ମାଡ୍ରାସ୍(ଏବଂ ଚେନ୍ନାଇର) ପୁରୁଣା ବାଣିଜ୍ୟିକ ପେଣ୍ଠସ୍ଥଳୀ ଜର୍ଜ ଟାଉନ୍ର ମଧ୍ୟସ୍ଥଳରେ ଗୋଟିଏ ସଂକୀର୍ଣ୍ଣ ରାସ୍ତାରେ ଖୁବ୍ ସକାଳୁ ଗହଳ ଚହଳ ବଢ଼ିଯାଏ । କିନ୍ତୁ ଏହାର ସରକାରୀ ନାମ ବାଡ୍ରିଆନ୍ ଷ୍ଟ୍ରିଟ୍ ଭାବେ ପଚାରିଲେ ଏହାକୁ ଆପଣ ଖୋଜି ପାଇବେ ନାହିଁ । ସମସ୍ତେ ଏହାକୁ ପୋକାଦାଇ (ଫୁଲ ବଜାର) ବୋଲି କହନ୍ତି । ଏହା ଏଥିପାଇଁ କାରଣ ଦୀର୍ଘ ବର୍ଷ ପୂର୍ବରୁ ୧୯୯୬ ମସିହାରେ କୋୟାମବେଡୁରେ ଚେନ୍ନାଇର ସବୁଠାରୁ ବଡ଼ ପନିପରିବା ଏବଂ ଫୁଲ ବଜାର ଥିଲା, ଯେଉଁଠି ଏଠାରୁ ଅଖାରେ ଫୁଲ ନେଇ ବିକ୍ରି ହେଉଥିଲା । ଏବଂ ଆଜି ମଧ୍ୟ ୧୮ ବର୍ଷ ପରେ ପୋକାଦାଇ ସକାଳେ ଗହଳ ଚହଳ ହୋଇଉଠେ, କାରଣ ବିକ୍ରେତାମାନେ ଏହି ସ୍ଥାନ ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି ଏବଂ କ୍ରେତାମାନେ ମଧ୍ୟ ନିର୍ଦ୍ଧାରିତ ବଜାରକୁ ଯାତ୍ରା କରିବା ପାଇଁ ଅନିଚ୍ଛୁକ ।
ଭୋର ପୂର୍ବ ସମୟରେ, ପୋକାଦାଇ କେବଳ ଲୋକରେ ଭରପୁର ହୋଇଯାଏ ଏବଂ ଆପଣ ଚାହିଁଲେ ଗୋଟିଏ ବିଲେଇ ଛୁଆକୁ ମଧ୍ୟ ଘୁଞ୍ଚାଇ ପାରିବେ ନାହିଁ । ଫୁଲର ଅଖା ଗୁଡିକ କୋୟାମବେଡୁରୁ, ଆନ୍ଧ୍ରପ୍ରଦେଶରୁ, ଆଭ୍ୟନ୍ତରୀଣ ଦକ୍ଷିଣ ତାମିଲନାଡୁରୁ ଆସିଥାଏ । ରାସ୍ତାଟି ସବୁବେଳେ ପ୍ରାୟତଃ କାଦୁଆ ହୋଇଥାଏ, ମଝିରେ ଗୋଟିଏ ଲମ୍ବା, ନିଚ୍ଚା ଆବର୍ଜନାର ପାହାଡ଼ ଥାଏ । ଅନୁମାନ କରନ୍ତୁ ମଉଳା ଫୁଲ ଉପରେ ହଜାର ହଜାର ପାଦ ଚଢ଼ି ଯାଉଥିବ, ଅନୁମାନ କରନ୍ତୁ ହଜାର ହଜାର ସଂଖ୍ୟାରେ ଟାୟାର ତା’ ଉପରେ ଚଢ଼ି ଯାଉଥିବ ଏବଂ ତା’ ପରେ ତା’ର ଦୁର୍ଗନ୍ଧ ଅନୁମାନ କରନ୍ତୁ । ଏହା ସେତେ ସୁଖକର ନୁହେଁ । କିନ୍ତୁ ରାସ୍ତା ଟିଁ ଏହିଭଳି । ଉଭୟ ପଟରେ ଧାଡ଼ି ଧାଡ଼ି ହୋଇ ଦୋକାନ, କେତେକ ପକ୍କା