, “ସେମାନେ ମୋତେ ବିଶ୍ୱାସ କରନ୍ତି କାରଣ ସେମାନେ ମୁଁ ସେମାନଙ୍କ ମଧ୍ୟରୁ ଜଣେ ବୋଲି ଜାଣିଛନ୍ତି ।’’ “ ଏହି କାର୍ଯ୍ୟରେ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ପାଟର୍ଣ୍ଣକୁ ପୂରଣ କରିବା ପାଇଁ ମହିଳାମାନଙ୍କୁ ନଇଁବା ଏବଂ ବହୁତ ଘଣ୍ଟା ଧରି କାମ କରିବାକୁ ପଡ଼ିଥାଏ । ଏହାଯୋଗୁଁ ସେମାନଙ୍କର ଅଣ୍ଟା ବିନ୍ଧା ହେବା ସହିତ ଆଖିରେ ଯନ୍ତ୍ରଣା ହୋଇଥାଏ । ତଥାପି ବି ଯଦି ଆମେ ଅଭିଯୋଗ କରୁ, ଆମର ସ୍ୱାମୀମାନେ ବି ଆମକୁ ଏହା କେବଳ ‘ଟାଇମ୍ ପାସ୍’ ଏବଂ ପ୍ରକୃତ କାମ ନୁହେଁ ବୋଲି କହନ୍ତି ।’’
ଏବେ ୭ଟା ବାଜିଛି ଏବଂ ପ୍ରଧାନ ତାଙ୍କ ସ୍ୱାମୀ ଭଗବାନ ସୂତାକଳରୁ ଫେରିବା ବାଟକୁ ଚାହିଁ ବସିଛନ୍ତି । ଦିନ ସାରା ସେ ଯେଉଁ କାମ କରିଛନ୍ତି ତାର ବଣ୍ଡଲକୁ ପୁଣିଥରେ ପ୍ୟାକ୍ କରିଦେଇଛନ୍ତି । ଗତ ୧୩ ବର୍ଷ ଧରି ଏହିଭଳି ଚାଲିଛି । ସେ କହିଲେ, “ଆମେ ସୁରଟକୁ ଏଇଆ ଭାବି ଆସିଥିଲୁ ଯେ ଦିନେ ନା ଦିନେ ଆମେ ଆମର ପରିବାର ପାଇଁ ଏକ ଘର ତିଆରି କରିବାକୁ ଗଞ୍ଜାମକୁ ଫେରିବୁ ।’’ “କିନ୍ତୁ ଏଠାରେ ଆମେ ସଞ୍ଚୟ କରିପାରୁନାହୁଁ ଏବଂ ବହୁକଷ୍ଟରେ ପ୍ରତିଦିନର ଆବଶ୍ୟକତାକୁ ପୂରଣ କରୁଛୁ ।’’
ଅନୁବାଦ: ଓଡ଼ିଶାଲାଇଭ୍