ମୁଁ ପନାମିକସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାୟ ୧୦୦ ଲୋକଙ୍କୁ କୋଭିଡ-୧୯ ଟିକା ନେବାକୁ ଅପେକ୍ଷା କରିଥିବା ଦେଖିଲି। ଏହା ଥିଲା ଅଗଷ୍ଟ ୧୧ ତାରିଖର ଦୃଶ୍ୟ। ଏହା କ’ଣ ସାରା ଦେଶର ଏପରି ହଜାର ହଜାର କେନ୍ଦ୍ରରେ ଲକ୍ଷ ଲକ୍ଷ ଅନ୍ୟ ଭାରତୀୟମାନେ ଅପେକ୍ଷା କରିବା ଭଳି ଥିଲା ? ନା ସେପରି ନୁହେଁ। ଲେହର ପନାମିକ ବ୍ଲକରେ ଥିବା ସର୍ବୋଚ୍ଚ ସ୍ଥାନ ସମୁଦ୍ର ପତ୍ତନଠାରୁ ୧୯,୦୯୧ ଫୁଟ ଉଚ୍ଚତାରେ ରହିଛି। ଯଦିଓ ଏହି ନାମରେ ଥିବା ମୁଖ୍ୟ ଗ୍ରାମଟି କିଛି ହଜାର ଫୁଟ ତଳେ ରହିଛି, ତଥାପି ପ୍ରାୟ ୧୧,୦୦୦ ଫୁଟ ଉଚ୍ଚତାରେ ଥିବା ଏହି ପିଏଚସି (ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର) ଅନ୍ୟ ଯେକୌଣସି ସ୍ଥାନରେ ଥିବା ସର୍ବୋଚ୍ଚ ଟିକାକରଣ କେନ୍ଦ୍ର ମଧ୍ୟରୁ ଅନ୍ୟତମ।
କେନ୍ଦ୍ର ଶାସିତ ପ୍ରଦେଶ ଲଦାଖର ଅଧିକାଂଶ ଭାଗ ପର୍ଯ୍ୟନ୍ତ କୋଭିଡ-୧୯ ଟିକା ନେବା ଏବଂ ସେଗୁଡ଼ିକର ଷ୍ଟକ ରଖିବା ବହୁତ ବଡ଼ କଥା। ଦୂରବର୍ତ୍ତୀ ଅଞ୍ଚଳଗୁଡ଼ିକରୁ ଟିକା ନେବା ପାଇଁ କେନ୍ଦ୍ରକୁ ଆସିବାରେ ଲୋକମାନେ ସମ୍ମୁଖିନ ହେଉଥିବା ସମସ୍ୟା ପ୍ରତି ମଧ୍ୟ ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି।
ସମୁଦ୍ର ପତ୍ତନଠାରୁ ଅସାଧାରଣ ଉଚ୍ଚତାରେ ଥିବା ଏହି କେନ୍ଦ୍ରର ଆହୁରି ଏକ ବିଶେଷତ୍ୱ ରହିଛି। ଆପଣ ଏହାକୁ ଅସାଧାରଣ ସାହସ ବୋଲି କହିପାରିବେ। ଲେହରେ ଥିବା ଏହି ପିଏଚସି, ସିଆଚେନ ଗ୍ଲେସିୟରର ଅତି ନିକଟରେ ରହିଛି, ଏହା ଏକ ଅସାଧାରଣ ରେକର୍ଡ ମଧ୍ୟ ହାସଲ କରିଛି। ଗୋଟିଏ ଦିନରେ ଏହି କେନ୍ଦ୍ର ୨୫୦ ଜଣ ସେନା କର୍ମଚାରୀଙ୍କ ଟିକାକରଣ କରିଛି। ତାହା ପୁଣି ନାମମାତ୍ର ଇଣ୍ଟରନେଟ ସଂଯୋଗ ଏବଂ ଅତି ଦୁର୍ବଳ ଯୋଗାଯୋଗ ସୁବିଧା ଥାଇ ସୁଦ୍ଧା। ତଥାପି ପନାମିକ ପିଏଚସି, ଲଦାଖରେ ଥିବା ଅନ୍ୟ କେନ୍ଦ୍ର ଭଳି, ଏହାର ଟିକାକରଣ ଅଭିଯାନକୁ ଯଥେଷ୍ଟ ସଫଳତା ପୂର୍ବକ ସମ୍ପାଦନ କରିପାରିଛି।
ଲେହ ସହର ଠାରୁ ପ୍ରାୟ ୧୪୦ କିମି ଦୂର ଏହି ପିଏଚସିରେ ଇଣ୍ଟରନେଟ ନଥିବା ସତ୍ତ୍ୱେ ସେମାନେ କିପରି ଏହା କରିବାକୁ ସକ୍ଷମ ହେଲେ? ସେରିଙ୍ଗ ଆଞ୍ଚୋକ, ଏଠାକାର ଶୀତଳ ଭଣ୍ଡାର ପରିଚାଳନାକାରୀ ଭାବେ କାମ କରନ୍ତି, ସେ ଅତି ସରଳ ଭାବେ କୁହନ୍ତି-“ଏହା ସହଜ! ଆମେ ଧୈର୍ଯ୍ୟର ସହିତ ଏହା କଲୁ। ଆମେ ଦୀର୍ଘ ଘଣ୍ଟା ପର୍ଯ୍ୟନ୍ତ କାମ କରିଥିଲୁ, କିନ୍ତୁ ଶେଷରେ, ଆମେ ଠିକ୍ ପରିଣାମ ପାଇଲୁ।” ଯାହାର ଅର୍ଥ ହେଉଛି, ଦୁର୍ବଳ ଇଣ୍ଟରନେଟ ସଂଯୋଗ ଯୋଗୁ ଅନ୍ୟତ୍ର ଯେଉଁ କାମ ଅଳ୍ପ କିଛି ମିନିଟରେ ସରିଥାନ୍ତା ତାହା ସେମାନଙ୍କୁ ଘଣ୍ଟା ଘଣ୍ଟା ଲାଗିଥିଲା। ବାସ୍ତବରେ ଟିକାକରଣ ପ୍ରକ୍ରିୟା ପାଇଁ ଆହୁରି ଅଧିକ ଘଣ୍ଟା ଲାଗିଥିଲା।