ସିମେଣ୍ଟରେ ତିଆରି, କପ୍ବୋର୍ଡ ଥିବା ଏବଂ ସିଲିଂ ଫ୍ୟାନ୍ ଲାଗିଥିବା, ଅନ୍ୟ କେତେକ କେବଳ ଅଖାରେ ତିଆରି । ଏବଂ ସେ ସବୁର ଧାରରେ ରଙ୍ଗ ଦିଆଯାଇଥାଏ । ଏହା ପୋକାଦାଇର ପକ୍କା ଦୋକାନଙ୍କ ମଧ୍ୟରୁ ଗୋଟିଏ । ସେହି ରାସ୍ତାର ଉଭୟ ପଟରେ ଏମିତି ଶହ ଶହ ସଂଖ୍ୟାରେ ଦୋକାନ ଅଛି । ଅଧିକାଂଶ ପ୍ରବାସୀଙ୍କ ଦ୍ୱାରା ଚଳାଯାଏ, ଯେଉଁମାନେ କି ନିଜ ଗାଁର ଶୁଷ୍କ ଜମି ଓ କମ୍ ରୋଜଗାରକୁ ଛାଡ଼ି ଏଠାକୁ ଧାଇଁ ଆସିଛନ୍ତି। ସେମାନଙ୍କର ସହଯୋଗୀମାନେ ସାଧାରଣତଃ କମ୍ ବୟସର ପିଲା ହୋଇଥାଆନ୍ତି ଯେଉଁମାନେ କି ସେମାନଙ୍କର ନିଜ ଗାଁ ବା ପଡ଼ୋଶୀ ଗାଁର । ସେମାନେ ପଛରେ ବା ଉପରେ ଥିବା ଛୋଟ ରୁମ୍ରେ ରହନ୍ତି । (୨୦୧୨ ମସିହା ଏପ୍ରିଲ ୧୯ ତାରିଖରେ ମୁଁ ଯେତେବେଳେ ଭୋର୍ ସମୟରେ ପୋକାଦାଇକୁ ଯାଇଥିଲି ସେତେବେଳେ ଏହି ଫଟୋ ନେଇଥିଲି)
ଭି. ସାନ୍ମୁଗାଭେଲ୍(ବାମ) ୧୯୮୪ ମସିହାରେ ଡିଣ୍ଡିଗୁଲର ଗୋଣ୍ଡାମ୍ପଟ୍ଟିରୁ ଚେନ୍ନାଇକୁ ଆସିଥିଲେ । ସେ ଏଠାକୁ ଆସିବାର କାରଣ ହେଲା ଗାଁରେ ସେ ଦିନକୁ ମାତ୍ର ୫ ଟଙ୍କା ହିଁ ରୋଜଗାର କରିପାରୁଥିଲେ । ଚେନ୍ନାଇରେ, ସେତେବେଳେ ଦୈନିକ ମଜୁରୀ ବି ୧୦ ଗୁଣା ଅଧିକ ଥିଲା । ତାଙ୍କ ବାପା ନିଜସ୍ୱ ୩ ଏକର ଜମିରେ ଚାଷ କାମ କରୁଥିଲେ । କିନ୍ତୁ ବର୍ଷା ନ ହେଲେ, ପାଣିର ଅଭାବ ହୁଏ ଏବଂ ପେଟ ପୋଷିବା କଷ୍ଟକର ହୋଇଯାଏ । ଏବେ ହିଁ ଗାଁରେ ବୋରୱେଲ୍ ଖୋଳାଯାଉଛି, କିନ୍ତୁ ଏହା ଖୁବ୍ ବିଳମ୍ବ ହୋଇସାରିଛି, କାରଣ ଗାଁର ଅଧିକାଂଶ ପୁରୁଷ ଗାଁ ଛାଡ଼ି ସାରିଛନ୍ତି ।
