‘‘ୟେ ଚୁଡି ହୋ ଯାଏଗୀ, ଫିକ୍ସ ହୋ ଯାଏଗୀ ଫିର୍ ୟେ ବାହାର ନେହିଁ ନିକଲେଗୀ[ଏହା ଏକ ଚୁଡ଼ିର ରୂପ ଧାରଣ କରିବ ଏବଂ ଏହି ଚୁଡ଼ିର ରିମ୍ ମଧ୍ୟରେ ରହିଯିବ। ତାପରେ ଏହା ବାହାରିବ ନାହିଁ,’’ ଜିତୁ ବୁଝାଇଲେ। ଏକ ବଲ୍ର ନିରନ୍ତର ପ୍ରଭାବକୁ ସାମ୍ନା କରିବା ଲାଗି ବେତ ଏବଂ କାଠକୁ ଦୃଢ ଭାବେ ଯୋଡ଼ା ଯାଇଥାଏ।
ଗୋଟିଏ ମାସରେ ପ୍ରାୟତଃ ୧୦୦ଟି ବାଡ଼ି ତିଆରି ହୋଇଥାଏ। ତା’ ପରେ ସେଗୁଡ଼ିକୁ ବିଗତ ୪୦ ବର୍ଷ ହେଲା ଅଶୋକଙ୍କର ସହଯୋଗୀ ଥିବା ମହମ୍ମଦ ଶାଫି ବାର୍ନିଶ କରିଥାନ୍ତି। ବାର୍ନିଶ ସେଗୁଡ଼ିକୁ ଚିକଚିକ୍ ରୂପ ପ୍ରଦାନ କରିଥାଏ ଏବଂ ଆର୍ଦ୍ରତା ଓ ଧୂଳିରୁ ସୁରକ୍ଷା ଦିଏ। ଶାଫି ବାଡିର ଉଚ୍ଚତାକୁ ଗୋଟିଏ ପଟରେ ରଙ୍ଗରେ ଲେଖିଲେ ଏବଂ ହ୍ୟାଣ୍ଡଲ ତଳେ ‘ଜୟପୁର ପୋଲୋ ହାଉସ୍’ର ଷ୍ଟିକର ଲଗାଇ କାମ ଶେଷ କଲେ।
ଏକ ବାଡ଼ି ବନାଇବା ଲାଗି କଞ୍ଚାମାଲର ଦାମ୍ ହେଉଛି ୧୦୦୦ ଟଙ୍କା ଏବଂ ଅଶୋକ କହନ୍ତି ବିକ୍ରି ସମୟରେ ସେ ସେହି ଟଙ୍କାର ଅଧା ବି ଆଦାୟ କରିପାରନ୍ତି ନାହିଁ। ସେ ବାଡ଼ିକୁ ୧୬୦୦ ଟଙ୍କାରେ ବିକ୍ରି କରିବାକୁ ଉଦ୍ୟମ କରନ୍ତି, କିନ୍ତୁ ସବୁବେଳେ ସଫଳ ହୁଅନ୍ତି ନାହିଁ। ସେ କହିଲେ, ‘‘ଖେଳାଳିମାନେ ଭଲ ଟଙ୍କା ଦିଅନ୍ତି ନାହିଁ। ଏକ ହଜାର, ୧୨ ଶହ[ଟଙ୍କା] ଏହାହିଁ ଦେବାକୁ ସେମାନେ ପ୍ରସ୍ତାବ ଦେଇଥାନ୍ତି।’’
ଏକ ବାଡ଼ିର ପ୍ରତ୍ୟେକ ଭାଗକୁ କିଭଳି ଧ୍ୟାନର ସହ ଗ୍ରହଣ କରାଯାଇଥାଏ ତାହା ଦର୍ଶାଇ ସେ କମ୍ ଲାଭ ନେଇ ଅବସୋସ ପ୍ରକାଶ କଲେ। ଅଶୋକ କହିଲେ, ‘‘ବେତ[ କେବଳ] ଆସାମ ଏବଂ ରେଙ୍ଗୁନରୁ କୋଲକାତାକୁ ଆସିଥାଏ।’’ ଏହା ଠିକ୍ ଆର୍ଦ୍ରତା ସାମଗ୍ରୀ, ନମନୀୟତାର ପରିମାଣ, ଘନତ୍ୱ ଏବଂ ମୋଟେଇ ସହିତ ଯୋଗ୍ୟ ହେବା ଆବଶ୍ୟକ।
ଅଶୋକ କହିଲେ, ‘‘କୋଲକାତାର ଯୋଗାଣକାରୀଙ୍କ ନିକଟରେ ମୋଟା ବେତ ରହିଛି ଯାହାକି ପୁଲିସକର୍ମୀଙ୍କ ଲାଗି ବାଡ଼ି ଏବଂ ବୟସ୍କଙ୍କ ପାଇଁ ଚାଲିବା ସମୟରେ ଧରାଯାଉଥିବା ବାଡ଼ି ବନାଇବା ଲାଗି ଉପଯୁକ୍ତ। ସେଥିମଧ୍ୟରୁ ୧ହଜାରରୁ କେବଳ ଶହେ ହିଁ ମୋର ଆବଶ୍ୟକତା ପୂରଣ କରିଥାଏ।’’ ତାଙ୍କର ଅଧିକାଂଶ ଯୋଗାଣକାରୀ ଯେଉଁ ବେତ ପଠାଇଥାନ୍ତି ସେଗୁଡ଼ିକ ବାଡ଼ି ବନାଇବା ଲାଗି ବହୁତ ମୋଟା ହୋଇଥାଏ ଏବଂ ତେଣୁ ଉପଯୁକ୍ତ ବେତର ବ୍ୟବସ୍ଥା କରିବା, ବାଛିବା ଏବଂ ଆଣିବା ଲାଗି ସେ ମହାମାରୀ ପୂର୍ବରୁ ପ୍ରତିବର୍ଷ କୋଲକାତା ଯାଉଥିଲେ। ‘‘ବର୍ତ୍ତମାନ ମୋ ପକେଟରେ ଏକ ଲକ୍ଷ ଟଙ୍କା ହେଲେ ହିଁ ମୁଁ କୋଲକାତା ଯାଇପାରିବି।’’