ଡାହାଣରେ ଟଙ୍କା ଗଣୁଥିବା ଇଏ ହେଲେ ରାମଚନ୍ଦ୍ରନ । ସେ ଡିଣ୍ଡିଗୁଲ୍ ଜିଲ୍ଲାର ଛୋନଗନ୍ଛାଟ୍ଟିପାଟ୍ଟିରୁ ଆସିଛନ୍ତି । ଗାଁରେ ଜଣେ କୃଷି ଶ୍ରମିକ ଭାବେ କାମ କରୁଥିବା ରାମଚନ୍ଦ୍ରନ ୨୦୦୩ ମସିହାରେ ଚେନ୍ନାଇକୁ ଉନ୍ନତ ଜୀବନ ଧାରଣ ଅନ୍ୱେଷଣରେ ଆସିଲେ । ଗାଁରେ ତାଙ୍କର ବାପା ମା’ ଏବେ ବି କୃଷି କ୍ଷେତ୍ରରେ କାମ କରୁଛନ୍ତି । ତାଙ୍କ ଭଳି ତାଙ୍କ ଗାଁର ଅଧିକାଂଶ ଲୋକ କାମ ସନ୍ଧାନରେ ବିସ୍ଥାପିତ ହୋଇଛନ୍ତି । କେବଳ ୪୦ ବା ୫୦ ବର୍ଷ ବୟସ୍କମାନେ ହିଁ କେବଳ ଗାଁରେ ଅଛନ୍ତି । ଯୁବକମାନେ କାମ ସନ୍ଧାନରେ ତିରୁପ୍ପର, କୋଏମ୍ବାଟୁର ବା ଚେନ୍ନାଇକୁ ଯାଇଛନ୍ତି । ଏହିଭଳି ରାମଚନ୍ଦ୍ରଙ୍କ ହିସାବ ଅନୁସାରେ ଏକ ହଜାର ଜନସଂଖ୍ୟା ବିଶିଷ୍ଟ ଗୋଟିଏ ଗାଁରେ ଅଧା ଜନସଂଖ୍ୟା ହିଁ ରହୁଛନ୍ତି । ଏବଂ ସେମାନଙ୍କ ମଧ୍ୟରୁ ଖୁବ୍ କମ୍ ପୁରୁଷ ତାଙ୍କ ବୟସର ହେବେ ।
ଏ ମୁଥୁରାଜ୍ ଡିଣ୍ଡିଗୁଲ ଜିଲ୍ଲାର ପଚାଇମଲାୟାନ୍କୋଟ୍ଟାଇରୁ ଆସିଛନ୍ତି, ଯେଉଁଠାରେ ୫ ବର୍ଷ ପୂର୍ବରୁ ୩୦ ହଜାର ଟଙ୍କାରେ ବିକ୍ରି ହେଉଥିବା ଜମି ଏବେ ୧ ଲକ୍ଷ ଟଙ୍କା ଦାମ୍ । ଏହାର କାରଣ ? ଏହା ବଡ଼ ସହରଗୁଡ଼ିକୁ ସଂଯୋଗ କରୁଥିବା ରାସ୍ତା କଡ଼ରେ ଏହା ଥିଲା ଏବଂ ସେଠାରେ ରହୁଥିବା ଲୋକମାନେ ପ୍ରତିଦିନ ସେହି ସହର ମଧ୍ୟରୁ ଯେ କୌଣସିଟିକୁ ଯାଇପାରିବେ । ଏହି କାରଣରୁ ଏବେ ଚାଷକୁ କେହି ପଚାରୁ ନାହାନ୍ତି, ଏବେ ଅଳ୍ପ କେତେକ ଲୋକ ହିଁ ଚାଷ କାମ କରୁଛନ୍ତି । ମୁଥୁରାଜଙ୍କ ମା’ ସେହିମାନଙ୍କ ମଧ୍ୟରୁ ଜଣେ ଯିଏ ଏବେ ବି ଚାଷ କରୁଛନ୍ତି (ସେମାନଙ୍କର ୨ ଏକର ଜମି ଅଛି) ଏବଂ ସେ ଅନ୍ୟ ଶ୍ରମିକଙ୍କ ସହଯୋଗରେ ଓଲିଆଣ୍ଡର ଫୁଲ ଉତ୍ପାଦନ କରନ୍ତି । ଯଦିଓ ଏଠାରେ ସହଯୋଗୀ ଶ୍ରମିକ ପାଇବାଠାରୁ ପାଣି ଅଧିକ ଦୁର୍ଲଭ । ୮୦୦ ଫୁଟ୍ ଗଭୀର ଖୋଳା ହୋଇଥିବା ତାଙ୍କର ବୋର୍ୱେଲ୍ରୁ ଖୁବ୍ କମ୍ ପାଣି ବାହାରେ ବା ବହୁ ସମୟରେ ଆଦୌ ବାହାରେ ନାହିଁ । ସେ ଏବେ ଜମିରେ ଜଳସେଚନ କରିବାକୁ ସପ୍ତାହକୁ ଦୁଇ ଥର (୭୦୦ ଟଙ୍କା) ଲେଖାଏଁ ଦେଇ ଟ୍ୟାଙ୍କର ପାଣି କିଣୁଛନ୍ତି । ବର୍ଷା ହେଲେ ଏହି ସ୍ଥିତି ବଦଳିଯିବ, କିନ୍ତୁ ଗାଁରେ ଜୀବନ ସବୁବେଳେ କଷ୍ଟକର ଏବଂ ଯେତେବେଳେ ତାଙ୍କ ସମ୍ପର୍କୀୟମାନେ ତାଙ୍କୁ ୧୮ ବର୍ଷ ପୂର୍ବରୁ ଚାକିରି ପାଇଁ ଚେନ୍ନାଇକୁ ଯିବାକୁ କହିଲେ, ମୁଥୁରାଜ୍ ବାହାରି ପଡ଼ିଲେ ଏବଂ ଚେନ୍ନାଇ ଗଲେ ।
ଏସ୍ ପରାକ୍ରାମ୍ପାଣ୍ଡିଆନ୍(ବାମ)ଙ୍କର ଜେଜେ ବାପାଙ୍କର ତାଙ୍କୁ ନେଇ ବଡ଼ ସ୍ୱପ୍ନ ଥିଲା । ସେ ତାଙ୍କୁ ଜଣେ ପୋଲିସ କରିବାକୁ ଚାହୁଁଥିଲେ, ଏବଂ ଏଥିପାଇଁ ମଦୁରାଇର ରାଜାଙ୍କ ନାଁ ଅନୁସାରେ ତାଙ୍କର ନାମ ରଖିଥିଲେ । ସେ ଭାବିଥିଲେ ଏହା ତାଙ୍କ ଛାତିରେ ଲାଗିବାକୁ ଥିବା ବ୍ୟାଜ୍ରେ ବେଶ୍ ଭଲ ଦେଖାଯିବ । ଏହା ବଦଳରେ ‘ପରାକ୍’ (ଏହି ନାମରେ ଏଠାରେ ସମସ୍ତେ ତାଙ୍କୁ ଡାକନ୍ତି ଏବଂ ଆଞ୍ଚଳିକ ଭାଷାରେ ଏହାର ଅର୍ଥ ଜଣେ ସ୍ୱପ୍ନାଭିଳାଷୀ ଏବଂ ଭଲ ବାଟରେ ନୁହେଁ) ସ୍କୁଲ ପାସ୍ କରିପାରିଲେ ନାହିଁ, ଏବଂ ଫୁଲ ବିକ୍ରି କରୁଛନ୍ତି । ଡିଣ୍ଡିଗୁଲ ଜିଲ୍ଲାର ପଲ୍ଲାପଟ୍ଟି ଗାଁରୁ ପରାକ୍ରାମ୍ପାଣ୍ଡିଆନ୍ ୧୪ ବର୍ଷ ବୟସରେ ଚେନ୍ନାଇ ଆସିଥିଲେ । ପ୍ରାରମ୍ଭିକ ଭାବେ ସେ କୋୟାମବେଡୁରେ କାମ କରୁଥିଲେ ଏବଂ ପରେ, ଗୋଟିଏ ଦୋକାନ ଖୋଲିବାକୁ ଚେଷ୍ଟା କଲେ, ଏହି ବ୍ୟବସାୟ ତାଙ୍କୁ ଅଢ଼େଇ ଲକ୍ଷ ଟଙ୍କା(ସୁଧ ମୂଳ ମିଶାଇ) ଋଣ ଭାର ଦେଲା । ସେ କିଛି ଜମି ବିକ୍ରି କଲେ ଓ ଦେଢ଼ ଲକ୍ଷ ଟଙ୍କା ପରିଶୋଧ କରିଦେଲେ, କିନ୍ତୁ ଏଠାରେ ସେ ପ୍ରତିଦିନ ଭୋର୍ ପୂର୍ବରୁ ଉଠନ୍ତି- ସଂଧ୍ୟା ପର୍ଯ୍ୟନ୍ତ କାମ କରନ୍ତି, ବଳକା ଟଙ୍କା ପରିଶୋଧ କରିବାକୁ ଯଥାସାଧ୍ୟ ଉଦ୍ୟମ କରନ୍ତି ।
ଅନୁବାଦ: ଓଡ଼ିଶାଲାଇଭ୍